ପ୍ରିୟଙ୍କା ରାୟ
ଭୁବନେଶ୍ୱର: ଚିଠି ମୋର ଟିକି ଚଢେଇ... ଫୁର୍ କିନା ଦେଲି ଉଡ଼େଇ, ସେହି ଚଢ଼େଇ କହିବ ଯାଇ... ଲେଖିଛି ଯିଏ, ଏଇ ଚିଠି ସେ, ସେ ତୋରି ପାଇଁ.. ତୋ ପାଇଁ। ୪୦ ବର୍ଷ ତଳେ ‘ସ୍ବପ୍ନ ସାଗର’ ଚଳଚ୍ଚିତ୍ରର ଏହି ଗୀତକୁ ଏବେ ବି ଶ୍ରୋତା ଗୁଣୁଗୁଣାଉଛନ୍ତି। ଚିଠିକୁ ନେଇ ଅକ୍ଷୟ ମହାନ୍ତିଙ୍କର ଏହି ଗୀତ ଶ୍ରୋତାଙ୍କୁ ଭାବନା ରାଇଜରେ ବୁଡ଼ାଇ ଦିଏ। ପ୍ରେମ ଓ ଆବେଗ ବ୍ୟକ୍ତ କରିବାକୁ ଚିଠି ଯେ କେତେ ବଡ଼ ମାଧ୍ୟମ ଥିଲା, ତାହା ବୁଝିବାକୁ ଏହି ଗୀତଟି ଯଥେଷ୍ଟ ଥିଲା। କେବଳ ଏହି ଗୋଟିଏ ଗୀତ ନୁହେଁ, ଓଡ଼ିଆ ଚଳଚ୍ଚିତ୍ର ଓ ଓଡ଼ିଆ ଆଲବମ୍ରେ ଚିଠିକୁ ନେଇ ଅନେକ ଲୋକପ୍ରିୟ ଗୀତ ସୃଷ୍ଟି ହୋଇଛି। ଓଡ଼ିଆ ଆଧୁନିକ ଗୀତରେ ‘ପ୍ରଥମ ପ୍ରେମର ପ୍ରଥମ ଚିଠି, ଲେଖୁଛି ଅଳପ ଭାବୁଛି ବେଶି’ ଗୀତଟି ଗୋଟିଏ ସମୟରେ ଚହଳ ସୃଷ୍ଟି କରିଦେଇଥିଲା। ପୁଣି ‘ଚିରିଦେବା ଆଗରୁ ଚିଠି ଥରେ ପଢ଼ି ଦେଖ, ଭୁଲି ଯିବା ଆଗରୁ ଆଉ ଥରେ ଭାବି ଦେଖ’, ‘ଚିଠି ମୋର ଆସିଲାନି ଆସିବାର ଥିଲା’ ଏମିତି ଗୀତର ତାଲିକା ଲମ୍ବା। ଗୀତଗୁଡ଼ିକ ହିଁ କହିଦେଉଛି ପ୍ରେମରେ ହାତଲେଖା ଚିଠିର ସ୍ଥାନ କେତେ ଉପରେ।
ବର୍ତ୍ତମାନ ପିଢ଼ିର ପିଲାଙ୍କ ପାଖରେ ଏହି ଚିଠିର ଗୁରୁତ୍ବ ନାହିଁ କହିଲେ ଭୁଲ୍ ହେବ ନାହିଁ। ନା ପ୍ରେମରେ ନା ବନ୍ଧୁତ୍ବରେ, କେଉଁଠି ବି ସମ୍ପର୍କକୁ ଗାଢ଼ କରିବାକୁ ଚିଠି ଦରକାର ପଡ଼ୁନି। ସେମାନଙ୍କ ପାଇଁ ‘ଚିଠି’ କେବଳ ଏକ ଶବ୍ଦ ହୋଇଯାଇଛି। ନିଜ ଭାବନାକୁ ଓ ନିଜ କଥାକୁ ତ୍ବରିତ ପଠାଇବା ପାଇଁ ଏତେ ଆଧୁନିକ ମାଧ୍ୟମ ହୋଇଗଲାଣି ଯେ ଚିଠି ସେମାନଙ୍କ ପାଇଁ ଅପ୍ରାସଙ୍ଗିକ ହୋଇଯାଇଛି। ଶବ୍ଦଠାରୁ ଯେ ଆବେଗ ଓ ସ୍ବାକ୍ଷର ଅଧିକ ଘନିଷ୍ଠ ସନ୍ଦେଶ ବହନ କରେ, ତାହା ସେମାନେ ଅନୁଭବ କରିବା କଷ୍ଟ। ଏପରିକି ଏକ ସମୟ ଆସିବ ଯେ ଆଗାମୀ ପିଢ଼ି ଚିଠି କେବଳ ଇଣ୍ଟରନେଟ୍ରେ ହିଁ ଦେଖିବାକୁ ପାଇବେ।
