ଆଜି ଜାତୀୟ କଦଳୀ ଦିବସ: ଆନ୍ଧ୍ର କଦଳୀ କବ୍‌ଜାରେ ରାଜଧାନୀ ବଜାର

ଭୁବନେଶ୍ବର: ରାଜଧାନୀ ବଜାରକୁ କବ୍‌ଜା କରି ରଖିଛି ଆନ୍ଧ୍ର କଦଳୀ। ଠାକୁରଙ୍କ ପ୍ରସାଦ ଠାରୁ ଆରମ୍ଭ କରି ଜଳଖିଆ ପର୍ଯ୍ୟନ୍ତ, ପ୍ରତ୍ୟେକ କାର୍ଯ୍ୟରେ ଆନ୍ଧ୍ରରୁ ଆସୁଥିବା କଦଳୀ ହିଁ ଭରସା ହୋଇ ରହିଛି। ଅନ୍ୟ ରାଜ୍ୟରୁ କେବେ କେବେ ଆଳୁ ବା ପିଆଜ ଯୋଗାଣ ବନ୍ଦହେଲେ ଓଡ଼ିଶାରେ ଉପୁଜୁଥିବା ସମସ୍ୟା ଭଳି କଦଳୀ ଯୋଗାଣ କେବେ ବନ୍ଦ ହୋଇଗଲେ ଏଠାରେ ନାହିଁ ନଥିବା ସ୍ଥିତି ହେବା ପ୍ରାୟତଃ ନିଶ୍ଚିତ। ଏପରିକି ଦିଅଁଙ୍କ ପାଇଁ ବି କଦଳୀ ମିଳିବନାହିଁ। ପୂର୍ବଭଳି ରାଜ୍ୟର ଅନେକ ଅଞ୍ଚଳରେ କଦଳୀ ଚାଷ ହେଉନଥିବାରୁ ଏଭଳି ହେଉଥିବା ଅଭିଯୋଗ ହୁଏ।

ସୂଚନା ଅନୁଯାୟୀ, ରାଜଧାନୀ ସମେତ ଓଡ଼ିଶା ବଜାରରେ ମୁଖ୍ୟତଃ ୩ ପ୍ରକାର, ଯଥା ଛୋଟ ହଳଦିଆ ଚମ୍ପା କଦଳୀ, ମୋଟା ଭୁସାବଳି କଦଳୀ ଓ କେଜି ପ୍ରତି ପ୍ରାୟ ୫୦ ଟଙ୍କାରେ ବିକ୍ରି ହେଉଥିବା ଜି୯ ସବୁଜ କଦଳୀ ବିକ୍ରି ହେଉଛି। ରାଜ୍ୟର ଅନୁଗୁଳ, ବଲାଙ୍ଗୀରର ପାଟଣାଗଡ଼, କଳାହାଣ୍ଡି, କୋରାପୁଟରେ କଦଳୀ ଚାଷ ହେଉଥିଲେ ହେଁ ତାହା ସମୁଦ୍ରକୁ ଶଙ୍ଖେ ଭଳି। ପୁଣି ସମ୍ବଲପୁରର ରେଢ଼ାଖୋଲ, ବରଗଡ଼, ଗଞ୍ଜାମ, ଖୋର୍ଧା, ପୁରୀ, ଭଦ୍ରକ, ବାଲେଶ୍ବରର ବିଭିନ୍ନ ଅଞ୍ଚଳରେ ହେଉଥିବା କଦଳୀ ଚାଷ ମଧ୍ୟ ବାତ୍ୟା ପରେ କମି ଯାଇଛି। ଯାହାବି ହେଉଛି ସ୍ଥାନୀୟ ଗାଁ କି ସହରର ଆବଶ୍ୟକତା ମେଣ୍ଟାଇବାରେ ସରିଯାଉଛି। ସ୍ଥିତି ଏଭଳି ହୋଇଛି ଯେ ୨୦୧୦ ମସିହାରେ ବଜାରକୁ ଓଡ଼ିଶାର ସ୍ଥାନୀୟ କଦଳୀ ଯେତେ ଆସୁଥିଲା, ବର୍ତ୍ତମାନ ସେତିକି ମଧ୍ୟ ଆସୁନାହିଁ। ବିଶେଷଜ୍ଞଙ୍କ ଅନୁସାରେ, ରସାବଳୀ ଓ ଚମ୍ପା ମୁଖ୍ୟତଃ ଖରାଦିନରେ ଆସେ। ଏହା ଗଛ ପୋତିବାର ୧୨ରୁ ୧୩ ମାସରେ ବିକ୍ରିଯୋଗ୍ୟ ଫଳ ଦେଇଥାଏ। କିନ୍ତୁ ଜି-୯ ଖରାରେ ଖରାପ ହୋଇଯାଏ। ଶୀତରେ ଏହା ଉପଲବ୍ଧ ହୁଏ। ରାଜ୍ୟର ବିଭିନ୍ନ ଜିଲ୍ଲାର ମାଟି ଓ ପାଣିପାଗ କଦଳୀ ଚାଷ ପାଇଁ ଉପଯୁକ୍ତ ହୋଇଥିଲେ ହେଁ ଚାଷୀମାନେ ସେଦିଗରେ ଆଗ୍ରହ ଦେଖାଉ ନାହାନ୍ତି। ଫଳରେ ଆନ୍ଧ୍ର ଓ ମହାରାଷ୍ଟ୍ର ଉପରେ ହିଁ ରାଜ୍ୟର କଦଳୀ ବଜାର ନିର୍ଭରଶୀଳ। ତେଣୁ ସେଠାକାର ବ୍ୟବସାୟୀ ଏଠା ବଜାରର କଦଳୀ ମୂଲ୍ୟ ନିର୍ଧାରଣ କରୁଛନ୍ତି କହିଲେ ଭୁଲ୍‌ ହେବନାହିଁ।

