ଆଜି ସୁବର୍ଣ୍ଣ ଜୟନ୍ତୀ ସମାରୋହ: ଶାନ୍ତିସ୍ତୂପରେ ‘ବୁଦ୍ଧଂ ଶରଣଂ ଗଚ୍ଛାମି’

ପହଞ୍ଚିଲେଣି ବିଦେଶୀ ବୌଦ୍ଧ ସନ୍ନ୍ୟାସୀ

ଧଉଳି: ଆଜି ଧଉଳିଗିରିର ପ୍ରସ୍ତର ଗହ୍ବର‌ରେ ଗୁଞ୍ଜରିତ ହେଉଥିଲା ‘ବୁଦ୍ଧଂ ଶରଣଂ ଗଛାମି, ସଂଘଂ ଶରଣଂ ଗଛାମି’। ଶତାଧିକ ବିଦେଶୀ, ଭାରତୀୟ ବୌଦ୍ଧ ସନ୍ନ୍ୟାସୀ ଓ ଭିକ୍ଷୁମାନଙ୍କ କଣ୍ଠ ନିସୃତ ବିଭିନ୍ନ ବୁଦ୍ଧ ମନ୍ତ୍ର ଶାନ୍ତିସ୍ତୂପ ସମେତ ସମଗ୍ର ଧଉଳି ପାହାଡ଼ରେ ଖେଳାଇଦେଇଥିଲା ଏକ ଅପୂର୍ବ ଆଧ୍ୟାତ୍ମିକ ପରିବେଶ। ସ୍ଥାନୀୟ ଅଞ୍ଚଳର ହଜାର ହଜାର ହିନ୍ଦୁ ଧର୍ମାବଲମ୍ବୀ ବୌଦ୍ଧ ସନ୍ନ୍ୟାସୀମାନଙ୍କୁ ଭବ୍ୟ ସ୍ବାଗତ ଜଣାଇବା ସହ ପାଛୋଟି ନେବାର କାର୍ଯ୍ୟକ୍ରମ ଥିଲା ବେଶ୍ ଦର୍ଶନୀୟ। ଆସନ୍ତାକାଲି ହେବାକୁ ଥିବା ଧଉଳି ଶାନ୍ତିସ୍ତୂପର ସୁବର୍ଣ୍ଣ ଜୟନ୍ତୀ ସମାରୋହକୁ ନିମନ୍ତ୍ରିତ ବୌଦ୍ଧ ସନ୍ନ୍ୟାସୀମାନଙ୍କ ପାଇଁ ହୋଇଥିବା ସ୍ବାଗତ ଉତ୍ସବରେ ଏମିତି ଥିଲା ଆଜିର ପରିବେଶ।

ରାତି ପାହିଲେ ଧଉଳି ଶାନ୍ତିସ୍ତୂପର ୫୦ ବର୍ଷ ପୂର୍ତ୍ତି। ଏହି ସୁବର୍ଣ୍ଣ ଜୟନ୍ତୀ ସମାରୋହକୁ ନିମନ୍ତ୍ରିତ ହୋଇଛନ୍ତି ଦେଶ ବିଦେଶର ଶତାଧିକ ବୌଦ୍ଧ ସନ୍ନ୍ୟାସୀ। ତେଣୁ ଆଜି ଜୟନ୍ତୀ ସମାରୋହର ଅବ୍ୟବହିତ ପୂର୍ବରୁ ଧଉଳିରେ ପହଞ୍ଚିଥିଲେ ବହୁ ବୌଦ୍ଧ ସନ୍ନ୍ୟାସୀ। ଜାପାନ, ଶ୍ରୀଲଙ୍କା, ମାଲେସିଆ, ନେପାଳ, ରୁଷ, ଇଂଲଣ୍ଡ, ୟୁକ୍ରେନ୍‌, ଆମେରିକା ଆଦି ଦେଶର ବୌଦ୍ଧ ସନ୍ନ୍ୟାସୀମାନେ ଆଜି ଧଉଳିରେ ପହଞ୍ଚିଥିଲେ। ବୌଦ୍ଧ ସନ୍ନ୍ୟାସୀମାନଙ୍କର ସ୍ବାଗତ ସତ୍କାର ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ସବୁ ପ୍ରକାରର ସୁବିଧା କରାଯାଇଥିଲା। ସେମାନଙ୍କର ରହଣି ଲାଗି ରାଜ୍ୟ ଅତିଥି ଭବନ, ଖୋର୍ଦ୍ଧା ଜିଲ୍ଲାପାଳଙ୍କ ସ୍ବତନ୍ତ୍ର ସର୍କିଟ୍‌ ହାଉସ୍‌ ଏବଂ ଏସ୍‌ଆଇଆର୍‌ଡିରେ ବ୍ୟବସ୍ଥା କରାଯାଇଛି। ଆଜି ପୂର୍ବାହ୍ନରେ ବୌଦ୍ଧଭିକ୍ଷୁ ଓ ସନ୍ନ୍ୟାସୀମାନେ ଧଉଳିଛକରେ ପହଞ୍ଚିବା ପରେ ପ୍ରଥମେ ଧଉଳି ପଞ୍ଚାୟତବାସୀଙ୍କ ତରଫରୁ ସେମାନଙ୍କୁ ଭବ୍ୟ ସ୍ବାଗତ ସମ୍ପର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଏହାପରେ ଧଉଳି ଛକରୁ ଏକ ଶାନ୍ତି ପଦଯାତ୍ରା ବାହାରି ଅଶୋକଙ୍କ ଶିଳାନୁଶାସନ ଏବଂ ହାତୀପାର୍କ ନିକଟରେ ପହଞ୍ଚିଥିଲା।

