ଭୁବନେଶ୍ବର: ରଙ୍ଗବତୀ ରେ ରଙ୍ଗବତୀ...। ଓଡ଼ିଶାର ଏହି ଆଲ୍ବମ୍ ଲୋକସଙ୍ଗୀତ ଏତେ ଲୋକପ୍ରିୟ ଯେ ଏହି ସଙ୍ଗୀତ ବିଭିନ୍ନ ଭାଷାରେ ବି ନିର୍ମିତ ହୋଇଛି। ଖାଲି ସେତିକି ନୁହେଁ, ଏହି ଗୀତ ୩ଟି ପଦ୍ମ ପୁରସ୍କାର ବି ଓଡ଼ିଶାକୁ ଆଣିଛି। ଏହା ହିଁ ପ୍ରମାଣ କରୁଛି, ଦିନେ ଓଡ଼ିଶାରେ ଆଲବମ୍ ଗୀତ କେତେ ଲୋକପ୍ରିୟ ଓ ଟ୍ରେଣ୍ଡ୍ରେ ଥିଲା। ମଝିରେ ୧୦ରୁ ୧୫ ବର୍ଷ ଆଲ୍ବମ୍ ସଙ୍ଗୀତ ସମ୍ପୂର୍ଣ୍ଣ ହଜିଯାଇଥିଲା। ହେଲେ ଏବେ ପୁଣି ଫେରିଛି ଓଡ଼ିଆ ଆଲ୍ବମ୍ ସଙ୍ଗୀତର ଯୁଗ। ସାମାଜିକ ଗଣମାଧ୍ୟମ ଟ୍ରେଣ୍ଡିଂରେ ଓଡ଼ିଆ ଆଲ୍ବମ୍ ଗୀତ ବେଶ୍ ଚାହିଦାରେ ରହୁଛି। ପୂର୍ବରୁ ସମ୍ବଲପୁରୀ ଗୀତର ଆଦର ଯେମିତି ଥିଲା, ତାହା ଆହୁରି ବଢ଼ିଛି। ତା’ ପଛକୁ ଲାଗିଗଲାଣି ସାନ୍ତାଳୀ ଓ ଦେଶିଆ ଗୀତ। ସବୁଠାରୁ ଶୁଭ ଖବର ହେଉଛି, ଏବେ ଭୋଜପୁରୀ ଓ ପଞ୍ଜାବ ଆଲ୍ବମ୍ ସହିତ ତାଳ ଦେଇ ଆଗେଇ ଚାଲିଛି ଓଡ଼ିଆ ଆଲ୍ବମ୍। ଆସନ୍ତାକାଲି ସଙ୍ଗିତ ଦିବସ ଅବସରରେ ସ୍ବତନ୍ତ୍ର ଉପସ୍ଥାପନା ଓଡ଼ିଶା ରାଉଣ୍ଡ ଦି କ୍ଲକ୍ (ଓଆର୍ସି) ସଂସ୍ଥାର ସର୍ଭେକ୍ଷଣରୁ ଜଣାପଡ଼ିଛି, ସାମାଜିକ ଗଣମାଧ୍ୟମରେ ବହୁଳ ପରିମାଣରେ ଭାଇରାଲ୍ ହୋଇଥିବା ଓଡ଼ିଆ ଗୀତଗୁଡ଼ିକ ମଧ୍ୟରୁ ଅଧିକାଂଶ ହେଉଛି ଆଲ୍ବମ୍ ମ୍ୟୁଜିକ୍ ଗୀତ। ପୂର୍ବ ଭଳି ପଶ୍ଚିମ ଓଡ଼ିଶାର ଗୀତ ଏକ ନମ୍ବରରେ ରହିଛି। ଏହାପଛକୁ ଆଦିବାସୀ ଦେଶିଆ ଓ ସାନ୍ତାଳୀ ଭାଷାର ଅନେକ ହିଟ୍ ଗୀତ ମଧ୍ୟ ଟ୍ରେଣ୍ଡିଂ କରୁଛି। ଓଟିଟି ପ୍ଲାଟଫର୍ମରେ ଏସବୁ ଗୀତର ପ୍ରଯୋଜକମାନେ ଭଲ ଆୟ କରୁଥିବା