ଆଜି ମାଣବସା ଗୁରୁବାର ଶେଷପାଳି: ପଦ୍ମ ଫୁଲ ଗୋଟା ୮୦, ଧାନ ମେଣ୍ଟା ୫୦

ଭୁବନେଶ୍ବର: ମା’ ଲକ୍ଷ୍ମୀ ଘରକୁ ଆସିବେ। ଶେଷ ଗୁରୁବାର ମାଣବସା ହୋଇଥିବାରୁ ଖାସ୍‌ ଏଇ ଉଦ୍ଦେଶ୍ୟ ନେଇ ଆଜିଠୁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। ଘରଦ୍ବାର ପରିଷ୍କାର ସରିଛି। ରାତିରୁ ଚିତା ପକା ବି ସରିଛି। ମା’ଙ୍କ ପୂଜାର୍ଚ୍ଚନା ପାଇଁ ବଜାରରୁ ଆବଶ୍ୟକ ସାମଗ୍ରୀ ବି କିଣା ସରିଛି। ତେବେ ପୂଜା ସାମଗ୍ରୀ ଦର ଆଜି ମୁଣ୍ଡ ବିନ୍ଧା କରିଛି। ଧନର ଦେବୀଙ୍କୁ ପୂଜାର୍ଚ୍ଚନା କରିବା ପୂର୍ବରୁ ପକେଟ୍‌ରୁ ଉଚ୍ଚ ଅଙ୍କର ଧନ ବୁହାଇବାକୁ ପଡ଼ିଛି।

ମା’ଙ୍କ ପ୍ରିୟ ଫୁଲ ପଦ୍ମ ଫୁଲର ଦର ଗୋଟା ପ୍ରତି ୮୦ ଟଙ୍କାରେ ବିକ୍ରି ହୋଇଛି। ଧାନ ମେଣ୍ଟା କେଉଁଠି ୫୦ ତ କେଉଁଠି ୭୦ ଟଙ୍କାରେ ବିକ୍ରି ହୋଇଛି। ମାଣ ବସାଇବା ପାଇଁ ଆବଶ୍ୟକ ନୂଆ ଧାନ ତଥା ଶୁକ୍ଳ ଧାନ ଗଉଣି ପ୍ରତି ୧୦୦ ଟଙ୍କାରେ ବିକ୍ରି ହୋଇଛି। ସେହିପରି ଆବଶ୍ୟକ ସୋରିଷ ଫୁଲ, କଣ୍ଟେଇ‌ କୋଳି ଡାଳ, ଦୁବ, ବରକୋଳି ପତ୍ର, କଦଳୀପତ୍ର ମଧ୍ୟ କିଣିବାକୁ ପଡ଼ିଛି। କଂକ୍ରିଟ୍‌ ଜଙ୍ଗଲରେ ପରିଣତ ରାଜଧାନୀରେ ଏସବୁ ବି ଯେମିତି ଅମୂଲ ମୂଲ ହୋଇଯାଇଛି। ମାଣବସା ପୂଜା ସାମଗ୍ରୀ ବିକ୍ରି କରୁଥିବା ହରିହର ଖଟେଇ କହିଛନ୍ତି, ପଦ୍ମଫୁଲ ପୁରୀ ଓ କଟକ ଅଞ୍ଚଳରୁ ପ୍ରାୟ ଆସିଛି। ତେବେ ଚାହିଦା ମୁତାବକ ଫୁଲ ଆସିନାହିଁ। ତେଣୁ ଅଧିକ ଦର ଦେଇ କିଣିଥିବାରୁ ୮୦ ଟଙ୍କାରେ ବିକ୍ରି କରୁଥିବା ସେ କହିଛନ୍ତି। ସେହିଭଳି କଦଳୀପତ୍ରଠୁ ନେଇ ସୋରିଷ ଫୁଲ ପର୍ଯ୍ୟନ୍ତ ଏସବୁ ସହଜରେ ମିଳୁନଥିବାରୁ କଦଳୀପତ୍ର ଗୋଟା ୧୦ ଟଙ୍କାରେ ବିକ୍ରି ହେଉଥିବା ସେ କହିଛନ୍ତି। ଗ୍ରାହକ ସୁମିତ୍ରା ଦେଇ କହିଛନ୍ତି, ମା’ଙ୍କ ପୂଜାରେ କୌଣସି ପ୍ରକାର ସାଲିସ୍‌ କରିବାକୁ ଇଚ୍ଛା ନାହିଁ। ତେଣୁ ଦର ଯାହା ହେଲେ ବି କିଣିବାକୁ ପଡ଼ୁଛି। ଏମିତି ବି ଘର ପଛରେ ଆଉ ବାଡ଼ି ନଥିବାରୁ ଦୁବ ବରକୋଳି ପତ୍ରଠୁ ନେଇ କଦଳୀ ପତ୍ର ବି କିଣିବାକୁ ପଡ଼ୁଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର