ଆଜି ଓୟୁଏଟିର ୬୦ତମ ପ୍ରତିଷ୍ଠା ଦିବସ ଓ ହୀରକ ଜୟନ୍ତୀ: ଏବର୍ଷ ଓୟୁଏଟିରୁ ବିକଶିତ ହୋଇଛି ୯ କିସମର ଶସ୍ୟ

ଖଣ୍ଡଗିରି: ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ(ଓୟୁଏଟି) ତରଫରୁ ଏଯାବତ୍‌ ବିଭିନ୍ନ ପ୍ରକାର ଫସଲର ୧୬୩ ଉନ୍ନତ କିସମର ବିହନ ବିକାଶ କରାଯାଇଛି। ଏସବୁ କିସମ ବିହନ ରାଜ୍ୟର ବିଭିନ୍ନ ଜଳବାୟୁରେ ଚାଷ ପାଇଁ ଉପଯୁକ୍ତ। ନିକଟରେ ଓୟୁଏଟିର ବୈଜ୍ଞାନିକମାନଙ୍କ ଦ୍ବାରା ୯ କିସମର ଫସଲ ବିହନ ବିକଶିତ କରାଯାଇଛି। ଧାନ ମଧ୍ୟରେ କଳିଙ୍ଗ ଧାନ ୧୨୦୪, କଳିଙ୍ଗ ଧାନ ୧୫୦୧, କଳିଙ୍ଗ ଧାନ ୧୫୦୨, କଳିଙ୍ଗ ଧାନ ୧୪୦୧, କଳିଙ୍ଗ ଧାନ ୧୨୦୫ ବିକଶିତ କରାଯାଇଛି। ଚିନାବାଦାମରେ କଳିଙ୍ଗ ଚିନାବାଦାମ ୧୦୧, ସୁଆଁରେ କଳିଙ୍ଗ ସୁଆଁ ୨୧୭, ରାଶିରେ କଳିଙ୍ଗ ସେମେସ ୩-୧, ଆଖୁରେ କଳିଙ୍ଗ ସୁଗାରକେନ୍ ୩୪୬ ବିକଶିତ କରାଯାଇଛି। ୬୦ତମ ପ୍ରତିଷ୍ଠା ଦିବସର ଅବ୍ୟବହିତ ପୂର୍ବରୁ ସୋମବାର ଓୟୁଏଟି ବିଜୁ ପଟ୍ଟନାୟକ କନଫରେନ୍ସ ହଲ୍‌ରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କୁଳପତି ଡ. ପୱନ କୁମାର ଅଗ୍ରୱାଲ୍‌ ଏହି ସୂଚନା ଦେଇଛନ୍ତି।

୧୯୭୨ ଅଗଷ୍ଟ ୨୪ରେ ଓୟୁଏଟି ପ୍ରତିଷ୍ଠା କରାଯାଇଥିଲା। ତେଣୁ ଆସନ୍ତାକାଲି ଓୟୁଏଟିର ୬୦ତମ ପ୍ରତିଷ୍ଠା ଦିବସ ପାଳନ କରାଯାଉଛି। ଆସନ୍ତାକାଲିଠାରୁ ବର୍ଷବ୍ୟାପୀ ହୀରକ ଜୟନ୍ତୀ ବର୍ଷ ପାଳନ କରାଯିବ ବୋଲି ଏହି ସମ୍ମିଳନୀରେ କୁଳପତି ଡ. ଅଗ୍ରୱାଲ୍‌ କହିଛନ୍ତି। ବର୍ଷ ସାରା କୃଷକ ମେଳା, କୃଷି ଉଦ୍ୟୋଗୀ ସଂଦେଶ, କୃଷି ପ୍ରଦର୍ଶନୀ ଆଦି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି କୁହାଯାଇଛି। ବିଶ୍ବବିଦ୍ୟାଳୟର ପ୍ରମୁଖ ସଫଳତା ବିଷୟରେ ଆଲୋକପାତ କରି କୁଳପତି ଡ. ଅଗ୍ରୱାଲ୍‌ କହିଥିଲେ ଯେ ବିଗତ ଦିନରେ ବିଶ୍ୱବିଦ୍ୟାଳୟ ଅନେକ ସଫଳତା ହାସଲ କରିପାରିଛି। କୃଷି, ବିଜ୍ଞାନ, ପ୍ରାଣୀ ଚିକିତ୍ସା, ପ୍ରାଣୀ ପାଳନ, ବନ ବିଜ୍ଞାନ, କୃଷି ଯାନ୍ତ୍ରିକୀକରଣ, ଗୃହ ବିଜ୍ଞନ, ଉଦ୍ୟାନ ବିଜ୍ଞାନ ଭଳି ବିଷୟରେ ବିଶ୍ୱଦ୍ୟାଳୟରୁ ପ୍ରାୟ ୨୯ହଜାରରୁ ଅଧିକ ଛାତ୍ରଛାତ୍ରୀ ଶିକ୍ଷାଲାଭ କରିଛନ୍ତି। ଅନେକ ସ୍ଥାନରୁ ବିଶ୍ବବିଦ୍ୟାଳୟ ସମ୍ମାନିତ ହୋଇଛି। ଓୟୁଏଟି କଳିଙ୍ଗ ବିଶ୍ୱବିଦ୍ୟାଳୟରୁ ବିକଶିତ ଜ୍ଞାନକୌଶଳ ବିହନ, ଯନ୍ତ୍ରପାତି ଓ ଅନ୍ୟାନ୍ୟ ଉତ୍ପାଦିତ ସାମଗ୍ରୀର ମାନ ବଜାୟ ରଖି ଠିକ୍‌ ମୂଲ୍ୟରେ ଓ ଉପଯୁକ୍ତ ସମୟରେ କୃଷକମାନଙ୍କ ନିକଟରେ ପହଞ୍ଚାଇବା ପାଇଁ ଓୟୁଏଟି କଳିଙ୍ଗ ବ୍ରାଣ୍ଡ୍‌ ଆରମ୍ଭ କରିଛି। ସେହିପରି ବିଶ୍ବବିଦ୍ୟାଳୟର ପ୍ରଚାରପ୍ରସାର ପାଇଁ ବୈଷୟିକ ପରିଚାଳନା ସେଲ୍‌, ଓୟୁଏଟି ଫାଉଣ୍ଡେସନ୍ ଫଣ୍ଡ, ବାୟୋଟିକ୍ କିଷାନ, ଫସଲ କିସମ ବିକାଶ, କୃଷି ଯନ୍ତ୍ରପାତି ବିକାଶ, ବିହନ ଓ ଚାରାଗଛ ଉତ୍ପାଦନ ଭଳି କାର୍ଯ୍ୟ କରାଯାଇଛି ବୋଲି ସେ ସୂଚନା ଦେଇଥିଲେ। ସାମ୍ବାଦିକ ସମ୍ମିଳନୀରେ କୃଷି ଯାନ୍ତ୍ରିକ ବୈଷୟିକ ଶିକ୍ଷା ଡିନ୍ ଡ. ସଂଜୟ କୁମାର ଦାସ, ଗବେଷଣାର ଅଧ୍ୟକ୍ଷ ସୀମାଞ୍ଚଳ ସାହୁଙ୍କ ସମେତ ଅନ୍ୟ ଅଧ୍ୟକ୍ଷମାନେ ଉପସ୍ଥିତ ଥିଲେ। ଶେଷରେ ସଂପ୍ରସାରଣ ଅଧ୍ୟକ୍ଷ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର