ଭୁବନେଶ୍ବର: ରାଜ୍ୟ ସରକାର ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ଦେବାର ୧୪ ବର୍ଷ ବିତିଗଲାଣି। ଏ ଭିତରେ ଜାତୀୟସ୍ତରରେ ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ଦାବିରେ ବହୁଥର ପ୍ରସଙ୍ଗ ଉତ୍ଥାପିତ ହୋଇଛି। କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ହେଉ ଅବା କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମି, ସାଙ୍ଗୀତିକ ଧାରାକୁ ଶାସ୍ତ୍ରୀୟ ମାନ୍ୟତା ଦିଆଯାଏ ନାହିଁ ବୋଲି ସ୍ପଷ୍ଟୀକରଣ ଦେଇସାରିଲେଣି। ଏହି ପରିସ୍ଥିତିରେ ନିଜ ରାଜ୍ୟରେ ତଥା ଦେଶ ଓ ଦେଶ ବାହାରେ ଓଡ଼ିଶୀ ସଙ୍ଗୀତକୁ ଅଧିକରୁ ଅଧିକ ପରିବେଷଣ କରି ଏହାକୁ ଆମେ ଲୋକାଦୃତ କରିପାରନ୍ତେ।
ଓଡ଼ିଶୀ ସଙ୍ଗୀତ ଉପରେ ଗଭୀର ଗବେଷଣା କରି ଏହାର ପ୍ରାଚୀନତା ଓ ଶାସ୍ତ୍ରୀୟତା ପ୍ରମାଣିତ କରିପାରନ୍ତେ। କିନ୍ତୁ ତାହା ତ’ ହେଉନାହିଁ, ଓଲଟା ରାଜ୍ୟ ସରକାର ଓଡ଼ିଶାରେ ହିଁ ଓଡ଼ିଶୀ ସଙ୍ଗୀତ ଶିକ୍ଷା ଓ ପରିବେଷଣର ଭିତ୍ତିଭୂମିକୁ ଦୁର୍ବଳ କରି ରଖିଛନ୍ତି। ରାଜଧାନୀ ତଥା ରାଜ୍ୟ ଭିତରେ ବର୍ଷତମାମ୍ ନାଟକ ଓ ଓଡ଼ିଶୀ ନୃତ୍ୟ ଉତ୍ସବ ଆୟୋଜନ କରାଯାଉଥିବା ବେଳେ କାଁ ଭାଁ ଓଡ଼ିଶୀ ସଙ୍ଗୀତ ଉତ୍ସବ ଆୟୋଜିତ ହେଉଛି। ଏଥିସହ ଓଡ଼ିଶୀ ସଙ୍ଗୀତ ଶିଳ୍ପୀଙ୍କ ଗାୟନ ଆଧାରରେ ପୂର୍ବରୁ ଓଡ଼ିଶୀ ନୃତ୍ୟ ପରିବେଷଣ ହେଉଥିଲା। କିନ୍ତୁ ଏବେ କଣ୍ଠଶିଳ୍ପୀଙ୍କ ବଦଳରେ ଟେପ୍ ରେକର୍ଡର୍ର ସଙ୍ଗୀତ ଆଧାରରେ ଓଡ଼ିଶୀ ନୃତ୍ୟ ପରିବେଷଣ ହେଉଛି।
ଶାସ୍ତ୍ରୀୟ ମାନ୍ୟତା ଦାବିରେ ସୀମିତ ସରକାରଙ୍କ ଦାୟିତ୍ବ
ସଙ୍ଗୀତ ପରିବେଷଣ ପାଇଁ ଅଧିକ ମଞ୍ଚ ଲୋଡ଼ା
