ଭୁବନେଶ୍ବର: ବିଜ୍ଞାନ ଓ ବୈଷୟିକ ଜ୍ଞାନ ବଳରେ ମଣିଷ ସଭ୍ୟତା ଆଜି ସଫଳତାର ଶୀର୍ଷ ଛୁଇଁଛି। ମହାକାଶରେ ଚନ୍ଦ୍ର ଅଭିଯାନ ପରେ ମଙ୍ଗଳାୟାନରେ ପହଞ୍ଚିଗଲାଣି ମଣିଷ। ଯୋଗାଯୋଗ କ୍ଷେତ୍ରରେ ଘଟିଥିବା ଉନ୍ନତି ଆଜି ପୃଥିବୀକୁ ବହୁତ ସଂକୁଚିତ କରି ସାରିଲାଣି। କିନ୍ତୁ ପରିତାପର କଥା ଏବେ ବି ବିଶ୍ବରେ ଲକ୍ଷଲକ୍ଷ ଲୋକ ଭୋକଉପାସରେ ଦିନ କାଟୁଛନ୍ତି। ଅପପୁଷ୍ଟିର ଶିକାର ହେଉଛନ୍ତି ଲକ୍ଷଲକ୍ଷ ଶିଶୁ। ତେଣୁ ସେମାନେ ଶିକ୍ଷାରୁ ବଞ୍ଚିତ ହେବା କିଛି ବଡ଼ ଆଶ୍ଚର୍ଯ୍ୟର ପ୍ରସଙ୍ଗ ନୁହେଁ। ଏବେ ବି ଆମ ଦେଶରେ ଲକ୍ଷଲକ୍ଷ ବାସହୀନ ଲୋକ ଯାଯାବର ଜୀବନଯାପନ କରନ୍ତି ଓ ରାସ୍ତାକଡ଼ରେ ଦିନ କାଟନ୍ତି। ତେଣୁ ଦାରିଦ୍ର୍ୟର କଷାଘାତରୁ ମୁକୁଳି ପାରିନଥିବା ମଣିଷ ପାଖରେ ଶିକ୍ଷା ପହଞ୍ଚିବା ଦୁରୁହ ବ୍ୟାପାର ହୋଇପଡ଼ିଛି। ଭୋକର ଦାଉରେ ଛଟପଟ ମଣିଷ ଶିକ୍ଷା ଗ୍ରହଣକୁ ପ୍ରାଧାନ୍ୟ ଦେଇପାରୁନାହିଁ। ଫଳରେ ଆପଣାଛାଏଁ ସରକାରଙ୍କ ସାକ୍ଷରତା ଅଭିଯାନ ପ୍ରହସନ ପାଲଟି ଯାଇଛି। ତେବେ ଏଭଳି ଘଡ଼ିସନ୍ଧି ସମୟରେ କିଛି ମଣିଷ ଏଭଳି ଅବହେଳିତ ବର୍ଗକୁ ଶିକ୍ଷାଦାନ କରିବା ପାଇଁ ଅହରହ ଲଢ଼େଇ କରୁଛନ୍ତି। କିଛି ନିଜ ଉଦ୍ୟମରେ ଓ କିଛି ସଂଗଠନ ମାଧ୍ୟମରେ ଶିକ୍ଷାର ପ୍ରଦୀପ ଜାଳିବା ପାଇଁ ପ୍ରଚେଷ୍ଟା ଜାରି ରଖିଛନ୍ତି। ଫଳରେ ସେସବୁ ବ୍ୟକ୍ତିବିଶେଷ ବା ସଂସ୍ଥା ପାଲଟିଛି ଅବହେଳିତ ଶିଶୁଙ୍କ ଆଶାର କିରଣ। ଅନ୍ତର୍ଜାତୀୟ ସାକ୍ଷରତା ଦିବସ ଅବସରରେ ସେଭଳି କିଛି ସଂଗଠନ ଓ ବ୍ୟକ୍ତିଙ୍କୁ ନେଇ ଏହି ସ୍ବତନ୍ତ୍ର ଉପସ୍ଥାପନା...
