ଖଣ୍ଡଗିରି: ପ୍ରତି ଚାରିଜଣରେ ଜଣେ ବରିଷ୍ଠ ନାଗରିକ ନିର୍ଯାତନାର ଶିକାର ହେଉଛନ୍ତି। ବୟସର ଅପରାହ୍ନରେ ଅଧିକାଂଶ ବୟସ୍କଙ୍କୁ ନିଃସଙ୍ଗ ଜୀବନ କାଟିବାକୁ ପଡ଼ୁଛି। ଓଡ଼ିଶାରେ ବରିଷ୍ଠ ନାଗରିକମାନଙ୍କ ସ୍ଥିତି ଦିନକୁ ଦିନ ସଙ୍ଗିନ ହେବାକୁ ଲାଗିଥିଲା ବେଳେ ଭୁବନେଶ୍ବରରେ ଏହାର ଉଦାହରଣ ଅଧିକ ଦେଖିବାକୁ ମିଳୁଛି। କାହାର ପିଲାମାନେ ପାଖରେ ରହୁନଥିବା ବେଳେ ଆଉ କେହି ଅସାମାଜିକଙ୍କ ଦ୍ବାରା ପ୍ରତାଡ଼ିତ ହେଉଛନ୍ତି। ବିଶେଷ କରି ଅଣୁ ପରିବାର ବା କ୍ଷୁଦ୍ର ପରିବାର କାରଣରୁ ବରିଷ୍ଠ ନାଗରିକ ଉପେକ୍ଷିତ ହେବା ଘଟଣା ବୃଦ୍ଧି ପାଇବାରେ ଲାଗିଛି। ଏକ ଘରୋଇ ସଂସ୍ଥା ପକ୍ଷରୁ କରାଯାଇଥିବା ସର୍ଭେରୁ ଜଣାପଡ଼ିଛି ଯେ, ରାଜଧାନୀରେ ପ୍ରତି ଶହେଜଣ ବରିଷ୍ଠ ନାଗରିକଙ୍କ ମଧ୍ୟରୁ ୩୫ଜଣ ନିର୍ଯାତନାର ଶିକାର ହେଉଛନ୍ତି। ବିଶେଷ କରି ପରିବାର ମଧ୍ୟରେ ମନୋମାଳିନ୍ୟ ବୃଦ୍ଧି, ସ୍ବାସ୍ଥ୍ୟଗତ ସମସ୍ୟା, ସୁରକ୍ଷା ଆଦି କାରଣରୁ ବିଭିନ୍ନ ସମୟରେ ଉତ୍ପୀଡ଼ନର ଶିକାର ହେଉଛନ୍ତି। ଜୀବନର ଶେଷ ସମୟକୁ ଏକାନ୍ତ ଅଥବା ଜରାଶ୍ରମରେ କାଟିବାକୁ ପଡ଼ୁଛି। ତେବେ ଯୌଥ ପରିବାର କ୍ଷେତ୍ରରେ ଏହି ସଂଖ୍ୟା ହ୍ରାସ ପାଉଛି। ବରିଷ୍ଠ ନାଗରିକଙ୍କ ପାଇଁ ସ୍ବାସ୍ଥ୍ୟ କ୍ଷେତ୍ରରେ ସ୍ବତନ୍ତ୍ର ସୁବିଧା ପ୍ରଦାନ, ସହରାଞ୍ଚଳରେ ବିଭିନ୍ନ ବିଭାଗରେ ସେମାନଙ୍କ ଲାଗି ସମର୍ପିତ ଡେସ୍କ ନିର୍ମାଣ, ପ୍ରତି ଜିଲ୍ଲାରେ ଆବାସିକ ବୃଦ୍ଧାଶ୍ରମ ନିର୍ମାଣ, ବୃଦ୍ଧାଶ୍ରମରେ ନିୟମିତ ଡାକ୍ତରୀ ପରୀକ୍ଷା ଆଦି କ୍ଷେତ୍ରରେ ପ୍ରଶାସନ ଦୃଷ୍ଟି ଦେବାକୁ ବରିଷ୍ଠ ନାଗରିକମାନେ ଦାବି କରିଛନ୍ତି। ସେହିପରି ବୃଦ୍ଧାବସ୍ଥାରେ ଘରୁ ବାହାରିବା ମୁସ୍କିଲ୍ ହୋଇପଡ଼ୁଥିବା କାରଣରୁ ଘରକୁ ଆସି ବିଦ୍ୟୁତ୍ ବିଲ୍ ନେବା, ରାସନ, ଭତ୍ତା ପ୍ରଦାନ କ୍ଷେତ୍ର ପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି। ବୟସ୍କମାନଙ୍କ ସୁବିଧା ଅସୁବିଧାରେ ସାହାଯ୍ୟ ଲାଗି ପୁଲିସ ପ୍ରଶାସନ ପକ୍ଷରୁ ନୋଡାଲ୍ ଅଧିକାରୀମାନଙ୍କୁ ଦାୟିତ୍ବ ଦିଆଯାଇଛି। ବିଭିନ୍ନ ସମୟରେ ଅଞ୍ଚଳର ପୁଲିସ ଅଧିକାରୀମାନଙ୍କ ସହିତ ବିଚାର ବିମର୍ଷ ଲାଗି ମଧ୍ୟ ବ୍ୟବସ୍ଥା ରହିଛି। କେତେକ କ୍ଷେତ୍ରରେ ଏହାର ସୁଫଳ ମିଳୁଥିଲେ ମଧ୍ୟ ବହୁ ସମୟରେ ବରିଷ୍ଠ ନାଗରିକମାନେ ପୁଲିସ ସହଯୋଗରୁ ବଞ୍ଚିତ ହେଉଥିବା ଦୃଷ୍ଟାନ୍ତ ରହିଛି। ରାଜଧାନୀରେ ବରିଷ୍ଠ ନାଗରିକଙ୍କ ସୁରକ୍ଷା ଏକ ବଡ଼ ପ୍ରସଙ୍ଗ ପାଲଟିଥିବାରୁ ପୁଲିସ ନିୟମିତ ବୟସ୍କଙ୍କ ଯୋଗଯୋଗରେ ରହିବାକୁ ଦାବି ହୋଇଛି।
ଏନେଇ ପ୍ରଶାସନିକ ସ୍ତରରେ ବିଭିନ୍ନ ଅଞ୍ଚଳରେ ସଚେତନତା ଶିବିର ଆୟୋଜନ କରାଯାଉଛି। ବରିଷ୍ଠ ନାଗରିକଙ୍କୁ ସ୍ବତନ୍ତ୍ର ପରିଚୟପତ୍ର ମଧ୍ୟ ପ୍ରଦାନ କରାଯାଉଛି।
ଆଜି ବରିଷ୍ଠ ନାଗରିକ ନିର୍ଯାତନା ସଚେତନତା ଦିବସ, ଚିନ୍ତା ବଢ଼ାଉଛି କ୍ଷୁଦ୍ର ପରିବାର
ପ୍ରତି ଚାରିଜଣରେ ଜଣେ ବରିଷ୍ଠ ନାଗରିକ ନିର୍ଯାତନାର ଶିକାର ହେଉଛନ୍ତି। ବୟସର ଅପରାହ୍ନରେ ଅଧିକାଂଶ ବୟସ୍କଙ୍କୁ ନିଃସଙ୍ଗ ଜୀବନ କାଟିବାକୁ ପଡ଼ୁଛି। ଓଡ଼ିଶାରେ ବରିଷ୍ଠ ନାଗରିକମାନଙ୍କ ସ୍ଥିତି ଦିନକୁ ଦିନ ସଙ୍ଗିନ ହେବାକୁ ଲାଗିଥିଲା ବେଳେ ଭୁବନେଶ୍ବରରେ ଏହାର ଉଦାହରଣ ଅଧିକ ଦେଖିବାକୁ ମିଳୁଛି।
/sambad/media/media_files/2025/06/15/GjoyEi72kU8gmsvXRDfb.jpg)