ପୁରୁଣା ଭୁବନେଶ୍ୱର: ରାତି ପାହିଲେ ଶ୍ରାବଣ ମାସର ପ୍ରଥମ ସୋମବାର। ଭକ୍ତମାନେ ଠାକୁରଙ୍କ ଉପରେ ଜଳଲାଗି କରିବେ। ଏଥିପାଇଁ ଶ୍ରୀଲିଙ୍ଗରାଜ ମନ୍ଦିର ଆଗରେ କାଉଡ଼ିଆଙ୍କ ଭିଡ଼ ଜମିଲାଣି। ମନ୍ଦିର ଆଗରେ ପୂର୍ତ୍ତ ବିଭାଗ ପକ୍ଷରୁ ଜିଗ୍ଜାଗ୍ ଲୁହା ବ୍ୟାରିକେଡ୍ ପ୍ରସ୍ତୁତ କରାଯାଇଛି। ଏଥିସହ ମନ୍ଦିର ସମ୍ମୁଖରେ ପୁରୁଷ ଓ ମହିଳାଙ୍କ ଆଶ୍ରୟସ୍ଥଳ ତିଆରି ହୋଇଛି। ସେହିପରି ବିଭିନ୍ନ ଦାତବ୍ୟ ଅନୁଷ୍ଠାନ ପକ୍ଷରୁ ରନ୍ଧା ଖାଦ୍ୟ ପ୍ରସ୍ତୁତ କରାଯାଇଛି। ମନ୍ଦିର ଭିତରେ ଏଏସ୍ଆଇ ପକ୍ଷରୁ ବ୍ୟାରିକେଡ୍ ବନ୍ଧା ହୋଇଛି। କାଉଡ଼ିଆମାନେ ଅପରାହ୍ଣରୁ ଝିପିଝିପି ବର୍ଷାରେ ଭିଜିଭଜି ଏକାମ୍ର କ୍ଷେତ୍ରକୁ ଆସିଛନ୍ତି। ଅନେକ କାଉଡ଼ିଆ କେଦାରଗୌରୀ ମନ୍ଦିର ନିକଟରେ ଓ ଆଉ କିଛି କାଉଡ଼ିଆ ମନ୍ଦିର ସମ୍ମୁଖରେ ବିଶ୍ରାମ ନେଉଛନ୍ତି।
ଶ୍ରାବଣୀ ନୀତି ନିର୍ଘଣ୍ଟ ଅନୁଯାୟୀ ଭୋର ୩ଟାରୁ ମନ୍ଦିର ଖୋଲାଯିବ। ଭୋର ସାଢ଼େ ୩ଟାରେ ମଙ୍ଗଳଆଳତି ଓ ଅବକାଶ ନୀତି କରାଯିବା ପରେ ୪ଟାରେ ସାହାଣମେଲା ଦର୍ଶନ ପରେ କାଉଡ଼ିଆମାନେ ଧାଡ଼ିକରି ମନ୍ଦିରକୁ ପ୍ରବେଶ କରିବେ। ଚଳିତ ବର୍ଷ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ସାହାଣମେଲା ଦର୍ଶନ ବ୍ୟବସ୍ଥା କରାଯାଇଛି। ଆଡ଼କାଠ ନିକଟରୁ ଗର୍ଭଗୃହ ପର୍ଯ୍ୟନ୍ତ ଏକ ତମ୍ୱାପାତ୍ରର ନଳ ରଖାଯାଇଛି। କାଉଡ଼ିଆମାନେ ଧାଡ଼ିରେ ଆସି ଆଡ଼କାଠ ନିକଟରେ ତମ୍ୱାପାତ୍ରରେ ତୀର୍ଥ ଜଳ ଢାଳିବେ। ସେହି ପାତ୍ରରୁ ତୀର୍ଥ ଜଳ ଯାଇ ସିଧା ଠାକୁରଙ୍କ ଶକ୍ତି ଉପରେ ପଡ଼ିବ। ଏଥିସହ କାଉଡ଼ିଆଙ୍କ ସୁରକ୍ଷା ପାଇଁ ଶ୍ରୀଲିଙ୍ଗରାଜ ଥାନା ପୁଲିସ ଓ ୫ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି। ଲିଙ୍ଗରାଜ ମନ୍ଦିର ସମେତ କାଉଡ଼ିଆଙ୍କ ଭିଡ଼, ଯିବା ଆସିବା ରାସ୍ତା ସମେତ ୨୬ଟି ସ୍ଥାନରେ ପୁଲିସ ରହିବ ବୋଲି ଜଣାପଡ଼ିଛି।
ଏଥିରେ ଜଣେ ଅତିରିକ୍ତ ଡିସିପି, ୨ଜଣ ଏସିପି, ୩ଜଣ ଥାନା ଅଧିକାରୀ, ୨୨ଜଣ ଏସ୍ଆଇ ଓ ଏଏସ୍ଆଇ ରହିବେ। ରାସ୍ତାରେ ପୁଲିସ ମୋବାଇଲ୍ ପାଟ୍ରୋଲିଂ ଟିମ୍ ଓ ପିସିଆର୍ ରହିବ। ଦୁଘର୍ଟଣା ରୋକିବାକୁ ଆଶୁ ଚିକିତ୍ସା ଟିମ୍ ଓ ଫାଷ୍ଟଏଡ୍ ଟିମ୍ ରହିବ। କିଛି ଭକ୍ତ ବିନ୍ଦୁସାଗରରୁ ପାଣି ଉଠାଉଥିବାରୁ ସେଠାରେ ଦମକଳ ବାହିନୀ ଓ ଓଡ୍ରାଫ୍ ଟିମ୍ ରହିବ। ମହିଳା ଭକ୍ତ ଆସିବା ସମ୍ଭାବନା ଥିବାରୁ ସେମାନଙ୍କୁ ସୁରକ୍ଷା ଯୋଗାଇ ଦିଆଯିବ ବୋଲି ଥାନା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପ୍ରଧାନ କହିଛନ୍ତି। ଆଜି କମିସନରେଟ ପୁଲିସ ପକ୍ଷରୁ ଏସିପି ଓ ଅତିରିକ୍ତ ଜିଲ୍ଲାପାଳ ତଥା ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ରୁଦ୍ର ପ୍ରସାଦ ମହାନ୍ତି ମନ୍ଦିର ବାହାର ଓ ଭିତର ସ୍ଥିତି ଯାଞ୍ଚ କରିଛନ୍ତି। ତେବେ ମନ୍ଦିର ଭିତରକୁ ବ୍ଲେଡ୍ ଓ ଛୁରି ନେବାକୁ ବାରଣ କରାଯାଇଛି।