ଭୁବନେଶ୍ୱର: ତମାଖୁ କାହାର ସ୍ୱପ୍ନ ଉଜାଡ଼ିଦେଉଛି ଆଉ କାହାର ସଂସାର। ଏହା ଦ୍ୱାରା ପ୍ରଭାବିତ ହେଉଥିବା ବ୍ୟକ୍ତି ନିଜେ ଯନ୍ତ୍ରଣାରେ ଛଟପଟ ବା ମୃତ୍ୟୁବରଣ କରିବା ସହିତ ପୂରା ପରିବାରକୁ ଅଥଳ ସମୁଦ୍ର ମଝିରେ ଭସାଇ ଦେଉଛି। ଏହା ଶ୍ୱାସଜନିତ ରୋଗ ଠାରୁ ଆରମ୍ଭ କରି ହୃଦରୋଗ, ବ୍ରେନ୍‌ଷ୍ଟ୍ରୋକ୍, କ୍ୟାନସର ବିଶେଷ କରି ମୁଖ ଗହ୍ୱର କର୍କଟ ବୃଦ୍ଧିର ଏକ ପ୍ରମୁଖ କାରଣ ପାଲଟିଛି। ବିଭିନ୍ନ ସରକାରୀ ତଥା ବେସରକାରୀ ହସ୍ପିଟାଲର ତଥ୍ୟ ଅନୁଯାୟୀ ବର୍ତ୍ତମାନ ମୁଖ ଗହ୍ୱର କ୍ୟାନସରର ପରିମାଣ ବଢ଼ିବାରେ ଲାଗିଛି। 

Advertisment

ଗତ ୨୦୨୩ ଜୁଲାଇ ମାସରେ ପ୍ରକାଶିତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ‘ନ୍ୟାସନାଲ କ୍ୟାନସର୍‌ ରେଜିଷ୍ଟ୍ରି ପ୍ରୋଗାମ’ରୁ ମିଳିଥିବା ତଥ୍ୟ ଅନୁସାରେ ଓଡ଼ିଶାରେ ୨୦୧୩ରେ ୪୩,୨୧୦ କ୍ୟାନସର ରୋଗୀ ଚିହ୍ନଟ ହୋଇଥିବା ବେଳେ ୨୦୨୨ ରେ ଏହାର ସଂଖ୍ୟା ୫୨,୯୬୦ରେ ପହଞ୍ଚିଛି। ସେହିପରି ବର୍ତ୍ତମାନ ଚିହ୍ନଟ ହାର ବୃଦ୍ଧି ହୋଇଥିବାରୁ ଚଳିତ ବର୍ଷ ଶେଷ ସୁଦ୍ଧା କର୍କଟ ରୋଗୀ ଚିହ୍ନଟ ସଂଖ୍ୟା ୫୫ ହଜାରରୁ ଅଧିକ ହୋଇପାରେ ବୋଲି ଆକଳନ କରାଯାଉଛି। ପୁରୁଷମାନଙ୍କ ମଧ୍ୟରେ ମୁଖ ଗହ୍ୱର କ୍ୟାନ୍‌ସର୍‌ ୧୪ ପ୍ରତିଶତ ଥିବା ବେଳେ ଫୁସ୍‌ଫୁସ୍‌ଜନିତ କ୍ୟାନ୍‌ସର୍‌ ୧୦ ପ୍ରତିଶତ ରହିଛି। ସେହିପରି ମହିଳାମାନଙ୍କ କ୍ଷେତ୍ରରେ ସ୍ତନକର୍କଟ ଚିହ୍ନଟ ୨୬ ପ୍ରତିଶତ ରହିଥିବା ବେଳେ ଗର୍ଭାଶୟ କର୍କଟ ପରିମାଣ ୧୧ ପ୍ରତିଶତ ରହିଛି। ସେହିପରି ଓଡ଼ିଶା ସରକାରଙ୍କ ସହାୟତାରେ  ଖୋର୍ଦ୍ଧା ଜିଲ୍ଲାରେ ୨୦୨୨ରେ ହୋଇଥିବା ‘ପପୁଲେସନ ବେସଡ୍ କ୍ୟାନ୍‌ସର ରେଜିଷ୍ଟ୍ରି’ର ତଥ୍ୟ ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲାର ୧୬୨୫ କ୍ୟାନସର ଚିହ୍ନଟଙ୍କ ମଧ୍ୟରୁ ୧୪୪ଜଣ ମୁଖ୍ୟ ଗହ୍ୱର କ୍ୟାନସରରେ ପୀଡ଼ିତ ଅଛନ୍ତି। ତିନି ଜଣରେ ଜଣେ ପୁରୁଷ ଓ ପ୍ରତି ୯ ଜଣ ମହିଳାରେ ଜଣେ କର୍କଟ ପୀଡ଼ିତ ଅଛନ୍ତି।

