ଆଜି ମହାଶିବରାତ୍ରୀ, ପଞ୍ଚାକ୍ଷରୀରେ ଝଂକୃତ ହେବ ଏକାମ୍ରକ୍ଷେତ୍ର

ରାତି ୧୦ଟାରେ ଉଠିବ ମହାଦୀପ, ମହାଦୀପ ନେବେ ୫ ସମର୍ଥା

ଆଉ ମାତ୍ର କେତେଘଣ୍ଟା ପରେ ପଞ୍ଚାକ୍ଷରୀ ମନ୍ତ୍ରରେ ଝଂକୃତ ହେବ ଏକାମ୍ରକ୍ଷେତ୍ର। ଆରମ୍ଭ ହେବ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପ୍ରସିଦ୍ଧ ମହାଶିବରାତ୍ରି ତଥା ଜାଗରଯାତ୍ରା। ଏଥିପାଇଁ ଶ୍ରୀଲିଙ୍ଗରାଜ ମନ୍ଦିର ସମେତ ମନ୍ଦିରମାଳିନୀ ଭୁବନେଶ୍ବରର ବିଭିନ୍ନ ଶୈବପୀଠରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ରାତି ୧୦ଟାରେ ମହାଦୀପ ଉଠିବ ବୋଲି ସ୍ଥିର ହୋଇଥିବାବେଳେ ମନ୍ଦିର ପ୍ରଶାସନ ସେବାୟତମାନଙ୍କ ସହ ସମନ୍ୱୟ ରଖି କାର୍ଯ୍ୟ ଚଳାଇଛନ୍ତି। ଆଜି ପୂର୍ବାହ୍ନରେ ଖୋର୍ଦ୍ଧା ଜିଲ୍ଲାପାଳ ସନତ କୁମାର ମିଶ୍ର ସେବାୟତଙ୍କ ସହ ଆଲୋଚନା କରିଥିବାବେଳେ ସେବାୟତମାନେ ଠିକଣା ସମୟରେ ମହାଦୀପ ଉଠାଇବେ ବୋଲି କହିଛନ୍ତି। ମନ୍ଦିର ପରିସରରେ ଯେପରି ବିଶୃଙ୍ଖଳା ସୃଷ୍ଟି ନ ହୁଏ, ସେଥିପ୍ରତି ପ୍ରଶାସନ ଯତ୍ନବାନ ଥିବା ଜିଲ୍ଲାପାଳ କହିଛନ୍ତି।

ମହାଶିବରାତ୍ରୀ ପାଇଁ ଶ୍ରୀଲିଙ୍ଗାରାଜଙ୍କ ନୀତିକାନ୍ତି ଚୂଡ଼ାନ୍ତ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ବୁଧବାର ରାତି ୨.୩୦ ମିନିଟରେ ମନ୍ଦିର ଦ୍ୱାର ଖୋଲିବ । ଭୋର ୩ ଟାରୁ ୩ଟା ୩୦ମଧ୍ୟରେ ମଙ୍ଗଳ ଆଳତି ଓ ଅବକାଶ ନୀତି ସମ୍ପନ୍ନ ହେବ। ଏହାପରେ ଭୋର ୪ ଟାରୁ ଦିନ ୧୧ଟା ପର୍ଯ୍ୟନ୍ତ ଭକ୍ତମାନେ ଦର୍ଶନ ଓ ପୂଜାପାଠ କରିପାରିବେ। ୧୧.୩୦ ମିନିଟ୍‌ରୁ ୧୨ଟା ଛାମୁ ପରିଷ୍କାର, ୧୨ଟାରେ ମହାସ୍ନାନ ବେଶ, ୧୨ଟା ୪୫ରୁ ସୂର୍ଯ୍ୟପୂଜା, ଦ୍ବାରପାଳ ପୂଜା, ଶ୍ରୀଜିଉଙ୍କ ଓ ଠାକୁରାଣୀଙ୍କ ବଲ୍ଲଭ ଓ ଶ୍ରୀଜୀଉଙ୍କ ସକାଳ ଧୂପ ଅନୁଷ୍ଠିତ ହେବ। ୨ଟା୩୦ରୁ ଶ୍ରୀ ଭୁବନେଶ୍ବରୀଙ୍କ ସକାଳ ଧୂପ, ୨ଟା ୪୫ରୁ ଭୋଗ ମଣ୍ଡପ ପରେ ଅପରାହ୍ନ ୩.୪୫ରୁ ୪ଟା ୪୫ ମଧ୍ୟରେ ପୁଣି ଦର୍ଶନର ସୁଯୋଗ ମଳିବ। ଅପରାହ୍ନ ୪.୪୫ରୁ ଛାମୁ ପରିଷ୍କାର, ୫ଟା ୧୫ରେ ଶ୍ରୀଜିଉଙ୍କ ବେଶ, ୫ଟା ୫୪ରୁ ବୀରକିଶୋର ବଲ୍ଲଭ, ଦ୍ବିପ୍ରହର ଧୂପ, ସନ୍ଧ୍ୟା ୭ଟାରେ ପହୁଡ଼, ୭ଟା ୧୦ରୁ ଶ୍ରୀଜିଉଙ୍କ ସନ୍ଧ୍ୟା ଆଳତୀ ଓ ଟେରା ଫିଟା ନୀତି ଅନୁଷ୍ଠିତ ହେବ। ସନ୍ଧ୍ୟା ସାଢ଼େ ୭ରୁ ଶ୍ରୀଜିଉଙ୍କ ମାଜଣା ଓ ବେଶ, ୮ଟା ୧୦ରେ ଶ୍ରୀ ଜିଉଙ୍କ ଯାତ୍ରା ପୂଜା ଓ ବେଢ଼ା ପରିକ୍ରମା। ୮ଟା ୫୫ମିନିଟ୍‌ରେ ସନ୍ଧ୍ୟା ଧୂପ ଓ ତୀର୍ଥଜଳ ଆନୟନ କରାଯାଇ ରାତି ୧୦ରେ ମହାଦୀପ ଉଠିବ। ତେବେ ମହାଦୀପ ଉଠିବା ପରେ ମନ୍ଦିରକୁ ଭିତରକୁ ଯାଇ ଦର୍ଶନ କରିବାକୁ ବାରଣ କରାଯାଇଛି।

ସମ୍ବନ୍ଧିତ ଖବର