ପୁରୁଣା ଭୁବନେଶ୍ୱର: ଆସନ୍ତାକାଲି ପବିତ୍ର ଫଗୁ ଦଶମୀ। ବିଧି ଅନୁସାରେ ଆସନ୍ତାକାଲି ଏକାମ୍ରଧିପତି ପ୍ରଭୁ ଶ୍ରୀଲିଙ୍ଗରାଜଙ୍କୁ ଫଗୁ ବା ଅବିର ଲାଗି କରାଯିବ। ମହାସମାରୋହରେ ପାଳିତ ହୋଇଆସୁଥିବା ଏହି ନୀତିକାନ୍ତି ପାଇଁ ଶ୍ରୀଲିଙ୍ଗରାଜ ମନ୍ଦିରରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଏହି ଅବସରରେ ମନ୍ଦିରରେ ଥିବା ସମସ୍ତ ଦେବଦେବୀଙ୍କୁ ମଧ୍ୟ ଫଗୁ ଲାଗି କରାଯିବ। ଫାଲଗୁନ ଶୁକ୍ଳ ଦଶମୀ ତିଥିରୁ ଆରମ୍ଭ ହେଉଥିବା ପ୍ରସିଦ୍ଧ ଦୋଳଯାତ୍ରା ଫଗୁ ଦଶମୀର ଏହି ନୀତିକାନ୍ତିରୁ ଆରମ୍ଭ ହୋଇଥାଏ। ସାଧାରଣତଃ ରାଧାକୃଷ୍ଣଙ୍କ ଉଦ୍ଦେଶ୍ୟରେ ପାଳିତ ହୋଇଆସୁଥିବା ଏହି ପର୍ବ ଓଡ଼ିଶାର ବଡ଼ଠାକୁର ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବଡ଼ଦେଉଳ ସମେତ ପ୍ରସିଦ୍ଧ ଶୈବପୀଠ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିରରେ ମଧ୍ୟ ପାଳିତ ହୋଇଆସୁଛି। ଏହି ପରମ୍ପରା ଯୁଗଯୁଗ ଧରି ରହିଆସିଛି।
ଆସନ୍ତା ସୋମବାରଠାରୁ ଶ୍ରୀଲିଙ୍ଗରାଜ ମହାପ୍ରଭୁ ମା ପାର୍ବତୀ, ମା ଦୁର୍ଗା ଓ ଶ୍ରୀବସୁଦେବଙ୍କ ଚଳନ୍ତି ପ୍ରତିମା ମନ୍ଦିରରୁ ବାହାରି ବିଭିନ୍ନ ସ୍ଥାନକୁ ଭୋଗ ଖାଇବା ଲାଗି ଯାତ୍ରା କରିବେ। ସବୁବେଳେ ଭକ୍ତ ମନ୍ଦିରକୁ ଆସି ଭୋଗଲାଗି କରୁଛି। କିନ୍ତୁ ଦୋଳଯାତ୍ରା ଅବସରରେ ପ୍ରଭୁ ଲିଙ୍ଗରାଜ ଭକ୍ତ ତଥା ଶ୍ରଦ୍ଧାଳୁଙ୍କ ଦୁଆରକୁ ଯିବେ। ପ୍ରଭୁ ମନ୍ଦିର ସିଂହାସନରୁ ଓହ୍ଲାଇ ଆସିବେ ଭକ୍ତ ଦୁଆରକୁ। ସମସ୍ତେ ନିଜ ନିଜ ଦୁଆରେ ଠାକୁରଙ୍କୁ ଭୋଗଲାଗି ସହ ଅବିର ଅର୍ପଣ କରିବେ। ବର୍ଷକୁ ଥରେ ମହାପ୍ରଭୁ ଲୋକଙ୍କ ଦୁଆରକୁ ଆସିବେ। ତେଣୁ ଏହି ତିଥିକୁ ନେଇ ଲୋକଙ୍କ ମନରେ ନାହିଁ ନଥିବା ଉତ୍ସାହ। ଏଥିପାଇଁ ଏକାମ୍ର କ୍ଷେତ୍ର ଚଳଚଞ୍ଚଳ ହୋଇଉଠିଛି। ଶ୍ରୀଜିଉଙ୍କ ଚଳନ୍ତି ପ୍ରତିମାକୁ ସୁସଜ୍ଜିତ ପାଲିଙ୍କି ଓ ବିମାନରେ ନିଜ ନିଜ ଦୁଆରେ ଦର୍ଶନ କରିବାକୁ ଲୋକେ ବେଶ୍ ଉତ୍କଣ୍ଠାର ସହ ଚାହିଁ ବସିଛନ୍ତି। ଉଲ୍ଲେଖଯୋଗ୍ୟ କି ସୋମବାର ଏକାଦଶୀ ତିଥିରେ ପ୍ରଭୁ ଶ୍ରୀଲିଙ୍ଗରାଜ ତାଙ୍କ ଭଉଣୀ ଘରକୁ ଯିବେ। ବଢ଼େଇବାଙ୍କ ନିକଟ ବଡମଠରେ ଥିବା ମା’ କାମାକ୍ଷା ଠାକୁରାଣୀ ହେଉଛନ୍ତି ଲିଙ୍ଗରାଜଙ୍କ ଭଉଣୀ। ମଙ୍ଗଳବାର ଦ୍ୱାଦଶୀ ତିଥିରେ ଲିଙ୍ଗରାଜଙ୍କ ପଟୁଆର ପହଞ୍ଚିବ ତିନିମୁଣ୍ଡିଆ ଛକ ନିକଟ କପାଳୀ ଠାକୁରାଣୀଙ୍କ ମନ୍ଦିରରେ। ବୁଧବାର ତ୍ରୟୋଦଶୀ ତିଥିରେ ପରକରଣ ସାହିସ୍ଥିତ ଜମ୍ବେଶ୍ୱର ମନ୍ଦିରକୁ ଯିବେ। ଏହାପରଠୁ ଆରମ୍ଭ ହେବ ଭକ୍ତ ତଥା ଶ୍ରଦ୍ଧାଳୁଙ୍କ ଦୁଆରେ ଭୋଗଖିଆ। ଗୁରୁବାର ବାଟକୂଅ ମୁହଁ ବଡ଼ୁସାହିରେ ଠାକୁର ଭୋଗ ଖାଇବେ। ଶୁକ୍ରବାର ଦୋଳ ପୂର୍ଣ୍ଣିମା ତିଥିରେ ରଥଖଳାଠାରେ ସର୍ବସାଧାରଣ ଭକ୍ତଙ୍କ ଭୋଗ ଖାଇବେ। ସେଠାରେ ମହାପ୍ରଭୁ ଦୋଳିରେ ଝୁଲୁଥିବା ବେଳେ ଭକ୍ତମାନେ ଫଗୁ ଲାଗି କରିବେ।
ଭୀମେଶ୍ୱର ମନ୍ଦିରରେ ରାଧାକୃଷ୍ଣଙ୍କୁ ଫଗୁଲାଗି
ଭୀମଟାଙ୍ଗୀ ଭୀମେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଭୀମେଶ୍ୱର ମନ୍ଦିର ସମିତି ପକ୍ଷରୁ ଆସନ୍ତାକାଲି ଫଗୁ ଦଶମୀ ନୀତି ସମ୍ପନ୍ନ ହେବ। ଏହି ଅବସରରେ ରାଧାକୃଷ୍ଣ ଓ ଦୋଳଗୋବିନ୍ଦଙ୍କ ସହ ସମସ୍ତ ଦେବଦେବୀଙ୍କୁ ଫଗୁ ଲାଗି କରାଯିବ। ଆସନ୍ତାକାଲିଠାରୁ ଦେବଦେବୀଙ୍କୁ ସୁସଜ୍ଜିତ ପାଲିଙ୍କିରେ ନେଇ ଲୋକଙ୍କ ଘର ପାଖକୁ ଯାତ୍ରା କରାଯିବ ଏବଂ ଲୋକଙ୍କ ଦୁଆରେ ଭୋଗଖିଆ ନୀତି ସମ୍ପନ୍ନ ହେବ। ଏକାଦଶୀ ତିଥିରେ ଉପର ଫେଜ୍, ଦ୍ୱାଦଶୀ ଓ ତ୍ରୟୋଦଶୀ ତିଥିରେ ଠାକୁର ତଳ ଫେଜ୍କୁ ଯାତ୍ରା କରିବେ। ଦୋଳ ପୂର୍ଣ୍ଣିମା ତିଥିରେ ଭୀମେଶ୍ୱର ମନ୍ଦିର ନିକଟରେ ଭକ୍ତଙ୍କ ଭୋଗ ଓ ଫଗୁ ଲାଗି ବିଧି ରହିଛି। ସେହିପରି ଭୀମଟାଙ୍ଗୀ ଜଗନ୍ନାଥ ମନ୍ଦିରରେ ଯଥାରୀତି ଫଗୁଲାଗି କରାଯିବ ବୋଲି ମନ୍ଦିର କମିଟିର ସଭାପତି ମାନସ ରଞ୍ଜନ ପଟ୍ଟନାୟକ କହିଛିନ୍ତି।
କପିଳେଶ୍ବରଙ୍କ ପୀଠରେ ଆତସବାଜି ପ୍ରତିଯୋଗିତା
କପିଳନାଥ ପ୍ରଭୁଙ୍କ ଭୋଗଖିଆ ନୀତି ମଧ୍ୟ ମହାସମାରୋହରେ ପାଳିତ ହେବ। ଦୋଳପୂର୍ଣ୍ଣିମା ରାତିରେ କପିଳେଶ୍ୱର ମନ୍ଦିର ନିକଟ ମଣିକର୍ଣିକା ପୁଷ୍କରିଣୀ ପାଖରେ ରାତି ୧୧ଟାରୁ ଗ୍ରାମର ୮ଟି ସାହି ମଧ୍ୟରେ ଆତସବାଜି ପ୍ରତିଯୋଗିତା ହେବ। ଆସ୍ମାନ୍ ରକେଟ୍, ଆସ୍ମାନ୍ ଗୁଳା, କାର୍ଗିଲ୍ ରକେଟ୍, ପାଣିକୁଆ, ପାଣି ଫୋଟକା, ଆସ୍ମାନ୍ ଦୀପ, ଚନ୍ଦ୍ରଦୀପ, ଗଛବାଣ ଓ ବିଭିନ୍ନ ଚେଙ୍ଗ ଭଳି ୫୦ କିସମର ବାଣ ଆକାଶରେ ଝଲସିବ। ଏହି ପ୍ରତିଯୋଗିତାର ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହିବା ସାହିକୁ ପୁରସ୍କୃତ କରାଯିବ।