ପୁରୁଣା ଭୁବନେଶ୍ୱର: ରାତି ପାହିଲେ ଶ୍ରାବଣ ମାସର ପ୍ରଥମ ସୋମବାର। ଭକ୍ତମାନେ ଠାକୁରଙ୍କ ଉପରେ ଜଳ ଲାଗି କରିବେ। ଏଥିପାଇଁ ମନ୍ଦିର ଆଗରେ କାଉଡ଼ିଆଙ୍କ ଭିଡ଼ ଦେଖିବାକୁ ମିଳିଛି। ମନ୍ଦିର ଆଗରେ ଆର୍ଏଣ୍ଡ୍ବି ବିଭାଗ ପକ୍ଷରୁ ଜିଗ୍ଜାଗ୍ ଲୁହା ବ୍ୟାରିକେଡ୍ ପ୍ରସ୍ତୁତି କରାଯାଇଛି। ଏଥିସହ ମନ୍ଦିର ସମ୍ମୁଖରେ ପୁରୁଷ ଓ ମହିଳାଙ୍କ ଆଶ୍ରୟସ୍ଥଳ ତିଆରି ହୋଇଛି। ସେହିପରି ବିଭିନ୍ନ ଦାତବ୍ୟ ଅନୁଷ୍ଠାନ ପକ୍ଷରୁ ରନ୍ଧା ଖାଦ୍ୟ ପ୍ରସ୍ତୁତ କରାଯାଇଛି। ମନ୍ଦିର ଭିତରେ କାଉଡ଼ିଆମାନଙ୍କୁ ଶୃଙ୍ଖଳିତ ଭାବେ ଭିତରକୁ ଛାଡ଼ିବା ପାଇଁ ଏଏସ୍ଆଇ (ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା) ପକ୍ଷରୁ ବ୍ୟାରିକେଡ୍ ବନ୍ଧା ହୋଇଛି। କାଉଡ଼ିଆମାନେ ରବିବାର ଅପରାହ୍ନରୁ ଆସି ଏକାମ୍ର କ୍ଷେତ୍ରରେ ପହଞ୍ଚିଛନ୍ତି। ଅନେକ କାଉଡ଼ିଆ କେଦାରଗୌରୀ ମନ୍ଦିର ନିକଟରେ ଓ ଆଉ କିଛି ମନ୍ଦିର ସମ୍ମୁଖରେ ବାହୁଙ୍ଗି ରଖି ବିଶ୍ରାମ ନେଉଛନ୍ତି। ମହାନଦୀର କଟକ ଗଡ଼ଗଡ଼ିଆ ଘାଟ ସମେତ ଅନ୍ୟ ନଦୀ ଘାଟରୁ ଜଳଭାର ନେଇ କାଉଡ଼ିଆମାନେ ଏକାମ୍ର କ୍ଷେତ୍ରରେ ପହଞ୍ଚିବା ପରେ ପାଣି ଭାର ବ୍ୟାରିକେଡ୍ରେ ରଖି ବିଶ୍ରାମ ନେଉଛନ୍ତି। ମନ୍ଦିର ସମ୍ମୁଖରେ ଖୋଳା ହୋଇଥିବା ସ୍ଥାନରେ କାଉଡ଼ିଆ ଯିବାଆସିବା ପାଇଁ ଗାଲିଚା ବିଛା ହୋଇଛି। ଲିଙ୍ଗରାଜ ମନ୍ଦିର ସିଂହଦ୍ୱାର ସମ୍ମୁଖ ଡାହାଣ ପାର୍ଶ୍ୱରେ ଗଙ୍ଗା ଯମୁନା ମନ୍ଦିର ଆଡ଼କୁ ବ୍ୟାରିକେଡ୍ ଓ ତମ୍ବୁ ବନ୍ଧା ସରିଛି। ମନ୍ଦିର ପ୍ରଶାସନ ନିଷ୍ପତ୍ତି ଅନୁଯାୟୀ ପୂର୍ତ୍ତ ବିଭାଗ ଏହି କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଶେଷ କରିଛି।
ଶ୍ରାବଣୀ ନୀତି ନିର୍ଘଣ୍ଟ ଅନୁଯାୟୀ ସୋମବାର ଭୋର ୩ଟାରୁ ମନ୍ଦିର ଖୋଲାଯିବ। ଭୋର ସାଢ଼େ ୩ଟାରେ ମଙ୍ଗଳ ଆଳତି ଓ ଅବକାଶ ନୀତି କରାଯିବା ପରେ ୪ଟାରେ ସାହାଣମେଲା ଦର୍ଶନ ପରେ ଧାଡ଼ିକରି କାଉଡ଼ିଆମାନେ ମନ୍ଦିରକୁ ପ୍ରବେଶ କରିବେ। ବିଗତ ବର୍ଷରେ ଦିନ ୧୧ଟା ପର୍ଯ୍ୟନ୍ତ ସାହାଣମେଲା ଦର୍ଶନ ବ୍ୟବସ୍ଥା ରହିଥିବା ବେଳେ ଚଳିତ ବର୍ଷ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ସାହାଣମେଲା ଦର୍ଶନ ବ୍ୟବସ୍ଥା କରାଯାଇଛି। ଆଡ଼କାଠ ନିକଟରୁ ଗର୍ଭଗୃହ ପର୍ଯ୍ୟନ୍ତ ଏକ ତମ୍ୱା ପାତ୍ରର ନଳ ରଖାଯାଇଛି। କାଉଡ଼ିଆମାନେ ଧାଡ଼ି ବାନ୍ଧି ଆସି ଆଡ଼କାଠ ନିକଟରେ ସେହି ତମ୍ୱା ପାତ୍ରରେ ତୀର୍ଥ ଜଳ ଢାଳିବେ। ସେହି ପାତ୍ରରୁ ତୀର୍ଥ ଜଳ ଯାଇ ସିଧା ଠାକୁରଙ୍କ ଶକ୍ତି ଉପରେ ପଡ଼ିବ।
