ଆଜି ସଙ୍ଗୀତ ସୁଧାକରଙ୍କ ଜୟନ୍ତୀ: ବାଳକାଟିରେ ସଙ୍ଗୀତର ଅଙ୍କୁରୋଦଗମ

ଭୁବନେଶ୍ବର: ପାରମ୍ପରିକ ଓଡ଼ିଆ ସଙ୍ଗୀତରେ ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାଶ ଭରିଥିଲେ ନୂଆ ମୂର୍ଚ୍ଛନା। ଓଡ଼ିଶୀ, ଚମ୍ପୂ, ଜଗନ୍ନାଥ ଜଣାଣ ଓ ଭଜନ ରସରେ ଓଡ଼ିଶା ଭୂଖଣ୍ଡକୁ କରିଥିଲେ ସଙ୍ଗୀତ ମୁଖର। ଶ୍ରୋତାଙ୍କୁ ତଲ୍ଲୀନ କରି ସେ ପାଲଟି ଯାଇଥିଲେ ସଙ୍ଗୀତ ସୁଧାକର। ସଶରୀରେ ନଥିଲେ ହେଁ, ସମଗ୍ର ଜୀବନ ସଙ୍ଗୀତ କ୍ଷେତ୍ରକୁ ସମର୍ପି ଦେଇ ପାଲଟି ଯାଇଛନ୍ତି ସଙ୍ଗୀତ ଜଗତର ସିଦ୍ଧ ପୁରୁଷ।

୧୯୨୩ରେ ବାଳକାଟି ବସନ୍ତପେଡ଼ିସ୍ଥିତ ବ୍ରାହ୍ମଣ ଶାସନରେ ସାବିତ୍ରୀ ଅମାବାସ୍ୟାରେ ଜନ୍ମ ଗ୍ରହଣ କରିଥିଲେ। ବାଲ୍ୟକାଳରୁ ସଙ୍ଗୀତ ପ୍ରତି ତାଙ୍କର ଅହେତୁକ ଆକର୍ଷଣ ହିଁ ପ୍ରତିଭାର ପରିଚୟ ଦେଇଥିଲା। ଏ ପିଲା ଯେ ଦିନେ ସଙ୍ଗୀତରେ ଶିଖର ଛୁଇଁବ ତାହା ପିଲାବେଳୁ ବାରି ହୋଇ ପଡ଼ିଥିଲା। ଆକର୍ଷଣ ନିହିତ ରହିବା ପଛରେ ଥିଲା ଜନ୍ମମାଟିର ‌ପ୍ରେରଣା। ତାଙ୍କ ଜନ୍ମମାଟି ସହିତ ଶ୍ରୀଜୟଦେବଙ୍କ ଜନ୍ମସ୍ଥଳୀ କେନ୍ଦୁବିଲ୍ବ ଗ୍ରାମର ସମ୍ପର୍କ ଐତିହାସିକ ଦୃଷ୍ଟିକୋଣରୁ ଅତି ପ୍ରାଚୀନ। ଜନ୍ମସ୍ଥାନ ଉତ୍କଳୀୟ ସଂଗୀତ ଗାନ ପରମ୍ପରାରେ ପରିପୁଷ୍ଟ ଥିଲା। ମାଟିର ଆକର୍ଷଣ ଏବଂ ତତ୍କାଳୀନ ସମୟରେ ସଂକୀର୍ତନର ଭାବୋଚ୍ଛ୍ବାସ ପରିବେଶ ତାଙ୍କ ଭିତରେ ସଙ୍ଗୀତର ଅଙ୍କୁରୋଦଗମ କରାଇଥିଲା। କାଳକ୍ରମେ ଓଡ଼ିଶୀ ସଙ୍ଗୀତ ଓ ଶ୍ରୀଜଗନ୍ନାଥ ସଂସ୍କୃତିକୁ ସମଗ୍ର ଜୀବନ ଉତ୍ସର୍ଗ କରିଥିଲେ ବୋଲି ଗୁରୁ ସଚ୍ଚିକାନ୍ତ ନାୟକ କହିଛନ୍ତି।

ଗୁରୁ ଗୋକୁଳ ଚନ୍ଦ୍ର ଶ୍ରୀଚନ୍ଦନ ତାଙ୍କୁ ସଙ୍ଗୀତର ପାଠ ପଢ଼ାଇଥିଲେ। ପରେ ବଡ଼େ ଗୁଲାମ ଅଲ୍ଲି ଖାଁଙ୍କ ଶିଷ୍ୟତ୍ବ ଗ୍ରହଣ କରିବା ସହିତ ଗୁରୁ କ୍ଷିତୀଶ ଚନ୍ଦ୍ର ମୈତ୍ର ଓ ଗୁରୁ ରାଇଚାନ୍ଦ ବଡ଼ାଲଙ୍କଠାରୁ ସଙ୍ଗୀତ ନିର୍ଦେଶନା ଓ ମୌଳିକ ନିୟମ ସମ୍ପର୍କିତ ଜ୍ଞାନ ଆହରଣ କରିଥିଲେ। ତେବେ ସଙ୍ଗୀତକୁ ଅଧିକ ରସସିକ୍ତ କରିବା ପାଇଁ ବାଳକୃଷ୍ଣ ଦାଶ ଓଡ଼ିଶୀ କଣ୍ଠ ସଙ୍ଗୀତରେ ନିଜସ୍ବ ଶୈଳୀ ସଂରଚନା କରିଥିଲେ। ଏହି ସ୍ବାତନ୍ତ୍ରୢ ହିଁ ଶ୍ରୋତାଙ୍କୁ ଚମତ୍କୃତ କରିଦେଉଥିଲା। ଯାଦୁକରୀ ଗାୟନ, ମିଠା ସ୍ବର ଓ ପରିବେଷଣ ଶୈଳୀ ଥିଲା ନିଆରା। ଚଉପଦୀ, ଚମ୍ପୂ, ଛାନ୍ଦ, ଚଉତିଶା, ଭଜନ, ଜଣାଣ, ଗୀତଗୋବିନ୍ଦ ଗାୟନରେ ସେ ଯେତିକି ଧୁରନ୍ଧର ଥିଲେ ଢୁମ୍ପା, ଦଣ୍ଡ, ବାରମାସୀ, ଫୁଳ ମନାସ ଭଳି ଓଡ଼ିଶାର ନିଚ୍ଛକ ଲୋକ ସଙ୍ଗୀତ ଓ ଆଧୁନିକ ରାଗ ପ୍ରଧାନରେ ସେ ଥିଲେ ବିଚକ୍ଷଣ ଉପସ୍ଥାପକ।

ସ୍ନିଗ୍ଧ, ମଧୁର ଓ ସୌକୁମାର୍ଯ୍ୟ ତଥା ଆକର୍ଷଣୀୟ କଣ୍ଠସ୍ବରରେ ସେ ଶ୍ରୋତାଙ୍କୁ ସହଜରେ ଆକର୍ଷିତ କରିପାରୁଥିଲେ। ଜଣେ ଆତ୍ମ ନିୟନ୍ତ୍ରିତ ଓ ମୁକ୍ତ ଧ୍ବନି ଯୁକ୍ତ ଗାୟକ ଭାବେ ସମସ୍ତଙ୍କୁ ଅନାୟାସରେ ବିମୋହିତ କରି ପାରୁଥିଲେ। ଗାୟନ ଧର୍ମର ନାନ୍ଦନିକ ତତ୍ତ୍ବ ଅନୁସାରେ ସେ ଥିଲେ ଜଣେ ସର୍ବ ଦୋଷ ବିବର୍ଜିତ କଣ୍ଠଶିଳ୍ପୀ। କୋଲକାତାରୁ ଆରମ୍ଭ କରି କଟକ ଆକାଶବାଣୀ ମାଧ୍ୟମରେ ପ୍ରାୟ ପାଞ୍ଚ ଦଶକ ଧରି ସେ ଅସଂଖ୍ୟ କାଳଜୟୀ ସଙ୍ଗୀତ ଭେଟିଦେବା ସହ ସ୍ବର ସଂଯୋଜନା କରି ଓଡ଼ିଶାର ସଙ୍ଗୀତ ଆକାଶକୁ ମୁଖରିତ କରିଛନ୍ତି। ଗ୍ରାମଫୋନ ରେକର୍ଡରୁ ନେଇ ଅନେକ ସଙ୍ଗୀତ ସିଡିରେ ତାଙ୍କର କଣ୍ଠସ୍ବରର ସ୍ବାକ୍ଷର ଅଲିଭା ହୋଇ ରହିଛି।

ସମ୍ବନ୍ଧିତ ଖବର