ନନ୍ଦନକାନନ ପ୍ରତିଷ୍ଠା ଦିବସ ଆଜି: ୨୦୨୧ରେ ମଲ୍ଟି ଲେୟାର ପାର୍କିଂ

ସରୀସୃପ ଉଦ୍ୟାନ ଛକରେ ସେଲ୍‌ଫି ପଏଣ୍ଟ, ନୂଆ ପ୍ରସ୍ଥାନ ଗେଟ୍‌ ଉଦ୍‌ଘାଟନ ହେବ

ଭୁବନେଶ୍ବର/ବାରଙ୍ଗ: ୪୩୭ ଏକର ପରିମିତ ଜମିରେ ଛିଡ଼ା ହୋଇଥିବା ନନ୍ଦନକାନନ ପ୍ରାଣୀ ଉଦ୍ୟାନର ନବକଳେବର ଚାଲିଛି। ଅସଜଡ଼ା ଭିତ୍ତିଭୂମିକୁ ସଜାଡ଼ିବା ସହ ନୂଆ ବ୍ୟବସ୍ଥା ଆପଣାଇବାକୁ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ୨୦୧୭-୧୮ ଆର୍ଥିକ ବର୍ଷରୁ ଆରମ୍ଭ ହୋଇଥିବା ବହୁ ପ୍ରତୀକ୍ଷିତ ମଲ୍‌ଟି ଷ୍ଟୋରେଜ୍‌ ପାର୍କିଂ ୨୦୨୧ ପ୍ରଥମାର୍ଦ୍ଧରେ ଉଦ୍‌ଘାଟନ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏଥିସହ ମଙ୍ଗଳବାର ନନ୍ଦନକାନନ ପ୍ରାଣୀ ଉଦ୍ୟାନର ପ୍ରତିଷ୍ଠା ଦିବସ ଅବସରରେ ନୂତନ ପ୍ରସ୍ଥାନ ପଥର ଉଦ୍‌ଘାଟନ ସହ ପର୍ଯ୍ୟଟକଙ୍କ ଲାଗି ସରୀସୃପ ଉଦ୍ୟାନ ଛକରେ ଏକ ସେଲ୍‌ଫି ପଏଣ୍ଟ ହୋଇଛି। ମଙ୍ଗଳବାର ପୂର୍ବାହ୍ନରେ ଅନୁଷ୍ଠିତ ହେବାକୁ ଥିବା ପ୍ରତିଷ୍ଠା ଦିବସ ପାଳନ ଉତ୍ସବରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏହାକୁ ଉଦ୍‌ଘାଟନ କରିବେ।

