ଆଜି ବିଶ୍ୱ ହସ୍ତୀ ଦିବସ: ନନ୍ଦନକାନନ ହାତୀଙ୍କୁ ହାର୍‌ପିସ୍‌ ବିପଦ

୧୨ ବର୍ଷରେ ମରିଛନ୍ତି ୭, ହାର୍‌ପିସ୍‌ରେ ୪, ଆଜି ଉତ୍ସବରେ ଆପ୍ୟାୟିତ ହେବ ଚୁଲ୍‌ବୁଲି ମାମା

ବାରଙ୍ଗ/ତ୍ରିଶୁଳିଆ : ୨୦୧୯ ଅଗଷ୍ଟ ୨୬। ମାତ୍ର ଦୁଇ ସପ୍ତାହ ତଳେ ଅଗଷ୍ଟ ୧୨ରେ ପାଳିତ ହୋଇଥାଏ ବିଶ୍ବ ହସ୍ତୀ ଦିବସ। ଦଳଛଡ଼ା ବା ମା’ କୋଳ ଛଡ଼ା ହୋଇ ଜଙ୍ଗଲରୁ ଉଦ୍ଧାର ହେବା ପରେ ନନ୍ଦନକାନନରେ ବଢ଼ିଥିବା ହାତୀଛୁଆମାନଙ୍କୁ ଆପ୍ୟାୟିତ କରାଯାଇଥାଏ। ହଠାତ୍ ନନ୍ଦନକାନନର ଯୁବା ହାତୀ ଜୁଲି(୧୦)ର ମୃତ୍ୟୁ ହେଲା। ମାତ୍ର ଦୁଇ ଚାରି ଦିନର ଅସୁସ୍ଥତା ପରେ ଜୁଲି ସମସ୍ତ ଚିକିତ୍ସା ସତ୍ତ୍ବେ ଆଖି ବୁଜିଦେଲା। ଦେଖାଗଲା ଜୁଲି ଭଳି ଅନ୍ୟ ସବୁ ଛୁଆ ହାତୀ ଚନ୍ଦନ(୯), ଗୌରୀ(୭), କମଳା(୬) ଓ ମାମା(୪) ବି ଅସୁସ୍ଥ ହୋଇପଡ଼ିଲେ। ଜୁଲିର ମୃତ୍ୟୁ ଓ ଅନ୍ୟ ଛୁଆ ହାତୀମାନଙ୍କ ଅସୁସ୍ଥତା ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ମୁଣ୍ଡ ବିନ୍ଧା ବଢ଼ାଇଦେଲା। ତେବେ ଜୁଲିର ମୃତଦେହ ବ୍ୟବଚ୍ଛେଦରୁ ଜଣାଗଲା ଯେ ହାତୀ ଛୁଆମାନେ ଭୟଙ୍କର ଭୂତାଣୁ ହାର୍‌ପିସ୍‌ର ସଂକ୍ରମଣରେ ଆକ୍ରାନ୍ତ। ନନ୍ଦନକାନନ ପ୍ରାଣୀ ଚିକିତ୍ସକଙ୍କ ସହ ଓୟୁଏଟି ପ୍ରାଣୀ ଚିକିତ୍ସକମା‌ନେ ହାର୍‌ପିସ୍‌ ଭୂତାଣୁକୁ ପରାସ୍ତ କରିବାକୁ ଲାଗିପଡ଼ିଲେ। ମାତ୍ର ଦୁର୍ଭାଗ୍ୟକୁ ସେମାନଙ୍କ ସବୁ ପ୍ରକାର ଚିକିତ୍ସା ସତ୍ତ୍ବେ ଆଗପଛ ହୋଇ ଚନ୍ଦନ, କମଳା, ଗୌରୀ ଆଖି ବୁଜିଦେଲେ। ଅଗଷ୍ଟ ଶେଷ ସପ୍ତାହରୁ ଆରମ୍ଭ ହୋଇଥିବା ଏହି ସଂକ୍ରମଣ ସେପ୍ଟେମ୍ବର ମଧ୍ୟଭାଗ ପର୍ଯ୍ୟନ୍ତ ରହିଲା ଓ ୪ ହାତୀଙ୍କ ଜୀବନ ନେଇଗଲା। ନନ୍ଦନକାନନକୁ ହାର୍‌ପିସ୍‌ ନେଇଆସିଥିଲା ହାତୀ ମଡ଼କ। ମା’ ଛେଉଣ୍ଡ ହାତୀ ଛୁଆଙ୍କୁ ସୁନ୍ଦର ଭାବେ ବଢ଼ାଇ ନାଁ କମାଇଥିବା ନନ୍ଦନକାନନକୁ ଏଥିପାଇଁ ଅପବାଦର ବୋଝ ମୁଣ୍ଡାଇବାକୁ ପଡ଼ିଲା। ତେବେ ସୌଭାଗ୍ୟକୁ ସବୁଠୁ କୁନି ହାତୀ ମାମା ବର୍ତ୍ତି ଯାଇଥିଲା। ଅମୃତଭଣ୍ଡା କଅଁଳ ପତ୍ରର ରସ ପିଆଇ ପିଆଇ ମାମାକୁ ବଞ୍ଚାଇ ହେଲା ବୋଲି ସେତେବେଳେ ଚର୍ଚ୍ଚା ହୋଇଥିଲା। ତେଣୁ ବିଶ୍ବ ହସ୍ତୀ ଦିବସ ଆସିଲେ, ସେବର୍ଷର ସେହି କଳା କାଳର ଭୟ ମନେପଡ଼େ।

ସୂଚନାଯୋଗ୍ୟ ଯେ ୨୦୦୯ରୁ ଗତ ୧୨ ବର୍ଷ‌ ମଧ୍ୟରେ ଏଠାରେ ୭ଟି ହାତୀ ମରିଛନ୍ତି। କେବଳ ହାର୍‌ପିସ୍‌ ନୁହେଁ, କିଛି ହାତୀ ସେପ୍ଟିସେମିଆରେ ବି ମରିଛନ୍ତି। ୨୦୧୧ ଜୁନ୍ ୩୦ରେ ସେପ୍‌ଟିସେମିଆରେ ଆକ୍ରାନ୍ତ ହୋଇ ଅନ୍ଧୁଣୀ ମାଈ ହାତୀ ଲକ୍ଷ୍ମୀ(୩୪)ର ମୃତ୍ୟୁ ହୋଇଥିଲା।‌ ୨୦୧୬ ମେ ୩୦ରେ ସୁନ୍ଦରଗଡ଼ରୁ ଉଦ୍ଧାର କରି ଅଣାଯାଇଥିବା ‘ଜଗନ’ ବଜବଜିଆ ରୋଗରେ ଆକ୍ରାନ୍ତ ହୋଇ ମରିଥିଲା। ତେଣୁ ନନ୍ଦନକାନନର ପରିବେଶ ହାତୀ ବଢ଼ିବା ପାଇଁ ଅନୁକୂଳ ହୋଇଥିଲେ ବି ବିଭିନ୍ନ ସମୟରେ ହେଉଥିବା ସଂକ୍ରମଣକୁ ରୋକି ନହେବା କାରଣରୁ ଏଠାରେ ହାତୀମାନଙ୍କ ମୃତ୍ୟୁ ହୋଇଯାଉଛି। ବଡ଼ କଥା ହେଉଛି, ଜଙ୍ଗଲରୁ ଉଦ୍ଧାର ହେଉଥିବା ହାତୀ ଶାବକମାନଙ୍କୁ ବଢ଼ାଇବାରେ ନନ୍ଦନକାନନର ପଦକ୍ଷେପ ପ୍ରଶଂସାଯୋଗ୍ୟ ହୋଇପାରିଛି। ୨୦୧୯ ମସିହାରେ ହାର୍‌ପିସ୍‌ ଆକ୍ରାନ୍ତରେ ମରିଥିବା ଜୁଲି, ଚନ୍ଦନ, ଗୌରୀ, କମଳା ଓ ବଜବଜିଆରେ ମରିଥିବା ଜଗନ ସମସ୍ତେ ଜଙ୍ଗଲରୁ ଶିଶୁ ଅବସ୍ଥାରେ ଉଦ୍ଧାର ହୋଇଥିଲେ।