ଶାନ୍ତି ପଦଯାତ୍ରା ଅବସରରେ ଖୋର୍ଦ୍ଧା ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ, ଏଡିଏମ୍‌ ପ୍ରଫୁଲ୍ଲ ସ୍ବାଇଁ, ପୂର୍ତ୍ତ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରଭୁଦତ୍ତ ପ୍ରଧାନ, ଧଉଳି ସରପଞ୍ଚ ଚନ୍ଦନ କୁମାର ମଲ୍ଲିକ, କଳିଙ୍ଗ ନିପନ ବୁଦ୍ଧ ସଂଘର କାର୍ଯ୍ୟକର୍ତ୍ତାମାନେ ସାମିଲ ହୋଇଥିଲେ। ହାତୀପାର୍କ ନିକଟରେ ସନ୍ନ୍ୟାସୀମାନେ ଖାଦ୍ୟ ପାନୀୟ ଗ୍ରହଣ କରିଥିଲେ। ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ସେଠାରେ ‌ସନ୍ନ୍ୟାସୀମାନଙ୍କୁ ସ୍ବାଗତ ଜଣାଇଥିଲେ। ଏହାପରେ ସେମାନେ ଭଗବାନ ବୁଦ୍ଧଙ୍କ ବିଭିନ୍ନ ମନ୍ତ୍ର ଉଚ୍ଚାରଣ କରି ଶାନ୍ତିସ୍ତୂପ ଉପରକୁ ଯାଇଥିଲେ। ସେଠାରେ ସମବେତ କଣ୍ଠରେ ଉଚ୍ଚାରିତ ହୋଇଥିଲା ‌ବୁଦ୍ଧ ମନ୍ତ୍ର। ଦୀର୍ଘ ସମୟ ଧରି ସେଠାରେ ପୂଜାର୍ଚ୍ଚନା ଚାଲିଥିଲା। ଏହାପରେ ପ୍ରଶାସନ ପକ୍ଷରୁ ଆୟୋଜିତ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସନ୍ନ୍ୟାସୀମାନେ ସାମିଲ୍‌ ହୋଇଥିଲେ। ‌ମୁଖୁକ ସନ୍ନ୍ୟାସୀ ୩ଟି ଚାରା ଲଗାଇଥିଲେ। ତାଙ୍କ ପରେ ଅନ୍ୟ ସନ୍ନ୍ୟାସୀ ଓ ପ୍ରଶାସନିକ ଅଧିକାରୀମାନେ ଚାରାରୋପଣ କରିଥିଲେ। ଶେଷରେ ସନ୍ନ୍ୟାସୀମାନଙ୍କୁ ଅତିଥି ଭବନକୁ ଭୁବନେଶ୍ବର ଏଡିଏମ୍‌ ଶ୍ରୀ ସ୍ବାଇଁ ପାଛୋଟି ନେଇଥିଲେ।

ସୂଚନାଯୋଗ୍ୟ ଯେ ଶାନ୍ତିସ୍ତୂପର ଏହି ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଆସନ୍ତାକାଲି ପ୍ରଥମେ ସକାଳ ସାଢ଼େ ୧୦ଟା ସମୟରେ ଶାନ୍ତିସ୍ତୂପରେ ବୌଦ୍ଧ ସନ୍ନ୍ୟାସୀମାନେ ସମୂହ ପ୍ରାର୍ଥନା ସଭାରେ ସାମିଲ୍‌ ହେବେ। ପୂର୍ବାହ୍ନ ୧୧ଟାରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଦିବ୍ୟାଙ୍ଗ ଏବଂ ବରିଷ୍ଠ ନାଗରିକଙ୍କ ଲାଗି ନିର୍ମିତ ଲିଫ୍‌ଟ ଉଦ୍‌ଘାଟନ କରିବେ। ସେ ହିଁ ଲିଫ୍‌ଟରେ ପ୍ରଥମ ପର୍ଯ୍ୟଟକ ଭାବେ ଶାନ୍ତିସ୍ତୂପକୁ ଯିବେ। ଏହାପରେ ଆୟୋଜିତ ଧର୍ମସଭାରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବୌଦ୍ଧ ସନ୍ନ୍ୟାସୀଙ୍କ ଗହଣରେ ବକ୍ତବ୍ୟ ରଖିବେ। ଆସନ୍ତାକାଲିଠାରୁ ଏଠାରେ ନିୟମିତ ଲାଇଟ୍‌ ଆଣ୍ଡ ସା‌ଉଣ୍ଡ ସୋ’ ପ୍ରଦର୍ଶିତ ହେବ।

ସମ୍ବନ୍ଧିତ ଖବର