ଭୁବନେଶ୍ୱର: ଆସନ୍ତାକାଲି ପ୍ରେମ ସପ୍ତାହର ଚତୁର୍ଥ ଦିନ। ଟେଡି ଡେ’ ଭାବେ ପାଳିତ ହୁଏ। ପ୍ରେମୀଯୁଗଳ ପରସ୍ପରକୁ କଣ୍ଢେଇ ବା ଟେଡି ଦେଇ ସମ୍ପର୍କର ସେତୁକୁ ମଜବୁତ୍‌ କରନ୍ତି। ତେଣୁ ଆଜି ସନ୍ଧ୍ୟାରୁ ରାଜଧାନୀର ବିଭିନ୍ନ ମଲ୍‌ଠାରୁ ଆରମ୍ଭ କରି ଛୋଟ ଉପହାର ଦୋକାନ ପର୍ଯ୍ୟନ୍ତ ସବୁଠି ଟେଡି ବଜାରରେ ଭିଡ଼ ପରିଲକ୍ଷିତ ହୋଇଥିଲା।

Advertisment

ବଜାରରୁ ମିଳିଥିବା ସୂଚନାନୁସାରେ ଚଳିତ ବର୍ଷ ନାଲି ରଙ୍ଗର ଓ ହୃଦୟ ଆକୃତିର ଟେଡି ଚାହିଦା ବହୁତ ଅଧିକ। ଏହାର ମୂଲ୍ୟ ୩ ଶହ ଟଙ୍କାରୁ ୩ ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି। ଜୟଦେବବିହାର ଛକରେ ବ୍ୟବସାୟ କରୁଥିବା ଉଠା ବ୍ୟବସାୟୀ ସେକ୍‌ ୟାକୁବ୍‌ଙ୍କ କହିବା କଥା ଏଥର ଛୋଟ ନାଲି ରଙ୍ଗ କଣ୍ଢେଇର ଚାହିଦା ବେଶି। ଆସନ୍ତାକାଲି ପାଇଁ ଟେଡି ବଜାର ଭିଡ଼ ଥିଲେ ବି କିଛି ପ୍ରେମୀଯୁଗଳ ଦାମୀ ଉପହାର ବି କିଣୁଛନ୍ତି। ଭାଲେଣ୍ଟାଇନ୍‌ ସପ୍ତାହ ପାଇଁ ଉପହାର କିଣା ଆରମ୍ଭ ହୋଇଯାଇଛି। ସୁନା, ହୀରା ଓ ପ୍ଲାଟିନମ୍‌ ଗହଣା ସହିତ ଏବେ କଷ୍ଟ୍‌ମାଇଜ୍‌ କପଲ୍‌ ହାତ ଘଣ୍ଟା ଉପହାର କିଣା ଆରମ୍ଭ ହୋଇଯାଇଛି। ଭୁବନେଶ୍ଵରର ବଡ଼ବଡ଼ ଗହଣା ଦୋକାନଗୁଡ଼ିକ ପ୍ରେମୀଯୁଗଳଙ୍କ ପାଇଁ ସ୍ବତନ୍ତ୍ର ଭାବେ ଡିଜାଇନ୍ ହୋଇଥିବା ଗହଣା ବିକ୍ରି କରୁଛନ୍ତି। ତେବେ ଦାମୀ କପଲ୍‌ ଘଣ୍ଟାରେ ଉଭୟଙ୍କ ଡିଜାଇନ୍‌ ସମାନ ଥିବାରୁ ପ୍ରେମୀଯୁଗଳ ଏଥର ବେଶି କିଣୁଛନ୍ତି। ଲେଦର ବ୍ୟାଣ୍ଡ ଓ ଚେନ୍‌ ବ୍ୟାଣ୍ଡ ଥିବା ଏହିସବୁ ଘଣ୍ଟାର ମୂଲ୍ୟ ୧୮ଶହ ଟଙ୍କାରୁ ଆରମ୍ଭ କରି ୧୮ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି। ସେହିଭଳି ଗହଣା ସୋ’ରୁମ୍‌ଗୁଡ଼ିକରେ ଲକେଟ୍‌, ହାର, ଚେନ୍‌ ଓ ମୁଦି ବିକ୍ରି ହେଉଛି। ଏହି ଗହଣାଗୁଡ଼ିକରେ ହୃଦୟର ପ୍ରତୀକ ରହୁଛି କିମ୍ବା ଇଂରାଜୀରେ ଲଭ୍ ଲେଖାଯାଇଛି।