ଭୁବନେଶ୍ବର : କେବେ ପୋଷାକରେ ଶୋଭାପାଏ ଗୁରୁଣ୍ଡି ଗୋପାଳଙ୍କ ଲହୁଣିଖିଆ ରୂପ ତ’ ଆଉ କେବେ ରଥଯାତ୍ରା ଓ ତିନି ରଥଙ୍କ ସମ୍ପୂର୍ଣ୍ଣ କାହାଣୀ। କେବେ ଝଲସେ ରଜ ଦୋଳି, ପୋଡ଼ ପିଠା ତ’ ଆଉ କେବେ କୁମାର ପୂର୍ଣ୍ଣିମାର ବନ୍ଦାଣ ଥାଳି, ଚାନ୍ଦଖିଆ ଓ ଲୁଚକାଳି ଖେଳ। ପ୍ରତିଟି ଓଡ଼ିଆ ପର୍ବପର୍ବାଣୀର ଚରିତ୍ର, କାହାଣୀ ଓ କିଂବଦନ୍ତିକୁ ଅତି ନିକ୍ଷୁଣ ଭାବେ ପଟ୍ଟଚିତ୍ର ମାଧ୍ୟମରେ ଶାଢ଼ି ଓ ପୋଷାକ ଉପରେ ଉତ୍ତାରି ଦିଅନ୍ତି ଫ୍ୟାସନ୍ ଡିଡାଇନର୍ ସସ୍ମିତା ହୋତା। ଓଡ଼ିଶାର ହସ୍ତତନ୍ତ ଉପରେ ଓଡ଼ିଆ ହସ୍ତଶିଳ୍ପର ଅଦ୍ଭୁତ ସମ୍ମିଶ୍ରଣ ଦେଖିବାକୁ ମିଳୁଛି ସସ୍ମିତାଙ୍କ କାରିଗରୀରେ। ମାଣିଆବନ୍ଧ ସିଲ୍କ, ସମ୍ବଲପୁରୀ କପଡ଼ା ଓ ଟସର ସିଲ୍କ ଉପରେ ତାଙ୍କ ଅଙ୍କିତ ପଟ୍ଟଚିତ୍ର ବେଶ୍ ଲୋକପ୍ରିୟ ହୋଇପାରିଛି।
ଖାଲି ପର୍ବପର୍ବାଣୀ ନୁହେଁ, ଗୁଆ ଅନୁକୂଳ, ବାଡୁଅ ପାଣି ଗାଧୁଆ, ଦିଅମଙ୍ଗୁଳା, ଜାଇ ରଗଡ଼ା ଓ ନଡ଼ିଆ କଦଳୀ ଭାର ଆଦି ବିବାହର ପ୍ରତିଟି ରୀତିନୀତିକୁ ସେ ପଟ୍ଟଚ୍ଚିତ୍ର ମାଧ୍ୟମରେ ଶାଢ଼ିରେ ଆଙ୍କି ଦିଅନ୍ତି। ଓଡ଼ିଶାର ବଡ଼ ବଡ଼ କବିମାନଙ୍କ ଦ୍ବାରା ରଚିତ କବିତା ଓ ପ୍ରାର୍ଥନାକୁ ବି ସେ ପଦ୍ୟ ସହ ଏହାର କାହାଣୀକୁ ଶାଢ଼ିରେ ଆଙ୍କି ଦିଅନ୍ତି। ସଚ୍ଚି ରାଉତରାୟଙ୍କ ‘ଛୋଟ ମୋର ଗାଁଟି’ କବିତାର ପଦ୍ୟକୁ ଶାଢ଼ି କୁଞ୍ଚରେ ଓ ଗାଁ କାହାଣୀକୁ ଏହାର ଆଞ୍ଚଲରେ ଆଙ୍କିଛନ୍ତି। ଖାଲି ସେତିକି ନୁହେଁ, ଭକ୍ତ ସାଲବେଗଙ୍କ ରଚିତ ‘ଆହେ ନୀଳ ଶଇଳ’ର ପଦ୍ୟ ଓ କାହାଣୀକୁ ମଧ୍ୟ ସେ ଶାଢ଼ିରେ ଆଙ୍କି ଲୋକପ୍ରିୟତା ହାସଲ କରିଛନ୍ତି।
ଭୁବନେଶ୍ବର ଝାରପଡ଼ାର ସସ୍ମିତା ହୋତା (୪୬)ଙ୍କ ପିଲାଟି ଦିନୁ ଚିତ୍ରକଳା ଓ ପୋଷାକ ଡିଜାଇନିଂରେ ଆଗ୍ରହ। ସସ୍ମିତା ବିଭିନ୍ନ ସ୍ଥାନରେ କାନ୍ଥରେ ଟଙ୍ଗା ହୋଇଥିବା ପଟ୍ଟଚିତ୍ର ଦେଖି ଆକର୍ଷିତ ହୋଇଥିଲେ। ଏହାକୁ ଶାଢ଼ି କିମ୍ବା ଡ୍ରେସ୍ରେ କିଭଳି ଅଙ୍କା ଯାଇପାରିବ, ତାହା ଚିନ୍ତା କରି ସେ ନିଜ ଶାଢ଼ି ସବୁରେ ପଟ୍ଟଚିତ୍ର ଆଙ୍କିବା ଆରମ୍ଭ କରିଥିଲେ। ତାହାକୁ ସେ ବିଭିନ୍ନ କାର୍ଯ୍ୟକ୍ରମ ଓ ଉତ୍ସବରେ ପିନ୍ଧି ଯାଉଥିଲେ। ୧୦ ବର୍ଷ ପୂର୍ବେ ଏମିତି ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ହସ୍ତତନ୍ତ ଓ ହସ୍ତଶିଳ୍ପ ବିଭାଗର ସଚିବ ଶୁଭା ଶର୍ମା ତାଙ୍କ ଏହି କାରିଗରୀର ପ୍ରଶଂସା କରିଥିଲେ। ତାଙ୍କର ଏହି କଳାକୁ ନେଇ ସ୍ବାବଲମ୍ବୀ ହେବାକୁ ପରାମର୍ଶ ଦେଇଥିଲେ। ଏହାପରେ ତାଙ୍କୁ ବିଭାଗ ପକ୍ଷରୁ ଦୁଇଜଣ ପଟ୍ଟଚିତ୍ର କାରିଗରଙ୍କ ସମେତ କିଛି କଞ୍ଚାମାଲ ଯୋଗାଇ ଦିଆଯାଇଥିଲା। ସେବେଠାରୁ ସସ୍ମିତା ଆଉ ପଛକୁ ବୁଲି ଚାହିଁନାହାନ୍ତି।
ମାତ୍ର ୨ଜଣ କାରିଗରଙ୍କୁ ନେଇ ଆରମ୍ଭ ହୋଇଥିବା ଏହି କାର୍ଯ୍ୟ ଏବେ ‘ସ୍ପନ୍ଦିତା ବୁଟିକ୍୩’ରେ ପରିଣତ ହୋଇଛି। ଏଠାରେ ଏବେ ୮୦ଜଣ ପଟ୍ଟଚିତ୍ର କାରିଗର କାର୍ଯ୍ୟରତ ଥିବା ବେଳେ ଓଡ଼ିଶାର ୫ଟି ସ୍ଥାନରେ ସସ୍ମିତାଙ୍କର ୟୁନିଟ୍ ରହିଛି। ସାକ୍ଷୀଗୋପାଳ, ଉତ୍ତରା, ସାମନ୍ତରାପୁର, କଣ୍ଟିଲୋ ଓ ନିଆଳି ଆଦି ୫ଟି ସ୍ଥାନରେ ଥିବା ୟୁନିଟ୍ରେ ପଟ୍ଟଚିତ୍ର କାରିଗରମାନେ କାମ କରୁଛନ୍ତି। ନିଜ ଆଗ୍ରହରୁ ଆରମ୍ଭ ହୋଇଥିବା ସସ୍ମିତାଙ୍କର ଏହି ଯାତ୍ରା ତାଙ୍କୁ ଆଜି ଓଡ଼ିଶାର ଏକ ଅଗ୍ରଣୀ ପଟ୍ଟଚିତ୍ର ଶିଳ୍ପର ମାଲିକ କରିପାରିଛି। ଖାଲି ଓଡ଼ିଶା କି ଦେଶରେ ନୁହେଁ, ବିଦେଶରେ ବି ସସ୍ମିତାଙ୍କ ଏହି କାରିଗରୀର ଲୋକପ୍ରିୟତା ରହିଛି। ଆମେରିକା ଓ କାଲିଫର୍ଣ୍ଣିଆରୁ ତାଙ୍କୁ ନିୟମିତ ବରାଦ ଆସୁଛି। ନିକଟରେ ଆମେରିକାରେ ହୋଇଥିବା ରଥଯାତ୍ରାରେ ରଥଯାତ୍ରା ଥିମ୍କୁ ନେଇ ପ୍ରସ୍ତୁତ ୨୦୦ରୁ ଅଧିକ ପୋଷାକକୁ ସେଠାରେ ଭକ୍ତମାନେ ପିନ୍ଧି ରଥ ଟାଣିଥିଲେ।
ସସ୍ମିତା କହିଛନ୍ତି, ଓଡ଼ିଆ କଳା, ସଂସ୍କୃତି ଓ ପରମ୍ପରାକୁ ବିଶ୍ବ ଦରବାରରେ ପୋଷାକ ରୂପରେ ଉପସ୍ଥାପିତ କରିବା ମୋର ଏକମାତ୍ର ଉଦ୍ଦେଶ୍ୟ। କୋଣାର୍କ ମନ୍ଦିର, ଓଡ଼ିଶୀ ନୃତ୍ୟ, ଓଡ଼ିଆ ବର୍ଣ୍ଣବୋଧ ଓଡ଼ିଶାର ପ୍ରତିଟି ପ୍ରସିଦ୍ଧ କଥାକୁ ଓ ଲୁକ୍କାୟିତ କଥାକୁ ମୁଁ ପଟ୍ଟଚିତ୍ର ମାଧ୍ୟମରେ ବିଶ୍ବ ବଜାରକୁ ପଠାଇବାକୁ ଚାହେଁ ବୋଲି ସେ କହିଛନ୍ତି।
ବୁଣାକାରଙ୍କ କଥା ଚିନ୍ତା ନ କରି ହସ୍ତତନ୍ତ ଦିବସ ପାଳନ ପ୍ରହସନ
ଭୁବନେଶ୍ବର : ରାଜ୍ୟରେ ଥିବା ୨ ଲକ୍ଷ ବୁଣାକାରଙ୍କ ପ୍ରକୃତ ବିକାଶ କଥା ଚିନ୍ତା ନକରି ସରକାର ହସ୍ତତନ୍ତ ଦିବସ ପାଳନ କରିବା ଏକ ପ୍ରହସନ ବୋଲି ଅଭିଯୋଗ କରିଛି ଓଡ଼ିଶା ଶିଳ୍ପୀ ମହାସଂଘ। ମହାସଂଘର ସଭାପତି ଉଦୟ ମହାନ୍ତି ଏକ ପ୍ରେସ୍ ବିବୃତିରେ କହିଛନ୍ତି ଯେ ଜାତିର ଜନକ ମହାତ୍ମା ଗାନ୍ଧୀ ଗ୍ରାମ୍ୟ କୁଟୀର ଶିଳ୍ପ ସହ ସ୍ୱଦେଶୀ ପରିଧାନକୁ ପ୍ରାଧାନ୍ୟ ଦେଇ ଆସୁଥିଲେ। ଭାରତ ସ୍ୱାଧୀନତା ପରେ ଆତ୍ମନିଯୁକ୍ତିର ଏକ ବହୁତ ବଡ଼ କ୍ଷେତ୍ର ପାଲିଟିଥିବା ହସ୍ତତନ୍ତ ଓ ହସ୍ତଶିଳ୍ପ କରମୁକ୍ତ ରହିଥିଲା। ହେଲେ ୨୦୧୭ ମସିହାରେ କେନ୍ଦ୍ର ସରକାର ଏହି କ୍ଷେତ୍ରକୁ ଜିଏସ୍ଟି ଅର୍ନ୍ତଭୁକ୍ତ କରିଦେଲେ। ଏହି ଅପରିଣାମଦର୍ଶିତାର କୁଫଳ ଆମ ଶିଳ୍ପୀ ଓ ବୁଣାକାରଙ୍କୁ ଭୋଗିବାକୁ ପଡୁଛି ବୋଲି ସେ ଅଭିଯୋଗ କରିଛନ୍ତି।
ସେ ଆହୁରି କହିଛନ୍ତି ଯେ ଦେଢ଼ ବର୍ଷ ହେବ କରୋନାର ପ୍ରକୋପ ଶିଳ୍ପୀ ଓ ବୁଣାକାରଙ୍କ ଜୀବନକୁ ଦୁର୍ବିଷହ କରି ପକାଇଛି। ଲକଡାଉନ୍ ଓ ସଟଡାଉନ୍ ହେତୁ ବଜାର ବନ୍ଦ ପଡ଼ିଛି। ସଭା ସମିତି, ମେଳା, ଉତ୍ସବ ସାଂଗକୁ ବାହାପୁଆଣି ଉପରେ କଟକଣା ଏ କ୍ଷେତ୍ରର ବଜାରକୁ ଗୁରୁତର ଭାବେ ପ୍ରଭାବିତ କରିଛି। ନିର୍ମାଣ ଶ୍ରମିକ, ଉଠାଦୋକାନୀ, କୃଷକ, ଦୁଗ୍ଧଚାଷୀଙ୍କ ପାଇଁ କରୋନା କାଳରେ ରାଜ୍ୟ ସରକାର ସ୍ୱତନ୍ତ୍ର ଆର୍ଥିକ ସହାୟତା ଯୋଗାଇ ଦେଇଥିବା ବେଳେ ରାଜ୍ୟର ଶିଳ୍ପୀ ଓ ବୁଣାକାରଙ୍କ କଥା ଭୁଲି ଯାଇଛନ୍ତି। ଉତ୍କୃଷ୍ଟ କଳାର ରାଜ୍ୟରେ ଆମ ଶିଳ୍ପୀ ବୁଣାକାର ଅଲୋଡ଼ା ହୋଇଯାଇଛନ୍ତି।