ନନ୍ଦନକାନନ ଭିତରକୁ ପ୍ରବେଶ ଓ ପ୍ରସ୍ଥାନ ଲାଗି ଦୀର୍ଘ ବର୍ଷ ଧରି ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ଏବେ ପର୍ଯ୍ୟଟକମାନେ ଯେଉଁ ରାସ୍ତା ଦେଇ ଭିତରକୁ ପ୍ରବେଶ କରୁଛନ୍ତି, ସେହି ରାସ୍ତାରେ ବାହାରକୁ ବାହାରୁଛନ୍ତି। ଫଳରେ ଯିବା ଆସିବାରେ ଅସୁବିଧା ହେଉଛି। ଏହାର ସମାଧାନ ଲାଗି ଗତବର୍ଷ ଯୋଜନା ପ୍ରସ୍ତୁତ ହେବା ସହ ନୂତନ ପ୍ରସ୍ଥାନ ପଥ ଲାଗି ଭିତ୍ତିପ୍ରସ୍ତର ପଡ଼ିଥିଲା। ଗୋଟିଏ ବର୍ଷ ମଧ୍ୟରେ ପ୍ରସ୍ଥାନ ପଥ ଚୂଡ଼ାନ୍ତ ରୂପ ନେଇଛି। ଫଳରେ ଏଣିକି ପର୍ଯ୍ୟଟକ ଯେଉଁ ବାଟ ଦେଇ ପ୍ରାଣୀ ଉଦ୍ୟାନ ଭିତରକୁ ପ୍ରବେଶ କରିବେ, ଆଉ ସେହି ବାଟରେ ବାହାରିବେ ନାହିଁ। ସିଧା ମଲ୍ଟି ଲେୟାର ପାର୍କିଂକୁ ଯୋଗାଯୋଗ କରୁଥିବା ନୂଆ ପ୍ରସ୍ଥାନ ପଥରେ ବାହାରକୁ ଆସିବେ। ଫେରିବା ସମୟରେ ପର୍ଯ୍ୟଟକମାନେ ସେମାନଙ୍କ ଅନୁଭୂତି ସମ୍ପର୍କରେ ମତାମତ ଦେଇପାରିବେ। ଦୀର୍ଘ ଦିନ ହେଲା ବନ୍ଦ ରହିଥିବା ସଫାରି ଖୋଲିବା ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି। ତାହାର ପୂର୍ବ ପ୍ରସ୍ତୁତି ସ୍ବରୂପ ସଫାରୀ ଟିକେଟ୍‌ ଘର ଉଦ୍‌ଘାଟିତ ହେବ। ଏହାବ୍ୟତୀତ ବାଘୁଣୀ ସ୍ନେହାଗର୍ଭରୁ ଜନ୍ମିତ ହୋଇଥିବା ଦୁଇ କଳାବାଘ ଛୁଆଙ୍କ ନାମ ଘୋଷଣା ହେବାର ସମ୍ଭାବନା ରହିଛି।

ନନ୍ଦନକାନନ ପ୍ରାଣୀ ଉଦ୍ୟାନ ନିର୍ଦେଶକ ଶଶୀ ପାଲଙ୍କ କହିବାନୁଯାୟୀ, ମଲ୍ଟି ଲେୟାର ପାର୍କିଂର ସମସ୍ତ କାର୍ଯ୍ୟ ଶେଷ ହୋଇଛି। ବିଲଡିଂ କାମ ସରିଥିବା ବେଳେ ଏବେ ବାହାର ପରିବେଶର ସୌନ୍ଦର୍ଯ୍ୟୀକରଣ ଚାଲିଛି। ଏହା ସରିବାକୁ ଆହୁରି ମାସେ ସମୟ ଲାଗିଯିବ। ତେଣୁ ପ୍ରତିଷ୍ଠା ଦିବସରେ ଏହାକୁ ଉଦ୍‌ଘାଟନ କରିବା ସମ୍ଭବପର ନୁହେଁ। ଏହି ପାର୍କିଂ ବ୍ୟବସ୍ଥା ହେବା ଦ୍ବାରା ଦୀର୍ଘ ବର୍ଷ ଧରି ଲାଗି ରହିଥିବା ପାର୍କିଂ ସମସ୍ୟା ଦୂର ହେବ। ବାକି ଯେଉଁ କାର୍ଯ୍ୟ ଅଧାପନ୍ତରିଆ ରହିଛି, ତାହାର କାର୍ଯ୍ୟ ଶେଷ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି। ୨୦୨୧ ସୁଦ୍ଧା ପ୍ରାଣୀ ଉଦ୍ୟାନକୁ ନୂଆ ରୂପ ଦେବାକୁ ଯୋଜନା ଚାଲିଛି। ଉଦ୍‌ଘାଟନୀ ଉତ୍ସବରେ କର୍ମଚାରୀମାନଙ୍କୁ ସମ୍ବର୍ଦ୍ଧିତ କରାଯିବ। ପର୍ଯ୍ୟଟକଙ୍କ ସୁରକ୍ଷାକୁ ସବୁବେଳେ ଗୁରୁତ୍ବ ଦିଆଯାଉଥିବା ସେ କହିଛନ୍ତି।

ସମ୍ବନ୍ଧିତ ଖବର