ଭୁବନେଶ୍ୱର: କ୍ୟାମେରା ଆମ ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ପାଲଟିଯାଇଛି। ଜୀବନର ପ୍ରତ୍ୟେକ ସୁଖ, ଦୁଃଖ ମୁହୂର୍ତ୍ତକୁ ସ୍ମୃତି କରି ସାଇତି ରଖୁଛି। କେତେବେଳେ ଏହି କ୍ୟାମେରା ଅନ୍ଧାରରେ ସାହସ ଦେଉଛି ତ ଆଉ କେତେବେଳେ ଗୋପନ ତଥ୍ୟ ପ୍ରକାଶ କରିଦେବାର ଭୟ ମଧ୍ୟ ଦେଉଛି। ଆସନ୍ତାକାଲି ଜାତୀୟ କ୍ୟାମେରା ଦିବସରେ ଦୁର୍ଲଭ କ୍ୟାମେରାକୁ ସାଇତି ରଖିଥିବା କିଛି ବିଶେଷ ବ୍ୟକ୍ତିତ୍ୱଙ୍କ ସହ ଆମର ବିଶେଷ ଆଲୋଚନା।
ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ ଦେବେନ୍ଦ୍ର କୁମାର ପଟ୍ଟନାୟକଙ୍କ କହିବା ଅନୁଯାୟୀ ୧୯୫୫ ମସିହାର ‘ଆଗଫା ବକ୍ସ କ୍ୟାମେରା’ରୁ ତାଙ୍କର ଫଟୋଗ୍ରାଫି ଯାତ୍ରା ଆରମ୍ଭ ହୋଇଥିଲା। ବର୍ତ୍ତମାନ ତାଙ୍କ ନିକଟରେ ନିକନ ଏଫ୍ଇ୨, ନିକନ୍ ଇଏମ୍, ଏଫ୍୮୦, ଡି୭୫୦, ଜେ୫, ଜେ୧, ଜେଡ୍ ୭, ଜେଡ୍୯, କ୍ୟାନନ୍ ଇକ୍ସସ୍ ପରି କ୍ୟାମେରା ସହିତ ୪୦ଟି ଲେନସ୍ ରହିଛି। ଏହାବ୍ୟତୀତ କ୍ୟାମେରା ବିଷୟରେ ଅଧ୍ୟୟନ କରିବା ପାଇଁ ପ୍ରସିଦ୍ଧ ଫଟୋଗ୍ରାଫର ତଥା ଲେଖକ ଆନସେଲ ଆଦାମ, ରବର୍ଟ କାପା,ଏର୍ଡଵାର୍ଡ ୱେଷ୍ଟନଙ୍କ ପରି ପ୍ରସିଦ୍ଧ ଫଟୋଗ୍ରାଫରଙ୍କ ୨୦୦ ପୁସ୍ତକ ରହିଛି। ବର୍ତ୍ତମାନ ଯେଉଁମାନେ ଫଟୋଗ୍ରାଫିକୁ ନିଜର କ୍ୟାରିୟର ଗଢ଼ିବା ପାଇଁ ଚାହୁଛନ୍ତି ସେମାନେ ଫଟୋଗ୍ରାଫି ପୁସ୍ତକଗୁଡ଼ିକ ପଢ଼ିବା ସହିତ ନୂଆ ନୂଆ କୌଶଳ ଶିଖନ୍ତୁ ବୋଲି କହିଛନ୍ତି। ଏଥିସହିତ କ୍ୟାମେରା ଐତିହ୍ୟ ତଥା ସଂସ୍କୃତି ସଂରକ୍ଷଣର ମାଧ୍ୟମ ହେଉ ବୋଲି ସେ କହିଛନ୍ତି।
ସେହିପରି ଅନ୍ୟ ଜଣେ ହେଉଛନ୍ତି ‘ଭୁବନେଶ୍ୱର ଫଟୋଗ୍ରାଫି’ର ପ୍ରତିଷ୍ଠାତା ସିଦ୍ଧାର୍ଥ ଦେ। ତାଙ୍କ ନିକଟରେ ୧୯୫୦ ମସିହାର ପଶ୍ଚିମ ଜର୍ମାନ ଫ୍ଲାକ୍ସାଫ୍ଲେକ୍ସ କ୍ୟାମେରା, ଫୋଲଡିଂ କ୍ୟାମେରା ସଲିଡା୨, ବେଲଫୋକା ଟେମ୍ପର ବୋନୋଟାର୍, ଦ କାର୍ଲ ଜେସିସ୍ ୱେରା, ଲୁବିଟେଲ୍୨, ଲୁବିଟେଲ୍ ୧୬୬ବି, ଜେନିଟ୍ ଟିଟିଏଲ ,‘କୋଡାକ କୋର୍ମା’, ନିକନ ଡି୮୧୦, କ୍ୟାନନ୍, ସୋନି ପରି କମ୍ପାନିର ଦୁର୍ଲଭ କ୍ୟାମେରା ଓ ନୂଆକୁ ମିଶାଇ ପାଖାପାଖି ୨୦ଟି କ୍ୟାମେରା ରହିଛି। ତାଙ୍କ କହିବା ଅନୁଯାୟୀ ତାଙ୍କ ଜେଜେବାପା ଜଣେ ପ୍ରତ୍ନତତ୍ତ୍ୱବିତ୍ ଥିଲେ। ତେଣୁ କ୍ୟାମେରାର ଚାହିଦା ତାଙ୍କ ପରିବାରରେ ରହି ଆସିଛି ବୋଲି ସେ କହିଛନ୍ତି। ସେ ନିଜେ ପ୍ରଥମେ ୨୦୦୯ ମସିହାରେ ଡିଜିଟାଲ କ୍ୟାମେରା ‘ପାଵାରସଟ୍ ଏ୧୧୦୦’ କିଣିଥିଲେ ବୋଲି କହିଛନ୍ତି। ବର୍ତ୍ତମାନ ଫଟୋଗ୍ରାଫିର ଚାହିଦା ଓ ପ୍ରସାର ବ୍ୟାପକ ହୋଇଗଲାଣି। ତେଣୁ ଯେଉଁମାନେ ଏବେ ଏହାକୁ କ୍ୟାରିୟର କରିବାକୁ ଚାହୁଛନ୍ତି ସେମାନେ ନିଜର ସୃଜନଶୀଳତା ଓ ଦକ୍ଷତା ବୃଦ୍ଧି କରିବା ଉଚିତ।
ଅନ୍ୟ ଜଣେ ହେଉଛନ୍ତି ବିଡିଏ ସିଟି ସେଣ୍ଟର ଲିମିଟେଡର ସହକାରୀ ପ୍ରବନ୍ଧକ ସବ୍ୟସାଚୀ ସ୍ୱାଇଁ। ବର୍ତ୍ତମାନ ତାଙ୍କ ପାଖରେ ୧୯୫୦ ମସିହାର ‘ଆଗଫା’ ଠାରୁ ଆରମ୍ଭ କରି ମିନୋଲଟା ସ୍ପାଏ କ୍ୟାମେରା, ଭିଟୋରେଟ୍, କ୍ୟାନନ, ଇନଷ୍ଟାମ୍ୟାଟିକ, କୋଡାକ ଫୋଲଡିଂ କ୍ୟାମେରା, ବନି, ଆସିକା, ଉଡେନ୍ ଫିଲଡ୍ କ୍ୟାମେରା ପରି ୭୦ଟି କ୍ୟାମେରା ରହିଛି। ତାଙ୍କୁ ୧୯୮୬ ମସିହାରେ ଉପହାର ଆକାରରେ ମିଳିଥିବା ‘ମିନୋଲଟା ସ୍ପାଏ କ୍ୟାମେରା’ରୁ ତାଙ୍କୁ କ୍ୟାମେରା ସଂଗ୍ରହର ନିଶା ଘାରିଥିଲା ବୋଲି ସେ କୁହନ୍ତି। ତାଙ୍କ କହିବା ଅନୁଯାୟୀ ପୂର୍ବରୁ କ୍ୟାମେରା ଚଳାଇବାକୁ ହେଲେ ଫଟୋଗ୍ରାଫି ଶିଖିବା ବାଧ୍ୟତାମୂଳକ ଥିଲା ଏବଂ ଶିଖିବା ପାଇଁ ମଜା ଲାଗୁଥିଲା। ହେଲେ ବର୍ତ୍ତମାନ ଟେକ୍ନୋଲୋଜି ବଢ଼ିବା ଯୋଗୁଁ ସମସ୍ତେ ଫଟୋଗ୍ରାଫି କରିପାରୁଛନ୍ତି। ଆଗେ ବିଦ୍ୟାଳୟ, ମହାବିଦ୍ୟାଳୟର ଶେଷ ଦିନ ହେଉ ବା ଅନ୍ୟ କୌଣସି ଉତ୍ସବ ଫଟୋଗ୍ରାଫିକୁ ଏକ ଉତ୍ସବ ଭଳି ମନାଯାଉଥିଲା ଏବଂ ଫଟୋଗ୍ରାଫରର ମଧ୍ୟ ମହତ୍ତ୍ୱ ରହୁଥିଲା। ବର୍ତ୍ତମାନ ଉଚ୍ଚମାନର ଫୋଟୋଗ୍ରାଫି ହେଉଛି ସତ କିନ୍ତୁ ସେତେବେଳର ମଜା ଆଉ ନାହିଁ।