ଆଜି ବିଶ୍ବ ହେପାଟାଇଟିସ୍‌ ଦିବସ: ଏଚ୍ଆଇଭି ଠାରୁ ଅଧିକ ମାରାତ୍ମକ ହେପାଟାଇଟିସ୍‌

ଶୀଘ୍ର ରୋଗ ନିରୂପଣ ଗୁରୁତ୍ବପୂର୍ଣ୍ଣ

ହେପାଟାଇଟିସ୍‌ ରୋଗ ଏଚ୍‌ଆଇଭିଠାରୁ ମଧ୍ୟ ଅଧିକ ମାରାତ୍ମକ। ତେଣୁ ପ୍ରାଥମିକ ପର୍ଯ୍ୟାୟରେ ଏହାର ଚିହ୍ନଟ ହେବା ଜରୁରୀ। ଏଚ୍ଆଇଭି ସଂକ୍ରାମକ ରୋଗ ହୋଇଥିଲେ ମଧ୍ୟ ଜଳବାହିତ ରୋଗ ହେପାଟାଇଟିସ୍‌-ବି ଶୀଘ୍ର ବ୍ୟାପିଥାଏ। ଜନ ସଚେତନା ଦ୍ବାରା ଏହାକୁ ରୋକାଯାଇ ପାରିବ। ତେଣୁ ଏହି ରୋଗକୁ ପ୍ରାଥମିକ ପର୍ଯ୍ୟାୟରେ ଚିହ୍ନଟ କରି ନିରାକରଣ କରିବା ଆବଶ୍ୟକ ବୋଲି ଯକୃତ ଓ ପେଟ ରୋଗର ବିଶିଷ୍ଟ ଡାକ୍ତର ମନୋଜ ସାହୁ କହିଛନ୍ତି।

ହେପାଟାଇଟିସ୍‌ ରୋଗର ସଚେତନତା ସୃଷ୍ଟି କରିବା ପାଇଁ ବିଶ୍ବ ହେପାଟାଇଟିସ୍‌ ଦିବସ ପ୍ରତିବର୍ଷ ଜୁଲାଇ ୨୮ ତାରିଖରେ ପାଳନ କରାଯାଉଛି। ଏହି ଦିବସ ପାଇଁ ଚଳିତବର୍ଷର ବିଷୟବସ୍ତୁ ରହିଛି ‘ ହେପାଟାଇଟିସ୍‌ ଅପେକ୍ଷା କରେନାହିଁ’। ଏହି ଦିବସ ପାଳନ ପୂର୍ବରୁ ଡାକ୍ତର ସାହୁ ପୁରୀ ବେଳାଭୂମି ପରିଦର୍ଶନ କରି ବାଲୁକା କଳା ମାଧ୍ୟମରେ ଜଣ୍ଡିସ୍ ରୋଗ ବିଷୟରେ ଲୋକଙ୍କୁ ସଚେତନ କରାଇଥିଲେ। ବାଲୁକା କଳା ସାହାଯ୍ୟରେ ଲୋକଙ୍କ ପ୍ରତ୍ୟକ୍ଷ ଦୃଷ୍ଟି ଆକର୍ଷଣ କରି ପାରିଥିଲେ।

ଏଚ୍‌ଆଇଭି ଠାରୁ ଅଧିକ ମାରାତ୍ମକ ହେପାଟାଇଟିସ୍‌। କାରଣ ପ୍ରତି ୩୦ ସେକେଣ୍ଡରେ ଜଣେ ଲୋକ ଏହି ରୋଗରେ ଜୀବନ ହରାନ୍ତି। ହେପାଟାଇଟିସ୍‌ ରୋଗୀର ଯକୃତକୁ ସଂକ୍ରମଣ କରିବା ସହ କର୍କଟ ରୋଗର ସିରୋସିସ୍ ସୃଷ୍ଟି କରିଥାଏ ବୋଲି ଡାକ୍ତର ସାହୁ କହିଛନ୍ତି। ଜଣ୍ଡିସ୍ ଯକୃତକୁ ସଂକ୍ରମଣ କରିବା ସହ ଏହାର ବିଭିନ୍ନ ପ୍ରକାରଭେଦ ଅଛି। ଯଥାକ୍ରମେ ଏ.ବି.ସି.ଡି ଏବଂ ଇ ଭଳି ହେପାଟାଇଟିସ୍‌। ହେପାଟାଇଟିସ୍‌ ବି ଏବଂ ସି ପ୍ରଜାତି ମାନବ ଜୀବନ ପ୍ରତି ବେଶି ବିପଦ ସୃଷ୍ଟି କରେ। ଡାକ୍ତର ସାହୁଙ୍କ କହିବାନୁସାରେ, ଭୁବନେଶ୍ବର ସମ୍ ହସ୍ପିଟାଲ ଏକମାତ୍ର ଅନୁଷ୍ଠାନର ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ବିଭାଗ ଗତ ୯ବର୍ଷ ଭିତରେ ହେପାଟାଇଟିସ୍‌ ଦୂର କରିବା କ୍ଷେତ୍ରରେ ଲୋକମାନଙ୍କୁ ମାଗଣା ସ୍କ୍ରିନିଂ ଏବଂ ଟିକାକରଣ କରି ଆସୁଛି। ଏଥିସହିତ ସୋଆ ବିଶ୍ବବିଦ୍ୟାଳୟ ଆମ ରାଜ୍ୟରେ ଥିବା ଆଦିବାସୀମାନଙ୍କୁ ହେପାଟାଇଟିସ୍‌ ବିଷୟରେ ସଚେତନତା କରିବା ପାଇଁ ଏକ ପ୍ରକଳ୍ପ ଆରମ୍ଭ କରିବା ନେଇ ଯୋଜନା ପ୍ରସ୍ତୁତି କରୁଛି।