ବସ୍ତି ଓ ରାସ୍ତାକଡ଼ର ଅବହେଳିତ ପିଲାଙ୍କୁ ପ୍ରାଥମିକ ଶିକ୍ଷା ଯୋଗାଇବା ପାଇଁ କିଛି ବର୍ଷ ହେଲା ରାଜଧାନୀରେ ଗଢ଼ି ଉଠିଛି ସ୍ବେଚ୍ଛାସେବୀ ସଂଗଠନ ‘ଆଶାଏଁ’। ଶିକ୍ଷା ଗ୍ରହଣରୁ ବଞ୍ଚିତ ପିଲାଙ୍କ ଭିତରେ ନୂଆ ଆଶାର ଝଲକ ସୃଷ୍ଟି କରିବାକୁ ସଂସ୍ଥାର ଏପରି ନାମ ରଖାଯାଇଛି। ୨୦୧୪ ମସିହାରେ ରତ୍ନାକର ସାହୁ, ସଂଗ୍ରାମ ରାଉତରାୟ ଓ ଅନ୍ୟ କିଛି ସ୍ବେଚ୍ଛାସେବୀ ଯୁବକଙ୍କ ହାତରେ ଗଢ଼ି ଉଠିଛି ଏହି ସଂସ୍ଥା। ରାଜରାସ୍ତାରେ ଭିକ ମାଗୁଥିବା, ପଲିଥିନ୍ ଜରି ଗୋଟାଉଥିବା ପିଲାଙ୍କୁ ଟାର୍ଗେଟ୍ କରି ଏହି ସଂସ୍ଥା ଗଢ଼ି ଉଠିଥିଲା। ସେମାନଙ୍କୁ ପ୍ରାଥମିକ ଶିକ୍ଷା ଯୋଗାଇବା ଲକ୍ଷ୍ୟ ନେଇ ଏହି ସଂସ୍ଥା ଆଜି ଯାଏ କାମ କରୁଛି। କଁଅଳ ବୟସର ପିଲାଙ୍କ ହାତରୁ ଜରି ଗୋଟାରେ ବ୍ୟବହାର ହେଉଥିବା ବ୍ୟାଗ୍ ଫୋପାଡ଼ି ସେହି ହାତରେ ଖଡ଼ି ଧରାଉଛି। ଏବେ ‘ଆଶାଏଁ’ରେ ୩୦୦ରୁ ଅଧିକ ପିଲା ଶିକ୍ଷା ଗ୍ରହଣ କରୁଛନ୍ତି। ରାଜଧାନୀର ୫ଟି ସ୍ଥାନରେ ଖୋଲାଯାଇଛି କେନ୍ଦ୍ର। ମାଳିସାହି, ମାର୍କେଟ୍ ବିଲ୍ଡିଂ, ବୁଦ୍ଧନଗର, ଡମଣା, ପଟିଆ, ନୀଳଚକ୍ର ପଡ଼ିଆ ଆଦି ସ୍ଥାନରେ ଏହି ସବୁ ସେଣ୍ଟର୍ କାମ କରୁଛି। ସବୁ କେନ୍ଦ୍ର ପାଇଁ ସେଣ୍ଟର୍ ପ୍ରମୁଖ ଅଛନ୍ତି। ପ୍ରାଥମିକ ଶିକ୍ଷାଦାନ ସହ ପିଲାଙ୍କୁ ଧନ୍ଦାମୂଳକ ଶିକ୍ଷା ମଧ୍ୟ ପ୍ରଦାନ କରାଯାଉଛି। ଚିତ୍ର ଆଙ୍କିବା, ହାତ ତିଆରି ବିଭିନ୍ନ ସାଜସଜା ସାମଗ୍ରୀ ପ୍ରସ୍ତୁତ କରିବା ଶିକ୍ଷା ଦିଆଯାଉଛି। ପିଲାଙ୍କ ମନରେ ଅଧିକ ଆଗ୍ରହ ସୃଷ୍ଟି କରିବା ପାଇଁ ଡିଜିଟାଲ୍ ମାଧ୍ୟମରେ ବିଦେଶୀ ଭାଷା ଶିକ୍ଷା ମଧ୍ୟ ଦିଆଯାଉଛି। ବଡ଼ କଥା ହେଉଛି, ବହୁ ପିଲା ଏବେ ଇଂରାଜୀ ସହ ସ୍ପାନିସ୍, ଜାପାନିଜ୍ ଭଳି ବିଦେଶୀ ଭାଷା ଶିଖି ପାରିଛନ୍ତି।
