ଭୁବନେଶ୍ବର: କାହିଁ କେଉଁ ଆଦିମ କାଳରୁ ପୁରୁଣା ଜିନିଷ ସାଇତିବା ମଣିଷର ଅଭ୍ୟାସ। କେବେ ଘର କୋଣରେ ତ’ କେବେ ଏଥିପାଇଁ ସ୍ବତନ୍ତ୍ର ଘରଟିଏ କରି ସେ ସାଇତି ଚାଲେ ପୁରୁଣା ଅଲୋଡ଼ା ଜିନିଷ। ସେଗୁଡ଼ା ଅଲୋଡ଼ା ହେଲେ କ’ଣ ହେବ ଗୋଟିଏ ସମୟର ଇତିହାସ, ଚାଲିଚଳନ, ସଂସ୍କୃତି ଓ ପରମ୍ପରା ଆଦିର ଏହା ବାହକ ସାଜେ। କେବେ କେବେ ଏହା ସ୍ମୃତିକୁ ତାଜା କରେ। ହେଲେ ବେଳେ ବେଳେ ଏହି ଅଭ୍ୟାସ ନିଶା ପାଲଟିଯାଏ। ସହରର ଅଭିଜାତ୍ୟସମ୍ପନ୍ନ ସଂଗ୍ରହାଳୟଠାରୁ ବହୁ ଦୂରରେ ଗଢ଼ିଉଠେ ବ୍ୟକ୍ତିଗତ ସଂଗ୍ରହାଳୟ। ନିଜ ନିଶାରେ ଦିନେ ସେହି ବ୍ୟକ୍ତି ହିଁ ଦିନେ ସଂଗ୍ରହାଳୟ ପାଲଟିଯାଏ। ଏଭଳି କିଛି ବ୍ୟକ୍ତିଗତ ସଂଗ୍ରହାଳୟକୁ ନେଇ ଏଥରର ‘ଅନ୍ତର୍ଜାତୀୟ ସଂଗ୍ରହାଳୟ ଦିବସ’ର ଉପସ୍ଥାପନା।
ସୁଦର୍ଶନ ରଖିଛନ୍ତି ୪ହଜାରରୁ ଅଧିକ ପୁରାତନ ସାମଗ୍ରୀ
ଅତୀତର ସ୍ମୃତିକୁ ଉଜ୍ଜୀବିତ ରଖିବା ଉଦ୍ଦେଶ୍ୟରେ ଭୁବନେଶ୍ବରସ୍ଥିତ ଜାଗମରାର ତୁଳସୀ ବିହାରରେ ସୁଦର୍ଶନ ସାହୁ ନିଜ ଘରେ ଛୋଟ ସଂଗ୍ରହାଳୟଟିଏ କରିଛନ୍ତି। ଏହାର ନାମ ରଖିଛନ୍ତି ଗୋପୀନାଥ ହେରିଟେଜ ମ୍ୟୁଜିୟମ୍ ଅଫ୍ ବ୍ରାସ ଆଣ୍ଡ ବେଲ୍ ମେଟାଲ କ୍ରାଫ୍ଟ ଆଣ୍ଡ ନେଗଲେଟଡ୍ ଆର୍ଟସ। ଯେଉଁଥିରେ ସାଇତି ରଖିଛନ୍ତି, ବିଭିନ୍ନ ପ୍ରକାରର କଂସା, ପିତ୍ତଳ ଓ ଲୁହାର ସାମଗ୍ରୀ। ଓଡ଼ିଶାର ବିଭିନ୍ନ ଗ୍ରାମରୁ ସେ ୧୦୦ରୁ ୨୦୦ ବର୍ଷର ପୁରୁଣା ସାମଗ୍ରୀ ସଂଗ୍ରହ କରିଛନ୍ତି। ଯେଉଁଥିରେ ସେତେବେଳର ରାଜାଙ୍କ ଅମଳର ବିଭିନ୍ନ ସାମଗ୍ରୀମାନ ରହିଛି। ଗତ ୩୦ବର୍ଷ ଭିତରେ ସୁଦର୍ଶନ ୪ହଜାରରୁ ଅଧିକ ସାମଗ୍ରୀ ସଂଗ୍ରହ କରି ରଖିଛନ୍ତି। ଏଥିରେ ରହିଛି ଘରୋଇ ଉପକରଣ, ବାଦ୍ୟଯନ୍ତ୍ର ଓ ହଜାରେ ପ୍ରକାରର ଆଦିବାସୀ ସମ୍ପ୍ରଦାୟର ଅଳଙ୍କାର। ସେ ତାଙ୍କ ସଂଗ୍ରହାଳୟରେ ରଖିଛନ୍ତି ବିଭିନ୍ନ ଆକୃତିର କଂସା, ପିତ୍ତଳ ବେଲା, ଘଣ୍ଟଘଣ୍ଟି, ଦୀପଦାନି ଓ ବହୁ ପୁରାତନ ଅମଳର ପାଣି ଜଗ୍। ସୁଦର୍ଶନ ପେସାରେ ସେଣ୍ଟ୍ରାଲ୍ ବ୍ୟାଙ୍କର ମୁଖ୍ୟ ପ୍ରବନ୍ଧକ ଭାବେ କାର୍ଯ୍ୟ କରୁଥିଲେ। ଅବସର ଗ୍ରହଣ କରିବା ପରେ ତାଙ୍କ ସଂଗ୍ରହାଳୟରେ ସଂପୂର୍ଣ୍ଣ ସମୟ ଅତିବାହିତ କରୁଛନ୍ତି। ତାଙ୍କ ବାପା ଗୋପୀନାଥ ସାହୁ ଜଣେ କଂସା କାରିଗର ଥିଲେ ଏବଂ ତାଙ୍କ ନିଜସ୍ବ ଗ୍ରାମ କଣ୍ଟିଲୋ ଖଳିସାହି। ତେଣୁ ସେ ତାଙ୍କ ବାପାଙ୍କଠାରୁ ପ୍ରେରଣା ପାଇ ଏ ସବୁ ଜିନିଷ ସଂଗ୍ରହ କରିଥିବା କହିଛନ୍ତି।
ଓଡ଼ିଆ ସଂସ୍ମୃତି ଏବଂ ପରମ୍ପରାକୁ ବଞ୍ଚାଇ ରଖିବା ପାଇଁ ସୁଦର୍ଶନ ଅହରହ ଚେଷ୍ଟା କରୁଥିବା କହିଛନ୍ତି। ସେଥିପାଇଁ ସେ ୩୨ ପ୍ରକାରର ବେଲା, ୨୨ ପ୍ରକାରର ଡିବିରି, ୪୦ ପ୍ରକାରର ସିନ୍ଦୂର ଫରୁଆ, ୪୦ ପ୍ରକାରର କଜଳପାତି, ୩୫ ପ୍ରକାରର ଚିଲମ, ୨୮ ପ୍ରକାରର କଂସା ଥାଳି, ୧୨ ପ୍ରକାରର ପିକଦାନି, ୮ପ୍ରକାରର କଏନ୍ ବକ୍ସ, ଆଦିବାସୀଙ୍କର ଅଳଙ୍କାର ଖଡୁ, ବେକମାଳି, ହେୟାର ପିନ୍, ପାଇକ ବିଦ୍ରୋହ ସମୟରେ ବ୍ୟବହାର ହୋଇଥିବା ଲାଠି, ଖଣ୍ଡା ଏବଂ ରାଜାରାଣୀ ବ୍ୟବହାର କରୁଥିବା ଅଳଙ୍କାର, ଘରୋଇ ସାମଗ୍ରୀ ଓ ବିଞ୍ଚଣା ଇତ୍ୟାଦି ସଂଗ୍ରହ କରି ରଖିଛନ୍ତି।
ପେସା ଅଧ୍ୟାପନା, ନିଶା ପୁରୁଣା ଗାଡ଼ି ସଂଗ୍ରହ
ନିମାପଡ଼ା ସ୍ବୟଂଶାସିତ ମହାବିଦ୍ୟାଳୟର ଅର୍ଥଶାସ୍ତ୍ର ଅଧ୍ୟାପକ। ପେସା ଅଅଧ୍ୟାପନା ହେଲେ ନିଶା ପୁରୁଣା ଓ ବ୍ରିଟିସ୍ ଅମଳର ଗାଡ଼ି, ସାଇକେଲ, ସ୍କୁଟର ଆଦି ସଂଗ୍ରହ କରିବା। ଏପରି ଏକ ବିଚିତ୍ର ନିଶା ରଖିଥିବା ବ୍ୟକ୍ତି