ଖଣ୍ଡଗିରି: କ୍ରିକେଟ୍, ଭଲିବଲ୍‌ ଖେଳପରି ବ୍ୟାଡ୍‌ମିଣ୍ଟନ୍‌, ଟେନିସ୍‌ ଆଦି ବିଭିନ୍ନ ଖେଳ ଖେଳିବାକୁ ସମସ୍ତଙ୍କୁ ସୁଯୋଗ ମିଳିବ। ବିଡିଏ କର୍ତ୍ତୃପକ୍ଷଏଭଳି ସ୍ବପ୍ନ ଦେଖାଇ ଭୁବନେଶ୍ବରର ୨୧ ପଡ଼ିଆକୁ ନୂଆ ରୂପ ଦେବାପାଇଁ ଯୋଜନା କରିଥିଲେ। ଉନ୍ନତୀକରଣ ନାଁରେ ପ୍ରାୟ ବର୍ଷେ ତଳୁ ଚିହ୍ନଟ ହୋଇଥିବା ପଡ଼ିଆରେ କାହାରିକୁ ଖେଳିବାକୁ ଦେଲେନାହିଁ। ହେଲେ ସବୁ ସ୍ବପ୍ନ ସ୍ବପ୍ନରେ ହିଁ ରହିଯାଇଛି। ୨୧ ପଡ଼ିଆରୁ ମାତ୍ର ତିନିଟି ପଡ଼ିଆ ଖେଳ ଉପଯୋଗୀ କଲେ। ସେଥିମଧ୍ୟରୁ କେବଳ ନୂଆପଲ୍ଲୀ ହାଇସ୍କୁଲ୍‌ ପଡ଼ିଆକୁ ତରବରିଆ ଭାବେ ଉଦ୍‌ଘାଟନ କରିଦେଲେ। ହେଲେ ସ୍ଥାନୀୟ ଯୁବକଙ୍କୁ ଖେଳିବାକୁ ସୁଯୋଗ ମିଳିଲାନି। ଏବେ ଅନ୍ୟ ପଡ଼ିଆଗୁଡ଼ିକରେ ଆଉ ପୂର୍ବଭଳି କାମ ହେଉନାହିଁ। କେଉଁଠି କାମ ଧିମେଇ ଯାଇଥିବା ବେଳେ କେଉଁଠି କାମ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ଫଳରେ ଖେଳିବା ପାଇଁ ସହରରେ ପଡ଼ିଆର ଅଭାବ ଦେଖାଦେଇଛି।  

Advertisment

କିଛି ସ୍କୁଲ୍‌ଗୁଡ଼ିକରେ ପଡ଼ିଆ ଅଛି, ହେଲେ ସେଥିରେ କେବଳ ସେହି ସ୍କୁଲ୍‌ର ପିଲାମାନେ ଖେଳିପାରୁଛନ୍ତି। ଆଖପାଖ କଲୋନି ପିଲାଙ୍କୁ ତା’ ଭିତରେ ଖେଳିବାର ଅନୁମତି ନାହିଁ। ଅନ୍ୟପକ୍ଷରେ କିଛି ପଡ଼ିଆ ନିର୍ଦ୍ଦିଷ୍ଟ କ୍ଲବ୍‌ଙ୍କ କବ୍‌ଜାରେ ରହିଛି। ଯେଉଁ କେତେକ ପଡ଼ିଆରେ ଖେଳ ହୁଏ ଓ ପିଲାମାନେ ଅଭ୍ୟାସ କରନ୍ତି ସେଥିରୁ ଅଧିକାଂଶ ପଡ଼ିଆରେ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ହେଉଛି। ବିଡିଏ ପକ୍ଷରୁ କାମ ଚାଲିଥିବା କୁହାଯାଉଥିଲେ ମଧ୍ୟ ପ୍ରାୟ ସମସ୍ତ ପଡ଼ିଆର କାମ ବନ୍ଦ ପଡ଼ିଛି। ସରକାର ବଦଳିବା ପରେ ବିଡିଏ ଏହି ବିକାଶମୂଳକ କାମ ବନ୍ଦ କରିଦେଇଥିବ‌ା ଅଭିଯୋଗ ହୋଇଛି।

