ବାଲିପାଟଣା: ଶ୍ରାବଣ ମାସର ଦ୍ୱିତୀୟ ସୋମବାର ଲାଗି ଆଜି ବାଲିପାଟଣା ତ୍ରିବେଣୀ ଘାଟରେ ପ୍ରବଳ ଭିଡ଼ ହୋଇଛି। ପ୍ରାୟ ୪ ହଜାର କାଉଡ଼ିଆ ତ୍ରିବେଣୀ ଘାଟରୁ ଜଳ ଉଠାଇ ବିଭିନ୍ନ ଶିବ ମନ୍ଦିରକୁ ଯାତ୍ରା କରିଛନ୍ତି। ଜଳ ଉଠାଇବା ବେଳେ ପୂଜାର୍ଚ୍ଚନା ଓ ବୋଲବମ୍ ଧ୍ୱନିରେ ସାରା ପରିବେଶ ପ୍ରକମ୍ପିତ ହୋଇଥିଲା। ଶ୍ରଦ୍ଧାଳୁଙ୍କ ମଧ୍ୟରେ ପମ୍ପାଲୋ ପଞ୍ଚାୟତ ସରାଟ ଗ୍ରାମର ଦିଲ୍ଲୀପ ବସ୍ତିଆଙ୍କ ୫ବର୍ଷର ପୁଅ ରୁଦ୍ର ତ୍ରିବେଣୀ ଘାଟରୁ ପାଣି ଉଠାଇ ପ୍ରାୟ ୧୨ କିମି ଦୂର ଚାଲି ସରାଟ ନୀଳକଣ୍ଠେଶ୍ବର ମନ୍ଦିରରେ ପହଞ୍ଚିଛି।
ଗଙ୍ଗା ନଦୀ ଠାରୁ ପ୍ରାଚୀ ନଦୀ ଶହେ ବର୍ଷ ବଡ଼ ବୋଲି ପୁରାଣରେ ବର୍ଣ୍ଣିତ ଅଛି। ଏହି ଘାଟ ନିକଟରେ ତ୍ରିବେଣୀଶ୍ୱର ମହାଦେବଙ୍କ ମନ୍ଦିର ରହିଛି। ପ୍ରାଚୀ ନଦୀ କୂଳରେ ଦ୍ୱାଦଶ ଶମ୍ଭୁ, ଦ୍ୱାଦଶ ଶକ୍ତି ପୀଠ ଏବଂ ଦ୍ୱାଦଶ ମାଧବ ପୂଜା ପାଆନ୍ତି। ଅନ୍ତର୍ବେଦୀ ପୀଠରେ ଭଗବାନ ଶ୍ରୀକୃଷ୍ଣ ଆନ୍ତର୍ଧାନ ହୋଇଥିବା ସାଧୁସନ୍ଥ ମତ ଦିଅନ୍ତି। ପୀଠରେ ପ୍ରଭୁ ଅନ୍ତର୍ଯ୍ୟାମୀ ନାଥ ପୂଜା ପାଆନ୍ତି। ଏଠାରେ ଗୁପ୍ତ ଗଙ୍ଗାଙ୍କ ଆବିର୍ଭାବ ହୋଇଥିବା କିମ୍ବଦନ୍ତିରୁ ଜଣାପଡ଼େ।