ଆଜି ପବିତ୍ର ଇଦ୍-ଉଲ୍‌ ଫିତର, ଏଥର ଘରୁ ଶୁଭିବ ନମାଜ

ଭୁବନେଶ୍ୱର: ଗୁରୁବାର ସରିଛି ଇସ୍‌ଲାମ୍ ଧର୍ମର ପବିତ୍ର ରମ୍‌ଜାନ ମାସ। ସନ୍ଧ୍ୟାରେ ଇଦ୍‌ ଚାନ୍ଦ ଦେଖି ଉପାସକମାନେ ଇଦ୍‌ ପାଳନର ଶେଷ ପର୍ବ ସମାହିତ କରିଛନ୍ତି। ଆଜି ପାଳିତ ହେବ ତ୍ୟାଗ ଓ ସମର୍ପଣର ପର୍ବ ଇଦ୍‌-ଉଲ୍-ଫିତର୍। ତେବେ କରୋନା କଟକଣାରେ ପାଳିତ ହୋଇଥିବା ଏହି ପର୍ବ ଅବସରରେ ନା ହୋଇ ପାରିଛି ସମୂହ ନମାଜ ପାଠ, ନା ହୋଇ ପାରିଛି ଇଫ୍‌ତାର୍ ପାର୍ଟି। ମସ୍‌ଜିଦ୍‌ ଓ ଇଦ୍‌ଗାହା ଇଦ୍‌ ମୁବାରକ୍‌ ଧ୍ବନିରେ ପ୍ରକମ୍ପିତ ହୋଇନାହିଁ। ବିଧି ଅନୁସାରେ ମୌଲାନା ମସ୍‌ଜିଦ୍‌ରେ ନମାଜ ପାଠ କରିଥିବା ବେଳେ ଉପାସକମାନେ ନିଜ ନିଜ ଘରେ ନମାଜ ପାଠ କରିଥିଲେ। ତେଣୁ ଏଥର ଘରେ ଘରେ ଗୁଞ୍ଜରିତ ହୋଇଥିଲା ନମାଜ।

ଇସ୍‌ଲାମ୍ ଧର୍ମର ବଡ଼ ପର୍ବ ଇଦ୍‌ ପାଳନର ପାରମ୍ପରିକ ଆୟୋଜନରେ ଚଳିତ ବର୍ଷ ପୁଣି ଥରେ ପ୍ରତିବନ୍ଧକ ସାଜିଥିଲା ମହାମାରୀ କରୋନା। ଗତବର୍ଷ କଟକଣାରେ ଏହି ପର୍ବ ପାଳନ କରାଯାଇଥିଲା। ମସ୍‌ଜିଦ୍‌ମାନଙ୍କରେ ସମୂହ ନମାଜ ପାଠ ବନ୍ଦ ଥିଲା। ଏଥର ମଧ୍ୟ ଅନୁରୂପ ଭାବେ ଇଦ୍‌ ପାଳିତ ହେବ। ମସ୍‌ଜିଦ୍‌ମାନଙ୍କରେ ସମୂହ ନମାଜ ପାଠକୁ ବାରଣ କରାଯାଇଥିବାରୁ ଉପାସକମାନେ ନିଜ ନିଜ ଘରେ ନମାଜ ପାଠ କରିବେ ବୋଲି ୟୁନିଟ୍‌-୩ସ୍ଥିତ ଜାମା ମସ୍‌ଜିଦ୍‌ର ସଭାପତି ମହମ୍ମଦ ଶାହ ନୱାଜ୍ କହିଛନ୍ତି। ଆଲ୍ଲାଙ୍କ ନିକଟରେ ବିଶ୍ୱର ମଙ୍ଗଳ ପାଇଁ ପ୍ରାର୍ଥନା କରାଯିବ ବୋଲି ସେ କହିଛନ୍ତି।

ଇଦ୍ ନମାଜ କେବଳ ସମୂହ ଭାବେ ପାଠ କରାଯାଏ। ତେଣୁ ଏହା ପରିବର୍ତ୍ତେ ‘୨ ରକାତ୍ ନଫିଲ୍ ନମାଜ’ ଓ ‘୨ ରକାତ୍ ସୁକରାନା ନମାଜ’ ପାଠ କରାଯିବ ବୋଲି ମସ୍‌ଜିଦ୍‌ର ସଭାପତି ଶାହ ନୱାଜ୍‌ କହିଛନ୍ତି। ମସ୍‌ଜିଦ୍‌ରେ ମୌଲାନା ଓ ସେବକମାନଙ୍କୁ ନେଇ ଏହି ନମାଜ ପାଠ କରାଯିବ। କରୋନା କଟକଣା ଯୋଗୁଁ ମସ୍‌ଜିଦ୍‌ମାନଙ୍କରେ ଏଥିପାଇଁ ଉତ୍ସବର ମାହୋଲ ଫିକା ପଡ଼ିବ। ଏମିତିକି ଘର ପରିବେଶ ମଧ୍ୟ ସେମିତି ଗହଳଚହଳ ହେବନାହିଁ। ଏଥର ବି ଇଦ୍‌ ଅବସରରେ ଅନୁଷ୍ଠିତ ହେଉଥିବା ଇଫ୍‌ତାର ପାର୍ଟି ହୋଇ ପାରିନଥିଲା। ଫୋନ୍‌ ଜରିଆରେ ଇଦ୍‌ ମୁବାରକ୍ ବାର୍ତ୍ତା ପ୍ରେରଣ କରାଯାଉଥିଲା। ତେଣୁ ଚଳିତ ବର୍ଷ ପୂରା ନିରାଡ଼ମ୍ବର ସହକାରେ ଇଦ୍‌ ପାଳିତ ହେବ।

ସମ୍ବନ୍ଧିତ ଖବର