ଖଣ୍ଡଗିରି: ପ୍ରତିବର୍ଷ ଜୁନ୍ ୨୧ ତାରିଖକୁ ଅନ୍ତର୍ଜାତୀୟ ଯୋଗ ଦିବସ ରୂପେ ପାଳନ କରାଯାଉଛି। ୨୦୧୫ ମସିହାଠାରୁ ଏହି ଦିବସ ବିଧିବଦ୍ଧ ଭାବେ ପାଳିତ ହେଉଛି। ୨୦୧୫ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଏହାର ଶୁଭାରମ୍ଭ କରାଯାଇଥିଲା। ଯୋଗାଭ୍ୟାସର ସୁଫଳ ସମ୍ପର୍କରେ ବିଶ୍ୱବ୍ୟାପୀ ସଚେତନତା ସୃଷ୍ଟି କରିବା ଏହି ଦିବସ ପାଳନର ମୂଳ ଉଦ୍ଦେଶ୍ୟ। ଚଳିତ ବର୍ଷର ଥିମ୍ ରହିଛି ‘ଏକ ପୃଥିବୀ, ଏକ ସ୍ୱାସ୍ଥ୍ୟ ପାଇଁ ଯୋଗ’। ସାମୂହିକ କଲ୍ୟାଣ ନିମନ୍ତେ ଯୋଗ ଦ୍ବାରା ବ୍ୟକ୍ତିଗତ ସୁସ୍ଥତା ଓ ପରିବେଶଗତ ସ୍ଥିରତାକୁ ପ୍ରୋତ୍ସାହିତ କରିବା ପାଇଁ ଚଳିତ ବର୍ଷ ଯୋଗ ଦିବସ ପାଳନ କରାଯିବ। ଭାରତରେ ବର୍ତ୍ତମାନ ଯୋଗ କରୁଥିବା ବ୍ୟକ୍ତିଙ୍କ ସଂଖ୍ୟା ୧୫କୋଟିରୁ ଅଧିକ। ସେହିପରି ରାଜଧାନୀ ଭୁବନେଶ୍ବରରେ ଯୋଗ କରୁଥିବା ବ୍ୟକ୍ତିଙ୍କ ସଂଖ୍ୟା କିଛି କମ୍ ନୁହେଁ। ପ୍ରତ୍ୟହ ସକାଳେ ଭୁବନେଶ୍ବରର ବିଭିନ୍ନ ପାର୍କ ଓ ପଡ଼ିଆରେ ଯୋଗ ଶିବିର ଅନୁଷ୍ଠିତ ହେଉଛି। ସେହିପରି କିଛି ଅନୁଷ୍ଠାନ ପକ୍ଷରୁ ଯୋଗାଭ୍ୟାସ ଲାଗି ବିଭିନ୍ନ ପଦକ୍ଷେପ ନିଆଯାଉଛି।
ପୂର୍ବାପେକ୍ଷା ଯୋଗର ପ୍ରଚାରପ୍ରସାର ବଢ଼ିବା ସହିତ ଏହା ସମସ୍ତ ବର୍ଗଙ୍କ ନିକଟରେ ଆଦୃତି ଲାଭ କରିଛି। ବିଶେଷ କରି ଯୁବପିଢ଼ିଙ୍କ ମଧ୍ୟରେ ଯୋଗ ପ୍ରତି ଆଗ୍ରହ ବଢ଼ୁଛି। ନିୟମିତ ସୂର୍ଯ୍ୟ ନମସ୍କାର, ପ୍ରାଣାୟମ କରିବା ଦ୍ବାରା ଆମ ଶରୀର ସୁସ୍ଥ ରହିବା ସହିତ କାମ କରିବାକୁ ମନରେ ସ୍ପୃହା ସୃଷ୍ଟି ହୋଇଥାଏ। ସୂର୍ଯ୍ୟ ନମସ୍କାର ପରିବାରର ପ୍ରତିଷ୍ଠାତା ରଘୁନାଥ ପଣ୍ଡା କହିଛନ୍ତି, ଯୋଗର