ଚନ୍ଦ୍ରଶେଖରପୁର: ୨୦୧୭ରେ ଭରତପୁର ସଂରକ୍ଷିତ ଜଙ୍ଗଲ ହାତୀ ଶୂନ୍ୟ ଥିଲା। କେବଳ ଭରତପୁର ଜଙ୍ଗଲ ନୁହେଁ, ଚନ୍ଦକା-ଡମପଡ଼ା ଅଭୟାରଣ୍ୟରେ ମଧ୍ୟ ମାତ୍ର ଗୋଟିଏ ହାତୀ ଚଳପ୍ରଚଳ କରୁଥିଲା। କଂକ୍ରିଟ୍‌ ଜଙ୍ଗଲ ଘେରି ରହିଥିବା ସବୁଜିମାମୟ ଏହି ପରିବେଶକୁ ହାତୀମାନେ ପୁଣିଥରେ ଆପଣାଇ ନେଇଛନ୍ତି। ଚନ୍ଦକା-ଡମପଡ଼ା ଅଭୟାରଣ୍ୟରେ ଏବେ ୪୫ଟି ହାତୀ ରହିଛନ୍ତି। ଅଭୟାରଣ୍ୟରେ ବୟସ୍କ ଓ ପ୍ରାପ୍ତବୟସ୍କଙ୍କୁ ମିଶାଇ ୧୪ଟି ଅଣ୍ଡିରା ହାତୀ ଅଛନ୍ତି। ସେଥିମଧ୍ୟରୁ ଦନ୍ତାହାତୀଙ୍କ ସଂଖ୍ୟା ୧୦ ଓ ମାକନାଙ୍କ ସଂଖ୍ୟା ୪। ଉଭୟ ବୟସ୍କ ଓ ପ୍ରାପ୍ତବୟସ୍କଙ୍କୁ ମିଶାଇ ୧୭ଟି ମାଈ ହାତୀ ଅଭୟାରଣ୍ୟରେ ଚଳପ୍ରଚଳ କରୁଛନ୍ତି। ଅଭୟାରଣ୍ୟରେ ଭରପୂର ଖାଦ୍ୟ ରହିଥିବାରୁ କିଶୋର ଓ ଛୁଆ ହାତୀଙ୍କୁ ମିଶାଇ ୧୪ଟି ଚନ୍ଦକା ଜଙ୍ଗଲର ଶୋଭା ବୃଦ୍ଧି କରୁଛନ୍ତି। ଭରତପୁରରୁ ଆରମ୍ଭ କରି କୁମାରଖୁଣ୍ଟି ପର୍ଯ୍ୟନ୍ତ ମାଇଲ ମାଇଲ୍‌ ଅଞ୍ଚଳରେ ବାଉଁଶ ବୁଦା ରହିଥିବାରୁ ହାତୀଙ୍କ ବାସସ୍ଥାନ ପାଇଁ ଏହା ବେଶ ସୁହାଉଛି। ୧୯୩ ବର୍ଗ କିମି ପରିବ୍ୟପ୍ତ ଏହି ଅଭୟାରଣ୍ୟରେ ପ୍ରାୟ ୨୦ବର୍ଗ କିମି ଅଞ୍ଚଳରେ ବାଉଁଶ ବଣ ରହିଛି। ଯେଉଁଠାରେ ୫୦ହଜାରରୁ ଅଧିକ ବାଉଁଶ ବୁଦା ରହିଛି। ୨୦୧୯ରେ ବାତ୍ୟା ମାଡ଼ରେ ପ୍ରାୟ ୧୮ ହଜାର ବାଉଁଶ ବୁଦା ଉପୁଡ଼ି ପଡ଼ିଥିଲା।

