ଭୁବନେଶ୍ବର: ଘାତକ ସାଜିଛି କରୋନାର ଦ୍ବିତୀୟ ଲହର। ଦୈନିକ ଲକ୍ଷ ଲକ୍ଷ ଲୋକ ଆକ୍ରାନ୍ତ ହେଉଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି। ଏହାଦ୍ବାରା ସ୍ବାସ୍ଥ୍ୟସେବା ଉପରେ ଚାପ ବଢ଼ୁଥିବା ବେଳେ ନର୍ସ ବା ସେବିକାମାନଙ୍କ ଦାୟିତ୍ବ ବଢ଼ି ଯାଇଛି। ଗୁରୁତର ରୋଗୀଙ୍କୁ ବଞ୍ଚାଇବା ପାଇଁ ସେମାନେ ଅହରହ ସଂଘର୍ଷ କରୁଛନ୍ତି। ରୋଗୀ ତ ନିଜେ ସଂଘର୍ଷ କରୁଛି, ନର୍ସମାନେ ବି ନିଜ ଜୀବନକୁ ବାଜି ଲଗାଇ ରୋଗୀଙ୍କ ପାଇଁ ମୃତ୍ୟୁ ସହ ଲଢ଼ୁଛନ୍ତି। ସେମାନଙ୍କ ଏହି ସଂଘର୍ଷ ବହୁ ଗୁରୁତର ରୋଗୀଙ୍କୁ ନୂଆ ଜୀବନ ଦେଉଛି। ଅନ୍ତର୍ଜାତୀୟ ନର୍ସ ଦିବସ ( ମେ’୧୨) ଅବସରରେ ସେହିଭଳି କିଛି କରୋନା ଯୋଦ୍ଧାଙ୍କୁ ନେଇ ‘ସମ୍ବାଦ’ର ସ୍ବତନ୍ତ୍ର ଉପସ୍ଥାପନା...
ରୋଗୀ ସୁସ୍ଥ ହୋଇଗଲେ ଆତ୍ମସନ୍ତୋଷ ମିଳେ
ଗୋଟିଏ ୱାର୍ଡରେ ୪ ଜଣ ରୋଗୀଙ୍କୁ ଭେଣ୍ଟିଲେଟର୍ ଲାଗିଥିବ, ୧୪ ରୋଗୀଙ୍କୁ ଅକ୍ସିଜେନ୍ ଦିଆଯାଉଥିବ। ତେଣୁ ଗୋଟିଏ ବି ମୁହୂର୍ତ୍ତ ଅନ୍ୟମନସ୍କ ହେବାର ସୁଯୋଗ ନାହିଁ। ସେଥିରେ ପୁଣି ୬ଘଣ୍ଟା ପିପିଇ କିଟ୍ ପିନ୍ଧି ଡ୍ୟୁଟି। ବାହାରକୁ ଯିବା ତ ଦୂରର କଥା, ବେଳେବେଳେ ଶୌଚାଳୟ ବି ଯାଇ ହୁଏନା। କିନ୍ତୁ ଗୁରୁତର କରୋନା ରୋଗୀଟିଏ ସୁସ୍ଥ ହୋଇ ଘରକୁ ଫେରିଲେ, ଯେଉଁ ଆତ୍ମସନ୍ତୋଷ ମିଳେ, ତାହାକୁ ଶବ୍ଦରେ ପ୍ରକାଶ କରିପାରିବିନି।
ନର୍ସ ଡ୍ୟୁଟି ସବୁବେଳେ ଆହ୍ବାନପୂର୍ଣ୍ଣ। ଏବେ କୋଭିଡ୍ ମହାମାରୀ ତାହାକୁ ଆହୁରି ଚ୍ୟାଲେଞ୍ଜିଂ କରିଦେଇଛି। ଗତବର୍ଷ ଅପେକ୍ଷା ଏବର୍ଷର ସ୍ଥିତି ଭିନ୍ନ। ବର୍ତ୍ତମାନ ଡାକ୍ତରଖାନାରେ ଗୁରୁତର ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ସେମାନଙ୍କୁ ତ୍ବରିତ ସେବା ଯୋଗାଇ ଦେବାର ଆବଶ୍ୟକତା ରହୁଛି। ନିଜେ ସଂକ୍ରମିତ ହେବାର ଆଶଙ୍କା ବେଶି ବଢ଼ି ଯାଇଛି। ତେଣୁ ଘରର ବୟସ୍କ ସଦସ୍ୟମାନଙ୍କୁ ପାଖରେ ରଖୁନି। ଏଯାଏ ମୁଁ କୋଭିଡ୍ରେ ଆକ୍ରାନ୍ତ ହୋଇନି। କିନ୍ତୁ ମୋର ୧୮ଜଣ ସହଯୋଗୀ କୋଭିଡ୍ ଆକ୍ରାନ୍ତ ହୋଇସାରିଛନ୍ତି। ଏପରିକି ଓପିଡିରେ କାର୍ଯ୍ୟରତ ନର୍ସ ସୋନାଲି ସଂକ୍ରମିତ ହେବା ପରେ ତାଙ୍କ ସ୍ବାମୀ ତୁଷାରଙ୍କୁ ମଧ୍ୟ କୋଭିଡ୍ ହେଲା। ମାତ୍ର ୩୮ ବର୍ଷରେ ତୁଷାରଙ୍କ ଦେହାନ୍ତ ଖବର ଆମ ସମସ୍ତଙ୍କୁ ଗଭୀର ଆଘାତ ଦେଇଛି।
-ବନ୍ଦନା ସାହୁ,
କୋଭିଡ୍ ଦାୟିତ୍ବରେ ଥିବା ଏମ୍ସ ହୃଦରୋଗ ବିଭାଗର
ମୁଖ୍ୟ ନର୍ସ