/sambad/media/post_attachments/wp-content/uploads/2021/09/x54h65f4h65sf456hfssfhfhsfhs.jpg)
ଉଲ୍ଲେଖନୀୟ କଥା ହେଉଛି ଏଠାରୁ ଶିକ୍ଷା ଗ୍ରହଣ କରି ଜୀବନର ନୂତନ ରାସ୍ତା ପାଇଥିବା ୫୦ରୁ ଅଧିକ ଯୁବକ ଆଜି ସ୍ବାବଲମ୍ବୀ ହୋଇ ସ୍ବାଭିମାନର ଜୀବନ ଜିଉଁଛନ୍ତି। ଦିନେ ଜରି ଗୋଟାଉଥିବା ଓ ଭିକ୍ଷାବୃତ୍ତି କରୁଥିବା ପିଲା ଆଜି ହୋଟେଲ୍ରେ ୱେଟର୍, ଡ୍ରାଇଭର୍ ଓ ଜୋତା ତିଆରି ଭଳି କାମ କରି ସ୍ବାଭିମାନର ଜୀବନ ବଞ୍ଚୁଛନ୍ତି। ଚଳିତ ବର୍ଷ ଏହି ସଂସ୍ଥାରୁ ୫ଜଣ ପିଲା ୧୦ମ ଶ୍ରେଣୀ ପରୀକ୍ଷାରେ ପୁଣି ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ସଂଗଠନର ପ୍ରତିଷ୍ଠାତା ରତ୍ନାକର ସାହୁଙ୍କ କହିବା କଥା କୌଣସି ଶିଶୁ ପ୍ରାଥମିକ ଶିକ୍ଷାରୁ ବଞ୍ଚିତ ନହେଉ, ଏହା ତାଙ୍କ ସଂଗଠନର ଲକ୍ଷ୍ୟ।
ଆଦରର ‘ଶକୁ’ ଦିଦି
କରୋନା କାଳରେ ସବୁଠାରୁ ଅଧିକ ବିପର୍ଯ୍ୟସ୍ତ ହୋଇପଡ଼ିଛି ଶିକ୍ଷା ବ୍ୟବସ୍ଥା। ସ୍କୁଲ ବନ୍ଦ ଥିବାରୁ ଗରିବ ପିଲାମାନେ ପଢ଼ି ପାରୁ ନାହାନ୍ତି। ଅନ୍ଲାଇନ୍ ଶିକ୍ଷାଦାନ ସବୁ ପିଲାଙ୍କ ନିକଟରେ ପହଞ୍ଚି ପାରୁନି। ବିଶେଷକରି ବସ୍ତିର ଗରିବ ପିଲାମାନେ ମୋବାଇଲ୍ ଫୋନ୍ ଓ ଇଣ୍ଟରନେଟ୍ ପାଇଁ ଏହି ବ୍ୟବସ୍ଥାରୁ ଫାଇଦା ନେଇ ପାରୁନାହାନ୍ତି। ଏତିକିବେଳେ ବସ୍ତି ପିଲାଙ୍କ ପାଇଁ ଆଗେଇ ଆସିଛନ୍ତି ‘ଶକୁ’ ଦିଦି। ସ୍ବେଚ୍ଛାକୃତ ଭାବେ ମାଗଣାରେ ଶିକ୍ଷାଦାନ କରୁଛନ୍ତି। ବସ୍ତିରୁ ବସ୍ତିକୁ ବୁଲି ପ୍ରାୟ ୮ଟି ସାହିରେ ଏବେ ଆଦରର ଶକୁ ଦିଦିଙ୍କୁ ନେଇ ବେଶ୍ ଚର୍ଚ୍ଚା।
ସାଲିଆସାହିରେ ରହୁଥିବା ଶକୁନ୍ତଳା ନାୟକ(୨୪) ଏବେ ଆଉ ସେହି ସାହିରେ ସୀମିତ ନାହାନ୍ତି। ସାଲିଆସାହିର ମେ’ ଫେୟାର ବସ୍ତି, ବାଜପେୟୀ ନଗର, ମଙ୍ଗଳା ନଗର, ତାରିଣୀ ବସ୍ତି, ବିସ୍ରା ବସ୍ତି, ଇଡ୍କୋ ସାହି ଓ ପ୍ରଧାନ ବସ୍ତିରେ ଶକୁନ୍ତଳା ଏବେ ଶକୁ ଦିଦି ନାମରେ ସେ ଏବେ ବେଶ୍ ପ୍ରିୟ। ପାଠପଢ଼ା ସହ ଚିତ୍ର ଆଙ୍କିବା ଭଳି ବିଭିନ୍ନ କୌଶଳ ଶିକ୍ଷା ଦେଉଛନ୍ତି ଶକୁ ଦିଦି। ମହାମାରୀ ସମୟରେ କିପରି ସୁରକ୍ଷିତ ରହିବେ, ସେଥିଲାଗି ବସ୍ତିବାସିନ୍ଦାଙ୍କୁ ସଚେତନ କରାଉଛନ୍ତି। ମହର୍ଷି ମହିଳା ମହାବିଦ୍ୟାଳୟରୁ ଗ୍ରାଜୁଏସନ୍ ସାରିବା ପରେ ବିଏଡ୍ କିମ୍ବା ସିଟି ତାଲିମ ପାଇଁ ପ୍ରସ୍ତୁତ ହେଉଛନ୍ତି। ସୂଚନାଯୋଗ୍ୟ, ଗଞ୍ଜାମ ଭଞ୍ଜନଗର ଅଂଚଳର ଏକ ଗରିବ ପରିବାରରୁ ଆସି ‘ସ୍ନେହ’ ନାମକ ଏକ ଆଶ୍ରମରେ ବଢ଼ିଛନ୍ତି ଶକୁନ୍ତଳା। କଲେଜରେ ପଢ଼ିବା ସମୟରୁ ସମାଜସେବୀ ଭାବେ କାର୍ଯ୍ୟ କରିଆସୁଛନ୍ତି। ବହୁତ ଦୁଃଖକଷ୍ଟରେ ପାଠ ପଢ଼ିଥିବାରୁ ସେ ଗରିବ ପିଲାଙ୍କ ଅବସ୍ଥା ବୁଝିଛନ୍ତି। ତେଣୁ ଅର୍ଥାଭାବରୁ ଯେମିତି କୌଣସି ପିଲା ପାଠପଢ଼ା ନ ଛାଡ଼େ, ସେଥିଲାଗି ସେ ମାଗଣାରେ ଶିକ୍ଷାଦାନ କରୁଛନ୍ତି ବୋଲି କହିଛନ୍ତି।
ବସ୍ତିରେ ‘ସମ୍ୟକ୍ ସମାନତା’
