ବାରଙ୍ଗ: ଆସନ୍ତାକାଲି ନନ୍ଦନକାନନରେ ପାଳିତ ହେବ ବିଶ୍ବ ହସ୍ତୀ ଦିବସ। କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କ ମାର୍ଗଦର୍ଶିକାକୁ ପାଳନ କରି ଉତ୍ସବସ୍ଥଳୀକୁ ହାତୀ ଆସିବେ ନାହିଁ। ବରଂ ପ୍ରାଣୀ ଉଦ୍ୟାନରେ ଥିବା ୪ ହାତୀ ଯଥା ବାସନ୍ତୀ, ହୀରା, ମାମା ଓ କୁନି ହାତୀ ‘ଅଭି’ ପାଖକୁ କର୍ମଚାରୀମାନେ ଯାଇ ଆଖୁ, ନଡ଼ିଆ, ସେଓ, ତରଭୂଜ, କଦଳୀ ଓ ମକା ଖୁଆଇବେ। ପ୍ରଥମ ଥର ପାଇଁ ତିନି ମାସର ଛୁଆ ହାତୀ ‘ଅଭି’ ହସ୍ତୀ ଦିବସର ମଜା ନେବ। ‘ଅଭି’କୁ ଗତ ଜୁନ୍ ୨୫ ତାରିଖରେ କେନ୍ଦୁଝରରୁ ଉଦ୍ଧାର କରି ନନ୍ଦନକାନନକୁ ଅଣାଯାଇଥିଲା। ବାର୍ଦ୍ଧକ୍ୟଜନିତ ଅସୁସ୍ଥତା କାରଣରୁ ବୟସ୍କା ହାତୀ ‘ବାସନ୍ତୀ’(୫୯), ଯୁବତୀ ଚପଳତା ପାଇଁ ‘ହୀରା’(୨୫) ଓ ୬ ବର୍ଷିଆ ‘ମାମା’ ରହୁଥିବା ହାତୀ ଶାଳରେ ଏହି ଉତ୍ସବ ପାଳନ କରାଯିବ।
ପ୍ରତିବର୍ଷ ଭଳି ଏଥର ମଧ୍ୟ ହାତୀ ସୁରକ୍ଷା ଉପରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହେବା ନେଇ ନନ୍ଦନକାନନ ଉପନିର୍ଦ୍ଦେଶକ ସନତ କୁମାର ନାରାୟଣ ସୂଚନା ଦେଇଛନ୍ତି। ଦିବସ ପାଳନ ଅବସରରେ ହସ୍ତୀ ସୁରକ୍ଷା ଉପରେ ଅନଲାଇନ୍ ଓ ଅଫଲାଇନ୍ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ରଖାଯାଇଛି। ପ୍ରତିଯୋଗିତାର ଶ୍ରେଷ୍ଠ ତିନି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବା ସହ ସମସ୍ତ ପ୍ରତିଯୋଗୀଙ୍କୁ ଇ-ସାର୍ଟିଫିକେଟ ପ୍ରଦାନ କରିବାର ବନ୍ଦୋବସ୍ତ ହୋଇଛି। ଏଥିସହ ଉନ୍ନତ ସେବା ପାଇଁ ହାତୀ ମାହୁନ୍ତମାନଙ୍କୁ ପୁରସ୍କାର ପ୍ରଦାନ କରାଯିବ। ବୁଲି ଆସିଥିବା ପର୍ଯ୍ୟଟକଙ୍କ ପାଇଁ କୁଇଜ୍ ପ୍ରତିଯୋଗିତାର ଆୟାଜନ କରାଯାଇଛି। ସନ୍ଧ୍ୟା ସମୟରେ ଜନ୍ତୁରକ୍ଷକମାନେ ପର୍ଯ୍ୟଟକଙ୍କୁ ହାତୀ ସମ୍ପର୍କିତ ବାର୍ତ୍ତା ଦେବାର କାର୍ଯ୍ୟକ୍ରମ ରହିଛି।