ଭାଷା ମଧ୍ୟରେ ସଂଯୋଗ ସେତୁ ହେଉଛି ଅନୁବାଦ। ଅନୁବାଦ ପୁସ୍ତକ ଯୋଗୁଁ ବିଶ୍ୱର ଲୋକ ସଂସ୍କୃତି, କଳା, ସଙ୍ଗୀତ, ନୃତ୍ୟ ସୁଦୂରପ୍ରସାରୀ ହୁଏ। ଚଳିତ ବଜେଟରେ ଓଡ଼ିଆ ଅନୁବାଦ ଏକାଡେମୀ ପ୍ରତିଷ୍ଠା ପାଇଁ ମଧ୍ୟ ଘୋଷଣା ହୋଇଛି। ସେହିପରି ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ମଧ୍ୟ ଅନୁବାଦ ପୁସ୍ତକ ପାଇଁ ଅର୍ଥ ରାଶି ପ୍ରଦାନ କରାଯାଉଛି। ବିଶ୍ୱ ପୁସ୍ତକ ଦିବସ ଅବସରରେ ଓଡ଼ିଶାରେ ଅନୁବାଦ ପୁସ୍ତକ ଆବଶ୍ୟକତା ଓ ତା’ର ସ୍ଥିତିକୁ ନେଇ ଆମର ସ୍ୱତନ୍ତ୍ର ଉପସ୍ଥାପନା।
ଭୁବନେଶ୍ୱର, ୨୨/୪(ଇମିସ): ପୁସ୍ତକକୁ ସର୍ବଦା ମନୁଷ୍ୟର ପ୍ରିୟ ସାଥୀ ବୋଲି କୁହାଯାଏ। ହେଲେ ବର୍ତ୍ତମାନ ମୋବାଇଲ, ଇଣ୍ଟରନେଟ୍ ଯୁଗରେ ପୁସ୍ତକ ପଠନ କମିବାରେ ଲାଗିଛି। ତେଣୁ ଯାତ୍ରୀମାନଙ୍କୁ ପୁସ୍ତକ ଅନୁଗାମୀ କରାଇବା ସହିତ ଭାଷା, ସାହିତ୍ୟର ପ୍ରଚାର ପ୍ରସାର ପାଇଁ ବକୁଳ ଫାଉଣ୍ଡେସନ ଏବଂ ଭାରତୀୟ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ମିଳିତ ପଦକ୍ଷେପରେ ଗତ ଜାନୁଆରିରେ ବିମାନ ବନ୍ଦର ପରିସରରେ ଉଦ୍ଘାଟିତ ‘ଫ୍ଲାଏବ୍ରରି’ ପାଠାଗାର ଯାତ୍ରୀଙ୍କୁ ଆମୋଦିତ କରୁଛି। ବିମାନ ବନ୍ଦରରେ ଉଭୟ ପ୍ରସ୍ଥାନ ଓ ପ୍ରବେଶ ପଥରେ ଏହି ବହି ଥାକ ରହିଛି। ଯାତ୍ରୀମାନେ ବିମାନ ବନ୍ଦରରେ ପ୍ରସ୍ଥାନ ଫାଟକ ପାଖରେ ଥିବା ବହିଥାକରୁ ବହି ଦେଖି ପଢ଼ିବା ସହିତ ଶେଷ ନ କରି ପାରିଲେ ନିଜ ସହିତ ନେଇଯାଇ ପରବର୍ତ୍ତୀ ଗସ୍ତ ସମୟରେ ଏହାକୁ ଫେରାଇବାର ସୁବିଧା ପ୍ରଦାନ କରାଯାଉଛି। ବର୍ତ୍ତମାନ ଦେଶରେ ଯଦିଓ କିଛି ବିମାନ ବନ୍ଦରରେ ଏହି ପାଠାଗାର ସ୍ଥାପନା ହୋଇଛି ହେଲେ କେହି ପୁସ୍ତକ ନେବାକୁ ଅନୁମତି