ଟିକା ପାଇଁ ମନରେ ଦମ୍ଭ ଆସୁଛି
ଗତବର୍ଷ କରୋନା ସମୟରେ ୮ ମାସ ଘରକୁ ଯାଇ ହେଲା ନାହିଁ। ପ୍ରତିଦିନ ଶହଶହ ସଂଖ୍ୟାରେ ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ନିଜ କର୍ତ୍ତବ୍ୟ ଛାଡ଼ି କ’ଣ ଘରେ ବସି ହୋଇଥା’ନ୍ତା? କିନ୍ତୁ ସବୁଠୁ କଷ୍ଟଦାୟକ ଥିଲା, ଘର ମାଲିକମାନଙ୍କ ଆଚରଣ। ଟେଷ୍ଟିଂ କାମ ସାରି ଫେରିଲା ବେଳକୁ ଘରମାଲିକ ଘରେ ପୂରାଇ ଦେଉ ନଥିଲେ। ଏଭଳି ଆଚରଣ ଯନ୍ତ୍ରଣାଦାୟକ ଥିଲା। କିନ୍ତୁ ପରେ ଲୋକଙ୍କ ମାନସିକତା ବଦଳିଲା। ଏବେ ଆମକୁ ଯଥେଷ୍ଟ ସମ୍ମାନ ମିଳୁଛି। ଏବେ ପୁଣି ଥରେ କରୋନାର ଦ୍ବିତୀୟ ଲହର ଓ ଏହାର ଭୟଙ୍କର ରୂପ ପୁଣି ମୋତେ ଭିତରୁ ଭିତରୁ ଖାଇ ଯାଉଛି। କିନ୍ତୁ ଟିକା ବାହାରି ଯାଇଥିବାରୁ ମନରେ ଦମ୍ଭ ଆସୁଛି। ଏବେ ମୁଁ ଟିକାକରଣ ଦାୟିତ୍ବରେ ଅଛି। ଦିନଟା ପୂରା ମୋର ସେଇଥିରେ ବିତି ଯାଉଛି। ଗତବର୍ଷ ଟେଷ୍ଟିଂରେ ଯେତିକି ଭାଙ୍ଗି ପଡ଼ୁଥିଲି, ଏବର୍ଷ ଟିକା ଦେଇ ସେତିକି ଆନନ୍ଦ ପାଉଛି। ଲାଗୁଛି ଏହି କରୋନା ମହାମାରୀକୁ ମାତ୍ ଦେବାରେ ଆମେ ନିହାତି ସଫଳ ହେବା। ଟିକାକରଣ ଆରମ୍ଭ ଦିନରୁ ୨ ମାସରୁ ଊର୍ଧ୍ବ ସମୟ ହେଲା ବାପା ମା’ଙ୍କୁ ଦେଖିନି।
-ସ୍ମୃତିରେଖା ଦାସ,
ନର୍ସିଂ ଅଫିସର, ୟୁପିଏଚ୍ସି ଆଇଆର୍ସି ଭିଲେଜ
ଏବେ ମୋ ପାଇଁ ଘରଠୁ ଡାକ୍ତରଖାନା ବେଶି ଗୁରୁତ୍ବପୂର୍ଣ୍ଣ
ବର୍ତ୍ତମାନ ସ୍ଥିତି ଅତ୍ୟନ୍ତ ଜଟିଳ। ଚାରିଆଡ଼େ ମୃତ୍ୟୁର ଭୟ। ଏଭଳି ସମୟରେ ଯଦି କର୍ତ୍ତବ୍ୟ ସମ୍ପାଦନାରେ ମୁଁ ଅବହେଳା କରିବି, ତାହେଲେ ଭଗବାନ ମତେ କ୍ଷମା ଦେବେନି। ମୁଁ ଯୌଥ ପରିବାରର ବୋହୂ। ଘରେ ସ୍ବାମୀ, ପୁଅ, ଶାଶୂ, ଶ୍ବଶୁର। ସେମାନଙ୍କ ବାରଣ ସତ୍ତ୍ବେ କରୋନା ରୋଗୀଙ୍କ ଭିତରେ ଦିନକୁ ୧୨ରୁ ୧୪ଘଣ୍ଟା ବିତାଉଛି। ୨ମାସ ହୋଇଗଲାଣି ପରିବାରକୁ ଦେଖି ବି ପାରିନି। କିନ୍ତୁ ମୋର ସେ ଅବସୋସ ନାହିଁ। ଭଗବାନଙ୍କ ଦୟାରୁ ସେମାନେ ଖାଲି ଭଲରେ ଥାଆନ୍ତୁ। ପୁଅ କଥା ମନେ ପଡ଼ିଲେ, ଆଖି ଓଦା ହୋଇଯାଏ। ତେଣୁ ଟିକିଏ ଖାଲି ସମୟ ମିଳିଲେ, ତା’ ସହ କଥା ହୋଇ ମନଟା ହାଲକା କରିଦିଏ। ଏବେ ମୋ ପାଇଁ ଘରଠୁ ଡାକ୍ତରଖାନା ବେଶି ଗୁରୁତ୍ବପୂର୍ଣ୍ଣ। ତେବେ ଜନସାଧାରଣଙ୍କୁ ମୋର ଅନୁରୋଧ ଯେ କୋଭିଡ୍ର ସମସ୍ତ ନିୟମାବଳୀକୁ ପାଳନ କରନ୍ତୁ। ଆମେ ନିଶ୍ଚିତ ଭାବେ କୋଭିଡ୍କୁ ହରାଇ ପାରିବା।
-ଅଞ୍ଜଳି ସାହୁ, ନର୍ସ,
ସମ୍ କୋଭିଡ୍ କେୟାର ସେଣ୍ଟର