ଜଣାପଡ଼ିଛି। ପୂର୍ବାପେକ୍ଷା ସେମାନେ ୨ ଗୁଣା ଅଧିକ ଆୟ କରୁଥିବା ଓଆର୍ସି ସର୍ଭେକ୍ଷଣରୁ ଜଣାପଡ଼ିଛି। ଗୋଟିଏ ସମୟରେ ଅନୁଭବ, ସବ୍ୟସାଚ୍ଚୀ, ଆକାଶ, ଶ୍ରୀତମ, ମିଠି, ସୁଇଟ୍, ଦୀପା ସାହୁ, ନୈନା ଓ ଲିପିଙ୍କ ଭଳି କଳାକାରମାନେ ଓଡ଼ିଆ ଆଲ୍ବମ୍ ଜଗତକୁ ହଲ୍ଚଲ୍ କରୁଥିଲେ। କିନ୍ତୁ ସେମାନଙ୍କ ପରେ ଓଡ଼ିଆ ଆଲ୍ବମ୍ ଜଗତ ଧିମା ପଡ଼ିଯାଇଥିଲା।
ଆଗ ଅପେକ୍ଷା ଗୀତ କମ୍, ଆୟ ୨ ଗୁଣ
ଆଲ୍ବମ୍ ଜଗତର ପ୍ରସିଦ୍ଧ ଭିଜୁଆଲ୍ ନିର୍ଦ୍ଦେଶକ ଜୟପ୍ରକାଶ ମହାନ୍ତି କହିଛନ୍ତି, ୯୦ ଦଶକରେ ଗୋଟିଏ ଗୀତ ନିର୍ମାଣକୁ ୫ରୁ ୨୦ ହଜାର ଟଙ୍କା ଖର୍ଚ୍ଚ ହେଉଥିଲା। କିନ୍ତୁ ଏବେ ଏହି ଶିଳ୍ପ ବହୁ ମାତ୍ରାରେ ବିକଶିତ ହୋଇଛି। ଏବେ ଗୋଟିଏ ଗୀତ ପିଛା ୫ ଲକ୍ଷ ଟଙ୍କା ବି ଖର୍ଚ୍ଚ ହେଉଛି। ଏଥିରୁ ଆୟ ବି ଭଲ ହେଉଛି। ସେତେବେଳେ ଡିଭିଡି ଓ ଭିସିଡି ଚାଲୁଥିବାରୁ ଅଧିକ ପରିମାଣରେ ଗୀତ ପ୍ରସ୍ତୁତ ହେଉଥିଲା। ମାସକୁ ପାଖାପାଖି ୧୦୦ରୁ ଅଧିକ ଗୀତ ହେଉଥିଲା। ଏବେ କିନ୍ତୁ ୫୦ଟି ଗୀତ ଭିତରେ ଏହା ସୀମିତ ରହୁଛି। କିନ୍ତୁ ଓଡ଼ିଆ ଆଲ୍ବମ୍ ଗୀତର ଲୋକପ୍ରିୟତା ବଢ଼ୁଛି। ଆୟ ବି ୨ ଗୁଣା ବଢ଼ିଛି। ଡିଜିଟାଲ୍ ମାଧ୍ୟମ, ଭଲ ଭଲ କଣ୍ଟେଣ୍ଟ୍ ଯୋଗୁ ଏହା ବଢ଼ୁଥିବା ସେ କହିଛନ୍ତି।
ଅଶ୍ଳୀଳତା ଓ ଟେକ୍ନୋଲୋଜି ଯୋଗୁ ଆଲ୍ବମ୍ ବୁଡ଼ିଥିଲା