ମଞ୍ଚରେ ରେକର୍ଡିଂ ବଜାଇ ନୃତ୍ୟ ପରିବେଷଣକୁ ନାପସନ୍ଦ
ଶାସ୍ତ୍ରୀୟ ସଙ୍ଗୀତର ପ୍ରଚାର ପ୍ରସାର ପାଇଁ ସରକାରୀସ୍ତରରେ ‘ରାଜାରାଣୀ ସଙ୍ଗୀତ ମହୋତ୍ସବ’ ଆୟୋଜିତ ହେଉଛି। ଏଥିରେ କର୍ଣ୍ଣାଟକୀ ଓ ହିନ୍ଦୁସ୍ଥାନୀ ସହ ଓଡ଼ିଶୀ ସଙ୍ଗୀତ ପରିବେଷଣ ହେଉଛି। ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ପକ୍ଷରୁ ପ୍ରତି ମାସରେ ଗୋଟିଏ ‘ଓଡ଼ିଶୀ ସଙ୍ଗୀତ ଆସର’ ଅନୁଷ୍ଠିତ ହେଉଛି। ଗତ କିଛି ମାସ ହେଲା ଏହା କିନ୍ତୁ ନିୟମିତ ହେଉନାହିଁ। ସେହିଭଳି ଓଡ଼ିଶା ସଙ୍ଗୀତ ନାଟକ ଏକାଡେମିର ଗ୍ରୀଷ୍ମ, ବର୍ଷା ଓ ଶୀତ ଉତ୍ସବରେ ଓଡ଼ିଶୀ ସଙ୍ଗୀତକୁ ସ୍ଥାନ ଦିଆଯାଇଛି। ତେବେ ଓଡ଼ିଶୀ ସଙ୍ଗୀତ ଉପରେ ଏହା ବିଶେଷ ଧ୍ୟାନ ଦେଉନାହିଁ। ଏଭଳି ହାତଗଣତି କାର୍ଯ୍ୟକ୍ରମ ଫଳରେ ଓଡ଼ିଶୀ ସଙ୍ଗୀତର ପ୍ରଚାର ପ୍ରସାର ପାଇଁ ରାଜ୍ୟରେ ବିଶେଷ କିଛି ସୁଯୋଗ ସୃଷ୍ଟି ହେଉନାହିଁ।
ଅନ୍ୟପଟେ ଅତୀତରେ ଗୁରୁ କେଳୁଚରଣ ମହାପାତ୍ର, ଗୁରୁ ପଙ୍କଜ ଦାସ ପ୍ରମୁଖ ଓଡ଼ିଶୀ ନୃତ୍ୟ ପରିବେଷଣ ସମୟରେ ଓଡ଼ିଶୀ ସଙ୍ଗୀତ କଣ୍ଠଶିଳ୍ପୀ ଓ ବାଦ୍ୟଯନ୍ତ୍ର ଶିଳ୍ପୀ ଉପସ୍ଥିତ ରହି ସଙ୍ଗୀତ ପରିବେଷଣ କରୁଥିଲେ। ଫଳରେ ମଞ୍ଚରେ ନୃତ୍ୟ ସହ ସଙ୍ଗୀତ ଓ ବାଦ୍ୟବାଦନର ଏକ ଅଭୂତ ମିଳନ ଘଟୁଥିଲା। ଆମ ଓଡ଼ିଶୀ ନୃତ୍ୟ ଓ ସଙ୍ଗୀତର ଶାସ୍ତ୍ରୀୟତା ଝଲସୁଥିଲା। କିନ୍ତୁ ଧୀରେଧୀରେ ଓଡ଼ିଶୀ ନୃତ୍ୟ ଓ ସଙ୍ଗୀତ ଅଲଗା ହେବାରେ ଲାଗିଲା। ଆଧୁନିକ ଜ୍ଞାନକୌଶଳର ବ୍ୟବହାରରେ ଓଡ଼ିଶୀ ସଙ୍ଗୀତକୁ ରେକର୍ଡିଂ କରାଗଲା ଓ ଏହାକୁ ନେଇ ବଡ଼ ବଡ଼ ଅନ୍ତର୍ଜାତୀୟ ମଞ୍ଚରେ ଓଡ଼ିଶୀ ନୃତ୍ୟ ପରିବେଷଣ ହେଲା। ଫଳରେ ଓଡ଼ିଶୀ ସଙ୍ଗୀତ ଧୀରେଧୀରେ ନିଜ ଅସ୍ତିତ୍ବ ହରାଇବା ଆରମ୍ଭ କଲା।
