ଭୁବନେଶ୍ବର: ସେମାନେ କରୋନା ସହ ଲଢ଼ୁଥିବା ଆଗଧାଡ଼ିର ଯୋଦ୍ଧା। କରୋନା ମହାମାରୀ ବେଳେ ସେମାନଙ୍କ ଅବଦାନକୁ ମାନବ ସମାଜ ଏଇ ଭାଷାରେ ସ୍ବୀକାର କରିସାରିଛି। ମାତ୍ର ସେଇ ଆଗଧାଡ଼ିର ଯୋଦ୍ଧାଙ୍କୁ ଯେ ଘରମାଲିକ ଘରୁ ବାହାର କରିଦେବାକୁ ପଛାଏ ନାହିଁ, ତା’ର ଉଦାହରଣ ବି ଏଠାରେ ଦେଖିବାକୁ ମିଳୁଛି। କିଛି ଦିନ ତଳେ ଦୁଇଜଣ ନର୍ସ ତଥା ସେବିକାଙ୍କ କ୍ଷେତ୍ରରେ ହିଁ ଏମିତି ଘଟିଥିଲା। ଆସନ୍ତାକାଲି (୧୨ ତାରିଖ) ନର୍ସ ଦିବସ ପାଳନ ହେବାକୁ ଯାଉଛି। ଆମେ ଏହି ଦିବସ ପାଳନ କରୁଥିଲା ବେଳେ ଏହି ଆଗଧାଡ଼ିର ଯୋଦ୍ଧାଙ୍କୁ କେମିତି ସମ୍ମାନ ଦିଆଯାଉଛି ତାହା ଆଉ ଏକ ଘଟଣାରୁ ସ୍ପଷ୍ଟ ହେଇଯିବ। ଆଜି କୋଭିଡ୍ ହସ୍ପିଟାଲ୍ର କିଛି ନର୍ସମାନଙ୍କ ଅବଦାନ ସମ୍ବନ୍ଧରେ କିଛି ଲେଖିବା ପାଇଁ ଫୋନ୍ କରିଥିଲୁ। କିନ୍ତୁ ଉତ୍ତର ମିଳିଥିଲା, ଆମେ ଏଠି କାମ କରୁଛୁ ବୋଲି ଜାଣିଲେ ଲୋକେ କାଳେ ଘୃଣା କରିବେ। କାରଣ ପୂର୍ବରୁ ଅନେକ ଏମିତି ଘଟଣାର ଶିକାର ହୋଇ ସାରିଛନ୍ତି ବୋଲି ମଧ୍ୟ ସେମାନେ କହିଛନ୍ତି। ତଥାପି ଲୋକଙ୍କ ଆଡ଼ ଆଖି କିନ୍ତୁ ତାଙ୍କୁ ସେବାନିବୃତ୍ତ କରି ପାରି ନାହିଁ। ସେମାନେ ନିରବଚ୍ଛିନ୍ନ ଭାବେ ପ୍ରତ୍ୟେକ ଦିନ କରୋନା ଆକ୍ରାନ୍ତଙ୍କୁ ସାମ୍ନା କରୁଥିଲେ ବି ଅବସୋସ ନାହିଁ। ବରଂ ରୋଗୀର ମୁହଁରେ ହସ ଫୁଟାଇବାକୁ ସର୍ବଦା ଯତ୍ନବାନ।
Sambad is now on WhatsApp
Join and get latest news updates delivered to you via WhatsApp
କିମ୍ସରେ ସେବିକା ଭାବେ କାର୍ଯ୍ୟରତ ସଂଘମିତ୍ରା ରାଉତ କହିଛନ୍ତି, କେବେ କେମିତି ଦିବସ ଆସିଲେ ଆମମାନଙ୍କ ଅବଦାନ କଥା ମନେ ପଡ଼େ। ତେବେ ଏହାର କୌଣସି ଆବଶ୍ୟକତା ନାହିଁ। କାରଣ ମୋ ଇଚ୍ଛାରେ ମୁଁ ଏ ସେବାକୁ ନିଜେ ବାଛି ନେଇଥିଲି। ରୋଗୀଟିଏ ହସ୍ପିଟାଲ୍କୁ ଆସିଲେ, ତାକୁ ପ୍ରଥମେ ନିଜର ଲୋକଟିଏ ଭଳି ଆପଣାଇବାକୁ ପଡ଼େ। ଏହି ଆପଣାପଣ ହିଁ ରୋଗୀକୁ ମାନସିକସ୍ତରରେ ଦୃଢ଼ କରିଦିଏ। ଯେତେବେଳେ ରୋଗୀଟିଏ ସୁସ୍ଥ ହେଇ ଘରକୁ ଫେରେ, ସେତେବେଳେ ସେମାନଙ୍କ ଆଖିରେ ଆନନ୍ଦ ଦେଖିଲେ ପେଟ ପୂରିଯାଏ। ଏହା ହିଁ ତ ଜଣେ ସେବିକାର ସାର୍ଥକତା।
ସେବିକା ଭାବେ କାର୍ଯ୍ୟରତ ସୁପ୍ରଭା ଶତପଥୀଙ୍କ କହିବା ମୁତାବକ, ଏହି ସେବାରେ ସବୁବେଳେ ଆହ୍ବାନ ଭରି ରହିଥାଏ। ଟିକେ ଅସାବଧାନ ହେଲେ ବଡ଼ ସମସ୍ୟା ମୁଣ୍ଡ ଟେକେ। ମାତ୍ର ରୋଗୀଟିଏ ଭଲ ହେଇଗଲେ ସବୁ ପ୍ରଶଂସା ଡାକ୍ତରଙ୍କ ଆଡ଼କୁ ଚାଲିଯାଏ। ଯିବା ସ୍ବାଭାବିକ। ମାତ୍ର ଦୁଃଖ ଲାଗେ, ବେଳେବେଳେ ଅନେକେ ନର୍ସଙ୍କ ସେବାର ଗୁରୁତ୍ବକୁ ବୁଝନ୍ତି ନାହିଁ। ହେଲେ ଏମିତି ବି ରୋଗୀ ଆସନ୍ତି, ଯେଉଁମାନେ ମେଡିକାଲ୍ର ସ୍ବଳ୍ପ ରହଣି ମଧ୍ୟରେ ସେମାନଙ୍କ ସହ ଆଉ ଏକ ପାରିବାରିକ ସମ୍ପର୍କ ଗଢ଼ି ଉଠେ। ସଂକ୍ରମିତ ରୋଗୀଙ୍କୁ ଚିକିତ୍ସା ବେଳେ ଅନେକ ଆହ୍ବାନ ଥାଏ। ନିଜ ଶରୀର ପ୍ରତି ବିପଦ ଥାଏ। ଏସବୁ ସତ୍ତ୍ବେ ସଂକଳ୍ପଟିଏ ମନେ ପଡ଼ିଯାଏ। ହସ୍ପିଟାଲ୍କୁ ଆସିବା ବେଳେ ରୋଗୀଟିଏ ଯେମିତି ଯନ୍ତ୍ରଣା ଜର୍ଜରିତ ମୁହଁରେ ଆସିଥିଲା, ଅନ୍ତତଃ ଗଲାବେଳେ ଏଠୁ ହସହସ ମୁହଁରେ ଫେରିଯାଉ…