ଭୁବନେଶ୍ୱର: ବିଶିଷ୍ଟ ଲେଖକ ଓ’ ହେନେରିଙ୍କ ପୁସ୍ତକ ‘ଦ ଲାଷ୍ଟ ଲିଫ୍’ ଉପରେ ଆଧାରିତ ବଲିଉଡ ଚଳଚ୍ଚିତ୍ର ‘ଲୁଟେରା’ର କାହାଣୀ ସମସ୍ତଙ୍କ ଆଖିରେ ଲୁହ ଭରି ଦେଇଥିଲା। ଚଳଚ୍ଚିତ୍ରରେ ଗୋଟିଏ ଗଛର ପତ୍ର କିଭଳି ବଞ୍ଚିବାକୁ ପ୍ରେରଣା ଦିଏ ତାହା ପ୍ରତିପାଦିତ ହୋଇଛି। ଗଛର ସେହି ଗୋଟିଏ ପତ୍ର ଭଳି କର୍କଟ ଆକ୍ରାନ୍ତଙ୍କ ବଞ୍ଚିବାର ରାହା ପାଲଟନ୍ତି କାଉନ୍ସେଲର। କେବଳ ରୋଗୀ ନୁହନ୍ତି ବରଂ ରୋଗୀଙ୍କ ପରିବାରକୁ ମଧ୍ୟ ଏହି ମହାମାରୀ ସଦୃଶ ରୋଗ ସହ ଲଢ଼େଇ କରିବାକୁ ପ୍ରେରଣା ଦିଅନ୍ତି। ସରକାରୀ ତଥା ବେସରକାରୀ ହସ୍ପିଟାଲଗୁଡ଼ିକରେ ଏଭଳି କାଉନ୍ସେଲର ନିୟୋଜିତ ହୋଇଛନ୍ତି। ଆଜି ବିଶ୍ୱ କର୍କଟ ଦିବସରେ ସେହି କାଉନ୍ସେଲର୍ମାନଙ୍କ ଅନୁଭୂତିକୁ ନେଇ ଏହି ସ୍ୱତନ୍ତ୍ର ଉପସ୍ଥାପନା।
୭ ବର୍ଷ ଧରି ଏହି କାଉନ୍ସେଲର୍ ଭାବରେ କାମ କରୁଥିବା ‘କ୍ରିୟା ଫାଉଣ୍ଡେସନ’ର ପ୍ରତିଷ୍ଠାତା ଲିଲି ଜେନାମଣିଙ୍କ କହିବା ଅନୁଯାୟୀ କର୍କଟ ରୋଗର ନାମ ଶୁଣିବା ମାତ୍ର ରୋଗୀମାନେ ଜୀବନର ଅନ୍ତ ଘଟିଲା ବୋଲି ଭାବିନିଅନ୍ତି। ସେଠାରେ ଆମର ଦାୟିତ୍ବ ବଢ଼ିଯାଏ। ଯେଉଁମାନେ ଏହି ରୋଗରୁ ମୁକ୍ତି ପାଇଛନ୍ତି ସେମାନଙ୍କର କାହାଣୀ କହି ବୁଝାଉ। ଅନେକ ଲୋକଙ୍କ ମନରେ କର୍କଟକୁ ନେଇ ଭ୍ରାନ୍ତ ଧାରଣା ରହିଛି। ରୋଗୀଙ୍କ ପରିବାର ଲୋକଙ୍କ ମନରେ ମଧ୍ୟ ଏହା ଏକ ସଂକ୍ରାମକ ରୋଗ ବୋଲି ଭାବନା ରହିଛି। ତେଣୁ ରୋଗୀ ସହିତ ପରିବାର ଲୋକଙ୍କୁ ମଧ୍ୟ ସଚେତନ କରିବାକୁ ହୁଏ।
ଆଚାର୍ଯ୍ୟ ହରିହର ପୋଷ୍ଟ ଗ୍ରାଜୁଏଟ ଇନଷ୍ଟିଚ୍ୟୁଟ୍ ଅଫ୍ କ୍ୟାନସର୍ରେ କାର୍ଯ୍ୟରତ ମନସ୍ୱିନୀ ପରିଡ଼ାଙ୍କ କହିବା ଅନୁଯାୟୀ ସେ ୧୨ ବର୍ଷ ହେଲାଣି ରୋଗୀଙ୍କୁ କାଉନ୍ସେଲିଂ କରୁଛନ୍ତି। କର୍କଟ ଶବ୍ଦଟି ଶୁଣିଲା ମାତ୍ରେ ଶାରୀରିକ ପୀଡ଼ା ସହିତ ମନରେ ଅଜଣା ଭୟ, ନୈରାଶ୍ୟ ଓ ଅସହାୟତା ଭର୍ତ୍ତି ହୋଇଯାଏ। ରୋଗୀଙ୍କ ମୃତ୍ୟୁ ହୋଇଗଲେ ପରିବାର ମଧ୍ୟ ଦୁର୍ବଳ ହୋଇପଡ଼ନ୍ତି। ତେଣୁ କାଉନସେଲର୍ମାନେ ରୋଗୀଙ୍କ ବ୍ୟତୀତ ପରିବାର ସହିତ ଏକ ଭଲ ସମ୍ପର୍କ ସ୍ଥାପନ କରିବାକୁ ଚେଷ୍ଟା କରନ୍ତି। ଏହି ରୋଗ ସମୟରେ କେବଳ ଆମର ନୁହେଁ, ବରଂ ପରିବାର ସଦସ୍ୟ ମଧ୍ୟ ଛୋଟ ପ୍ରୟାସ କଲେ ରୋଗୀଙ୍କ ଏକ ନୂତନ ଆଶା ସଞ୍ଚାର ହୋଇଥାଏ। ମନୋବଳ ଦୃଢ଼ ରହିଲେ ରୋଗ ସହ ଯୁଦ୍ଧ କରିହୁଏ। ଯଦିଓ ଏହି ରୋଗୀଙ୍କ ପୁନର୍ବାର ଫେରିବାର ସମ୍ଭାବନା ଥାଏ ତେଣୁ ରୋଗୀଙ୍କ ମନୋବଳ ବଢ଼ାଇବା ପାଇଁ ଦୀର୍ଘ କାଳ ବା ବର୍ଷ ବର୍ଷ ପାଇଁ ଏହି କାଉନ୍ସେଲିଂ ଚାଲିଥାଏ।