ଭୁବନେଶ୍ୱର: ଆଦିମ ଜନଜାତିଙ୍କ କଳା, ସଂସ୍କୃତି ଓ ପରମ୍ପରାକୁ ପ୍ରସାର କରିବାକୁ ଆହୁରି ପ୍ରଶସ୍ତ ହେବ ରାଜ୍ୟ ଜନଜାତି ସଂଗ୍ରହାଳୟ। ଏହା ପରିସରରେ ୧୨ଟି ଲୁପ୍ତପ୍ରାୟ ଜନଜାତିଙ୍କ କଳା ଓ ହସ୍ତଶିଳ୍ପର ପ୍ରସାର କରାଯିବ। ବର୍ତ୍ତମାନ ‘ଭୋତଡ଼ା’ ଜନଜାତିଙ୍କ ଧାନ କଳାକୃତି ଓ ‘ଲାଞ୍ଜିଆ ସଉରା’ଙ୍କ ଚିତ୍ରକଳା, ବାଉଁଶ କଳାର ସିଧାପ୍ରସାରଣ କରାଯାଉଛି। ସେହିପରି ଜନଜାତି ଭବନ ନିର୍ମାଣ ପାଇଁ ଟେଣ୍ଡର ହୋଇଛି। ଭବନରେ ଜନଜାତିଙ୍କ ସମ୍ପୂର୍ଣ୍ଣ ଜାବନଶୈଳୀ, ଭାଷାକୁ ସଂରକ୍ଷିତ କରାଯିବା ସହିତ ପାଠାଗାର ତଥା ଅନ୍ୟାନ୍ୟ ସୁବିଧା ମଧ୍ୟ ରହିବ। ପରିସରରେ ଦିବ୍ୟାଙ୍ଗଙ୍କ ପାଇଁ ବ୍ରେଲି ସୂଚନା ଫଳକ, ଅଡିଓ ଗ୍ୟାଜେଟ୍, ସ୍ପର୍ଶ ଫଳକ ଆଦି ନିର୍ମାଣ କରାଯିବ। ଏଥିପାଇଁ ଜନଜାତି ବିଭାଗ ପକ୍ଷରୁ ସହାୟତା ପ୍ରଦାନ କରାଯିବ ବୋଲି ଉପନିର୍ଦ୍ଦେଶକ ସନ୍ତୋଷ କୁମାର ରଥ ସୂଚନା ଦେଇଛନ୍ତି। କେବଳ ସେତିକି ନୁହେଁ ଲୁପ୍ତପ୍ରାୟ ଆଦିବାସୀଙ୍କ ସଙ୍ଗୀତ, ଭାଷା, ଲୋକବାଣୀକୁ ସଂରକ୍ଷିତ କରିବା ପାଇଁ ଡିଜିଟାଲ ଷ୍ଟୁଡିଓ ତିଆରି କରାଯିବ। ଏହାର ପ୍ରେକ୍ଷାଳୟ ଓ ୧୩ଟି ‘ବିଶେଷ ଭାବେ ଅନୁନ୍ନତ ଜନଜାତି ସୁମଦାୟ’ ବା ପିଭିଟିଜି ଗ୍ୟାଲେରିକୁ ସମ୍ପ୍ରସାରଣ କରାଯିବାର ମଧ୍ୟ ଯୋଜନା ଚାଲିଛି।
ଜନଜାତିଙ୍କ କଳା ଓ ହସ୍ତଶିଳ୍ପକୁ ଦିଆଯିବ ଗୁରୁତ୍ବ
ଦିବ୍ୟାଙ୍ଗଙ୍କ ପାଇଁ ସ୍ବତନ୍ତ୍ର ସୁବିଧା