ମହତ୍ତ୍ବ ଅନେକ। ଏହା ସବୁସ୍ତରରେ ପହଞ୍ଚିବା ଆବଶ୍ୟକ। ଦିନକୁ ଅତିକମ୍ରେ ଅଧଘଣ୍ଟା ଯୋଗାଭ୍ୟାସ କରିବା ଦରକାର। ସୂର୍ଯ୍ୟ ନମସ୍କାର ଦ୍ବାରା ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଏ। ନିୟମିତ ଅଭ୍ୟାସ କରିବା ଦ୍ବାରା ଶରୀର ଉପରେ ଏହାର ପ୍ରଭାବ ଦେଖିବାକୁ ମିଳିଥାଏ। କୋଭିଡ୍ ସମୟରେ ମଧ୍ୟ ନିୟମିତ ଯୋଗାଭ୍ୟାସ କରୁଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ଏହା ପ୍ରମାଣିତ ହୋଇଛି ବୋଲି ସେ କହିଛନ୍ତି। ମୁଖାର୍ଜୀ ପାର୍କରେ ୨୦୧୪ ମସିହାରୁ ଅନୁଷ୍ଠାନକୁ ଆରମ୍ଭ କରିଥିବା ଶ୍ରୀ ପଣ୍ଡା ବର୍ତ୍ତମାନ ୨୫୦ରୁ ଅଧିକ ଲୋକଙ୍କୁ ନିଶୁଳ୍କ ଯୋଗଶିକ୍ଷା ପ୍ରଦାନ କରୁଛନ୍ତି।
ଯୋଗ ପ୍ରଶିକ୍ଷକ ଗଣେଶ୍ବର ଗୋଚ୍ଛିକାରଙ୍କ କହିବା ମୁତାବକ, ମନୁଷ୍ୟ ହେଉଛି କର୍ମଯୋଗୀ। କାମ କରିବା ଭିତରେ ଶରୀର ରୋଗଗ୍ରସ୍ତ ହେବା ସ୍ବାଭାବିକ। ଶରୀରକୁ ରୋଗମୁକ୍ତ କରିବାକୁ ହେଲେ ଯୋଗାଭ୍ୟାସ ନିହାତି ଆବଶ୍ୟକ। ଅତିକମ୍ରେ କପାଳଭାତି ଓ ଅନୁଲୋମ ବିଲୋମ, ଭ୍ରମରୀ ଅଭ୍ୟାସ କରିବା ଦ୍ବାରା ବିଭିନ୍ନ ରୋଗରୁ ମୁକ୍ତି ମିଳିଥାଏ। ଏହା ବିଜ୍ଞାନ ସମ୍ମତ। ଏଥିସହ ବାହାର ଖାଦ୍ୟ ତଥା ଫାଷ୍ଟଫୁଡ୍ଠାରୁ ଦୂରେଇ ରହିବା ସହିତ ସାତ୍ତ୍ବିକ ଆହାର ଗ୍ରହଣ କରିବାର ଆବଶ୍ୟକତା ରହିଛି। ବର୍ତ୍ତମାନ ଯୁବପିଢ଼ି ପାରମ୍ପରିକ ଯୋଗ ସହିତ ନୂଆନୂଆ ଯୋଗକୁ ଆପଣେଇଲେଣି। ଏଥିରେ କ୍ଲାପ୍ଯୋଗ, ଲାଫିଙ୍ଗ୍ ଯୋଗ, ପିଲୋ ଯୋଗ, ବଲ୍ ଯୋଗ ଆଦି ରହିଛି। ଏହା ଶରୀରକୁ ନିରୋଗ ରଖିବା ସହିତ ନମନୀୟତା ପ୍ରଦାନ କରେ ବୋଲି ଶ୍ରୀ ଗୋଚ୍ଛିକାର କହିଛନ୍ତି।