ଭୁବନେଶ୍ୱର: ଆଜି ହେଉଛି ତମାଖୁ ବର୍ଜନ ଦିବସ। ତମାଖୁ ପ୍ରସ୍ତୁତି, ବିକ୍ରି ଓ ସେବନ ନେଇ ବିଭିନ୍ନ ସ୍ତରରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହେବ। ବର୍ଷ ବର୍ଷ ଧରି ଏହା ପାଳିତ ହେଉଛି, କିନ୍ତୁ ସ୍ଥିତିରେ କୌଣସି ପରିବର୍ତ୍ତନ ଘଟୁନାହିଁ। ଖୋଦ୍ ରାଜଧାନୀର ପ୍ରାୟ ସବୁସ୍ଥାନରେ ଗୁଟ୍ଖା, ସିଗାରେଟ, ଖଇନି ଖୋଲାଖୋଲି ବିକ୍ରି ହେଉଛି। ସ୍କୁଲ, କଲେଜ ଓ ଡାକ୍ତରଖାନା ନିକଟସ୍ଥ ସ୍ଥାନ ବି ଏଥିରୁ ବାଦ୍ ପଡୁନାହିଁ। ସର୍ବସାଧାରଣ ସ୍ଥାନରେ ସିଗାରେଟ୍ ଟାଣିବା ବିରୋଧରେ ଏକଦା କଡ଼ା ପଦକ୍ଷେପ ଗ୍ରହଣ କରା ଯାଉଥିଲା, କିନ୍ତୁ ଏବେ ତାହା ଏତେ ଢ଼ିଲା ହୋଇଗଲାଣି ଯେ ଏପରି ଏକ ନିୟମ ଅଛି ବୋଲି ଅଧିକାଂଶ ଭୁବନେଶ୍ବରବାସୀ ଭୁଲି ଗଲେଣି।
୨୦୦୯-୧୦ ମସିହାରେ ହୋଇଥିବା ବିଶ୍ବ ବୟସ୍କ ତମାଖୁ ସର୍ଭେ (ଜିଏଟିଏସ୍) ଅନୁସାରେ, ଓଡ଼ିଶାରେ ୪୬.୨ ପ୍ରତିଶତ ଲୋକ ତମାଖୁ ସେବନ କରୁଥିଲେ। ୨୦୧୬-୧୭ ସର୍ଭେ ଅନୁସାରେ ଏହା ସାମାନ୍ୟ ହ୍ରାସ ପାଇ ୪୫.୬ ପ୍ରତିଶତ ହୋଇଥିଲା। ସେହିଭଳି ବିଶ୍ବ ଯୁବ ତମାଖୁ ସର୍ଭେ (ଜିୱାଇଟିଏସ୍) ୨୦୦୯-୧୦ ଅନୁସାରେ ଓଡ଼ିଶାରେ ୩୪.୬ ଶତକଡ଼ା ଯୁବକ ତମାଖୁ ସେବନ କରୁଥିଲେ। ୨୦୧୬-୧୭ ସର୍ଭେ ଅନୁସାରେ ଏହା ୨୮.୬ ଶତକଡ଼ାକୁ କମିଥିଲା। କିନ୍ତୁ ଜାତୀୟ ଫ୍ୟାମିଲି ହେଲଥ୍ ସର୍ଭେ ରିପୋର୍ଟ (୨୦୧୯-୨୧) ଅନୁଯାୟୀ, ଓଡ଼ିଶାରେ ୧୫ ବର୍ଷରୁ ଊର୍ଦ୍ଧ୍ୱ ବୟସର ୫୧.୬ ପ୍ରତିଶତ ପୁରୁଷ ଓ ୨୬ ପ୍ରତିଶତ ମହିଳା ତମାଖୁ ସେବନ କରୁଛନ୍ତି। ବିଶେଷ କରି ବିଭିନ୍ନ ବସ୍ତି ଅଞ୍ଚଳରେ ଏହାର ମାତ୍ରା ବଢ଼ିବାରେ ଲାଗିଛି। ରାଜଧାନୀରେ ତମାଖୁ ସେବନକାରୀ ପୁରୁଷଙ୍କ ସଂଖ୍ୟା ୪୦.