ଭୁବନେଶ୍ୱର: କୋଟିଆରେ ଆନ୍ଧ୍ରପ୍ରଦେଶ ପଶି ଜୋର୍ ଜବରଦସ୍ତ ପଞ୍ଚାୟତ ନିର୍ବାଚନ କରାଇଲା। ଏଥିରେ ଆମ ଓଡ଼ିଆ ପ୍ରାଣ କାନ୍ଦି ଉଠିଲା। କିନ୍ତୁ ଖୋଦ୍ ଆମେ କେତେ ଆମ ଜାତି ପାଇଁ ସଚେତନ? ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇବା ପରେ ଏହାର ବ୍ୟାପକ ବ୍ୟବହାର ପାଇଁ ରାଜ୍ୟ ସରକାର ଆଇନ କରାଇଲେ। ଆଉ ପାଦେ ଆଗକୁ ଯାଇ ୨୦୧୮ ମସିହା ଏପ୍ରିଲରେ ରାଜ୍ୟ ବିଧାନସଭାରେ ‘ଓଡ଼ିଶା ସପ୍ସ୍ ଆଣ୍ଡ୍ କମର୍ସିଆଲ୍ ଏଷ୍ଟାବ୍ଲିସ୍ମେଣ୍ଟ୍ (ଆମେଣ୍ଡମେଣ୍ଟ୍) ବିଲ୍- ୨୦୧୮’ ବିଧାନସଭାରେ ଗୃହୀତ ହେଲା। ଏହି ଆଇନ ଅନୁସାରେ ସମସ୍ତ ଦୋକାନ ଓ ବ୍ୟାବସାୟିକ ଅନୁଷ୍ଠାନରେ ଓଡ଼ିଆ ନାମଫଳକ ଲଗାଇବା ବାଧ୍ୟତାମୂଳକ କରାଗଲା। କିନ୍ତୁ ନିୟମ ହେବାର ୩ ବର୍ଷ ବିତି ଯାଇଥିଲେ ବି ସାରା ଓଡ଼ିଶା କଥା ଛାଡ଼ନ୍ତୁ; ଏଯାଏ ରାଜଧାନୀର ୨୦ ପ୍ରତିଶତ ବ୍ୟାବସାୟିକ ଅନୁଷ୍ଠାନ ବି ଓଡ଼ିଆରେ ନାମଫଳକ ଲେଖି ପାରିଲେ ନାହିଁ। ନା ଜନସାଧାରଣ ଏଥିପାଇଁ ସଚେତନ ହେଉଛନ୍ତି ନା ସରକାର ଏନେଇ ତତ୍ପରତା ପ୍ରକାଶ କରୁଛନ୍ତି। ଏଥିରୁ ଜଣାପଡ଼ୁଛି ଆମ ଓଡ଼ିଆ ପ୍ରାଣ ଓଡ଼ିଆ ଭାଷା ପାଇଁ କେତେ କାନ୍ଦୁଛି।
ସରକାର ଆଇନ କରିଥିଲେ, ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ବ୍ୟାବସାୟିକ ପ୍ରତିଷ୍ଠାନ ଏପରିକି ସମସ୍ତ ଛୋଟବଡ଼ ଦୋକାନୀ ସେମାନଙ୍କ ଇଚ୍ଛାରେ ଇଂରାଜୀ, ହିନ୍ଦୀ ବା ଯେକୌଣସି ଭାଷାରେ ନାମଫଳକ ଲଗାଇ ପାରିବେ; କିନ୍ତୁ ପ୍ରଥମେ ସୁସ୍ପଷ୍ଟ ଓ ନିର୍ଭୁଲ ଭାବେ ସୁଦୃଶ୍ୟ ଓଡ଼ିଆ ନାମଫଳକ ଲଗାଇବା ବାଧ୍ୟତାମୂଳକ। ଯେତେବେଳେ ଆଇନରେ ଏହି ବ୍ୟବସ୍ଥା ହେଲା, ସେତେବେଳେ ଭୁବନେଶ୍ବର ମହାନଗର ନିଗମ(ବିଏମ୍ସି) ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ କରାଗଲା। ଜରିମାନା ବି ଆଦାୟ ହେଲା। କିନ୍ତୁ କିଛି ଦିନ ପରେ ସବୁ ଶିଥିଳ ପଡ଼ିଗଲା। ବିଏମ୍ସି ଅଧିକାରୀମାନେ ମଧ୍ୟ ଏ ନେଇ ସମୂର୍ଣ୍ଣ ନିରବ ରହିଗଲେ। ଫଳରେ ଲୋକମାନେ ଯେମିତି ଆଗରୁ ନାମଫଳକରେ ଇଂରାଜୀ ବ୍ୟବହାର କରୁଥିଲେ ଏବେ ବି ସେମିତି କରୁଛନ୍ତି। ଓଡ଼ିଆ ଭାଷା ପ୍ରତି ଲୋକମାନଙ୍କ ହୃଦୟରେ ସର୍ବନିମ୍ନ ଦାୟିତ୍ବବୋଧ ତ’ ଆସୁ ନାହିଁ, ଅନ୍ୟପଟେ ଆଇନରେ ବ୍ୟବସ୍ଥା ହେଲା ପରେ ବି ସରକାରଙ୍କ ପକ୍ଷରୁ ଆଇନର ନାଲି ଆଖି ଦେଖାଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ।
ଭୁବନେଶ୍ୱରର ଅଧିକାଂଶ ବ୍ୟାବସାୟିକ ପ୍ରତିଷ୍ଠାନରେ ନାହିଁ ଓଡ଼ିଆ ନାମଫଳକ
ଯେଉଁ ଲୋକମାନେ ଓଡ଼ିଆରେ ନିଜ ଅନୁଷ୍ଠାନର ନାମଫଳକ ଲଗାଉ ନାହାନ୍ତି, ସେମାନଙ୍କ ବିରୋଧର ଯେକୌଣସି ବ୍ୟକ୍ତି ଅଭିଯୋଗ କରିପାରିବେ। ସେଥିପାଇଁ ରାଜ୍ୟ ସରକାର ୨୦୧୯ରେ ଶ୍ରମ ବିଭାଗ ଅଧୀନରେ ଏକ ସ୍ବତନ୍ତ୍ର ପୋର୍ଟାଲର ବି ଶୁଭାରମ୍ଭ କରିଥିଲେ। କିନ୍ତୁ ସୂଚନା ଅନୁଯାୟୀ, ଗତ ଡିସେମ୍ବର ପର୍ଯ୍ୟନ୍ତ ଏହି ପୋର୍ଟାଲକୁ ମାତ୍ର ୭ଟି ଅଭିଯୋଗ ଆସିଛି। ସେଥିମଧ୍ୟରୁ ଖୋର୍ଧା ଜିଲ୍ଲାରୁ ଆସିଛି ୬ଟି ଅଭିଯୋଗ। ଏଥିରୁ ସ୍ପଷ୍ଟ ଅନୁମେୟ ଯେ ଏଭଳି ଏକ ଅଭିଯୋଗ ପୋର୍ଟାଲର ବ୍ୟବସ୍ଥା ଅଛି ବୋଲି ଜନସାଧାରଣ ସେତେଟା ସଚେତନ ନୁହନ୍ତି। ରାଜଧାନୀର ମାଳମାଳ ବ୍ୟାବସାୟିକ ପ୍ରତିଷ୍ଠାନ ଇଂରାଜୀରେ ନାମଫଳକ ଲେଖିଥିଲେ ସୁଦ୍ଧା ଲୋକଙ୍କ ଆଡ଼ୁ ଉତ୍ସାହଜନକ ଅଭିଯୋଗ ପୋର୍ଟାଲକୁ ଯାଉନାହିଁ। ଅଭିଯୋଗର ଫର୍ଦ୍ଦ ଲମ୍ବୁ ନାହିଁ କି ଏ ନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ।
ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇଲା। ଏହାକୁ ବ୍ୟାପକ ବ୍ୟବହାର ପାଇଁ ଆଇନ ବି ପ୍ରସ୍ତୁତ ହେଲା। କିନ୍ତୁ ରାଜ୍ୟର ସ୍ବାଭିମାନୀ ବୋଲାଉଥିବା ରାଜଧାନୀରେ ହିଁ ଓଡ଼ିଆ ଭାଷାକୁ ନେଇ ପ୍ରସ୍ତୁତ ଆଇନକୁ ସମ୍ପୂର୍ଣ୍ଣ ଭାବେ ଫୁ’ କରି ଦିଆଯାଉଛି। ରାଜଧାନୀର ଶିକ୍ଷିତ ବର୍ଗ ଯଦି ଏ ନେଇ ସଚେତନ ନ ହେବେ ତେବେ ରାଜ୍ୟର ଅନ୍ୟ ଅଞ୍ଚଳ କଥା କ’ଣ କହିବା? ବ୍ୟାବସାୟିକ ଅନୁଷ୍ଠାନ କଥା ଛାଡ଼ନ୍ତୁ; ବିଭିନ୍ନ ଆବାସିକ କଲୋନି, ବେସରକାରୀ ଶିକ୍ଷାନୁଷ୍ଠାନ, ବିଭିନ୍ନ ଆପାର୍ଟମେଣ୍ଟ ଓ ସହରରେ ଗଢ଼ି ଉଠୁଥିବା ବଡ଼ବଡ଼ ସପିଂ ମଲ୍ରେ ବି ଓଡ଼ିଆ ନାମଫଳକ ରହୁନାହିଁ।