ହେଲେ ଏସବୁ ସତ୍ତ୍ୱେ ୨୦୧୩ ଜାନୁଆରିରେ ଗୁଟ୍‌ଖା, ତମାଖୁ ପରି ନିଶାଦ୍ରବ୍ୟ ଉତ୍ପାଦନ, ବିକ୍ରି ଓ ବ୍ୟବହାରକୁ ନିଷିଦ୍ଧ କରିବା ପାଇଁ ନିର୍ଦ୍ଦେଶନାମା ଫାଇଲରେ ସୀମିତ ହୋଇ ରହିଯାଇଛି। ଜାତୀୟ ଫ୍ୟାମିଲି ହେଲଥ୍‌ ସର୍ଭେ ରିପୋର୍ଟ (୨୦୧୯-୨୧) ଅନୁଯାୟୀ, ଓଡ଼ିଶାରେ ୧୫ ବର୍ଷରୁ ଊର୍ଦ୍ଧ୍ୱ ବୟସର ୫୧.୬ ପ୍ରତିଶତ ପୁରୁଷ ଓ ୨୬ ପ୍ରତିଶତ ମହିଳା ତମାଖୁ ସେବନ କରୁଛନ୍ତି। ରାଜଧାନୀରେ ତମାଖୁ ସେବନକାରୀ ପୁରୁଷଙ୍କ ସଂଖ୍ୟା ୪୦.୫ ପ୍ରତିଶତ ରହିଥିବା ବେଳେ ମହିଳାଙ୍କ ସଂଖ୍ୟା ୧୬.୬ ପ୍ରତିଶତ ରହିଛି। ସର୍ଭେ ଅନୁଯାୟୀ, ରାଜଧାନୀରେ ତମାଖୁ ସେବନ ମଧ୍ୟରେ ସିଗାରେଟ୍‌ର ସେବନ ୪୭ ପ୍ରତିଶତ ରହିଥିବା ବେଳେ ଏହା ପଛକୁ ଗୁଟ୍‌ଖା, ପାନମସଲା, ଖଇନି ଆଦି ରହିଛି। 

ଆସୋସିଏସନ୍‌ ଅଫ୍‌ ଓରାଲ ଆଣ୍ଡ୍‌ ମାକ୍ସିଲୋଫେସିଆଲ୍‌ ସର୍ଜନ ଅଫ୍ ଇଣ୍ଡିଆ, ଓଡ଼ିଶା ଶାଖାର ସଭାପତି ଡା. ସନ୍ଦୀପ ସାମଲଙ୍କ କହିବା ଅନୁଯାୟୀ ୯୦ ପ୍ରତିଶତ ମୁଖଗହ୍ବର କର୍କଟ ରୋଗର କାରଣ ହେଉଛି ତମାଖୁ ସେବନ। ତମାଖୁ ସହ ମଦ୍ୟପାନ ଏହି ଆଶଙ୍କାକୁ ଅଧିକ ବଢ଼ାଇଦେଇଥାଏ।  ଗୁଟଖା, ପାନ ଭଳି ପଦାର୍ଥ ମାଢ଼ିରେ ଜାକି ରଖିବା ଫଳରେ ମୁଖଗହ୍ବର କର୍କଟ ହୋଇଥାଏ। ବିଶେଷ କରି ଯୁବଗୋଷ୍ଠୀ ଏଦିଗରେ ଅଧିକ ସଚେତନ ହେବା ସହ  ଯେତେ ସମ୍ଭବ ତମାଖୁଠାରୁ ଦୂରେଇ ରହିବାକୁ ଡା. ସାମଲ ପରାମର୍ଶ ଦେଇଛନ୍ତି। ମାନସିକ ରୋଗ ବିଶେଷଜ୍ଞ ପ୍ରଶାନ୍ତ କୁମାର ମହାପାତ୍ର କହିଛନ୍ତି ଯେ ଯୁବପିଢ଼ିମାନେ ବର୍ତ୍ତମାନ ଅଧିକ ଚାପଗ୍ରସ୍ତ ହେଉଥିବାରୁ ତମାଖୁ ସେବନକୁ ତାହାର ମୁକ୍ତି ବୋଲି ଭାବୁଛନ୍ତି। ଫଳରେ ସେବନର ମାତ୍ରା ବଢ଼ିବାରେ ଲାଗିଛି। ଏପରିକି ଯୁବତୀମାନଙ୍କ ମଧ୍ୟମରେ ମଧ୍ୟ ବଢ଼ିବାରେ ଲାଗିଛି।   ତେଣୁ ଯୁବପିଢ଼ି ଯେପରି ଚାପଗ୍ରସ୍ତ ‌ନହେବେ, ସେଥିପାଇଁ ଯୋଗ, ପ୍ରାଣାୟମ ସହ ମନକୁ ମୁକ୍ତ ରଖିବାକୁ ସେ ପରାମର୍ଶ ଦେଇଛନ୍ତି। ଏନେଇ କ୍ୟାପିଟାଲ ହସ୍ପିଟାଲର ହୃଦ୍‌ରୋଗ ବିଶେଷଜ୍ଞ ଏସ୍‌ ସି ସାହୁ କହିଛନ୍ତି,  ତମାଖୁରେ ୬ହଜାରରୁ ୭ହଜାର ସ୍ୱୋ-ପଏଜନ ରହିଛି। ଏହା ହୃଦରୋଗର ଅନ୍ୟତମ କାରଣ। ତମାଖୁ ସେବନ ହୃଦୟ ଉପରେ ପ୍ରଭାବ ପକାଉଥିବା ସାଧାରଣତଃ ଲୋକେ ଜାଣିପାରିନଥାନ୍ତି। ତେଣୁ ସୁସ୍ଥ ଜୀବନ ପାଇଁ ତମାଖୁ ସେବନଠାରୁ ଦୂରେଇ ରହିବାକୁ ଡା. ସାହୁ ପରାମର୍ଶ ଦେଇଛନ୍ତି।