୫ ପ୍ରତିଶତ ରହିଥିବା ବେଳେ ମହିଳାଙ୍କ ସଂଖ୍ୟା ୧୬.୬ ପ୍ରତିଶତ ରହିଛି। ସର୍ଭେ ଅନୁଯାୟୀ, ରାଜଧାନୀରେ ତମାଖୁ ସେବନ ମଧ୍ୟରେ ସିଗାରେଟ୍ର ସେବନ ୪୭ ପ୍ରତିଶତ ରହିଥିବା ବେଳେ ଏହା ପଛକୁ ଗୁଟଖା, ପାନମସଲା, ଖଇନି ଆଦି ରହିଛି। ସରକାର ୨୦୧୩ ଜାନୁଆରିରେ ଗୁଟ୍ଖା, ତମାଖୁ ପରି ନିଶାଦ୍ରବ୍ୟ ଉତ୍ପାଦନ, ବିକ୍ରି ଓ ବ୍ୟବହାରକୁ ନିଷିଦ୍ଧ କରିବା ପାଇଁ ନିର୍ଦ୍ଦେଶନାମା ଜାରି କରିଥିଲେ। କିନ୍ତୁ ଫାଇଲ ଭିତରେ ଏହି ଆଇନ ବନ୍ଦ ହୋଇ ରହିଯାଇଛି। ଇଣ୍ଡିଆନ ଜର୍ଣ୍ଣାଲ ଅଫ୍ କମ୍ୟୁନିଟି ମେଡିସିନ୍ ୨୦୨୦ ର ରିପୋର୍ଟ ଅନୁଯାୟୀ, ସହରର ୫୨.୮୮ ପ୍ରତିଶତ ସ୍ଥାନରେ ଏହି ନିୟମର ଖୁଲମଖୁଲା ଉଲ୍ଲଂଘନ ହେଉଛି। କୋଟପା ଆଇନ ଅନୁସାରେ କୌଣସି ଶିକ୍ଷାନୁଷ୍ଠାନର ୧୦୦ ମିଟର ପରିଧି ଭିତରେ ଗୁଟ୍ଖା, ସିଗାରେଟ୍ ବିକ୍ରି ହୋଇପାରିବ ନାହିଁ। କିନ୍ତୁ ନିୟମିତ କାର୍ଯ୍ୟାନୁଷ୍ଠାନ ହେଉ ନଥିବାରୁ ଏ ଆଇନକୁ ଲୋକେ ଭୁଲି ସାରିଲେଣି।
ରାଜଧାନୀରେ ଖୋଲାଖୋଲି ବିକ୍ରି ହେଉଛି ଗୁଟଖା, ଖାଇନି
କାର୍ଯ୍ୟାନୁଷ୍ଠାନ ନଥିବାରୁ କିଛି ଆଇନ ଅଛି ବୋଲି ଲୋକେ ଭୁଲି ସାରିଲେଣି
ସବୁଠାରୁ ସାଂଘାତିକ କଥା ହେଉଛି, ରାଜଧାନୀରେ, ବିଶେଷକରି ବସ୍ତି ଅଞ୍ଚଳରେ ପିଲାମାନେ ଖୁବ୍ କମ୍ ବୟସରୁ ତମାଖୁ ଖାଇବାରେ ଅଭ୍ୟସ୍ତ ହୋଇ ଯାଉଛନ୍ତି। ମଦ, ଗଞ୍ଜେଇ ଭଳି ନିଶାଦ୍ରବ୍ୟଠାରୁ ଖୁବ୍ କମ୍ ଦରରେ ଓ ସହଜରେ ଉପଲବ୍ଧ ହେଉଥିବାରୁ ବାପା ମା’ଙ୍କ ଉପରେ ସଂପୂର୍ଣ୍ଣ ନିର୍ଭରଶୀଳ ପିଲାମାନେ ବି ଏହାକୁ ସେବନ କରି ପାରୁଛନ୍ତି। ତେଣୁ ଏହାର ପ୍ରସାର ବଢ଼ି ଚାଲିଛି। ନିଶା ନିବାରଣ କେନ୍ଦ୍ର ‘ସମର୍ପଣ’ର ନିର୍ଦ୍ଦେଶକ ପ୍ରଭୁ ପଟେଲ କହନ୍ତି, ମଦ, ଗଞ୍ଜେଇ, ଗୁଟ୍ଖା ଭଳି କୌଣସି ନିଶାରେ ପଡ଼ିଥିବା ୧୮ ବର୍ଷରୁ କମ୍ ବୟସର ପିଲାଙ୍କୁ ତାଙ୍କ କେନ୍ଦ୍ରରେ ଗ୍ରହଣ କରିବାକୁ ଅନୁମତି ନାହିଁ। କିନ୍ତୁ ସେ ଦେଖୁଛନ୍ତି ଯେ ସେହି ବୟସର ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ‘ଚେଷ୍ଟା’ ନିଶା ନିବାରଣ କେନ୍ଦ୍ରର ଦେବାଶିଷ ମଧ୍ୟ ଏହାକୁ ସମର୍ଥନ କରି କହନ୍ତି, ତାଙ୍କ ନିଶା ନିବାରଣ କେନ୍ଦ୍ରରେ ମଧ୍ୟ ୧୮ ବର୍ଷରୁ କମ୍ ବୟସର ପିଲାଙ୍କୁ ଗ୍ରହଣ କରିବାକୁ ଅନୁମତି ନାହିଁ, କିନ୍ତୁ ଏଧରଣର ବହୁ ସଂଖ୍ୟାରେ ପିଲା ଭୁବନେଶ୍ବର ବାହାରେ ଥିବା କେନ୍ଦ୍ରଗୁଡ଼ିକୁ କାଉନସିଲିଂ ପାଇଁ ଯାଉଛନ୍ତି। କମ୍ ବୟସରୁ ତମାଖୁ ନିଶାରେ ଅଭ୍ୟସ୍ତ ପିଲାଙ୍କର ମାନସିକ ଓ ଶାରୀରିକ ବିକାଶ ଠିକ୍ ଭାବେ ହୋଇ ପାରୁନାହିଁ ବୋଲି ଡାକ୍ତରମାନେ କହନ୍ତି। ସେମାନଙ୍କଠାରେ ଅନେକ ସମସ୍ୟା ଦେଖା ଦେଉଥିବାବେଳେ ଭବିଷ୍ୟତରେ ସେମାନଙ୍କଠାରେ ସାଂଘାତିକ ରୋଗ ଦେଖାଯିବାର ସବୁ ଆଶଙ୍କା ରହୁଛି। ଯଦି ଏ ଦିଗରେ ଦୃଢ଼ଭାବେ କୌଣସି ପଦକ୍ଷେପ ଗ୍ରହଣ କରା ନଯିବ, ତେବେ କମ୍ ବୟସର ପିଲାଙ୍କ ପାଇଁ ସହଜରେ ତମାଖୁ ଉପଲବ୍ଧ କରାଯିବାର କୁପରିଣାମ ନିକଟ ଭବିଷ୍ୟତରେ କେବଳ ଏ ସହର ନୁହେଁ, ପୂରା ରାଜ୍ୟର ଏକ ବଡ଼ ସମସ୍ୟା ରୂପେ ଠିଆହେବା ନିଶ୍ଚିତ ବୋଲି ଏହି କ୍ଷେତ୍ରରେ କାମ କରୁଥିବା ଅଧିକାଂଶ ବିଶେଷଜ୍ଞ ମତ ଦେଉଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/05/ggjdgjddgj.jpg)