ପୁରୁଣା ଭୁବନେଶ୍ୱର: ମନ୍ଦିରମାଳିନୀ ସହର ଭୁବନେଶ୍ୱର ରାଜ୍ୟର ରାଜଧାନୀ ବୋଲି ଯେତିକି ପରିଚିତ ନୁହେଁ, ସମଗ୍ର ଦେଶରେ ଅନ୍ୟତମ ଐତିହ୍ୟସ୍ଥଳ ବୋଲି ତା’ଠାରୁ ଅଧିକ ଜଣାଶୁଣା। ଏଠାରେ ଥିବା ପ୍ରାଚୀନ କୀର୍ତ୍ତିରାଜି ହିଁ ଦେଶବିଦେଶରୁ ହଜାର ହଜାର ପର୍ଯ୍ୟଟକଙ୍କୁ ଟାଣି ଆଣେ। ଲିଙ୍ଗରାଜ ମନ୍ଦିର, ମୁକ୍ତେଶ୍ବର ମନ୍ଦିର ଓ ମାଉସୀମା ମନ୍ଦିରର କାରୁକାର୍ଯ୍ୟ ସମେତ ଧଉଳି ଶାନ୍ତିସ୍ତୁପ ଓ ଖଣ୍ଡଗିରି-ଉଦୟଗିରି ଭଳି ଐତିହ୍ୟସ୍ଥଳର ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କୁ ବର୍ଷ ବର୍ଷ ଆକର୍ଷିତ କରିଆସୁଛି। ମାତ୍ର ପ୍ରତ୍ନତତ୍ତ୍ବ ବିଭାଗର ଅଣହେଳା ପାଇଁ ଗତ କିଛି ବର୍ଷ ହେଲା ଏହି ସବୁ ଐତିହ୍ୟସ୍ଥଳୀର ତା’ର ଚମକ ହରାଇବାକୁ ବସିଛି। କେଉଁ ମନ୍ଦିରରେ ପାଣି ଗଳିଲାଣି ତ, କେଉଁଠି ମନ୍ଦିରଗୁଡ଼ିକ ଜରାଜୀର୍ଣ୍ଣ ଅବସ୍ଥାକୁ ଆସି ଶେଷରେ ଉଭାନ୍ ହୋଇଗଲାଣି। ସେହିଭଳି କିଛି ଐତିହ୍ୟସ୍ଥଳରୁ ପ୍ରାଚୀନ ଶିଳାଲିପି ମଧ୍ୟ ଅଦୃଶ୍ୟ ହେବାକୁ ବସିଲାଣି। ବିଭାଗୀୟ ଅବହେଳା ଆଗକୁ ଏହି ସବୁ ଐତିହ୍ୟ ପ୍ରତି ବଡ଼ ବିପଦ ପାଲଟିବ ବୋଲି ଆଶଙ୍କା କରାଗଲାଣି।
ଖଣ୍ଡଗିରି-ଉଦୟଗିରିରେ ହଜିଗଲାଣି ଶିଳାଲିପି
ଉଦୟଗିରିରେ ଥିବା ଲିପିଗୁଡ଼ିକ ଆଉ ପୂର୍ବ ଭଳି ସ୍ପଷ୍ଟ ହୋଇନାହିଁ। ହାତୀ ଗୁମ୍ଫାରେ ଥିବା ଶିଳାଲିପି ଏବେ ଅଷ୍ପଷ୍ଟ ହୋଇଗଲାଣି। ସେହିପରି ଖଣ୍ଡଗିରି ପାହାଡ଼ ଗୁମ୍ଫାରେ ଲାଗିଥିବା ଝରକା କାଚ ସବୁ ଭାଙ୍ଗି ଗଲାଣି। ଫଳରେ ଶିଳାଲିପି ଥିବା ପ୍ରସ୍ତର ଉପରେ ଅସାମାଜିକ ଯୁବକମାନେ ଏଣୁତେଣୁ ଲେଖାଲେଖି କରି ନଷ୍ଟ କରୁଛନ୍ତି।/sambad/media/post_attachments/wp-content/uploads/2021/04/z5d4gg456a4dg56a4d56gdgadgadgadgadgadgadgadgadgadgadgadgadgadgadga-300x96.jpg)
ଜବରଦଖଲରେ ଶିଶୁପାଳଗଡ଼
ଐତିହାସିକ ଶିଶୁପାଳଗଡ଼ ଅବସ୍ଥା ଆହୁରି କଦର୍ଯ୍ୟସ୍ଥିତିରେ। ଏହି ଗଡ଼ ଏବେ ଜବରଦଖଲକାରୀଙ୍କ କବଳରେ। କେଉଁଠି ବେଆଇନ ଭାବେ ବିଲ୍ଡିଂ ହେଉଛି ତ ପୁଣି କେଉଁଠି ଐତିହ୍ୟକୁ ନଷ୍ଟ କରି ରାସ୍ତା ନିର୍ମାଣ ଚାଲିଛି। କେନ୍ଦ୍ର ପ୍ରତ୍ନତତ୍ତ୍ୱ ବିଭାଗ ନିୟମ ଅନୁଯାୟୀ ପ୍ରାଚୀନ ସ୍ମାରକୀ ପ୍ରତ୍ନତାତ୍ତ୍ୱିକ ସ୍ଥଳ ଅବଶେଷ (ସଂଶୋଧନ ଓ ବୈଧିକରଣ) ଅଧିନିୟମ ୨୦୧୦ ଧାରା ୨୦(କ) ଓ (ଖ) ଅନୁଯାୟୀ କୌଣସି କେନ୍ଦ୍ରୀୟ ସଂରକ୍ଷିତ ସ୍ଥଳ ବା ସ୍ମାରକ ସୀମାଠାରୁ ସର୍ବନିମ୍ନ ୧୦୦ମିଟର ଓ ଏହାଠାରୁ ଚତୁଃପାର୍ଶ୍ୱରେ ସର୍ବନିମ୍ନ ୨୦୦ ମିଟର ଅଞ୍ଚଳକୁ ଖନନ ଓ ନୂତନ ନିର୍ମାଣ ପାଇଁ ନିଷିଦ୍ଧାଞ୍ଚଳ ଓ ନିୟନ୍ତ୍ରିତ ଅଞ୍ଚଳ ଭାବେ ଘୋଷିତ ହୋଇଛି। ମାତ୍ର ଶିଶୁପାଳଗଡ଼ରେ ଏହି ସବୁ ନିୟମକୁ କେହି ମାନୁଥିବା ବେଳେ କର୍ତ୍ତୃପକ୍ଷ ମଧ୍ୟ ନିରବଦ୍ରଷ୍ଟା ସାଜୁଛନ୍ତି। ଆଗାମୀ ଦିନରେ ଶିଶୁପାଳଗଡ଼ ପୂରା ଜବରଦଖଲକାରୀଙ୍କ କବଳକୁ ଚାଲିଯିବ ବୋଲି ଜଳଜଳ ହୋଇ ଦେଖାଯାଉଛି।
ଦେବୀ ପାଦହରାରୁ ୨୨ ମନ୍ଦିର ଉଭାନ
ଶ୍ରୀଲିଙ୍ଗରାଜ ମନ୍ଦିରର ପୂର୍ବ-ଉତ୍ତର କୋଣରେ ରହିଛି ଦେବୀ ପାଦହରା ପୁଷ୍କରିଣୀ। ଏହି ପୁଷ୍କରିଣୀର ଚାରିପଟେ ରହିଛି ୧୦୮ଶିବ ଲିଙ୍ଗ ମନ୍ଦିର। ଏଥିମଧ୍ୟରୁ ୬୦ଟି ମନ୍ଦିରରେ ଶିବ ଲିଙ୍ଗ ନାହିଁ। ସେହିଭଳି ୨୨ଟି ମନ୍ଦିର ଭଗ୍ନ ଅବସ୍ଥାରେ ପଡ଼ିରହିଛି। ଏହି ମନ୍ଦିରଗୁଡ଼ିକର ପୁନରୁଦ୍ଧାର କାର୍ଯ୍ୟ କେନ୍ଦ୍ର ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ଆରମ୍ଭ ହୋଇଥିଲା। କିନ୍ତୁ ଗତ ୬ବର୍ଷ ହେଲା ତାହା ବନ୍ଦ ରହିଛି। ଏବେ ଏହି ସବୁ ମନ୍ଦିରମାନଙ୍କରେ ଅବସ୍ଥା ଶୋଚନୀୟ ହୋଇପଡ଼ିଥିବାରୁ ସେଠାରେ ନା ପୂଜାର୍ଚ୍ଚନା ଚାଲିଛି ନା କେହି ପର୍ଯ୍ୟଟକ ସେଠାରେ ପହଞ୍ଚୁଛନ୍ତି। ପରିତାପର କଥା ଏକଦା ବଡ଼ ସୁନ୍ଦର କାରୁକାର୍ଯ୍ୟ ଭରା ଏହି ସବୁ ସ୍ଥାନ ଏବେ ଅସାମାଜିକ ତତ୍ତ୍ବମାନଙ୍କ ଆଡ଼ାସ୍ଥଳ ପାଲଟିଛି।/sambad/media/post_attachments/wp-content/uploads/2021/04/5fh456f4h56f456h4sf56hsfhsfhffhfhfh-300x122.jpg)
ଶ୍ରୀଲିଙ୍ଗରାଜ ମନ୍ଦିରରୁ ପାଣି ଗଳୁଛି
ବିଶ୍ୱପ୍ରସିଦ୍ଧ ଶ୍ରୀଲିଙ୍ଗରାଜ ମନ୍ଦିରର ସୁରକ୍ଷାକୁ ନେଇ ଚିନ୍ତା ପ୍ରକଟ କରାଯାଉଛି। ମନ୍ଦିରର ଭୋଗ ମଣ୍ଡପ, ରୋଷ ଘର ଓ ପରିସରରେ ଥିବା ୫ଟି ଭିନ୍ନ ଭିନ୍ନ ସ୍ଥାନରେ ପାଣି ଗଳୁଛି। କେନ୍ଦ୍ର ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ନିୟମିତ ଅନୁଧ୍ୟାନ କରାଯାଉ ନଥିବା ଓ ଆବଶ୍ୟକ ମରାମତି କରାଯାଉନଥିବାରୁ ଏପରି ସମସ୍ୟା ଦେଖାଦେଇଛି। ଅସରାଏ ବର୍ଷା ହେଲେ ପାଣି ଗଳୁଛି। ସେହିପରି ମନ୍ଦିରର ବଡ଼ ଗଣେଶ, ମହାପ୍ରସାଦ ଯିବା ଆସିବା ସ୍ଥାନ, ଜଗନ୍ନାଥ ମନ୍ଦିର ପଛ, ବୈଦ୍ୟନାଥ ମନ୍ଦିରରେ ମଧ୍ୟ ପାଣି ଗଳୁଛି। ନିୟମିତ ପାଣି ଗଳୁଥିବାରୁ ମନ୍ଦିର ଦିନକୁ ଦିନ ଦୁର୍ବଳ ହେଉଛି। ମରାମତି ପାଇଁ ଏଏସ୍ଆଇ ପକ୍ଷରୁ ବଜେଟ୍ ପ୍ରସ୍ତୁତ କରାଯାଉଛି ସତ, କିନ୍ତୁ ଅର୍ଥ ଅନୁମୋଦନ ପାଇଁ ୪ବର୍ଷ ହେଲା ଚାଲିଥିବା ଉଦ୍ୟମ ସଫଳ ହୋଇପାରିନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/56dgh456dag456ad4g56adg4.jpg)