ବର୍ତ୍ତମାନ ସଂଗ୍ରହାଳୟରେ ନୂଆ କରି ଇଣ୍ଟରଆକ୍ଟିଭ ଟ୍ରାଇବାଲ ମ୍ୟାପ ଓ ଟଚ୍ ପ୍ୟାନେଲର ସୁବିଧା କରାଯାଇଛି। ପର୍ଯ୍ୟଟକ ପରଦାରେ ସ୍ପର୍ଶ କଲା ମାତ୍ରେ ଘର, ଅଳଙ୍କାର, ବସ୍ତ୍ର, ଆସବାବପତ୍ର ସମେତ ୨୦୧୧ ଜନଗଣନା ଅନୁସାରେ ବିଭିନ୍ନ ଜନଜାତି ସମ୍ପ୍ରଦାୟଙ୍କ ସଂଖ୍ୟା, ଲିଙ୍ଗଗତ ସମାନତା, ସାକ୍ଷରତା ହାର ଆଦି ପ୍ରଦର୍ଶିତ କରାଯାଉଛି। ଏପରିକି ପରିସରରେ ଥିବା ଜନଜାତି ଗୃହ ସମୂହରେ ମଧ୍ୟ ଅଡିଓ ମାଧ୍ୟମରେ ତାଙ୍କ ଘରର ବିଭିନ୍ନ ଉପକରଣର ବ୍ୟବହାର ଓ ନିର୍ମାଣ ଶୈଳୀ ପ୍ରସାର କରାଯାଉଛି। ହେଲେ ଏହି ପ୍ରସାରଣ ଇଂରାଜୀରେ ହେଉଥିବାରୁ କିଛି ଲୋକ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି। କେବଳ ସେତିକି ନୁହେଁ ଏହାର ପରିସରରେ ଭିଆର (ଭର୍ଚୁଆଲ ରିଆଲିଟି) ମାଧ୍ୟମରେ ଆଦିବାସୀଙ୍କ ଜୀବନଶୈଳୀର ଝଲକ ମଧ୍ୟ ଇଂରାଜୀରେ ପ୍ରସାରିତ କରାଯାଉଛି। ସେହିପରି ବିଭିନ୍ନ ହଲରେ ପ୍ରଦର୍ଶନ କରାଯାଉଥିବା ଜନଜାତିଙ୍କ ବାସସ୍ଥାନ, ଉନ୍ମେଷ ଓ ଭାଷା ଆଦିରେ କିଛି ଜନଜାତିଙ୍କର ସବିଶେଷ ତଥ୍ୟ ନାହିଁ। ତେବେ ଖୁବ୍ଶୀଘ୍ର ଏହି ସମସ୍ୟା ଦୂର କରାଯିବ ବୋଲି ଉପନିର୍ଦ୍ଦେଶକ କହିଛନ୍ତି। ଗତ ବର୍ଷ ସଂଗ୍ରହାଳୟକୁ ପ୍ରାୟ ଏକ ଲକ୍ଷ ୨୦ ହଜାର ପର୍ଯ୍ୟଟକ ଆସିଥିବା ବେଳେ ଚଳିତ ବର୍ଷ ପ୍ରତିମାସରେ ତିନି ହଜାରରୁ ଚାରି ହଜାର ପର୍ଯ୍ୟଟକ ଆସୁଛନ୍ତି। ଆଗାମୀ ସେପ୍ଟେମ୍ୱରରୁ ଏହି ସଂଖ୍ୟା ୬ ହଜାରରୁ ଊର୍ଦ୍ଧ୍ୱ ଛୁଇଁବ ବୋଲି କର୍ତ୍ତୃପକ୍ଷ ଆଶା ବ୍ୟକ୍ତ କରିଛନ୍ତି। ଓଡ଼ିଶାରେ ପ୍ରାୟ ୬୨ଟି ଜନଜାତି ସମାଜ ରହିଥିବା ବେଳେ ଏଠାରେ ୪୪ଟି ଜନଜାତି ସମାଜ ଉପରେ ସବିଶେଷ ତଥ୍ୟ ରହିଛି।