ଦିଅନ୍ତି ନାହିଁ। ତେଣୁ ଏହି ପ୍ରୟାସକୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମମୋହନ ନାଇଡୁ, ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ଭଳି ବହୁ ବିଶିଷ୍ଟ ବ୍ୟକ୍ତି ଓ ଯାତ୍ରୀମାନେ ପ୍ରଶଂସା କରିବା ସହିତ ସାମାଜିକ ଗଣମାଧ୍ୟମରେ ପୋଷ୍ଟ ମଧ୍ୟ କରୁଛନ୍ତି।
ଏନେଇ ବକୁଳ ଫାଉଣ୍ଡେସନ ପ୍ରତିଷ୍ଠାତା ସୁଜିତ ମହାପାତ୍ର କହିଛନ୍ତି ଯେ ୧୨ ବର୍ଷ ପୂର୍ବେ ଏହାର ପରିକଳ୍ପନା କରାଯାଇଥିଲା। ତେବେ ବକୁଳର ଜଣେ ଶୁଭ ଚିନ୍ତକ ବନ୍ଦନା ପଟ୍ଟନାୟକ ଏଷ୍ଟୋନିଆ ଦେଶର ଟାଲିନ୍ନ ବିମାନ ବନ୍ଦରରେ ଥିବା ସମାନ ପାଠାଗାରର ଫଟୋ ପଠାଇଥିଲେ। ଏହା ପରେ ପ୍ରବାସୀ ଭାରତୀୟ ସମ୍ମିଳନୀ ସମୟରେ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ଉଷା ପାଢ଼ୀଙ୍କ ସହାୟତାରେ ବିମାନ ବନ୍ଦରରେ ଏହି ପାଠାଗାର ପ୍ରତିଷ୍ଠା କରାଯାଇଥିଲା। ହେଲେ ବର୍ତ୍ତମାନଏହାର ଲୋକପ୍ରିୟତା ଏତେ ବଢ଼ି ଯାଇଛି ଯେ ପ୍ରତ୍ୟେକ ଦିନ ବହି ଥାକ ଖାଲି ହେଇଯାଉଛି। ତେଣୁ ‘ଫ୍ଲାଏବ୍ରରି’ ପାଇଁ କିମ୍ବା ଓଡ଼ିଶା ବ୍ୟାପୀ ପାଠାଗାର ଆନ୍ଦୋଳନ ପାଇଁ ଲୋକେ ବକୁଳ ଫାଉଣ୍ଡେସନକୁ ନିଜର ପୁରୁଣା ବହି ଦାନ ଦେବା ପାଇଁ ଫାଉଣ୍ଡେସନ ତରଫରୁ ଅନୁରୋଧ କରାଯାଇଛି।
ପୁସ୍ତକରେ ସମ୍ପାଦନା କଳାର ଗୁରୁତ୍ୱ ରହୁ
ବର୍ତ୍ତମାନ ପାଠକଙ୍କ ସଂଖ୍ୟା କମୁଥିବା ବେଳେ ଅନୁବାଦ ପୁସ୍ତକ ପ୍ରତି ଆଗ୍ରହ କମିଯାଉଛି। ଏହାର ପ୍ରମୁଖ କାରଣ ହେଉଛି ଅନୁବାଦର ସଂପାଦନା ଭଲ ଭାବରେ ହେଉନାହିଁ। ତେଣୁ ସଂପାଦନା କଳା ଓ କର୍ମଶାଳା ପାଇଁ ପଦକ୍ଷେପର ଆବଶ୍ୟକତା ରହିଛି। ବିଶେଷ କରି ରାଜ୍ୟ ବାହାରେ ଏହାର କିପରି ପ୍ରଚାର ପ୍ରସାର ହେବ ସେଥିପାଇଁ ଦୃଷ୍ଟି ଦେବା ଆବଶ୍ୟକ।
