ପୁରୁଣା ଭୁବନେଶ୍ୱର: ଶୁକ୍ରବାର କାର୍ତ୍ତିକ ପୂର୍ଣ୍ଣମୀ। ଏଥିପାଇଁ ଏକାମ୍ର କ୍ଷେତ୍ରରେ ଥିବା ସମସ୍ତ ମଠ ମନ୍ଦିର ଚଳଚଞ୍ଚଳ ହୋଇ ଉଠିଛି। ଶ୍ରଦ୍ଧାଳୁମାନେ ଭୋର୍ରୁ ନଦୀ ଓ ପୁଷ୍କରିଣୀରେ ଡଙ୍ଗା ଭସାଇବା ସହ ଦେବଦେବୀଙ୍କ ପାଖରେ ପୂଜାର୍ଚ୍ଚନା କରିବେ। ଏହି ଉପଲକ୍ଷେ ସବୁ ମନ୍ଦିରକୁ ଆଲୋକମାଳାରେ ସଜା ଯାଇଛି। ଶ୍ରୀଲିଙ୍ଗରାଜ ମନ୍ଦିରରେ ଏନେଇ ବ୍ୟାପକ ପ୍ରସ୍ତୁତି କରାଯାଇଛି। ମନ୍ଦିର ସିଂଦ୍ବାରଠାରୁ ଦୁଇ କଡ଼ରେ ବ୍ୟାରିକେଡ୍ ବନ୍ଧାଯାଇଛି। ଶୁକ୍ରବାର ଭୋର୍ ୩ଟାରେ ମନ୍ଦିର ଖୋଲାଯିବ। ଏହାପରେ ମଙ୍ଗଳ ଆଳତି ଓ ଅବକାଶ ନୀତି କରାଯିବା ପରେ ସାଢ଼େ ୩ଟାରେ ପହୁଡ଼ ଖୋଲିବ। ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ ସାହାଣମେଲା ଦର୍ଶନ କରାଯିବ ବୋଲି ମନ୍ଦିର କାର୍ଯ୍ୟାଳୟରୁ ସୂଚନା ମିଳିଛି। ସେହିପରି ବିଏମ୍ସି ପକ୍ଷରୁ ରାସ୍ତାଘାଟ ସଫେଇ ସହ ବିଭିନ୍ନ ପୁଷ୍କରିଣୀକୁ ଆଲୋକିତ କରାଯାଇଛି। ବିନ୍ଦୁସାଗର ଚତୁପାର୍ଶ୍ୱରେ ଓ ବିଭିନ୍ନ ମନ୍ଦିର ନିକଟରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ କମିସନରେଟ୍ ପକ୍ଷରୁ ୨ପ୍ଲାଟୁନ୍ ପୁଲିସ ବ୍ୟବସ୍ଥା କରାଯାଇଛି। ସେପଟେ ବିନ୍ଦୁସାଗରରେ ଡଙ୍ଗା ଭସା ଯିବା ପରେ ସେଗୁଡ଼ିକୁ ସଫେଇ ପାଇଁ ବିଭିନ୍ନ ସ୍ବେଚ୍ଛାସେବୀ ସଂସ୍ଥା ଓ ବିଏମ୍ସି ପକ୍ଷରୁ ବ୍ୟବସ୍ଥା କରାଯାଇଛି। ବିଏମ୍ସି ପକ୍ଷରୁ ୨୦ଜଣ କର୍ମଚାରୀ ରହି ସଫେଇ କାର୍ଯ୍ୟ କରିବେ ବୋଲି କୁହାଯାଇଛି।
ଭୀମଟାଙ୍ଗିରେ କାର୍ତ୍ତିକ ପୂର୍ଣ୍ଣମୀ ପ୍ରସ୍ତୁତି