ଏବେ ନନ୍ଦନକାନନରେ ମାତ୍ର ୪ଟି ମାଈ ହାତୀ ଅଛନ୍ତି। ପ୍ରେମା(୬୮) ଓ ବାସନ୍ତୀ(୫୮) ବୁଢ଼ୀ ହେଲେଣି ଓ ସେମାନେ ଏବେ ବହୁ ସମୟରେ ଅସୁସ୍ଥ ରହୁଛନ୍ତି। ହୀରାର ବୟସ ୧୪ ବର୍ଷ ଓ ସେ ଯୁବାବସ୍ଥା‌ରେ ରହିଛି। ମାତ୍ର ସାଥୀ ମିଳୁନଥିବାରୁ ତାକୁ ମା’ ହେବାର ସୁଯୋଗ ମିଳୁନାହିଁ। ତେଣୁ ହାତୀମାନଙ୍କ ମିଳନ ଋତୁ(ଶୀତ ଋତୁ) ଆସିଲେ, ହୀରା ମସ୍ତ ହେଉଛି ଓ ମାହୁନ୍ତମାନଙ୍କ ନିୟନ୍ତ୍ରଣରେ ରହୁନାହିଁ। ତେବେ ସେଦିନ ହାର୍‌ପିସ୍‌ ଭୂତାଣୁକୁ ଜିତିଥିବା ଚୁଲ୍‌ବୁଲି ମାମା(୬) ବେଶ୍ ସୁସ୍ଥ ଓ ଖୁସି ରହିଛି। ତେଣୁ ଆସନ୍ତାକାଲି ଉତ୍ସବକୁ ମାମାକୁ ଅଣାଯିବ ଓ ତାକୁ ପର୍ଯ୍ୟଟକଙ୍କ ସମ୍ମୁଖରେ ଆପ୍ୟାୟିତ କରାଯିବ। ବୃଦ୍ଧା ପ୍ରେମା ଓ ବାସନ୍ତୀଙ୍କୁ ଅସୁସ୍ଥତା କାରଣରୁ ଓ ହୀରାକୁ ନିୟନ୍ତ୍ରଣରେ ରହୁନଥିବା କାରଣରୁ ଉତ୍ସବସ୍ଥଳକୁ ଅଣାଯିବ ନାହିଁ ବୋଲି ଜଣାପଡ଼ିଛି। ତେଣୁ ଚଳିତ ବର୍ଷ ନନ୍ଦନକାନନରେ ହସ୍ତୀ ଦିବସ ପାଳନ ଫିକା ପଡ଼ିବ ବୋଲି କୁହାଯାଉଛି। ତେବେ କୁନି ହାତୀ ମାମାକୁ ଉପସ୍ଥିତ ଅତିଥି, କର୍ମଚାରୀ ଓ ପର୍ଯ୍ୟଟକମାନେ ନଡ଼ିଆ, କଦଳୀ, ଆଖୁ ଓ ତରଭୁଜ ଖୁଆଇ ଆପ୍ୟାୟିତ କରିବେ। ଗତ ଦୁଇ ବର୍ଷ ହେଲା କରୋନା କଟକଣା ପାଇଁ ଏହି ଉତ୍ସବ ଏକପ୍ରକାର ବନ୍ଦ ଥିଲା। ଏବର୍ଷ ଏହା ପୁଣି ପାଳନ ହେଉଥିବାରୁ ପର୍ଯ୍ୟଟକମାନେ ଚନ୍ଦନ, ଗୌରୀ, କମଳା ଓ ଜୁଲିକୁ କେବଳ ମନେ ପକେଇବେ। ଏହି ଅବସରରେ ସ୍କୁଲ ପିଲାମାନଙ୍କୁ ନେଇ ଅନ୍‌ଲାଇନ୍‌ରେ ଚିତ୍ରାଙ୍କନ ଓ ସ୍ଲୋଗାନ ପ୍ରତିଯୋଗିତା ହୋଇଥିବା ବେଳେ ବୁଲି ଆସିଥିବା ପର୍ଯ୍ୟଟକଙ୍କୁ ନେଇ ଦସ୍ତଖତ, କୁଇଜ୍‌ ଓ ସ୍ଲୋଗାନ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଜୁନିୟର ବିଭାଗରେ ୧୮ବର୍ଷର ଛାତ୍ରଛାତ୍ରୀମାନଙ୍କୁ ନିଆଯାଉଥିବା ବେଳେ ୧୮ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କୁ ସିନିୟର୍‌ ବର୍ଗରେ ସ୍ଥାନ ଦିଆଯାଇଛି।

ସମ୍ବନ୍ଧିତ ଖବର