ଖଣ୍ଡଗିରି: ସମୟ ଥିଲା ଶୀତ ପଡ଼ିବା କ୍ଷଣି ପକ୍ଷୀଙ୍କ କଲ୍ଲୋଳରେ ମୁଖରିତ ହୋଇପଡ଼ୁଥିଲା ଭୁବନେଶ୍ୱର। ସହର ସହ ଉପକଣ୍ଠରେ ଭଳିକି ଭଳି ପକ୍ଷୀଙ୍କ ସମାଗମ ହେଉଥିଲା। ନାଇଜେରିଆ, ଇରାନ, ସାଇବେରିଆ ପରି ଦେଶର ପକ୍ଷୀଙ୍କୁ ବି ଏଠାରେ ଦେଖିବାକୁ ମିଳୁଥିଲା। ହେଲେ ସହରର କଳେବର ବଢ଼ିବା ସହ ଆର୍ଦ୍ରଭୂମି କମିବାରେ ଲାଗିଥିଲା। ସନ୍ତସନ୍ତିଆ ଜାଗାରେ କଂକ୍ରିଟ ଜଙ୍ଗଲ ସୃଷ୍ଟି ହୋଇଛି। ଫଳରେ ବିଦେଶୀ ପକ୍ଷୀ ଆଉ ଆସୁନଥିବାରୁ ଜୈବ ବିବିଧତା ରକ୍ଷାକାରୀ ପକ୍ଷୀ ଧୀରେ ଧୀରେ ଲୋପ ପାଇଗଲେଣି। ପରିବେଶବିତ୍‌ଙ୍କ ମତରେ ଆର୍ଦ୍ରଭୂମି ହ୍ରାସ, କଂକ୍ରିଟ କୋଠା ନିର୍ମାଣ, ଜଳାଶୟ, ପୋଖରୀ ପୋତିବା ପକ୍ଷୀକୁଳଙ୍କ ପାଇଁ କାଳ ସାଜିଛି। ବିଶେଷକରି ଶୀତ ଋତୁରେ ଯେତେବେଳେ ପ୍ରବାସୀ ପକ୍ଷୀ ବାହାରୁ ଉଡ଼ି ଆସୁଛନ୍ତି, ଅଜ୍ଞତା ଓ ଲାଇଟ୍‌ର ପ୍ରତିବିମ୍ବ ଯୋଗୁଁ ଦ୍ବନ୍ଦ୍ବରେ ପଡ଼ି ମୃତ୍ୟୁମୁଖରେ ପଡ଼ୁଛନ୍ତି। ସହରରେ ୫-ଜି ନେଟୱର୍କ ମଧ୍ୟ ପକ୍ଷୀଙ୍କ ପାଇଁ ବିପଦ ସାଜିଛି। ଚାଳ ଘର ନାହିଁ କି ଚାଳରେ ବାସ କରୁଥିବା ଘରଚଟିଆ ବି ନାହାନ୍ତି। ଚାଳରୁ କୁଟା ସଂଗ୍ରହ କରି ଗଛ, ବିଦ୍ୟୁତ୍‌ ଖୁଣ୍ଟରେ କାଉ, ବଣି ଘର କରୁଥିଲେ, ସେମାନଙ୍କ ପାଇଁ ବସା ବାନ୍ଧିବାକୁ ବ୍ୟବସ୍ଥା ନାହିଁ। ଜଳାଶୟ ଉପରେ ନିର୍ଭର କରୁଥିବା ବଗ, ପାଣିକୁଆ ପକ୍ଷୀ ବିଲୁପ୍ତପ୍ରାୟ। ମୋବାଇଲ ଟାୱାରର ଚୁମ୍ବକୀୟ ବିକିରଣ ପ୍ରଭାବରେ ପକ୍ଷୀମାନେ ଦିଶାହୀନ ହେବା ସହ ପ୍ରଜନନ କ୍ଷମତା ମଧ୍ୟ କମିଯାଇଛି ବୋଲି ମତପ୍ରକାଶ ପାଇଛି।

Advertisment

ସହରାଞ୍ଚଳ ବନୀକରଣ ଆବଶ୍ୟକ
ସହରୀକରଣ ଯୋଗୁଁ ପକ୍ଷୀଙ୍କ ସଂଖ୍ୟା ସହ ପରିସଂସ୍ଥାନ କମୁଛି। ସହରରେ ଥିବା ଆର୍ଦ୍ରଭୂମି କମି ଯିବାରୁ ଆଉ ପକ୍ଷୀ ଆସୁନାହାନ୍ତି। ଆସିଲେ ମଧ୍ୟ ସେମାନଙ୍କ ରହିବା ଖାଇବା ଓ ପିଇବା ପାଇଁ ବ୍ୟବସ୍ଥା ନାହିଁ। କେବଳ ପାଣିରେ ସେମାନେ ନିଜର ଖାଦ୍ୟ ପାଇ ପାରୁନାହାନ୍ତି। ବାସୋପଯୋଗୀ ସ୍ଥାନକୁ ପକ୍ଷୀ ଆସୁଛନ୍ତି ହେଲେ ସବୁ ସ୍ଥାନକୁ ଆସୁନାହାନ୍ତି। ସହରରେ ଫାଙ୍କା ଥିବା ସ୍ଥାନରେ ବନୀକରଣ କଲେ ଯାଇ ଚଢ଼େଇଙ୍କ ରହିବା ସ୍ଥାନ ତିଆରି ହୋଇପାରିବ। ସହର ଭିତରେ ବିଭିନ୍ନ ଚାଷ କରାଗଲେ ବିଦେଶାଗତ ପକ୍ଷୀଙ୍କୁ ଆମେ ଭୁବନେଶ୍ୱରରେ ଦେଖି ପାରିବା।
ଡ. ବିଭୁ ପ୍ରସାଦ ପଣ୍ଡା
ସହଯୋଗୀ ପ୍ରଫେସର, ଶିକ୍ଷା ଓ ଅନୁସନ୍ଧାନ ବିଶ୍ବଦ୍ୟାଳୟ