ତେବେ କାଉଡ଼ିଆଙ୍କ ସୁରକ୍ଷା ପାଇଁ ଶ୍ରୀଲିଙ୍ଗରାଜ ଥାନା ପୁଲିସ ସହ ୧୫ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଲିଙ୍ଗରାଜ ମନ୍ଦିର ସମେତ କାଉଡ଼ିଆଙ୍କ ଭିଡ଼ ଓ ରାସ୍ତାରେ ଯିବା ଆସିବା ସ୍ଥାନରେ ୨୬ଟି ସ୍ଥାନରେ ପୁଲିସ ରହିବେ ବୋଲି ଜଣାପଡ଼ିଛି। ଏଥିରେ ୨ଜଣ ଅତିରିକ୍ତ ଡିସିପି, ୪ଜଣ ଏସିପି, ୬ଜଣ ଥାନା ଅଧିକାରୀ, ୩୦ଜଣ ଏସ୍ଆଇ ଓ ଏଏସ୍ଆଇ ରହିବେ। ରାସ୍ତାରେ ପୁଲିସ ମୋବାଇଲ୍ ପାଟ୍ରୋଲିଂ ଟିମ୍ ଓ ପିସିଆର୍ ରହିବ। ଦୁଘର୍ଟଣା ରୋକିବାକୁ ଆଶୁ ଚିକିତ୍ସା ଟିମ୍ ଓ ଫାଷ୍ଟଏଡ୍ ଟିମ୍ ରହିବ। ଆଜି ଏନେଇ କମିସନରେଟ୍ ପୁଲିସ ପକ୍ଷରୁ ଡିସିପି ପ୍ରତୀକ ସିଂ ସ୍ଥିତି ଯାଞ୍ଚ କରିଛନ୍ତି।
ଅପରପକ୍ଷରେ କିଛି ଭକ୍ତ ବିନ୍ଦୁସାଗରରୁ ପାଣି ଉଠାଉଥିବାରୁ ସେଠାରେ ଦମକଳ ବାହିନୀ ଓ ଓଡ୍ରାଫ ଟିମ୍ ରହିବ। ରାତି ୩ଟାରୁ ଅଗ୍ନିଶମ ବାହିନୀ ବିନ୍ଦୁସାଗର କୂଳରେ ପଇଁତରା ମାରିବ। ରବର ବୋଟ୍, ଲାଇଫ୍ ବୟ, ଲାଇଫ୍ ଜ୍ୟାକେଟ୍ ଆଦି ବିଭିନ୍ନ ଅତ୍ୟାଧୁନିକ ଉପକରଣରେ ସଜ୍ଜିତ ଏହି ଟିମ୍ ବିନ୍ଦୁସାଗର ଚାରିକଡ଼ରେ ରହିବେ। ଜଳ ଉଠାଇବେ ବେଳେ କେହି ଯେଭଳି ଗଭୀର ଜଳକୁ ନ ଯାଆନ୍ତ, ସେଥିପ୍ରତି କାଉଡ଼ିଆମାନଙ୍କୁ ସତର୍କ କରାଯିବ। ଭୁବନେଶ୍ବର ଡେପୁଟି ଫାୟାର୍ ଅଫିସର୍ ଅବନୀକାନ୍ତ ସ୍ବାଇଁଙ୍କ ସୂଚନାନୁସାରେ ରାଜଧାନୀରେ କାଉଡ଼ିଆମାନଙ୍କ ସୁରକ୍ଷା ପାଇଁ ୧୦ ଦମକଳ କେନ୍ଦ୍ରର କର୍ମଚାରୀଙ୍କୁ ନେଇ ମାଇକ୍ରୋ ଟିମ୍ ପ୍ରସ୍ତୁତ ରହିଛି। ତେବେ ମନ୍ଦିର ଭିତରକୁ ବ୍ଲେଡ୍ ଓ ଛୁରି ନେବାକୁ ବାରଣ କରାଯାଇଛି। ରବିବାର ରାତିରୁ ପୁଲିସ ବିନ୍ଦୁସାଗର କୂଳ, ମନ୍ଦିର ସିଂହଦ୍ବାର ଓ ଆଖପାଖ ଅଞ୍ଚଳରେ ସଜାଗ ରହିଛି। ମହିଳା ଭକ୍ତ ଆସିବା ସମ୍ଭାବନା ଥିବାରୁ ସେମାନଙ୍କୁ ସୁରକ୍ଷା ଯୋଗାଇ ଦିଆଯିବ ବୋଲି ଥାନା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପ୍ରଧାନ କହିଛନ୍ତି।