ଭୁବନେଶ୍ୱର: ରାତି ପାହିଲେ ଶ୍ରାବଣ ମାସର ତୃତୀୟ ସୋମବାର। ଭକ୍ତମାନେ ଠାକୁରଙ୍କ ଉପରେ ଜଳଲାଗି କରିବେ। ଏଥି ପାଇଁ ଶ୍ରୀଲିଙ୍ଗରାଜ ମନ୍ଦିର ଆଗରେ କାଉଡ଼ିଆଙ୍କ ଭିଡ଼ ଦେଖିବାକୁ ମିଳିଛି। ରାତି ୯ରୁ ଝିପି ଝିପି ବର୍ଷାରେ ଭିଜିଭିଜି ଆସି ମନ୍ଦିର ପାଖରେ ପହଞ୍ଚିଛନ୍ତି। ମନ୍ଦିର ଆଗରେ ବ୍ୟାରିକେଡ୍‌ ପ୍ରସ୍ତୁତି ସରିଛି। ଏଥି ସହ ମନ୍ଦିର ସମ୍ମୁଖରେ ପୁରୁଷ ଓ ମହିଳାଙ୍କ ଆଶ୍ରୟସ୍ଥଳ ତିଆରି ହୋଇଛି। ତେବେ ଆଶ୍ରୟସ୍ଥଳିରେ ଜାଗା ନହେବାରୁ କାଉଡ଼ିଆଙ୍କ ଭିଡ଼ ଯୋଗୁ ବାହାରେ ବର୍ଷାରେ ଭିଜି ମନ୍ଦିର ଖୋଲିବାକୁ ଅପେକ୍ଷା କରିଛନ୍ତି। ସେହିପରି ବିଭିନ୍ନ ଦାତବ୍ୟ ଅନୁଷ୍ଠାନ ପକ୍ଷରୁ ରନ୍ଧାଖାଦ୍ୟ ବଣ୍ଟନ କରାଯାଇଛି। କାଉଡ଼ିଆମାନେ ପ୍ରାୟ ସନ୍ଧ୍ୟାରୁ ଏକାମ୍ର କ୍ଷେତ୍ରକୁ ଆସିଛନ୍ତି। 

Advertisment

ଅନେକ କାଉଡ଼ିଆ କେଦାରଗୌରୀ ମନ୍ଦିର ନିକଟରେ ଓ କେତେକ କାଉଡ଼ିଆ ମନ୍ଦିର ସମ୍ମୁଖରେ ବାହୁଙ୍ଗି ରଖି ବିଶ୍ରାମ ନେଉଛନ୍ତି। ମହାନଦୀର କଟକ ଗଡ଼ଗଡ଼ିଆ ଘାଟ ସମେତ ଅନ୍ୟ ନଦୀଘାଟରୁ ଜଳଭାର ନେଇ କାଉଡ଼ିଆମାନେ ଏକାମ୍ର କ୍ଷେତ୍ର‌କୁ ପହଞ୍ଚିବା ପରେ ନିଜ ପାଣିଭାର ବ୍ୟାରିକେଡ଼୍‌ରେ ରଖି ବିଶ୍ରାମ ନେଉଛନ୍ତି। ଲିଙ୍ଗରାଜ ମନ୍ଦିର ସିଂହଦ୍ୱାର ସମ୍ମୁଖ ଡାହାଣ ପାର୍ଶ୍ୱରେ ଗଙ୍ଗାଯମୁନା ମନ୍ଦିର ଆଡକୁ ବ୍ୟାରିକେଡ଼ ଓ ତମ୍ବୁ ବନ୍ଧା ହୋଇଛି। କେବଳ ପୁରୁଷ କାଉଡ଼ିଆ ନୁହନ୍ତି, ମହିଳା ଓ ଛୋଟଛୋଟ ପିଲା ମଧ୍ୟ ପାଣିଭାର ନେଇ ବହୁ ସଂଖ୍ୟାରେ ଆସିବା ଦେଖିବାକୁ ମିଳିଛି। ଶ୍ରାବଣୀ ନୀତି ନିର୍ଘଣ୍ଟ ଅନୁଯାୟୀ ମନ୍ଦିର ଭୋର ୩ଟାରୁ ଖୋଲାଯିବ । ଭୋର ସାଢ଼େ ୩ଟାରେ ମଙ୍ଗଳ ଆଳତି ଓ ଅବକାଶ ନୀତି କରାଯିବା ପରେ ୪ଟାରେ ସାହାଣମେଲା ଦର୍ଶନ ପରେ ଧାଡ଼ିକରି କାଉଡ଼ିଆମାନେ ମନ୍ଦିରକୁ ପ୍ରବେଶ କରିବେ। ଚଳିତ ବର୍ଷ ଦିନ ୧୨ଟା ପର୍ଯ୍ୟନ୍ତ ସାହାଣମେଲା ଦର୍ଶନ ବ୍ୟବସ୍ଥା କରାଯାଇଛି।