Advertisment

ଖାଦ୍ୟ ଅଭାବ ପରିଲକ୍ଷିତ ହେବାରୁ ହାତୀଗୁଡ଼ିକ ଜଙ୍ଗଲ ଛାଡ଼ି ପଳାଇ ଯାଇଥିଲେ। ମାତ୍ର ପରବର୍ତ୍ତୀ ସମୟରେ ବନ ବିଭାଗ ତତ୍ପରତା ପ୍ରକାଶ କରିବା ସହ ବ୍ୟାପକ ବାଉଁଶ ଗଛ ଲଗାଇଥିଲା। ଯେଉଁଠି ବାଉଁଶ ଗଛ ନଷ୍ଟ ହୋଇଥିଲା ସେଠାରେ ବିଭିନ୍ନ ପଦ୍ଧତିରେ ନୂଆ ଗଛ ଲଗାଯାଇ ହାତୀମାନଙ୍କ ଖାଦ୍ୟ ଲାଗି ବ୍ୟବସ୍ଥା ହୋଇଥିଲା। ଦିନେ ଖାଁ ଖାଁ ଦେଖାଯାଉଥିବା ଭରତପୁର ଜଙ୍ଗଲରେ ଏବେ ପ୍ରଚୁର ପରିମାଣର ବାଉଁଶ ଗଛ ରହିଛି। ବର୍ଷା ଦିନେ ବାଉଁଶ କରଡ଼ି ଧରିଥିବାରୁ ହାତୀଙ୍କ ଲାଗି ଖାଦ୍ୟ ହେଉଛି। ୧୦ରୁ ଅଧିକ ଛୁଆ ହାତୀ ରହିଥିବାରୁ ସେମାନେ କରଡ଼ି ମୋଡ଼ି ଖାଉଥିବା ଦେଖିବାକୁ ମିଳୁଛି। ଏତେ ସଂଖ୍ୟକ ହାତୀ ରହିଥିବାରୁ ବନ ବିଭାଗର ଏକ ସ୍ବତନ୍ତ୍ର ଦଳ ହାତୀଙ୍କ ଗତିବିଧି ଉପରେ ନଜର ରଖିଛି। ହାତୀଙ୍କ ବ୍ୟତୀତ ବାର୍‌ହା, ସମ୍ବର, ନେଉଳ, ବଣ ବିଲେଇ, ଠେକୁଆ, ହରିଣ, କୋକିଶିଆଳି, ମୟୂର ପରି ବନ୍ୟଜନ୍ତୁ ରହୁଥିବାରୁ ସେମାନଙ୍କ ଖାଦ୍ୟ ଓ ପାନୀୟ ଲାଗି ମଧ୍ୟ ବ୍ୟବସ୍ଥା ହୋଇଛି। ବାତ୍ୟା ପରେ ୨ ଲକ୍ଷ ଚାରାରୋପଣ କରାଯାଇଥିବା ବେଳେ ୨୦୨୩ରେ ଏକ ଲକ୍ଷ ଚାରା ରୋପଣ ହୋଇଥିଲା। ଚଳିତବର୍ଷ ଅଭୟାରଣ୍ୟରେ ଆବଶ୍ୟକୀୟ ସ୍ଥାନ ନ ଥିବାରୁ ବୃକ୍ଷରୋପଣ ନକରିବାକୁ ବନ ବିଭାଗ ନିଷ୍ପତ୍ତି ନେଇଛି।

୧୯୮୨ରେ ୧୭୫.୭୯ ବର୍ଗ କିମିର ଏହି ଜଙ୍ଗଲକୁ ହାତୀ ଅଭୟ‌ାରଣ୍ୟ ମାନ୍ୟତା ପ୍ରଦାନ କରାଯାଇଥିଲା। ହାତୀଙ୍କ ସୁରକ୍ଷା ଓ ସଂରକ୍ଷଣ ଯୋଗୁଁ ୧୯୯୯ ବେଳକୁ ହାତୀଙ୍କ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇ ୮୩ଟିରେ ପହଞ୍ଚିଥିଲା। ୨୦୦୨ ବେଳକୁ ରାଜଧାନୀ ଉପକଣ୍ଠ ଏହି ଅଭୟାରଣ୍ୟରେ ହାତୀଙ୍କ ସଂଖ୍ୟା ୬୨କୁ ଖସି ଆସିଥିଲା। ଗୋଟିଏ ହାତୀ ପଲ ଏହି ଜଙ୍ଗଲ ଛାଡ଼ି ଅନ୍ୟତ୍ର ଚାଲିଯାଇଥିଲେ। ୨୦୦୭ରେ ପୁଣି ଗୋଟିଏ ହାତୀ ପଲ ସାମିଲ ହେବା ପରେ ସଂଖ୍ୟା ୬୭କୁ ବୃଦ୍ଧି ପାଇଥିଲା। ୨୦୧୦ ବେଳକୁ ହାତୀ ସଂଖ୍ୟା ୨୩ରେ ପହଞ୍ଚିଥିବା ବେଳେ ୨୦୧୨ରେ ୨୪, ୨୦୧୫ ଗଣନା ବେଳକୁ ସଂଖ୍ୟା ୮କୁ ଖସି ଆସିଥିଲା। ୨୦୧୭ ଗଣନା ସମୟରେ ମାତ୍ର ଗୋଟିଏ ହାତୀକୁ ଦେଖିବାକୁ ମିଳିଥିଲା। ୨୦୧୯ରେ ବାତ୍ୟା ‘ଫନି’ ପରେ ଏହି ଅଭୟାରଣ୍ୟ ହାତୀଶୂନ୍ୟ ହୋଇଯାଇଥିବା ନେଇ ଚର୍ଚ୍ଚା ହୋଇଥିଲା।