ଭୁବନେଶ୍ୱର: କରୋନାର ଅକଥନୀୟ କଷଣ ଭିତରେ ବିଦାୟ ନେଇଛି ୨୦୨୦। ଲୋକେ ନୂଆ ଆଶା ଓ ଭରସା ସହ ୨୦୨୧କୁ ସ୍ବାଗତ କରିଛନ୍ତି। ହୋଟେଲ, ମଣ୍ଡପ ତଥା ସର୍ବସାଧାରଣ ସ୍ଥାନରେ ନୂଆ ବର୍ଷ ପାଳନକୁ ବାରଣ କରାଯାଇଥିବା ବେଳେ ଜିରୋ ନାଇଟ୍ ପାଳନ ପୂର୍ବରୁ ନାଇଟ୍ କର୍ଫ୍ୟୁ ଜାରି ହେବା ଉତ୍ସବର ମାହୋଲକୁ ସମ୍ପୂର୍ଣ୍ଣ ଫିକା ପକାଇ ଦେଇଛି। ଏଥର ଘରେ ପରିବାରବର୍ଗ ଓ ସମ୍ପର୍କୀୟଙ୍କ ସହ ପାଳନ ହେବ ନୂଆବର୍ଷ।
୯୦ ଦଶକ ଭଳି ଏବେ ଆଉ ଗ୍ରିଟିଙ୍ଗ୍ସ ବେପାର ନାହିଁ। କିଛି ବର୍ଷ ତଳେ ହାତ ତିଆରି ଗ୍ରିଟିଙ୍ଗ୍ସର ଚାହିଦା ଥିଲା। ଏବେ କିନ୍ତୁ ଉପହାର ଓ ଡାଏରିର ଚାହିଦା ବଢ଼ୁଛି। ଜାଗମରାସ୍ଥିତ ବିଷ୍ଣୁପ୍ରିୟା ଗିଫ୍ଟ ଦୋକାନର ସ୍ବତ୍ବାଧିକାରୀ ଲୋକନାଥ ପାତ୍ର କହିଛନ୍ତି, ଫଟୋ ଫ୍ରେମ୍ ଓ ଠାକୁର ଉପହାରର ଚାହିଦା ସବୁବେଳେ ରହିଥିବା ବେଳେ ଏବର୍ଷ ଏହାର ଚାହିଦା ଅଧିକ ରହିଛି। ମିରର୍ ଫଟୋ ଫ୍ରେମ୍, ପାନପତର ଓ ଗୋଲାକାର ଫଟୋ ଫ୍ରେମ୍ ଏଥର ନୂଆ ଆସିଛି। ଏହାର ଦାମ୍ ୧୦୦ ଟଙ୍କାରୁ ଆରମ୍ଭ କରି ୫୦୦ ଟଙ୍କା ପର୍ଯ୍ୟନ୍ତ ରହିଛି। ସେହିପରି ଠାକୁରଙ୍କ ଉପହାର ପିସ୍ ଆଗରୁ ବହୁତ ଦାମ୍ର ଆସୁଥିବା ବେଳେ ଏଥର ଟିକେ ପକେଟକୁ ସୁହାଇବା ଭଳି ଉପହାର ମାର୍କେଟକୁ ଆସିଛି। ବୋତଲ ଉପରେ କପଲ୍ ନୃତ୍ୟ କରୁଥିବା ଉପହାର ଏବେ ଟ୍ରେଣ୍ଡରେ ରହିଛି। ଏସବୁର ଦାମ୍ ୨୦୦ଟଙ୍କାରୁ ଆରମ୍ଭ କରି ପ୍ରାୟ ୨୦୦୦ ଟଙ୍କା ପର୍ଯ୍ୟନ୍ତ ରହିଛି। କିନ୍ତୁ କରୋନା ଯୋଗୁଁ ବେପାର ଉପରେ ବହୁତ ପ୍ରଭାବ ପଡ଼ିଛି। ଗତ ବର୍ଷଗୁଡ଼ିକରେ ନୂଆବର୍ଷର ୫/୬ଦିନ ପୂର୍ବରୁ ଫୁର୍ସତ୍ ମିଳୁ ନଥିବା ବେଳେ ଚଳିତ ବର୍ଷ ଏଯାଏ ବେପାର ବି ଭଲରେ ଆରମ୍ଭ ହୋଇନାହିଁ।
ସହରର ଚାରିଆଡ଼େ ରଙ୍ଗବେରଙ୍ଗ ଫୁଲର ପସରା ମେଲିଛି। ସହରବାସୀ ବି ନୂଆବର୍ଷର ପ୍ରଥମ ଦିନରେ ନିଜ ପ୍ରିୟଜନଙ୍କୁ ଉପହାରଟିଏ ଦେବା ପାଇଁ ଫୁଲ କିଣିବାରେ ବ୍ୟସ୍ତ ଅଛନ୍ତି। ବର୍ଷ ତମାମ୍ ଫୁଲର ଚାହିଦା ରହିଥିବା ବେଳେ ନୂଆବର୍ଷରେ ଫୁଲ ଓ ବୁକେ ବେପାର ଅଧିକ ଜମିଥାଏ। ଏଥିପାଇଁ ବେପାରୀମାନେ କୋଲ୍କାତା, ବେଙ୍ଗାଲୁରୁ ଓ ଥାଇଲାଣ୍ଡରୁ ଫୁଲ ମଗାଇଛନ୍ତି। ସୂର୍ଯ୍ୟନଗରସ୍ଥିତ ବାବା ପଞ୍ଚଲିଙ୍ଗେଶ୍ବର ଫ୍ଲୋରିଷ୍ଟ ସପ୍ର ବ୍ୟବସାୟୀ ସୂର୍ଯ୍ୟକାନ୍ତ ସ୍ବାଇଁ କହିଛନ୍ତି, ଅନ୍ୟଦିନ ଅପେକ୍ଷା ନୂଆବର୍ଷରେ ଫୁଲ ବେପାର ଭଲ ହୁଏ। କିନ୍ତୁ ଫୁଲ ଫାର୍ମଗୁଡ଼ିକ ମାର୍କେଟ୍ ଓ ଗ୍ରାହକମାନଙ୍କୁ ସିଧାସଳଖ ଫୁଲ ପହଞ୍ଚାଇ ଦେଉଥିବାରୁ ବେପାର କମିଛି। ଅନ୍ୟପଟେ କରୋନା ଯୋଗୁଁ ବି ବେପାର ସମ୍ପୂର୍ଣ୍ଣ ମାନ୍ଦା ରହିଛି। ‘ଅର୍କିଡ୍’ ଥାଇଲାଣ୍ଡରୁ ଆମଦାନି ହେଉଥିବା ବେଳେ ଗୋଲାପ କୋଲ୍କାତାରୁ ଆସିଛି। ଲିଲିର ଦାମ୍ ଗୋଟେ ପିଛା ୧୨୫ଟଙ୍କା ଥିବା ବେଳେ ଅର୍କିଡ୍ ଗୋଟା ୫୦ଟଙ୍କା ଓ ଗୋଲାପ ୨୦ରୁ ୨୫ଟଙ୍କା ଲେଖାଏଁ ରହିଛି।