ଭୁବନେଶ୍ବର: ମଙ୍ଗଳବାର ପ୍ରଥମାଷ୍ଟମୀ। ଜ୍ୟେଷ୍ଠଙ୍କ ପାଇଁ ସମର୍ପିତ ଦିନଟିଏ। ଏନେଇ ଗତ ଦୁଇ ଦିନ ହେଲା ରାଜଧାନୀ ବଜାର ସରଗରମ୍ ହୋଇଯାଇଥିଲା। ପ୍ରଥମାଷ୍ଟମୀର ପ୍ରମୁଖ ଖାଦ୍ୟ ‘ଏଣ୍ଡୁରି ପିଠା’ ପାଇଁ ହଳଦୀପତ୍ରର ପସରା ସହରର ଗଳିକନ୍ଦକୁ ମହକାଉଥିବା ବେଳେ ଭଳିକି ଭଳି ପୋଷାକରେ ଦୋକାନ ବଜାର ଭର୍ତି ଥିଲା। ଏସବୁକୁ ସଂଗ୍ରହ କରିବାରେ ବି ସହରବାସୀ ଲାଗି ପଡ଼ିଥିଲେ। ଆସନ୍ତାକାଲି ବନ୍ଦ ଥିବାରୁ ଆଜି ସଂଧ୍ୟା ସୁଦ୍ଧା ସମସ୍ତେ ପ୍ରଥମାଷ୍ଟମୀର ସମସ୍ତ ସାମଗ୍ରୀ କିଣି ନେବାକୁ ବଜାରରେ ଭିଡ଼ ଜମାଇଥିଲେ। ପ୍ରଥମାଷ୍ଟମୀରେ ନୂଆ ପୋଷାକ ପିନ୍ଧିବା ପରମ୍ପରା ରହିଥିବାରୁ ଜନପଥଠାରୁ ମାର୍କେଟ ବିଲ୍‌ଡଂ ଲୋକାରଣ୍ୟ ହୋଇଯାଇଥିଲା।

Advertisment

ଘରର ବଡ଼ ସନ୍ତାନସନ୍ତତିମାନେ ପାରିବାରିକ ଗୁରୁଦାୟିତ୍ବ ନିଜ କାନ୍ଧରେ ବୋହିଥା’ନ୍ତି। ଜୀବନସାରା ପରିବାରର ଖୁସି ପାଇଁ ନିଜ ସୁଖର ଜଳାଞ୍ଜଳି ଦେଇଥା’ନ୍ତି। ଏହାକୁ ସମ୍ମାନ ଜଣାଇ ବର୍ଷକୁ ଥରେ ଜ୍ୟେଷ୍ଠମାନଙ୍କୁ ପଢ଼ୁଆଁ କରି ଆପାୟିତ କରାଯାଏ। ପ୍ରଥମ ସନ୍ତାନମାନେ ମାମୁ ଘରୁ ଆସିଥିବା ନୂଆ ବସ୍ତ୍ର ପିନ୍ଧି ପଢ଼ୁଆଁ ହୁଅନ୍ତି ଓ ଗୁରୁଜନଙ୍କ ଆଶୀର୍ବାଦ ସାଉଁଟିଥା’ନ୍ତି। ଏହି ଅବସରରେ ବଡ଼ମାନଙ୍କୁ ଷଠୀ ଦେବୀଙ୍କ ନିକଟରେ ବନ୍ଦାପନା ସହ ପୂଜା କରାଯାଇଥାଏ। ଘରର ମହିଳା ଅବା ମା’ମାନେ ଚଉରା ମୂଳେ ପୂଜାର୍ଚନା କରଥା’ନ୍ତି। ଆଉ ପ୍ରତ୍ୟେକ ପରିବାରରେ ବେଶ୍‌ ଜମେ ପିଠାପଣାର ଆସର। ତେଣୁ ରାଜଧାନୀରେ ବି ଆସନ୍ତାକାଲି ପ୍ରତିଟି ଘରୁ ଭାସି ଆସିବ ହଳଦୀ ପିଠାର ବାସ୍ନା। ବିଶେଷ କରି ଏଣ୍ଡୁରି ପିଠା ଓ ହଳଦୀ ପତ୍ରରେ ପ୍ରସ୍ତୁତ ପିଠା ଷଠୀଦେବୀଙ୍କ ନିକଟରେ ସମର୍ପଣ ପରେ ବଡ଼ମାନଙ୍କୁ ଖିରି ପିଠାରେ ଆପ୍ୟାୟିତ କରାଯିବ।