ଆଜି ରାଜ୍ୟ ପର୍ଯ୍ୟଟନ ଦିବସ: ନୂଆ ରୂପରେ ଫେରୁଛି ପର୍ଯ୍ୟଟନ, ଅକ୍ଟୋବର ୧ରୁ ୧୦ ପ୍ରକୃତି ଶିବିର

ପାଞ୍ଚ ବର୍ଷ ପୂର୍ବରୁ ପର୍ଯ୍ୟଟନ ସହ ଗ୍ରାମୀଣ ବିକାଶକୁ ଯୋଡ଼ିଛି ଓଡ଼ିଶା

ଭୁବନେଶ୍ବର: ଦୀର୍ଘ ୭ ମାସର ନିରବତା ପରେ ନୂଆ ରୂପରେ ଫେରୁଛି ପର୍ଯ୍ୟଟନ। ଏଥର ପ୍ରକୃତି କୋଳରେ ସାଇତା ସୌନ୍ଦର୍ଯ୍ୟକୁ ପ୍ରାଧାନ୍ୟ ଦିଆଯାଇଛି। ବିଦେଶୀ ନୁହେଁ, ବରଂ ପ୍ରଥମେ ନିଜ ଘର ସଜାଡ଼ି ଘରୋଇ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ଅଣ୍ଟା ଭିଡ଼ିଛି ରାଜ୍ୟ ପର୍ଯ୍ୟଟନ ବିଭାଗ। ଚଳିତ ବର୍ଷ ବିଶ୍ବ ପର୍ଯ୍ୟଟନ ଦିବସର ବିଷୟ ରହିଛି ‘ପର୍ଯ୍ୟଟନ ଓ ଗ୍ରାମୀଣ ବିକାଶ’। ମାତ୍ର ପରିବେଶ ପର୍ଯ୍ୟଟନରେ ନେଚର କ୍ୟାମ୍ପ୍‌ ତଥା ପ୍ରକୃତି ଶିବିର ଭେଟି ଦେଇ ଦୀର୍ଘ ୫ ବର୍ଷ ତଳୁ ଗ୍ରାମୀଣ ଲୋକଙ୍କ ପାଇଁ ରୋଜଗାରର ପନ୍ଥା ସୃଷ୍ଟି କରାଯାଇଛି। ସହରର ଭିଡ଼ ଭିତରେ ରୁନ୍ଧି ହୋଇଯାଉଥିବା ମଣିଷ ଅବସର ବିନୋଦନ ପାଇଁ ପ୍ରକୃତିର ନିରୋଳା ପରିବେଶ ଲୋଡ଼ୁଥିବା ବେଳେ ପରିବେଶ ପର୍ଯ୍ୟଟନ ଏହି ଆକାଂକ୍ଷା ପୂରଣ କରିଛି। ପର୍ଯ୍ୟଟକଙ୍କ ଆବଶ୍ୟକତା ମେଣ୍ଟାଇବା ସହ ପ୍ରକୃତିର ଗନ୍ତାଘର ଓଡ଼ିଶା ପ୍ର‌ତ୍ୟକ୍ଷ ଓ ପରୋକ୍ଷ ଭାବେ ହଜାର ହଜାର ଗ୍ରାମବାସୀଙ୍କୁ ତୃଣମୂଳ ସ୍ତରରେ ରୋଜଗାର ଦେବାରେ ସକ୍ଷମ ହୋଇଛି।

ବଢ଼ିଛି ଗ୍ରାମୀଣ ବ୍ୟକ୍ତିଙ୍କ ରୋଜଗାର, ବଢ଼ିଛନ୍ତି ପର୍ଯ୍ୟଟକ
୨୦୧୬ରେ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ୫୬ କୋଟି ଟଙ୍କା ବଜେଟ୍‌ରେ ପରିବେଶ ପର୍ଯ୍ୟଟନ ପାଇଁ ୫ ବର୍ଷିଆ ଖସଡ଼ା ପ୍ରସ୍ତୁତ ହୋଇଥିଲା। ପ୍ରଥମେ ୬୦୦ ସ୍ଥାନୀୟ ଲୋକଙ୍କ ହାତରେ ୪୦ଟି ପ୍ରକୃତି ପର୍ଯ୍ୟଟନସ୍ଥଳର ଦାୟିତ୍ବ ନ୍ୟସ୍ତ ହୋଇଥିଲା। ଯେଉଁମାନେ ଶିକାର କରି, ମାଛ ଧରି, ମହୁ ଓ କାଠ ସଂଗ୍ରହ କରି ଜୀବିକା ନିର୍ବାହ କରୁଥିଲେ, ସେମାନେ ଧୀରେଧୀରେ ସେଠାରେ ସେଇ ଜଙ୍ଗଲକୁ ସୁରକ୍ଷା ଦେଇ ସେଠାରେ ରୋଜଗାରର ବାଟ ପାଇଲେ। ୨୦୧୫-୧୬ରେ ପ୍ରକୃତି ଶିବିରମାନଙ୍କରୁ ୪୭ଲକ୍ଷ ଟଙ୍କା ରାଜସ୍ବ ଆୟ ହୋଇଥିବା ବେଳେ ୧୯୦୦ଜଣ ପର୍ଯ୍ୟଟକଙ୍କ ଆଗମନ ହୋଇଥିଲା। ୨୦୧୬-୧୭ରେ ଶିବିରକୁ ୯୩୦୦ ପର୍ଯ୍ୟଟକଙ୍କ ଆଗମନ ବୃଦ୍ଧି ପାଇଥିବା ବେଳେ ରାଜସ୍ବ ଆଦାୟ ହୋଇଥିଲା ୧.୫ କୋଟି। ୨୦୧୮-୧୯ରେ ୨୦ ହଜାର ପର୍ଯ୍ୟଟକ ପ୍ରକୃତି ଶିବିରରେ ରାତି କଟାଇଥିବା ବେଳେ ୫.୬ କୋଟି ଟଙ୍କା ରାଜସ୍ବ ସଂଗ୍ରହ ହୋଇଥିଲା।