ଯତୀନ୍ଦ୍ର ନାୟକ, ବିଶିଷ୍ଟ ଅନୁବାଦକ
ଜ୍ଞାନଭିତ୍ତିକ ଅନୁବାଦ ପୁସ୍ତକ ପ୍ରସ୍ତୁତ କରାଯାଉ
ବର୍ତ୍ତମାନ ଅନୁବାଦ ପୁସ୍ତକର ଅଧିକ ପ୍ରସାର ହେଉଛି। ପାଠ୍ୟକ୍ରମକୁ ମାତୃଭାଷାରେ ପଢ଼ାଯିବା ପାଇଁ ଯେଉଁ କଥା ଉଠୁଛି ଏଥିପାଇଁ ଜ୍ଞାନଭିତ୍ତିକ ଅନୁବାଦ ପୁସ୍ତକ ପ୍ରସ୍ତୁତ କରିବାର ସମୟ ଆସିଛି। ଭାଷା ପ୍ରତିଷ୍ଠାନ, ସାହିତ୍ୟ ଏକାଡେମୀ ଭଳି ଅନୁବାଦ କରାଉଥିବା ଅନୁଷ୍ଠାନଗୁଡ଼ିକ ଏହି ପୁସ୍ତକକୁ ଅଧିକ ଗୁରୁତ୍ୱ ଦେବା ଆବଶ୍ୟକ। ଏପରିକି ବିଶ୍ୱବିଦ୍ୟାଳୟଗୁଡ଼ିକରେ ମଧ୍ୟ ଅନୁବାଦ ପୁସ୍ତକ ପ୍ରସ୍ତୁତ କରିବା ଉଚିତ।
ସଂଗ୍ରାମ ଜେନା, ବିଶିଷ୍ଟ ଅନୁବାଦକ
ପୁସ୍ତକର ପ୍ରସାର ପାଇଁ ଗୁରୁତ୍ୱ ଦିଆଯାଉ
ଅନୁବାଦ ସାହିତ୍ୟର ଚାହିଦା ଯୁଗେ ଯୁଗେ ଅଛି। ଯଦିଓ ଏକାଡେମୀ ତରଫରୁ ଅନୁଦାନ ଦିଆଯାଉଛି ହେଲେ ଏହାର ପ୍ରସାର ଭଲ ଭାବରେ ହେବାର ଆବଶ୍ୟକତା ରହିଛି। ଏବେ ବହୁ ଅନୁବାଦ ପୁସ୍ତକ ବଜାରରେ ଭଲ ବିକ୍ରି ହେଉଛି। ହେଲେ ଅନୁବାଦକଙ୍କ ପାଖରେ ସେହି ତୁଳନାରେ ଉପଯୁକ୍ତ ମୂଲ୍ୟ ପହଞ୍ଚିପାରୁନାହିଁ।
ଶକୁନ୍ତଳା ବଳିଆରସିଂହ, ବିଶିଷ୍ଟ ଅନୁବାଦିକା
ଆଦ୍ୟ ସାହିତ୍ୟର ଅନୁବାଦ ହେବା ଆବଶ୍ୟକ
ଅନୁବାଦ ପୁସ୍ତକ ଓ ଅନୁବାଦର ପରିମାଣ ବୃଦ୍ଧି ପାଉଛି। ତେଣୁ ବର୍ତ୍ତମାନ ପରିସ୍ଥିତିରେ ଯେଉଁ ଆଦ୍ୟ ସାହିତ୍ୟର ମୂଳ କୃତୀ ଓଡ଼ିଶାର ମୋଡ଼ ବଦଳାଇ ଦେବାର କ୍ଷମତା ରଖିଛି ତାହାକୁ ଅନୁବାଦ କରିବାର ଆବଶ୍ୟକତା ରହିଛି। ଉପନ୍ୟାସ, କବିତା, ଗଳ୍ପ ଆଦିକୁ ଭଲ ଭାବରେ ଅନୁଧ୍ୟାନ କରି ଅନୁବାଦ କଲେ ଓଡ଼ିଶାର କଳା, ସଂସ୍କୃତିର ପ୍ରସାର ହୋଇପାରିବ।
ହିମାଂଶୁ ମହାପାତ୍ର, ବିଶିଷ୍ଟ ଅନୁବାଦକ