ହେଉଛନ୍ତି ବାପୁଜୀ ନଗରରେ ରହୁଥିବା ଗହର ଆବେଦିନ୍। ଗତ ୨୦ ବର୍ଷ ହେଲା ସେ ବିଭିନ୍ନ ପ୍ରକାରର ପୁରୁଣା ଗାଡ଼ି ସଂଗ୍ରହ କରୁଛନ୍ତି। କେବଳ ବାଇକ୍ କିମ୍ବା କାର୍ ନୁହେଁ, ପୁରୁଣା କାଠ ବାକ୍ସ, ପୁରୁଣା ଘଡ଼ି ଇତ୍ୟାଦି ସେ ସଂଗ୍ରହ କରିଛନ୍ତି। ୧୦୦ରୁ ଅଧିକ ଗାଡ଼ି ସେ ଏ ପର୍ଯ୍ୟନ୍ତ ସଂଗ୍ରହ କରିଛନ୍ତି। ସେ କହନ୍ତି, ପୁରୁଣା ଜିନିଷ ପ୍ରତି ତାଙ୍କର ଆକର୍ଷଣ ଛୋଟ ବେଳୁ ରହିଛି। ତେବେ ଏହି ଆକର୍ଷଣ କେତେବେଳେ ନିଶାରେ ପରିଣତ ହୋଇଗଲା ସେ ଜାଣି ପାରି ନଥିଲେ। ମନରେ ତାଙ୍କର ଆସିଥିଲା ପୁରୁଣା ହେଲେ ବି ଯଦି ତାକୁ ସାଇତି ରଖାଯାଇ ପାରିବ ତା’ହେଲେ ତାହା ପରବର୍ତ୍ତୀ ପିଢ଼ି ପାଇଁ ନିଶ୍ଚୟ ଦରକାରୀ ସାବ୍ୟସ୍ତ ହେବ। ପିଲାମାନେ ଏହାକୁ ଦେଖି କିଛି ଶିଖିବେ ଓ ଜାଣିବେ। ଅନେକ ବର୍ଷ ଧରି ସବୁ ଗାଡ଼ିକୁ ଚଳନ୍ତି ଭାବରେ ରଖିବା ପାଇଁ ଅନେକ ଟଙ୍କା ଖର୍ଚ୍ଚ ହୋଇଛି। ପରିବାର ବନ୍ଧୁ ବାନ୍ଧବ ସାଙ୍ଗ ସହଯୋଗୀ ସବୁ ତାଙ୍କୁ ବିରୋଧ କରିଛନ୍ତି ହେଲେ ଇଚ୍ଛାଶକ୍ତି ଆଗରେ ସେମାନେ ହାର୍ ମାନିଛନ୍ତି। ନିଜ ଗ୍ରାମ ବନମାଳିପୁରସ୍ଥିତ ଜମିରେ ଅଟୋମୋବାଇଲ ମ୍ୟୁଜିୟମ୍ କରିବାକୁ ଯୋଜନା ରଖିଥିବା ଆବେଦିନ୍ କହିଛନ୍ତି।
ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ବ୍ୟବହୃତ ୟୁଫ୍ ଆଣ୍ଡ ଆସସ୍ ଏମ୍ ୨୦ ଫେମାସ ଜେସ୍, ୧୯୫୦ ମସିହାର ସାଇକେଲ, ପୁରୁଣା କ୍ୟାମ୍ପସ ସିନ୍ଧୁକ ବା କର୍ପୂର ସିନ୍ଧୁକ ତାଙ୍କ ସଂଗ୍ରହର ପ୍ରମୁଖ ଉପଲବ୍ଧି। ଏହାକୁ ଦୀର୍ଘାୟୁ କରିବାକୁ ଆବେଦିନ୍ ଯଥା ସମ୍ଭବ ଚେଷ୍ଟା ଜାରି ରଖିଛନ୍ତି। ଆଗକୁ ମଧ୍ୟ ତାଙ୍କର ଏହି ଅଭିଯାନ ଜାରି ରହିବ ବୋଲି ସେ କହିଛନ୍ତି।