ଭୀମଟାଙ୍ଗିରେ କାର୍ତ୍ତିକ ପୂର୍ଣ୍ଣମୀ ପାଇଁ ପ୍ରସ୍ତୁତି ଶେଷ ହୋଇଛି। ଏଥିଲାଗି ଭୀମେଶ୍ୱର ମନ୍ଦିରରେ ନୀତି ନିର୍ଘଣ୍ଟ କରାଯାଇଛି। ଭୋର୍ରୁ ମନ୍ଦିର ଖୋଲା ଯାଇ ମଙ୍ଗଳ ଆଳତି ଓ ଅବକାଶ କରାଯିବ। ଏହାପରେ ସାହାଣମେଲା ଦର୍ଶନ ହେବ। ସକାଳେ ୫ହଜାର ଲୋକଙ୍କୁ ତରଣ ବଣ୍ଟନ କରାଯିବ।
ପୌରାଣିକ ପ୍ରଥା ଅନୁଯାୟୀ କାର୍ତ୍ତିକ ପୂର୍ଣ୍ଣମୀରେ ବିଭିନ୍ନ ତୀର୍ଥ ପୁଷ୍କରିଣୀରେ ସ୍ନାନ କରି ଡଙ୍ଗା ଭସାଇବେ ଶ୍ରଦ୍ଧାଳୁ। ଏଥିପାଇଁ ଭୋର୍ରୁ ବିନ୍ଦୁସାଗରକୁ ହଜାର ହଜାର ଶ୍ରଦ୍ଧାଳୁ ଆସିବେ। ସେଠାରେ ଶ୍ରଦ୍ଧାଳୁମାନେ ସ୍ନାନ କରିବା ସହ ବୋଇତ ବନ୍ଦାଣ କରିବେ। ଏଥିଲାଗି ପ୍ରଶାସନ ପକ୍ଷରୁ ପ୍ରସ୍ତୁତି କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ପୁଷ୍କରିଣୀ ଚାରିପଟେ ଦମକଳ ବାହିନୀ ଓ ଓଡ୍ରାଫ ଟିମ୍ ସଜାଗ ରହିବେ। ସେହିପରି ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ ପୁଲିସ ମୁତୟନ ରହିବ। ଉତ୍ତରଦ୍ବାରଠାରେ ଭୁବନେଶ୍ୱର ସାଂସ୍କୃତିକ ପରିଷଦ, ଦୟାନଦୀ ଘାଟରେ କଳିଙ୍ଗ ସଂସ୍କୃତି ଓ ଐତିହ୍ୟ ସୁରକ୍ଷା ମଞ୍ଚ ପକ୍ଷରୁ ବୋଇତ ବନ୍ଦାଣ ଉତ୍ସବ ଓ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବୋଇତ ବନ୍ଦାଣ କରାଯିବ। କେଦାରଗୌରୀ ମନ୍ଦିର, କପିଳେଶ୍ୱର ମନ୍ଦିର, ରାମେଶ୍ୱର ମନ୍ଦିର, ସୂକ୍ଷ୍ମେଶ୍ୱର ମନ୍ଦିର, ବ୍ରହ୍ମେଶ୍ୱର ମନ୍ଦିର, ମେଘେଶ୍ୱର ମନ୍ଦିର, ଚିନ୍ତାମଣିଶ୍ୱର ନିକଟ ପୁଷ୍କରିଣୀ, ଦୟାନଦୀ ଘାଟରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିବ। ସବୁ ସ୍ଥାନରେ ପୁଲିସ ବ୍ୟବସ୍ଥା କରାଯିବା ସହ କୁଆଖାଇ ନଦୀ ଓ ଦୟାନଦୀ କୂଳରେ ଦମକଳ ବାହିନୀ ରହିବା ପାଇଁ ବ୍ୟବସ୍ଥା କରାଯାଇଛି। ସେମାନେ ରାତି ୨ଟାରୁ ସେଠାରେ ଉପସ୍ଥିତ ରହି ଭିଡ଼ ଉପରେ ନଜର ରଖିବେ ବୋଲି ସୂଚନା ମିଳିଛି।
