ଭୁବନେଶ୍ୱର: ଅସନ୍ତାକାଲି ବୁଧବାର ଅକ୍ଷୟ ତୃତୀୟା। ଶ୍ରୀଲିଙ୍ଗରାଜ ମହାପ୍ରଭଙ୍କୁ ଚନ୍ଦନ ଯାତ୍ରା ଆରମ୍ଭ । ଶ୍ରୀଲିଙ୍ଗରାଜ, ମା’ ପାର୍ବତୀ, ମା’ ଦୁର୍ଗା ଓ ବାସୁଦେବ ବିନ୍ଦୁସାଗରରେ ଚାପ ଖେଳିବେ। ତେବେ ସେବାୟତଙ୍କ ବିବାଦ ଯୋଗୁ ଗତ ୧୦ବର୍ଷ ହେଲା କପିଳନାଥ ମହାପ୍ରଭୁ ବିନ୍ଦୁସାଗରକୁ ଆସୁନାହାନ୍ତି। ଏପଟେ ଚନ୍ଦନ ଯାତ୍ରା ପାଇଁ ଆସନ୍ତାକାଲି ଶ୍ରୀଲିଙ୍ଗରାଜ ମନ୍ଦିରରେ ସମସ୍ତ ନୀତିକାନ୍ତି ସମାପନ କରାଯାଇ ଦେବଦେବୀମାନେ ବାହାରିବେ । ଏହାପରେ ଠାକୁର ବାହାରି ବିନ୍ଦୁସାଗର ବ୍ରହ୍ମାଘାଟ କୂଳକୁ ଯିବେ ।

Advertisment

ସେଠାରେ ଚାପ ଡଙ୍ଗାରେ ପ୍ରଥମେ ପୂଜାପଣ୍ଡା ସେବାୟତ ଛେରାପହଁରା କରିବେ । ଏହା ପରେ ପାଳିଆ ବଡ଼ୁ ସେବାୟତ ଠାକୁରଙ୍କୁ ମଣୋହୀ କରିବା ପରେ ଦେବଦେବୀ ଚାପ ଡଙ୍ଗାର ସିଂହାସନରେ ବିଜେ କରିବେ । ସମ୍ମୁଖ ସିଂହାସନରେ ଶ୍ରୀଲିଙ୍ଗରାଜ, ମା’ ପାର୍ବତୀ, ମା’ ଦୁର୍ଗା ବସିବେ । ସେହିପରି ଦୁଇ କଡରେ ଥିବା ସିଂହାସନରେ ବାସୁଦେବ ବସି  ଚାପ ଖେଳିବେ।। ଅକ୍ଷୟ ତୃତୀୟା ଦିନ ମହନୀ ଘାଟରେ ଭୋଗ ଖାଇବେ । ଏହାପରେ ୮ଘେରା ଭଉଁରି ଖେଳି ଜଗତିକୁ ଯିବେ । ସେଠାରେ ପୂଜାର୍ଚ୍ଚନା ସହ ଚନ୍ଦନ ପାଣିରେ ସ୍ନାନ କରିବେ । ପୁଣି ଜଗତିରୁ ବାହାରି ଜଗତି ଚାରିପଟେ ଡଙ୍ଗାରେ ଭଉଁରି ଖେଳି ପ୍ରତ୍ୟାବର୍ତ୍ତନ କରିବେ । ଏଥି ପାଇଁ ମହାରଣା ସେବାୟତମାନେ ଚାପ ଡଙ୍ଗା ପ୍ରସ୍ତୁତ କରିଛନ୍ତି। ଆଜି ଚାପ ଡଙ୍ଗା ପ୍ରସ୍ତୁତ ସରିବା ପରେ ସିଂହାସନ ଲାଗିବା ପୂର୍ବରୁ ଡଙ୍ଗାକୁ ପରୀକ୍ଷା କରାଯାଇଥିଲା।