ଆଜିଠୁ ଓଡ଼ିଶା ବାଏ ରୋଡ୍‌
କରୋନା ସମୟରେ ପ୍ରକୃତି ଭେଟି ଦେଇଥିବା ଅମୂଲ୍ୟ ସମ୍ପଦକୁ ବିନିଯୋଗ କରିବାକୁ ପର୍ଯ୍ୟଟନ ଅଗ୍ରାଧିକାର ଦେଇଛି। ବିଶେଷକରି ସମୁଦ୍ରକୂଳ, ଜଙ୍ଗଲ, ପାହାଡ଼, ଆଦିବାସୀ ଗ୍ରାମ, ଐତିହ୍ୟସ୍ଥଳ, କଳା ଗ୍ରାମକୁ ପ୍ରାଧାନ୍ୟ ଦେବା ଉଦ୍ଦେଶ୍ୟ ନେଇ ‘ଓଡ଼ିଶା ବାଏ ରୋଡ୍‌’ ଅଭିଯାନର ଶୁଭାରମ୍ଭ କରିବାକୁ ଯାଉଛି ପର୍ଯ୍ୟଟନ ବିଭାଗ। ସଂପ୍ରତି ଲୋକେ ଟ୍ରେନ୍‌ କିମ୍ବା ବସ୍‌ରେ ସମବେତ ଭାବେ ଯାତ୍ରା କରିବାକୁ ପସନ୍ଦ କରୁ ନଥିବା ବେଳେ ପରିବାର କିଭଳି ରୋଡ୍‌ରେ ଯାତାୟାତ ବେଳେ ପର୍ଯ୍ୟଟନ ସମ୍ଭାରକୁ ଉପଭୋଗ କରିବେ, ସେନେଇ ବିଭାଗ ପକ୍ଷରୁ ସୁବିଧା କେନ୍ଦ୍ରମାନ ସ୍ଥାପନ ହୋଇଛି। ଭିତ୍ତିଭୂମିକୁ ସଜଡ଼ା ଯାଇଛି। ଗତଥର କୋଣାର୍କ ରାମଚଣ୍ଡୀରେ ଇକୋ-ରିଟ୍ରିଟ୍‌ରେ ୭୫%ଶିବିରର ଲୋକେ ରାତି ବିତାଇଥିବାରୁ ଏହାର ସଫଳତାକୁ ଦୃଷ୍ଟିରେ ରଖି ଭିତରକନିକା, ଦାରିଙ୍ଗବାଡ଼ି, ସାତକୋଶିଆ ଓ ହୀରାକୁଦରେ ମଧ୍ୟ ଇକୋ-ରିଟ୍ରିଟ୍‌ର ମଜା ଦେବାକୁ ଯୋଜନା ହୋଇଛି।