କେବଳ ସଙ୍ଗୀତରେ ନୁହେଁ ସାହିତ୍ୟରେ ମଧ୍ୟ ‘ଚିଠି’ ଏକ ଅଭିନ୍ନ ଅଙ୍ଗ ଥିଲା। ବିଶିଷ୍ଟ କବି ମାୟାଧର ମାନସିଂହଙ୍କ କବିତା ‘ରେଙ୍ଗୁନ ଚିଠି’ ହେଉ ଅଥବା କଟକ ପବ୍ଲିସିଂ ହାଉସ୍ ପକ୍ଷରୁ ପ୍ରକାଶିତ ତାଙ୍କ ପତ୍ନୀ ହେମଲତା ମାନସିଂହ ନିକଟକୁ ଲେଖିଥିବା ପ୍ରେମପତ୍ରର ସଂକଳନ ‘ମାନସିଂହଙ୍କ ପ୍ରଣୟ ଚିଟାଉ’ରେ ଏହା ପ୍ରମାଣିତ ହୋଇଛି। ସେହିପରି ମନୋଜ ଦାସଙ୍କ କାଳଜୟୀ ଗଳ୍ପ ସଂକଳନ ‘ଶେଷ ବସନ୍ତର ଚିଠି’ରେ ଏହା ସମ୍ପର୍କର ସେତୁ ସାଜିଥିଲା। କେବଳ ସାହିତ୍ୟ, ସଙ୍ଗୀତ ଅଥବା ସମ୍ପର୍କ ନୁହେଁ ଚିଠି ମଧ୍ୟ କେତେ ଯୁଦ୍ଧ ପାଇଁ ଶାନ୍ତିର ବାହକ ହୋଇଥିଲା। ଲର୍ଡ ଇରୱିନଙ୍କୁ ମହାତ୍ମା ଗାନ୍ଧୀଙ୍କ ଲବଣ ସତ୍ୟାଗ୍ରହର ନିଷ୍ପତ୍ତି ସଂକ୍ରାନ୍ତ ଐତିହାସିକ ଚିଠି ମଧ୍ୟ ଏହାର ଏକ ଉଦାହରଣ।
ସାହିତ୍ୟର ଅନ୍ତରଙ୍ଗ ବିଭବ ହେଉଛି ଚିଠି
ବିଶିଷ୍ଟ ସାହିତ୍ୟିକ ଅଧ୍ୟାପକ ବିଶ୍ୱରଞ୍ଜନଙ୍କ କହିବା ଅନୁଯାୟୀ ସାହିତ୍ୟର ଅନ୍ତରଙ୍ଗ ବିଭବ ହେଉଛି ‘ଚିଠି’। ସାହିତ୍ୟର ବହୁ କଥା ଚିଠି ମାଧ୍ୟମରେ ରହିଯାଇଛି। ଗୋଟିଏ ସମୟରେ ଓଡ଼ିଆ ସାହିତ୍ୟର ତିନିଜଣ ବିଶିଷ୍ଟ ସାହିତ୍ୟିକ ଗୋପୀନାଥ ମହାନ୍ତି, ନିତ୍ୟାନନ୍ଦ ମହାପାତ୍ର ଓ ରାଜକିଶୋର ପଟ୍ଟନାୟକ ଭଲ ପାଇବା କ‘ଣ ସେ ବିଷୟରେ ପରସ୍ପରକୁ ଚିଠି ଲେଖୁଥିଲେ। ଯାହାକି ପଣ୍ଡିତ ନୀଳକଣ୍ଠ ଦାସଙ୍କ ‘ନବ ଭାରତ’ ପତ୍ରିକାରେ ପ୍ରକାଶିତ ହୋଇଥିଲା। ଯାହା ପରେ ‘ପ୍ରେମର ନିୟତି’ ନାମକ ପୁସ୍ତକ ହୋଇଥିଲା। ସୂଚନାଯୋଗ୍ୟ ଯେ ୧୯୭୦ରେ ଶ୍ରୀ ବିଶ୍ବରଞ୍ଜନ ‘ଚିଠି’ ପତ୍ରିକା ବାହାର କରୁଥିଲେ। ଏକ ଲଫାପାରେ ବିଶିଷ୍ଟ ଲେଖକମାନଙ୍କର ଛୋଟ ଛୋଟ ଲେଖା ରହୁଥିଲା। ପରେ ଏହା ବହି ଆକାରରେ ପ୍ରକାଶ ପାଇଲା।
ଯିଏ ଚିଠି ଲେଖିଛି ସେ ହିଁ ସଙ୍ଗୀତର ଭାବକୁ ବୁଝିପାରିବ
ଜଣାଶୁଣା ଗୀତିକାର ଅରୁଣ ମନ୍ତ୍ରୀଙ୍କ କହିଛନ୍ତି, ପୂର୍ବରୁ ଚିଠି ଲେଖିବାରେ ଓ ପାଇବାରେ ଏକ ଅସୀମ ଆଗ୍ରହ ତଥା ଉତ୍ସାହ ଥିଲା। ଦର୍ଶକମାନଙ୍କର ପ୍ରଂଶସା, ସମାଲୋଚନା ଜାଣିବାର ଏହା ବାହକ ସାଜିଥିଲା। ତେଣୁ ପୋଷ୍ଟମ୍ୟାନକୁ ଦେଖିଲେ ମନ ଖୁସି ହୋଇଯାଉଥିଲା। ରବିବାର ସରକାରୀ ଛୁଟିଯୋଗୁ ଚିଠି ନ ଆସିଲେ ମନ ଦୁଃଖ ହୋଇଯାଉଥିଲା। ଯିଏ ଚିଠି ଲେଖିଛି ସେ ହିଁ ସଙ୍ଗୀତର ଭାବକୁ ବୁଝିପାରିବ। ଯଦିଓ ବ୍ୟକ୍ତିଗତ ସ୍ତରରେ ଏହାର ବ୍ୟବହାର କମିଗଲାଣି। ହେଲେ ‘ଚିଠି’ ଶବ୍ଦ କେବେ ମରିବ ନାହିଁ।