ଡାକ୍ତର ସାହୁ ଆହୁରି ମଧ୍ୟ କହିଛନ୍ତି, ଦୂଷିତ ପାଣି ପିଇବା ଏବଂ ଖାଦ୍ୟ ଖାଇବା ଦ୍ବାରା ହେପାଟାଇଟିସ୍‌ ଏ ଏବଂ ବି ସଂକ୍ରମଣ ହୁଏ। ହେପାଟାଇଟିସ୍‌ ବି, ସି ଏବଂ ଡି ରକ୍ତ ଏବଂ ସଂକ୍ରମିତଙ୍କ ତରଳ ପଦାର୍ଥ ସହିତ ସମ୍ପର୍କରେ ଆସିଥାଏ। ଠିକ୍ ସେହିଭଳି ଏଚ୍ଆଇଭି ମାନବ ଶରୀରରେ ପ୍ରବେଶ କରେ। ଖାଦ୍ୟ, ପାନୀୟ, ସ୍ତନ୍ୟପାନ, ଆଲିଙ୍ଗନ, ବାସନ, ଖାଦ୍ୟ, କାଶ କିମ୍ବା ଛିଙ୍କିବା ଦ୍ବାରା ସେଗୁଡ଼ିକ ବିସ୍ତାର ହୁଏ ନାହିଁ। ତେଣୁ ସଂକ୍ରମିତ ଲୋକମାନଙ୍କୁ ଘରେ, ସମାଜରେ, ଡାକ୍ତରଖାନାରେ କିମ୍ବା କର୍ମ କ୍ଷେତ୍ରରେ ଭେଦଭାବ କରାଯିବା ଉଚିତ ନୁହେଁ। ବର୍ତ୍ତମାନ ଲୋକମାନେ ଏହି ରୋଗକୁ ଏକ ସାଧାରଣ ରୋଗ ବୋଲି ଭାବୁଛନ୍ତି। ଏ ଦିଗରେ ବ୍ୟାପକ ଜନ ସଚେତନତା ସୃଷ୍ଟି କରି ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବା ଆବଶ୍ୟକ। ଏହାକୁ ଗୁରୁତ୍ବର ସହ ନେଇ ତୁରନ୍ତ ଚିକିତ୍ସା କରିବା ଆବଶ୍ୟକ। ନଚେତ ଏହି ରୋଗରେ ଆକ୍ରାନ୍ତ ବ୍ୟକ୍ତମାନଙ୍କର ଯକୃତ କର୍କଟ, ଯକୃତ ଖରାପ ଏବଂ ଅକାଳ ବିୟୋଗ ସହ ଅନ୍ୟାନ୍ୟ ମାରାତ୍ମକ ଜଟିଳତା ବୃଦ୍ଧି ପାଇବାର ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ।

ଜଣ୍ଡିସ୍ ବି ରେ ସଂକ୍ରମିତ ହୋଇଥିବା ଅନେକ ଲୋକ ଲକ୍ଷଣ ନଥିବାରୁ ସଂକ୍ରମଣ ବିଷୟରେ ଅନଭିଜ୍ଞ ଥାଆନ୍ତି। ସବୁଠୁ ମାରାତ୍ମକ ବିଷୟ ହେଉଛି ଭାଇରାଲ ଜଣ୍ଡିସ୍ ଆକ୍ରାନ୍ତ ହୋଇଥିବା ୯୫ପ୍ରତିଶତ ଲୋକ ଜାଣି ପାରିନଥାନ୍ତି। କ୍ରନିକ୍ ଯକୃତ ରୋଗ ଏବଂ ଏହାର ଜଟିଳତା ହେବାର ଆଶଙ୍କା ଅଧିକ ଏବଂ ଅଜାଣତରେ ଏହି ସଂକ୍ରମଣକୁ ସୁସ୍ଥ ଲୋକଙ୍କୁ ପଠାଇଥାଏ ବୋଲି ସେ କହିଛନ୍ତି। ଏଥିସହିତ ବିଭିନ୍ନ ପ୍ରକାର ଜଣ୍ତିସ୍ ଅଧିକ କ୍ଷତିକରିପାରେ ନାହିଁ ଏବଂ ପରିଷ୍କାର ପରିଚ୍ଛନ୍ନତା ତଥା ସ୍ବଚ୍ଛତା ଦ୍ବାର ଏହାକୁ ରୋକାଯାଇ ପାରିବ। ଏହାସହ ଜଣ୍ଡିସ୍ ବିକୁ ଯଦି ସଠିକ ସମୟରେ ଟିକାକରଣ କରାଯାଏ ତେବେ ସଂକ୍ରମଣ ରୋକାଯିବା ସହ ବ୍ୟାପକ କ୍ଷତିରୁ ରକ୍ଷା କରାଯାଇପାରିବ।

ସମ୍ବନ୍ଧିତ ଖବର