ପକ୍ଷୀଙ୍କ ପାଇଁ ଚିନ୍ତା କରିବାକୁ ହେବ
ରାଜଧାନୀର ଆଖପାଖରେ ପ୍ରଚୁର କାଶତଣ୍ଡି ଗଛ ଥିବାରୁ ମୁନିଆ ଜାତିର ଚଢ଼େଇ ସେଥିରେ ବସା ବାନ୍ଧନ୍ତି। ବିଗତ ଦିନରେ ଏକାମ୍ରକାନନ ସହିତ ଆଉ କିଛି ସ୍ଥାନରେ ପେଲ୍‌ କ୍ୟାପ୍‌ ପିଜିଅନ, ଅରେଞ୍ଜ ଡିପ୍‌ ଗ୍ରିନ୍‌ ପିଜିଅନ, ଭିନ୍ନ ଓ ସ୍ବତନ୍ତ୍ର କାଠହଣା ଚଢ଼େଇ ଦେଖାଯାଉଥିଲେ। ତାଙ୍କ ସୁରକ୍ଷା ଆମ ଦାୟିତ୍ୱ ହେବା ଆବଶ୍ୟକ। କେବଳ ପାରାଙ୍କୁ ଖାଇବାକୁ ଦେଲେ ହେବ ନାହିଁ ଭିନ୍ନପ୍ରକାର ପକ୍ଷୀଙ୍କ ଆଗମନ ପାଇଁ ସମ୍ଭାବନା ସୃଷ୍ଟି କରିବାକୁ ହେବ। ସହର ସବୁଜିମା କରିବା ଦିଗରେ ଯତ୍ନବାନ ହେବାକୁ ହେବ। 
ଡ. ଶ୍ବେତାଶ୍ରୀ ପୁରୋହିତ
ଜୀବବିଜ୍ଞାନ ବିଭାଗ ସହଯୋଗୀ ପ୍ରଫେସର
ସିଭି ରମଣ ଗ୍ଲୋବାଲ ବିଶ୍ୱବିଦ୍ୟାଳୟ

ପ୍ରାୟ ଦୁଇ ଦଶନ୍ଧି ତଳେ ସହରର ବିଭିନ୍ନ ଜଳାଶୟ ଓ ପୋଖରୀକୁ ଦେଶୀ ଓ ବିଦେଶାଗତ ପକ୍ଷୀ ଆସୁଥିଲେ। ଏବେ କିନ୍ତୁ ସେ ଜାଗା ଆଉ ନାହିଁ। କି ପକ୍ଷୀ ଆସୁନାହାନ୍ତି। ଗଙ୍ଗୁଆ କୂଳବର୍ତୀ ଅଞ୍ଚଳରେ ପକ୍ଷୀଙ୍କ ସମାଗମ ହେଉଥିଲା। ଏବେ କିନ୍ତୁ ଆଉ ଦେଖା ଯାଉ ନାହାନ୍ତି। କଟକ-ପୁରୀ ବାଇପାସ ରାସ୍ତା ନିର୍ମାଣ ଦ୍ୱାରା ସମ୍ପୃକ୍ତ ଅଞ୍ଚଳକୁ ପକ୍ଷୀ ଆସୁ ନାହାନ୍ତି। ବିମାନବନ୍ଦର ସମ୍ପ୍ରସାରଣ, ଏହା ନିକଟରେ ରାସ୍ତା ନିର୍ମାଣ, ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଗବେଷଣା ଜମି କମିବାର ପ୍ରଭାବ ପକ୍ଷୀ ଆଗମନ ଉପରେ ପଡୁଛି। ଭରତପୁର ଜଙ୍ଗଲ ଚାରିପଟେ କୋଠା ନିର୍ମାଣ, ପଥରଗଡ଼ିଆ-ଚନ୍ଦକା ଅଞ୍ଚଳରେ ଜନବସତି ନିର୍ମାଣ, ସୁନ୍ଦରପଦା-ଜଟଣୀ ରାସ୍ତା ପାର୍ଶ୍ବରେ ଥିବା ଖାଲି ଜମିରେ ଘର ନିର୍ମାଣ, ଭୁବନେଶ୍ୱର-କଟକ ଜାତୀୟ ରାଜପଥ ପାର୍ଶ୍ବର ଖୋଲା ସ୍ଥାନ, ପଟିଆ-ବାରଙ୍ଗ ରାସ୍ତା, କାଞ୍ଜିଆ ହ୍ରଦ ନିକଟ ଅଞ୍ଚଳ ପ୍ରଭୃ୍ତି ସ୍ଥାନରେ ଘର ନିର୍ମାଣ ଦ୍ୱାରା ପକ୍ଷୀଙ୍କୁ ଆବଶ୍ୟକ ଅନୁସାରେ ଖାଦ୍ୟ ମିଳୁ ନ ଥିବାରୁ ପକ୍ଷୀ ଆସୁ ନାହାନ୍ତି।