୬୧ ପ୍ରକାର କଦଳୀ ଚାଷ
କୃଷି ବିଶେଷଜ୍ଞ ସୌଦାମିନୀ ସାହୁ କହନ୍ତି, ବର୍ତ୍ତମାନ ରାଜ୍ୟରେ ୬୧ ପ୍ରକାରର କଦଳୀ ଚାଷ ହେଉଛି। ସେଥିରୁ ଓଡ଼ିଶାର ନିଜସ୍ବ ୩୪ ପ୍ରକାର। ରାଜ୍ୟର ଜଳବାୟୁ ସବୁ ପ୍ରକାର କଦଳୀ ପାଇଁ ଉପଯୁକ୍ତ। ବର୍ତ୍ତମାନ ଆନ୍ଧ୍ର ଭେରାଇଟିର ଜି-୯ ଓଡ଼ିଶାରେ ବ୍ୟାପକ ପରିମାଣରେ ଚାଷ ହେଉଛି। ଏହା ହେକ୍ଟର ପିଛା ୮୦ ଟନ୍‌ ଉତ୍ପାଦନ ହେଉଛି। ଏପରିକି ଗୋଟିଏ ଗଛରୁ ୪୦ରୁ ୬୦ କେଜି ଫଳ ମଧ୍ୟ ମିଳୁଛି। କଦଳୀ ଚିପ୍ସ ପାଇଁ ମଧ୍ୟ ସ୍ବତନ୍ତ୍ର କଦଳୀ ଚାଷ କରାଯାଉଛି। କିଛି ଅଞ୍ଚଳରେ ଝାଉଁଳା ରୋଗ ହେଉଥିବାରୁ ଫସଲ ପ୍ରଭାବିତ ହେଉଛି। ତେବେ ଏହାର ନିରାକରଣ ସମ୍ଭବ। ଏଥିସହିତ ଓୟୁଏଟି ପକ୍ଷରୁ କଦଳୀ ଚାଷ ପାଇଁ କନ୍ଧମାଳକୁ ପୋଷ୍ୟଜିଲ୍ଲା ଭାବରେ ଗ୍ରହଣ କରାଯାଇଛି।

ସମ୍ବନ୍ଧିତ ଖବର