ଭିତ୍ତିଭୂମି ବିକାଶ ନାଁରେ ପଡ଼ିଆରେ ତାଲା
ସ୍ଥାନୀୟ ଯୁବକଙ୍କୁ ମିଳୁନି ଖେଳିବା ସୁଯୋଗ

ରାଜଧାନୀ କଲେଜ, ଭୋଇନଗର ୟୁନିଟ୍-୯ ବାଳକ ବିଦ୍ୟାଳୟ, ସହିଦନଗର ସରକାରୀ ଉଚ୍ଚବିଦ୍ୟାଳୟ, ଲକ୍ଷ୍ମୀସାଗର ଉଚ୍ଚବିଦ୍ୟାଳୟ, ୟୁନିଟ୍-୬ ସରକାରୀ ଉଚ୍ଚବିଦ୍ୟାଳୟ, କପିଳପ୍ରସାଦ ହାଇସ୍କୁଲ, ଯଦୁପୁର, ଡୁମୁଡୁମା, କେ୪-କଳିଙ୍ଗନଗର ଖେଳପଡ଼ିଆ, ୟୁନିଟ୍-୨ ସରକାରୀ ଉଚ୍ଚବିଦ୍ୟାଳୟ, ଅଶୋକନଗର, ସିବିଏସ୍ଇ ଆଞ୍ଚଳିକ କାର୍ଯ୍ୟାଳୟ କଡ଼ ଖେଳପଡ଼ିଆ, ଘାଟିକିଆ ୟୁପି ସ୍କୁଲ୍‌, କଳିଙ୍ଗନଗର କେ୯ ଖେଳପଡ଼ିଆ, ନଖରା, ନୂଆପଲ୍ଲୀ ଇନ୍ଦିରା ମଇଦାନ, ବଡ଼ଗଡ଼ ଉଚ୍ଚବିଦ୍ୟାଳୟ, ଡମଣା ଉଚ୍ଚବିଦ୍ୟାଳୟ, ୟୁନିଟ୍-୮ ସରକାରୀ ବାଳକ ଉଚ୍ଚବିଦ୍ୟାଳୟରେ ବିଭିନ୍ନ କ୍ରୀଡ଼ା ପାଇଁ ଭିତ୍ତିଭୂମି ପ୍ରସ୍ତୁତ ହେଉଛି। ପଡ଼ିଆ ପ୍ରସ୍ତୁତ ହେବା ପରେ କେଉଁ ଅଞ୍ଚଳର ପିଲାଙ୍କୁ କେତେବେଳେ ଓ କେତେ ସମୟ ଖେଳିବାକୁ ସୁଯୋଗ ଦିଆଯିବ, ସେ ନେଇ ଏକ କ୍ୟାଲେଣ୍ଡର ପ୍ରସ୍ତୁତ ହେବ ବୋଲି କୁହାଯାଇଥିଲା। କିନ୍ତୁ କାର୍ଯ୍ୟ ବିଳମ୍ବ ହେଉଥିବାରୁ ସ୍ଥାନୀୟ ଯୁବକଙ୍କ ମଧ୍ୟରେ ଅସ‌ନ୍ତୋଷ ଦେଖାଦେଇଛି।

ଏ ନେଇ କଳିଙ୍ଗବିହାର କେ-୪ ଅଞ୍ଚଳରେ ଥିବା ଜଗ ମୋହନ ପ୍ରଧାନଙ୍କ କହିବା କଥା, ଫୁଟ୍‌ବଲ୍‌, କ୍ରିକେଟ୍‌ ଓ ଭଲିବଲ୍‌ ଖେଳ ପାଇଁ ପଡ଼ିଆ ପ୍ରସ୍ତୁତ କରିବେ କହିଥିଲେ। ହେ‌ଲେ ବ‌‌ର୍ଷେହେଲାଣି ମାଟି ପକାଇବା କାମ ସରୁନାହିଁ। ଆମେ ପୂର୍ବରୁ ଭଲି‌ବଲ୍‌ ଖେଳୁଥିଲୁ, ଛୋଟପିଲା କ୍ରିକେଟ୍‌ ଖେଳୁଥିଲେ। ବିଭିନ୍ନ ଟୁର୍ଣ୍ଣାମେଣ୍ଟ୍‌ର ଆୟୋଜନ କରାଯାଉଥିଲା। ହେଲେ ଗତ ବର୍ଷେ ‌ହେଲା ସବୁ ଖେଳ ପଡ଼ିଆର ଉନ୍ନତୀକରଣ ଚାଲୁଥିବାରୁ ଖେଳ ବନ୍ଦ ଅଛି। ଏ ସମ୍ପର୍କରେ ବିଡିଏ ଉପାଧ୍ୟକ୍ଷ ଏନ୍‌ ତିରୁମାଲା ନାୟକ କହିଛନ୍ତି ନୂଆପଲ୍ଲୀ ଇନ୍ଦିରା ମଇଦାନର ଜମି ବିବାଦରୁ କାମ ବନ୍ଦ ରହିଛି। ଓଏମ୍‌ସି, ଓଏଚ୍‌ପିସି, ଓଏଫ୍‌ଡିସି ଓ ବିଡିଏ କର୍ତ୍ତୃପକ୍ଷଙ୍କ ଦ୍ବାରା ଅନ୍ୟ ସବୁ ଖେଳପଡ଼ିଆର ବିକାଶ କାର୍ଯ୍ୟ  ପର୍ଯ୍ୟାୟକ୍ରମେ ହେଉଛି। ଖୁବ୍‌ଶୀଘ୍ର  ଏହି ସବୁ ଖେଳପଡ଼ିଆର ଉନ୍ନତୀକରଣ କାର୍ଯ୍ୟ ଶେଷ ହେବ ବୋଲି ସେ କହିଛନ୍ତି।