ଭୁବନେଶ୍ୱର: ଆମ ସଂସ୍କୃତି ଓ ଇତିହାସକୁ ଲକ୍ଷ୍ୟ କଲେ ନାରୀର ସ୍ଥାନ ସବୁବେଳେ ଉପରେ ବୋଲି ଆମେ ଜାଣିପାରିବା। ତଥାପି ପରିବାରର ଅସମୟରେ ପୁଅଟିଏ ସାହାଭରସା ହୋଇ ଠିଆହୁଏ ଏହି ଭାବନା ଓ ବିଶ୍ବାସ ଆଜି ବି ଆମ ସମାଜରେ ରହିଛି। ତଥାପି କିଛି ନାରୀ ସମାଜର ଏକ ଚିରାଚରିତ ପ୍ରଥାକୁ ଭାଙ୍ଗି ଶୀର୍ଷରେ ଠିଆ ହୋଇ ସମାଜ ପାଇଁ ଆଦର୍ଶ ପାଲଟିଛନ୍ତି। ପୁଅଙ୍କୁ ପଛରେ ପକାଇ ଝିଅମାନେ ପରିବାରର ବୋଝ ବୋହୁଛନ୍ତି। ଅନ୍ତର୍ଜାତୀୟ ମହିଳା ଦିବସରେ ସେହିଭଳି କିଛି ପ୍ରେରଣାଦାୟୀ ନାରୀଙ୍କୁ ନେଇ ସ୍ୱତନ୍ତ୍ର ଉପସ୍ଥାପନା।

Advertisment

ପୂର୍ବରୁ ପାଇଲଟ୍‌ ଶବ୍ଦଟି ଉଚ୍ଚାରଣ କଲା ମାତ୍ରେ ସ୍ୱାଭାବିକ ଭାବରେ ମନରେ ପୁରୁଷଙ୍କ କଥା ଆସିଯାଉଥିଲା। ହେଲେ ନବେ ଦଶକରେ ମାତ୍ର ୨୪ ବର୍ଷ ବୟସରେ ଉଭୟ ଭାରତ ଓ ବିଦେଶରେ ବିମାନ ଉଡ଼ାଇବା ପାଇଁ ଲାଇସେନ୍ସ ପାଇଥିଲେ ନନ୍ଦନାଶ୍ରୀ ଗୀତାଞ୍ଜଳି ନାୟକ(୫୬)। ବର୍ତ୍ତମାନ ସେ ଏୟାର ଇଣ୍ଡିଆରେ ସହ ପାଇଲଟ୍‌ ଭାବେ କାର୍ଯ୍ୟରତ ଅଛନ୍ତି। ପ୍ରଥମେ ସେ ‘ଭୁବନେଶ୍ୱର ଫ୍ଲାଇଙ୍ଗ କ୍ଲବ’ରୁ ଶିକ୍ଷା ଆରମ୍ଭ କରିଥିଲେ। ସେଠାରେ ତାଙ୍କୁ ଛାତ୍ର ବୃତ୍ତି ମିଳିବା ପରେ ସେ ଜୟପୁର ଫ୍ଲାଇଙ୍ଗ ସ୍କୁଲରେ ଅଧ୍ୟୟନ କରିଥିଲେ। ଏହା ପରେ ସେ କମର୍ସିଆଲ ଲାଇସେନ୍ସ ପାଇଁ ଆମେରିକା ଗସ୍ତ କରିଥିଲେ। ସେ ନିଜ ଯାତ୍ରା ସମ୍ପର୍କରେ କୁହନ୍ତି ଯେ ପାଇଲଟ୍‌ ହେବାର ପ୍ରଥମ ପ୍ରେରଣା ତାଙ୍କୁ ଭୁବନେଶ୍ୱର ଫ୍ଲାଇଙ୍ଗ କ୍ଲବରୁ ମିଳିଥିଲା। ସେଠାକାର ତତ୍‌କାଳୀନ କ୍ୟାପଟେନ୍‌ ରମାବଲ୍ଲଭ ମହାପାତ୍ର ତାଙ୍କୁ ୧୦ ମିନିଟ ପାଇଁ ଏୟାର ଫ୍ଲାଇଙ୍ଗ ଅନୁଭୂତି ପ୍ରଦାନ କରିଥିଲେ। ସ୍ନାତକ ଶିକ୍ଷା ସହିତ ସେ ଉଡ଼ାଣ ପାଇଁ ଶିକ୍ଷା ଗ୍ରହଣ କରୁଥିଲେ। ୧୯୯୩ ମସିହା ପରଠାରୁ ସେ ସମ୍ପୂର୍ଣ୍ଣ ଭାବେ ଏହି ସେବାରେ ଅଛନ୍ତି। ଏଥିସହିତ ଇଣ୍ଡିଆନ ଵିମେନ ପାଇଲଟ୍‌ ଆସୋସିଏସନ, ୯୯ ଇଣ୍ଟରନ୍ୟାସନାଲ୍‌ ୱିମେନ ପାଇଲଟ୍‌ ଆସୋସିଏସନର ସଦସ୍ୟ ଅଛନ୍ତି।

ଜଣେ ଦକ୍ଷ ଫିଟ୍‌ନେସ୍‌ ଓ ଯୋଗ ଟ୍ରେନର ଭାବେ ପୂଜା ଛେତ୍ରୀ(୨୬) ନିଜ ଦକ୍ଷତାକୁ ଓଡ଼ିଶା ସମେତ ମାଳଦ୍ୱୀପରେ ମଧ୍ୟ ପ୍ରତିପାଦନ କରୁଛନ୍ତି। ତାଙ୍କର କହିବା ଅନୁଯାୟୀ ସେ ପଢ଼ୁଥିବା ସମୟରେ ଟିକେ ମୋଟା ଥିଲେ। ସେ ଯେତେବେଳେ ବିବିଏ ପଢ଼ିଲେ ପିଲାମାନଙ୍କୁ ଫିଟ୍‌ ଦେଖି ତାଙ୍କର ଆଗ୍ରହ ସୃଷ୍ଟି ହେଲା। ତେଣୁ ତାଙ୍କ ଭଉଣୀ ତାଙ୍କୁ ଜିମ୍‌ରେ ଯୋଗଦେବାକୁ କହିଲେ। ସେହିଠାରୁ ହିଁ ତାଙ୍କର ଫିଟନେସ୍‌ ଯାତ୍ରା ଆରମ୍ଭ ହୋଇଥିଲା। ସେ ଏହାକୁ ହିଁ ନିଜର ପେସା କରିବା ପାଇଁ ଭାବିଲେ। ତେଣୁ କଲେଜ ପାଠପଢ଼ା ସହିତ ସେ ଫିଟ୍‌ନେସ୍‌ କୋଚିଂ ନେଲେ। ଏହା ପରେ ସେ ‘ୟୁ ଷ୍ଟେ ଫିଟ’ରୁ ନିଜ କାର୍ଯ୍ୟ ଆରମ୍ଭ କରିଥିଲେ। ବର୍ତ୍ତମାନ ସେ ନିଜ ସହିତ ଅନ୍ୟକୁ ମଧ୍ୟ ପ୍ରେରଣା ଦେଉଛନ୍ତି।

ଯୁବ ଅବସ୍ଥାରେ କରୋନାରେ ସ୍ୱାମୀ ଚାଲିଗଲେ। ଦୁଇଟି ସନ୍ତାନକୁ ନେଇ ଶାଶୁଘରେ ଚଳିବା କଷ୍ଟକର ହୋଇପଡ଼ିଲା। ଦୁଃଖ ନଦେଖି ପାରି ବାପାଘର ଲୋକ ଡାକିଲେ। ହେଲେ କାହା ଉପରେ ବୋଝ ହେବାକୁ ଇଚ୍ଛା ହେଲାନି। ତେଣୁ କାମ କରି ନିଜ ସନ୍ତାନକୁ ବଡ଼ କରିବାକୁ ନିଷ୍ପତ୍ତି ନେଇଥିଲେ ନମିତା ସାହୁ(୩୨)। ସେହି ସମୟରେ କ୍ରୁଟ୍‌ ପକ୍ଷରୁ ଇ-ରାଇଡ୍‌ ଚାଲିବ ବୋଲି ଘୋଷଣା ହୋଇଥିଲା। ଘର ଲୋକଙ୍କ ସମେତ ସାହିପଡ଼ିଶା ତାଙ୍କୁ ଏଥିପାଇଁ ଆବେଦନ କରିବାକୁ କହିଲେ। ସେଠାକୁ ଗଲା ପରେ କ୍ରୁଟ କର୍ତ୍ତୁପକ୍ଷ ବହୁତ ସହଯୋଗ କରିଛନ୍ତି। ଯାହା ଯୋଗୁଁ ତିନି ବର୍ଷ ହେଲାଣି ସେ ଇ-ରାଇଡ୍‌ ଚଳାଇ ପରିବାର ପ୍ରତିପୋଷଣ କରୁଛନ୍ତି।