ଏହାକୁ ନିନ୍ଦା କରି ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ କୁମ୍କୁମ୍ ମହାନ୍ତି କହିଛନ୍ତି, ଆମେ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ଯେତେବେଳେ ଓଡ଼ିଶୀ ନୃତ୍ୟ ପରିବେଷଣ କରୁଥିଲୁ, ଆମେ ଓଡ଼ିଶୀ ସଙ୍ଗୀତ କଣ୍ଠଶିଳ୍ପୀଙ୍କ ଗାୟନର ତାଳେ ତାଳେ ନାଚୁଥିଲୁ। ସେତେବେଳେ ଗଣମାଧ୍ୟମରେ ଓଡ଼ିଶୀ ନୃତ୍ୟ ସହ ସଙ୍ଗୀତକୁ ବି ଶାସ୍ତ୍ରୀୟ ବୋଲି ଲେଖାଯାଉଥିଲା। ୨୦୦୩ ମସିହା ଆଡ଼କୁ ଓଡ଼ିଶୀ ନୃତ୍ୟଶିଳ୍ପୀମାନେ ଟେପ୍ ରେକର୍ଡର ଗୀତକୁ ଆଧାର କରି ନୃତ୍ୟ ପରିବେଷଣ ଆରମ୍ଭ କରିଦେଲେ। ଫଳରେ ଉଭୟ ଓଡ଼ିଶୀ ନୃତ୍ୟ ଓ ସଙ୍ଗୀତର ମର୍ଯ୍ୟାଦା ହାନି ହେଲା। ଓଡ଼ିଶୀ ସଙ୍ଗୀତ ସହ ଓଡ଼ିଶୀ ନୃତ୍ୟର ଯେଉଁ ଦିବ୍ୟତା ମଞ୍ଚରେ ପ୍ରକାଶ ପାଉଥିଲା, ତାହା ଆଉ ହେଲା ନାହିଁ। ଆମେ ପୁଣି ଥରେ ମଞ୍ଚରେ ନୃତ୍ୟ ସହ ସଙ୍ଗୀତର ସମନ୍ବୟ କରିପାରିଲେ; କେନ୍ଦ୍ର ସରକାର ମାନ୍ୟତା ନ ଦିଅନ୍ତୁ, ଦୂରଦର୍ଶନ ଓ ଆକାଶବାଣୀ ତଥା ଲୋକମୁହଁରେ ତ’ ଆମେ ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ବୋଲାଇପାରିବା।
ଏନେଇ ଓଡ଼ିଶୀ ସଙ୍ଗୀତ ଗବେଷକ କୀର୍ତ୍ତନ ନାରାୟଣ ପାଢ଼ୀ କହିଛନ୍ତି, ଓଡ଼ିଶୀ ସଙ୍ଗୀତର ଆଦିଗୁରୁମାନେ ଓଡ଼ିଶୀ ସଙ୍ଗୀତକୁ ନେଇ ଓଡ଼ିଶୀ ନୃତ୍ୟର ସଂରଚନା କରୁଥିଲେ। ଏବେ ଥରେ ଓଡ଼ିଶୀ ସଙ୍ଗୀତ ଷ୍ଟୁଡିଓରେ ରେକର୍ଡିଂ କରିଦେଇ ବର୍ଷ ବର୍ଷ ଧରି ଏହାକୁ ବଜାଇ ନୃତ୍ୟଶିଳ୍ପୀମାନେ ନୃତ୍ୟ କରୁଛନ୍ତି। ଓଡ଼ିଶୀ ନୃତ୍ୟ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ଏବେ ବହୁ ମାତ୍ରାରେ ପରିବେଷଣ ହେଉଥିବା ବେଳେ ସେହି ନୃତ୍ୟଶିଳ୍ପୀ ଦଳ ସହ ଓଡ଼ିଶୀ ସଙ୍ଗୀତ ଶିଳ୍ପୀ ଓ ବାଦ୍ୟଶିଳ୍ପୀମାନେ ମଞ୍ଚରେ ସିଧାସଳଖ ସଙ୍ଗୀତ ପରିବେଷଣ କଲେ, ଓଡ଼ିଶୀ ସଙ୍ଗୀତର ଅଧିକରୁ ଅଧିକ ପ୍ରଚାର ପ୍ରସାର ହୁଅନ୍ତା। ଓଡ଼ିଶୀ ନୃତ୍ୟ ପରିବେଷଣ ସମୟରେ ରେକର୍ଡର୍ ବଜାଇବା ବାରଣ କରାଗଲେ, ଅତିକମ୍ରେ ଓଡ଼ିଶୀ ସଙ୍ଗୀତ ଅଧିକ ମଞ୍ଚ ପାଇପାରନ୍ତା।
ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ପୂର୍ବତନ ମୁଖ୍ୟ ନିର୍ବାହୀ ସଙ୍ଗୀତା ଗୋସାଇଁ କହିଛନ୍ତି, ପୂର୍ବରୁ ଓଡ଼ିଶୀ ନୃତ୍ୟ ଓ ସଙ୍ଗୀତ ଏକାସାଥେ ପରିବେଷଣ ହେଉଥିଲା। ୧୯୯୦ ମସିହା ଆଡ଼କୁ ସଙ୍ଗୀତଜ୍ଞମାନେ ମତ ଦେଇଥିଲେ ଯେ ଓଡ଼ିଶୀ ସଙ୍ଗୀତ ଏକ ନୃତ୍ୟଭିତ୍ତିକ ସଙ୍ଗୀତ ନୁହେଁ, ଏକକ ସଙ୍ଗୀତ। ଏହାର ଅଧିକ ପ୍ରଚାର ପ୍ରସାର ଓ ଓଡ଼ିଶୀ ସଙ୍ଗୀତରେ ସମନ୍ବୟ ରକ୍ଷା ପାଇଁ ‘ଏ ମନୋଗ୍ରାମ ଅଫ୍ ଓଡ଼ିଶୀ ମ୍ୟୁଜିକ୍’ ପୁସ୍ତକ ପ୍ରସ୍ତୁତ ହେଉଛି। ତେବେ ସବୁଠାରୁ ବଡ଼ କଥା ଓଡ଼ିଶୀ ସଙ୍ଗୀତର ପ୍ରଚାର ପ୍ରସାର। ଓଡ଼ିଶୀ ନୃତ୍ୟ ମାଧ୍ୟମରେ ଓଡ଼ିଶୀ ସଙ୍ଗୀତକୁ ଅଧିକ ପ୍ରଚାର କରିହେବ। ଏଣୁ ପୁଣି ଆମେ ପୁରୁଣା ଶୈଳୀକୁ ଫେରିଗଲେ ଭଲ ହେବ।
ଓଡ଼ିଶୀ ସଙ୍ଗୀତ ଗୁରୁ ତଥା ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଅଧ୍ୟକ୍ଷ ବିଜୟ ଜେନା କହିଛନ୍ତି, ଭୁବନେଶ୍ବର, କଟକ, ଭଦ୍ରକ ଓ ବାଲେଶ୍ବରର କିଛି କିଛି ଅଞ୍ଚଳରେ ଓଡ଼ିଶୀ ସଙ୍ଗୀତର ପ୍ରଚାର ପ୍ରସାର ହେଉଛି। କିନ୍ତୁ ବାକି ଓଡ଼ିଶାରେ ଏହାର ପ୍ରସାର କମ୍। ଆମେ କଣ୍ଠଶିଳ୍ପୀମାନଙ୍କୁ ଯେତେ ଅଧିକ ମଞ୍ଚ ଦେବା, ଆମ ସଙ୍ଗୀତ ସେତେ ଲୋକାଦୃତ ହେବ। ଏବେ କେବଳ ପ୍ରଚାର ପ୍ରସାର ଉପରେ ଅଧିକ ଗୁରୁତ୍ବ ଦେବା ଉଚିତ ବୋଲି ସେ କହିଛନ୍ତି।