ଶୟନରୁ ଉଠିଲେ ଶ୍ରୀଲିଙ୍ଗରାଜ
ପୁରୁଣା ଭୁବନେଶ୍ୱର: ଶ୍ରୀଲିଙ୍ଗରାଜ ମହାପ୍ରଭୁ ୪ମାସ ଶୟନ ପରେ ଆଜି ଉଠିଛନ୍ତି। ମହାପ୍ରଭୁ ଶୟନରୁ ଉଠିବା ସହ ରାଜ୍ୟ ଭାର ନେଇଛନ୍ତି। ସେହିପରି ବିଭିନ୍ନ ମାଙ୍ଗଳିକ କାର୍ଯ୍ୟ ଏଣିକି ଆରମ୍ଭ ହେବ ବୋଲି ପଣ୍ଡିତମାନେ କହିଛନ୍ତି। ହରିଶୟନ ଚତୁର୍ଦ୍ଦଶୀ ଠାରୁ ୪ମାସ ଧରି ରାଜ୍ୟ ଭାର ଶ୍ରୀଲିଙ୍ଗରାଜ ମହାପ୍ରଭୁ ପର୍ଶୁରାମେଶ୍ୱରଙ୍କୁ ଦେଇଥିଲେ। ଏହାପରେ ୪ମାସ ପର୍ଯ୍ୟନ୍ତ ମହାପ୍ରଭୁ ଶୟନ କରିଥିଲେ। ଗୁରୁବାର ଉତ୍ଥାପନ ଚତୁର୍ଦ୍ଦଶୀ ତିଥିରେ ଶ୍ରୀଲିଙ୍ଗରାଜ ମନ୍ଦିରରେ ଉତ୍ଥାପନ ନୀତି କରାଯାଇଥିଲା। ଆଜି ସଂଧ୍ୟା ପୂଜା ପରେ ପୁନଶ୍ଚ ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ମହାସ୍ନାନ, ବେଶ ଆଦି କରାଯାଇଥିଲା। ଏହାପରେ ସେବାୟତମାନେ ଭଣ୍ଡାର ଘରୁ ଶିବ ପାର୍ବତୀଙ୍କ ଗୁପ୍ତ ପ୍ରତିମାକୁ ଆଣି ରୁପା ଥାଳିରେ ରଖି ପୂଜାର୍ଚ୍ଚନା କରି ଏହି ନୀତି କରାଯାଇଛି। ତେବେ ଚତୁର୍ଦ୍ଦଶୀ ପାଇଁ ଆଜି ମନ୍ଦିରରେ ଭିଡ଼ ଦେଖିବାକୁ ମିଳିଥିଲା। ଠାକୁରଙ୍କ ନୀତି ପୂଜା ପରେ ରାତି ପ୍ରାୟ ୧୦ଟାରେ ମହାଦୀପ ଉଠିଥିଲା। ଏନେଇ ପଣ୍ଡିତ ଗୋପିନାଥ କର କୁହନ୍ତି ଠାକୁରଙ୍କ ହରିଶୟନ ସମୟରେ କୌଣସି ମାଙ୍ଗଳିକ କାର୍ଯ୍ୟ ହୁଏନାହିଁ। ଏଥର ଘର ପ୍ରତିଷ୍ଠା, ନାମକରଣ, ନିର୍ବନ୍ଧ, ବିବାହ ଓ ବ୍ରତ କାର୍ଯ୍ୟ କରାଯିବ। ଏ ସମ୍ପର୍କରେ ପୂଜକ ଟିକିନା ଦାଶ କୁହନ୍ତି, ବିଭିନ୍ନ ପୂଜା କାର୍ଯ୍ୟ ଅଭିଷେକ, ବିବାହ ଓ ବ୍ରତ ପାଇଁ ସମୟ ଆସିଲା। ଏଥିପାଇଁ ଲୋକ ଶୁଭ ଦିନ ଠିକ୍ କରୁଛନ୍ତି। ୪ମାସ ହେଲା ଏହି ସବୁ ଶୁଭ କାମ ବନ୍ଦ ଥିଲା।