ବିଭିନ୍ନ କାରଣରୁ ବିଶେଷକରି ଆର୍ଥିକ ସମସ୍ୟାରୁ ପାଠପଢ଼ାରୁ ମୁହଁ ଫେରାଉଥିବା ବସ୍ତି ପିଲାଙ୍କୁ ପୁଣି ପଢ଼ା ପ୍ରତି ଆକର୍ଷିତ କରିବାକୁ ଆଗେଇ ଆସିଛି ‘ସମ୍ୟକ୍ ସମାନତା’। କେବଳ ରାଜଧାନୀ ନୁହେଁ, ବାଲେଶ୍ବର ଓ ନୟାଗଡ଼ ଭଳି ସହରରେ ମଧ୍ୟ ସମ୍ୟକ୍ ସମାନତା ବସ୍ତିର ଅବହେଳିତ ଶିଶୁମାନଙ୍କୁ ପଢ଼ାଉଛି। ଶିକ୍ଷା ସମସ୍ତଙ୍କ ଅଧିକାର ହୋଇଥିବାରୁ ଶିକ୍ଷାଦାନ ଓ ଗ୍ରହଣ କ୍ଷେତ୍ରରେ ସମାନତା ଆଣିବା ପାଇଁ ଏହି ସଂଗଠନ କାମ କରୁଛି।
୨୦୧୨ ମସିହାରୁ ଏହି ଅଭିଯାନ ଆରମ୍ଭ ହୋଇଛି। ଆଇନଜୀବୀ ସାୟନ୍ତନ ପଣ୍ଡାଙ୍କ ସହ ଶିଶିର କୁମାର ପାଢ଼ୀ, ଲକ୍ଷ୍ମୀକାନ୍ତ ପରିଡ଼ା, ଦ୍ବିତୀକୃଷ୍ଣ ସାହୁ, ସତ୍ୟ, ଅଜୟ, ସୁଶାନ୍ତ ଓ ଆଲୋକଙ୍କ ଭଳି ଯୁବକମାନଙ୍କ ଉଦ୍ୟମରେ ଏହି ସଂସ୍ଥା ଆଗେଇ ଚାଲିଛି। ଭୁବନେଶ୍ବରର ସିଆର୍ପି ଅଞ୍ଚଳରୁ ମାତ୍ର ୪ଜଣ ପିଲାଙ୍କୁ ନେଇ ଆରମ୍ଭ ହୋଇଥିବା ଏହି ପ୍ରୟାସଟି ଏବେ ରାଜଧାନୀର ୪ଟି ବସ୍ତିରେ ପହଞ୍ଚି ପାରିଛି। ଗଣପତିନଗର ବସ୍ତି, ସାଲିଆସାହି, ଫାଳିକିଆ ବସ୍ତି, ଜନତା ଲଜ୍ ବସ୍ତିରେ ଅନୁଷ୍ଠାନର ଶିକ୍ଷକ ଓ କର୍ମକର୍ତ୍ତାମାନେ ପିଲାମାନଙ୍କୁ ଶିକ୍ଷାଦାନ କରୁଛନ୍ତି। ସକାଳ ୮ଟାରୁ ପୂର୍ବାହ୍ନ ୧୦ଟା ଓ ଅପରାହ୍ଣ ୪ଟାରୁ ରାତି ୯ଟାଯାଏ ପିଲାମାନଙ୍କୁ ମାଗଣାରେ ଶିକ୍ଷାଦାନ କରାଯାଉଛି। ଏବେ ପ୍ରଥମରୁ ଦଶମ ଶ୍ରେଣୀ ଯାଏ ୯୦ରୁ ଅଧିକ ପିଲା ପଢ଼ୁଛନ୍ତି। ଏବେ ଯୁକ୍ତ ଦୁଇ ପିଲାଙ୍କୁ ମଧ୍ୟ ପଢ଼ାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/4xf5h64fh654fs56hf465fhshfhfhffhhf.jpg)