ଆଜି ଅନ୍ତର୍ଜାତୀୟ ମାତୃ ଦିବସ, ଜନମ ଦେଇନି ସିନା…

ଜନ୍ମ ଦେଇ ନାହାନ୍ତି, ହେଲେ ଜନ୍ମ କଲା ମା’ଠାରୁ କମ୍‌ ନୁହନ୍ତି

ଜନ୍ମ କଲା ମା’ ପର କରି ଚାଲି ଯାଇଛି। ହେଲେ ଏହି ଅନାଥ ପିଲାମାନଙ୍କୁ କେବେ ମମତାର ଅଭାବ କରାଇ ଦେଇନାହାନ୍ତି ଯୌବନରେ ପାଦ ଥାପିଥିବା କିଛି ଅବିବାହିତ ଯୁବତୀ। ବୟସ ସେମାନଙ୍କର ୧୯ରୁ ୨୫ ବର୍ଷ ଭିତରେ ହେବ। ବିବାହ କରି ଘର ସଂସାର କରିବା ବୟସରେ ସେମାନେ ଏମିତି ଏକ ମହତ୍‌ କାମକୁ ବାଛି ନେଇଛନ୍ତି। ଏମିତି ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳୁଛି ‘ପିପୁଲ୍‌ସ ଫୋରମ୍‌’ର ପ୍ରତିଷ୍ଠାତା ଗୋବିନ୍ଦ ଚନ୍ଦ୍ର ପଟ୍ଟନାୟକଙ୍କ ଦ୍ବାରା ନିର୍ମିତ ପାତ୍ରପଡ଼ାସ୍ଥିତ ‘ଆମ ଘର’ ଅନାଥାଶ୍ରମରେ। ଏହି ଅନାଥାଶ୍ରମରେ ୭୦ରୁ ଅଧିକ ଶିଶୁ ରହୁଛନ୍ତି। ସେମାନଙ୍କୁ ଲାଳନପାଳନ କରୁଛନ୍ତି ୧୦ ଜଣ ସେବିକା। ମା’ ନହୋଇ ବି ସେମାନେ ମା’ଠୁ ଅଧିକ ସ୍ନେହ ଅଜାଡ଼ି ଦେଉଛନ୍ତି ଆଶ୍ରମର କୁନି କୁନି ଅବୋଧ ଶିଶୁଙ୍କୁ। ବୌଦ୍ଧ, କନ୍ଧମାଳ, କଟକ, ଜଗତସିଂହପୁର, ଢେଙ୍କାନାଳ ଆଦି ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଆସୁଥିବା ଶିଶୁମାନେ ଏଠାରେ ଆଶ୍ରୟ ନେଇଛନ୍ତି। ଦିନକର ଶିଶୁଠାରୁ ଆରମ୍ଭ କରି ୧୦ବର୍ଷ ପର୍ଯ୍ୟନ୍ତ ସମସ୍ତେ ତାଙ୍କରି ହାତ ପରସକୁ ଅନେଇ ବସିଥା’ନ୍ତି। ଯେତେବେଳ କେହି ନିଃସନ୍ତାନ ଦମ୍ପତି ସେମାନଙ୍କୁ କୋଳେଇ ନେବାକୁ ଆସନ୍ତି, ସେହି ପିଲାମାନେ ସେମାନଙ୍କ ପ୍ରିୟ ଦିଦିଙ୍କୁ ଛାଡ଼ି ଯିବାକୁ ମନ କରନ୍ତି ନାହିଁ। କିନ୍ତୁ ଶିଶୁଙ୍କର ଉତ୍ତମ ଭବିଷ୍ୟତ ପାଇଁ ଏହି ମା’ ମାନଙ୍କୁ ଛାତିକୁ ପଥର କରିବାକୁ ପଡ଼ିଥାଏ।

ପୁରୀରୁ ଆସିଥିବା ସେବିକା ସୁନିତା ନାୟକ କୁହନ୍ତି, ଛୋଟ ପିଲାଙ୍କ ପ୍ରତି ଅହେତୁକ ଦୁର୍ବଳତା ତାଙ୍କୁ ୫ ବର୍ଷ ତଳେ ‘ଆମ ଘର’କୁ ଟାଣି ଆଣିଥିଲା। ପିଲାଙ୍କ ମୁହଁରେ ହସ ଦେଖିଲେ, ତାଙ୍କ ପେଟ ପୂରିଯାଏ। ଏବେ ପରିସ୍ଥିତି ଏମିତି ହୋଇଛି ଯେ ପିଲାମାନେ ତାଙ୍କୁ ଦିନେ ନ ଦେଖି ରହି ପାରନ୍ତିନି। କେବେ କେବେ ତ ସେ ଗାଁକୁ ଗଲେ, ଶିଶୁମାନେ ମନ ଦୁଃଖରେ ଖାଆନ୍ତି ନାହିଁ। ତେଣୁ ଭିଡିଓ କଲ କରି ସେମାନଙ୍କୁ ଖୁଆଇବାକୁ ପଡ଼ିଥାଏ ବୋଲି ସୁନିତା କହିଛନ୍ତି। ସେହିପରି ଢେଙ୍କାନାଳର ରୀତା ମହାନ୍ତି କୁହନ୍ତି, କେବେ ଅନୁଭବ ହୋଇନି ଯେ ମୁଁ ଏ ପିଲାଙ୍କର ମା’ ନୁହେଁ ବୋଲି। ନର୍ସିଂ ପଢ଼ିବା ବେଳେ ସେବା ମହାନ୍ ଧର୍ମ ବୋଲି ଶିଖା ହୋଇଥିଲା। ହେଲେ ଏ କୁନି ପିଲାଙ୍କର ସେବା ମୋତେ ବେଶି ଖୁସି ଦେଉଛି। ଯେତେବେଳ କେହି ତାଙ୍କୁ କୋଳେଇନେବା ପାଇଁ ଆସନ୍ତି, ବହୁତ କଷ୍ଟ ହୁଏ। କିନ୍ତୁ ସେମାନଙ୍କ ଉଜ୍ଜ୍ବଳ ଭବିଷ୍ୟତ ପାଇଁ କୋହକୁ ଭିତରେ ଚାପି ରହିଯାଉ।

ସମ୍ବନ୍ଧିତ ଖବର