ଏନେଇ ସୀନେ ସମୀକ୍ଷକ ସୂର୍ଯ୍ୟ ଦେଓ କହିଛନ୍ତି, ୧୯୯୨ ମସିହା ଆଡ଼କୁ ଓଡ଼ିଶାରେ ଓଡ଼ିଆ ଆଲ୍ବମ୍ ସଙ୍ଗୀତ ଆରମ୍ଭ ହୋଇଥିଲା। ୧୯୯୫ ଆଡ଼କୁ ଆଲ୍ବମ୍ ସଙ୍ଗୀତଗୁଡ଼ିକ ଦୂରଦର୍ଶନରେ ପ୍ରସାରଣ ହେବା ସହ ଧୀରେଧୀରେ ଦର୍ଶକଙ୍କ ମଧ୍ୟରେ ଏହାର ଚାହିଦା ଓ ଲୋକପ୍ରିୟତା ବଢ଼ିବାକୁ ଲାଗିଲା। ‘ଜାଇଫୁଲ’, ‘ନନି ବଡ଼ଦାଣ୍ଡେ ଭିଡ଼ ଭାରି, ଟିକେ ହାଉଲେ ଯିବୁ..’ ଭଳି ଦେଶୀ ଗୀତ ଲୋକେ ପସନ୍ଦ କରୁଥିଲେ। ୨୦୦୬ ମସିହା ପର୍ଯ୍ୟନ୍ତ ଓଡ଼ିଆ ଆଲ୍ବମ୍ ଗୀତର ଲୋକପ୍ରିୟତା ଶୀର୍ଷରେ ରହିଥିଲା। ହେଲେ ପରେ ଏହାର ବିତରଣରେ ସମସ୍ୟା ହେବାକୁ ଲାଗିଲା। ସିଡି ଯୁଗ ସରି ଧୀରେଧୀରେ ପେନ୍ଡ୍ରାଇଭ୍ର ଯୁଗ ଆସିଲା। ଲୋକଙ୍କ ପାଖରେ ଓଡ଼ିଆ ଆଲ୍ବମ୍ ଗୀତ ସହଜ ଉପଲବ୍ଧ ହେଲାନାହିଁ। ଫଳରେ ଏହାର ପ୍ରଭାବ ଆଲ୍ବମ୍ ଶିଳ୍ପ ଉପରେ ପଡ଼ିଥିଲା। ଗୋଟିଏ ଦିନରେ ଗୀତ ଲେଖାଯାଇ, ଟ୍ୟୁନିଂ ତିଆରି କରି ଗୀତ ମୁକ୍ତିଲାଭ କଲା। ଫଳରେ ଆଲ୍ବମ୍ର ଗୁଣାତ୍ମକ ମାନ ବି ହ୍ରାସ ପାଇଲା। ସେତେବେଳେ ବି ଭଜନ ଓ ଲୋକସଙ୍ଗୀତ ଲୋକେ ଅଧିକ ପସନ୍ଦ କରୁଥିବା ବେଳେ ‘ଛାତିକୁ ହଟ୍ କରୁଛି...’, ‘କାଉ ତୋ ବୋଉକୁ ନେଉ...’, ମୋର ‘ଭୂଗୋଳରେ ଭଲ ହେଉଥିଲା...’ ଭଳି ଗୀତ ଯୋଗୁ ଅଶ୍ଳୀଳତା ଆଲ୍ବମ୍ରେ ପ୍ରବେଶ କରିଥିଲା। ଏବେ ୟୁଟ୍ୟୁବ୍, ସାମାଜିକ ଗଣମାଧ୍ୟମର ଯୁଗ ଚାଲିଥିବା ବେଳେ ଲୋକଙ୍କ ପାଖରେ ଗୀତ ସହଜରେ ଉପଲବ୍ଧ ହେଉଛି। ଆଜିକାଲିର କଣ୍ଠଶିଳ୍ପୀମାନେ ମଧ୍ୟ ସଙ୍ଗୀତକୁ ନେଇ ବହୁ ପରୀକ୍ଷାନିରୀକ୍ଷା କରୁଛନ୍ତି। ଶସ୍ତା ଓ ଅଶ୍ଳୀଳ ଗୀତ କିଛି ବାହାରୁଥିଲେ ମଧ୍ୟ ସେ ଭିତରେ ପୁରୁଣା ବିପ୍ଳବୀ କବିତା, ଲୋକସଙ୍ଗୀତ, ଆଦିବାସୀ ଓ ଦେଶୀ ଭାଷାକୁ ନେଇ ସଙ୍ଗୀତ କରାଯାଉଥିବାରୁ ଏହା ଦର୍ଶକୀୟ ଆଦୃତି ପାଉଛି।