ଏନେଇ ଜଣେ ବିଏମ୍ସି ଅଧିକାରୀଙ୍କୁ ପଚାରିବାରୁ ସେ କହିଛନ୍ତି, ୨୦୧୮ରେ ଏହି ଆଇନ ଯେତେବେଳେ ଆସିଲା, ଆମେ ବିଭିନ୍ନ ସ୍ଥାନରେ ଚଢ଼ଉ କଲୁ। କିଛି ବ୍ୟାବସାୟିକ ସଂଗଠନକୁ ଡାକି ସଚେତନ ବି କରାଇଲୁ। କିଛି ତଣ୍ଡ ବି ଗଣିଲେ କିଛି ଏନେଇ ସମୟ ବି ମାଗିଲେ। ଏହା ପରେ ହକି ବିଶ୍ବକପ୍ ଆସିବାରୁ ଏଥିରେ ଶିଥିଳତା ଆସିଥିଲା। ହକି ବିଶ୍ବକପ୍ ପରେ ପୁଣି କିଛି ସ୍ଥାନରେ ଚଢ଼ଉ କରିଥିଲୁ। କିନ୍ତୁ ପରେ କରୋନା ଆସିବା ପରେ ଓଡ଼ିଆ ନାମଫଳକ କଥା ଯେମିତି ସମସ୍ତେ ଭୁଲି ଯାଇଛୁ। ଏବେ ମାସ୍କ, ସାମାଜିକ ଦୂରତା ଓ ସାନିଟାଇଜେସନ୍ ଉପରେ ଅଧିକ ଗୁରୁତ୍ବ ଦିଆଯାଇଥିବାରୁ ଓଡ଼ିଆ ନାମଫଳକ ଉପରେ ଆଉ ସେତେଟା ପ୍ରାଧାନ୍ୟ ଦିଆଯାଇନାହିଁ ବୋଲି ସେ କହିଛନ୍ତି। ନିକଟ ଭବିଷ୍ୟତରେ ବି ଓଡ଼ିଆ ନାମଫଳକକୁ ନେଇ ଲୋକଙ୍କୁ ସଚେତନ କରାଇବାର କୌଣସି ଯୋଜନା ବିଏମ୍ସିର ନାହିଁ ବୋଲି ଜଣାପଡ଼ିଛି।
ଉତ୍କଳ ସମ୍ମିଳନୀ ମଞ୍ଚେଶ୍ବର ଶିଳ୍ପାଞ୍ଚଳ ଶାଖାର ସଭାପତି ଦିଲ୍ଲୀପ ଦାଶଶର୍ମା କହିଛନ୍ତି, ୨୦୧୮ ମସିହାରେ ଏହି ଆଇନ ଆସିବା ପୂର୍ବରୁ ଉତ୍କଳ ସମ୍ମଳନୀ ପକ୍ଷରୁ ଓଡ଼ିଆ ନାମଫଳକ ନେଇ ବହୁ ଦାବି ଉଠିଥିଲା। ପରେ ଓଡ଼ିଆ ନାମଫଳକ ନେଇ ସରକାର ବିଧିବଦ୍ଧ ଭାବେ ଆଇନ ପ୍ରଣୟନ କଲେ। କିନ୍ତୁ ତଦାରଖରେ ଥିବା ଅଧିକାରୀଙ୍କ ଅବହେଳା କାରଣରୁ ତଥା ସଚେତନତା ସୃଷ୍ଟିରେ ବିଫଳ ହେବାରୁ ଏବେ ରାଜ୍ୟ ତଥା ରାଜଧାନୀର ୮୦ ପ୍ରତିଶତରୁ ଅଧିକ ବ୍ୟାବସାୟିକ ଅନୁଷ୍ଠାନରେ ନାମଫଳକ ଓଡ଼ିଆରେ ହୋଇପାରିଲା ନାହିଁ। ଏଣୁ ଏଭଳି ଚରମ ଅବହେଳା କରୁଥିବା ତଦାରଖ ଅଧିକାରୀମାନଙ୍କୁ ସରକାର ବାଧ୍ୟତାମୂଳକ ଅବସର ଦେବା ଆବଶ୍ୟକ। ଭାଷା ଓ ଜାତି ପ୍ରଥମେ ନ୍ୟାୟରେ କଡ଼ା ପଦକ୍ଷେପ ଗ୍ରହଣ କଲେ ଯାଇ କିଛି ପରିବର୍ତ୍ତନ ସମ୍ଭବ ବୋଲି ଶ୍ରୀ ଦାଶଶର୍ମା କହିଛନ୍ତି।