ଅକ୍ଟୋବର ୧ରୁ ୧୦ ପ୍ରକୃତି ଶିବିର
ଏଯାବତ୍‌ ରାଜ୍ୟର ୧୯ଟି ସଂରକ୍ଷିତ ଅଞ୍ଚଳରେ ୪୭ଟି ସ୍ଥାନରେ ପ୍ରକୃତି ଶିବିର କରାଯାଇଛି। ତେବେ କରୋନା ଯୋଗୁଁ ୭ମାସ ପରେ ପ୍ରଥମ ପର୍ଯ୍ୟାୟରେ ଅକ୍ଟୋବର ୧ ତାରିଖରୁ ୧୦ଟି ପ୍ରକୃତି ଶିବିର ଖୋଲିବାକୁ ଯାଉଛି। ଡାଙ୍ଗମାଳ, ସାତକୋଶିଆ ସ୍ୟାଣ୍ଡ ରିସୋର୍ଟ, ବଡ଼ମୂଳ, ଛୋଟକେଇ, ତରଭା, ଦେବ୍ରିଗଡ଼, ଦାରିଙ୍ଗବାଡ଼ି, ମଣ୍ଡାସୁର, ଡେରାସ ଓ ମଙ୍ଗଳାଯୋଡ଼ିରେ ଅକ୍ଟୋବର ୧ରୁ ଶିବିର ଖୋଲିବାକୁ ଯାଉଥିବା ବ‌େଳେ ଅନ୍ୟ ସ୍ଥାନଗୁଡ଼ିକରେ ଏହା ଖୁବଶୀଘ୍ର ଖୋଲିବ ବୋଲି ସୂଚନା ଦିଆଯାଇଛି। ରାଜ୍ୟ ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ୍‌ ରାମଚନ୍ଦ୍ର ଯାଦବ କହିଛନ୍ତି, ସାତକୋଶିଆ ଓ ଶିମିଳିପାଳ ପ୍ରକୃତି ଶିବିରରୁ ୧ କୋଟିରୁ ଅଧିକ ଟଙ୍କାର ରାଜସ୍ବ ଆଦାୟ ହୋଇଥିବା ବେଳେ ୮୦ ପ୍ରତିଶତ ଲାଭାଂଶ ଗ୍ରାମୀଣ ଲୋକଙ୍କ ହାକକୁ ଯାଉଛି। ଶିବିରରେ ପର୍ଯ୍ୟଟକଙ୍କ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି କୋଭିଡ୍ କଟକଣା ପାଳନ ନେଇ ପରିଚାଳନା ‌ଦାୟିତ୍ବରେ ଥିବା ବ୍ୟକ୍ତିବିଶେଷଙ୍କୁ ଆଇଆଇଟିଟିଏମ୍‌ ଓ ଆଇଏଚ୍‌ଏମ୍‌ ସହଯୋଗରେ ତାଲିମ୍‌ ଦିଆଯାଇଛି।

ଯିଏ ଆସିବ, ଆମ୍ବାସଡର୍‌ ହୋଇ ଫେରୁ
ଓଡ଼ିଶାରେ ଏଭଳି ସ୍ଥାନ ଅଛି, ଯାହା ରାଜ୍ୟର ପର୍ଯ୍ୟଟନପ୍ରେମୀ ଜାଣିନାହାନ୍ତି କି ଦେଖିନାହାନ୍ତି। ଏହି ପରିପ୍ରେକ୍ଷୀରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ପରିବେଶ ପର୍ଯ୍ୟଟନର ଶୁଭାରମ୍ଭ ଏକ ସ୍ବାଗତଯୋଗ୍ୟ ପଦକ୍ଷେପ ବୋଲି କହିଛନ୍ତି ଅର୍ଥନୀତି ବିଶେଷଜ୍ଞ ରାଜୀବ ଶେଖର ସାହୁ। ନଦୀ, ସମୁଦ୍ର, ଜଙ୍ଗଲ, କଳା ଗ୍ରାମକୁ ପର୍ଯ୍ୟଟକ ଯିବା ପାଇଁ ପଥ ସୁଗମ ଥିବାରୁ ଏହା ରାଜ୍ୟର ପର୍ଯ୍ୟଟନ କ୍ଷେତ୍ରକୁ ସୁଦୂର ପ୍ରସାରୀ କରିବାରେ ସହାୟକ ହେବ। ତେବେ ପରିଚାଳନା ସବୁଠୁ ଗୁରୁତ୍ବପୂର୍ଣ୍ଣ। ପ୍ରତି ପର୍ଯ୍ୟଟକଙ୍କୁ ଏପରି ଆତିଥ୍ୟ ସେବା ଯୋଗାଇ ଦେବା ଆବଶ୍ୟକ, ଯେପରି ସେମାନେ ନିଜ ଘରକୁ ଫେରିବା ବେଳେ ସେଇ ପର୍ଯ୍ୟଟନ ସ୍ଥଳର ଆମ୍ବାସଡର୍‌ ହୋଇ ଫେରିବେ। ଏହା ରାଜ୍ୟ ପର୍ଯ୍ୟଟନର ବିକାଶ ସହ ରୋଜଗାରର ବିପୁଳ ସୁଯୋଗ ସୃଷ୍ଟି କରିପାରିବ ବୋଲି ଶ୍ରୀ ସାହୁ କହିଛନ୍ତି।

ସମ୍ବନ୍ଧିତ ଖବର