ମହାନଗର ମୋଗ୍ଲି
ରୁଦ୍ର ନାରାୟଣ ଷଡ଼ଙ୍ଗୀ
ବାରଙ୍ଗ: ଅଗଷ୍ଟ ୧୦ ତାରିଖକୁ ବିଶ୍ବ ସିଂହ ଦିବସ ରୂପେ ପାଳନ କରା ଯାଉଛି। ଏ ଦିବସ ପାଳନର ଉଦ୍ଦେଶ୍ୟ ହେଉଛି ଲୋପ ପାଇବାକୁ ବସିଥିବା ସିଂହମାନଙ୍କ ବଂଶକୁ ସୁରକ୍ଷା ଓ ସଂରକ୍ଷଣ କରି ସେମାନଙ୍କ ବଂଶ ବୃଦ୍ଧି କରାଇବା ଲାଗି ବ୍ୟାପକ ଜନ ସଚେତନତା ସୃଷ୍ଟି କରିବା। ୨୦୧୩ ମସିହାରୁ ଏହାକୁ ପାଳନ କରା ଯାଉଛି।
ଏବେ ବିଶ୍ବର ସିଂହ ସଂଖ୍ୟ ୫୦ ହଜାର ଭିତରେ ରହିଛି। ଭାରତରେ ଦେଖାଯାଉଥିବା ପ୍ରଜାତିକୁ ଏସୀୟ ସିଂହ କୁହାଯାଇଥାଏ। ବିଶେଷକରି ଗୁଜୁରାଟର ଗିର୍ ଜଙ୍ଗଲରେ ଏହି ସିଂହ ଦେଖିବାକୁ ମିଳନ୍ତି। ସିଂହଙ୍କ ସୁରକ୍ଷା ପାଇଁ ଗୁଜରାଟ ସରକାରଙ୍କର ବିଭିନ୍ନ ପଦକ୍ଷେପ ଯୋଗୁଁ ଗିର୍ରେ ୧୯୯୦ରେ ୨୮୪ଟି ସିଂହ ଥିବାବେଳେ ୨୦୨୦ ମସିହା ଗଣନା ଅନୁସାରେ ତାହା ୬୭୪ରେ ପହଞ୍ଚିଛି। ସେହିପରି ନନ୍ଦନକାନନକାନନ ପ୍ରାଣୀ ଉଦ୍ୟାନରେ ୧୯୮୫ ମସିହାରେ ସିଂହବଂଶ ବୃଦ୍ଧି ହୋଇ ସର୍ବାଧିକ ୫୬ରେ ପହଞ୍ଚି ଚର୍ଚ୍ଚାର ବିଷୟ ପାଲଟିଥିଲା। ନନ୍ଦନକାନନରେ ସିଂହଙ୍କର ସଫଳ ପ୍ରଜନନ ହୋଇ ବଂଶବୃଦ୍ଧି ହେଉଥିବାରୁ ୧୯୮୫ ମସିହାରେ ସିଂହ ସଫାରି ନିର୍ମାଣ କରାଯାଇଥିଲା। ତତ୍କାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଏହାକୁ ଉଦ୍ଘାଟନ କରିଥିଲେ। ତେବେ ପରବର୍ତ୍ତୀ ସମୟରେ ଏତେ ସଂଖ୍ୟକ ସିଂହଙ୍କୁ ନେଇ କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷ ଚିନ୍ତା ପ୍ରକଟ କରିଥିଲେ। ନନ୍ଦନକାନନର ସିଂହ ବଂଶବୃଦ୍ଧିରେ ରୋକ୍ ଲଗାଇବାଲାଗି ସିଂହ ଓ ସିଂହୀମାନଙ୍କୁ ପରସ୍ପର ଠାରୁ ଅଲଗା କରି ରଖିବା ସହିତ ଅସ୍ତ୍ରୋପଚାର ଦ୍ବାରା ଅଣ୍ଡିରା ସିଂହଙ୍କର ବନ୍ଧ୍ୟାକରଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ନିର୍ଦ୍ଦେଶକୁ ପାଳନ କରା ଯାଇଥିଲା। କିନ୍ତୁ ସେହି କାରଣରୁ ନନ୍ଦନକାନନରେ ସିଂହ ପ୍ରଜନନ ଓ ବଂଶବୃଦ୍ଧି ଠପ୍ ହୋଇଯାଇଥିଲା। ମଜା କଥା ହେଉଛି ୨୦୦୩ ମହାବାତ୍ୟାରେ ସିଂହ ଓ ସିଂହୀ ରହୁଥିବା ଖୁଆଡ଼ ମଝି ପାଚେରି ଭୁଶୁଡି ପଡିଥିଲା।
ସେହି ମଉକାରେ ବନ୍ଧ୍ୟାକରଣ ନହୋଇ ରହିଥିବା ଏକ ସିଂହ ଦୁଇଟି ସିଂହୀଙ୍କ ସହିତ ମିଶିଯାଇଥିଲା। ଫଳସ୍ବରୂପ ଶେଷଥର ପାଇଁ ୨୦୦୪ରେ କ୍ରିଷ୍ ନାମକ ବର୍ଣ୍ଣଶଙ୍କର (ଏସୀୟ-ଆଫ୍ରିକୀୟ ମିଳନରୁ ଜନ୍ମିତ) ଜାତୀୟ ସିଂହ ଓ ୨୦୦୫ ମସିହାରେ କାବେରୀ ଓ କରିସ୍ମା ନାମକ ସମାନ ପ୍ରକାର ଦୁଇଟି ସିଂହୀ ଜନ୍ମ ନେଇଥିଲେ। ତେବେ ୬ ମାସର ହୋଇଥିବାବେଳେ ବିଷଧର ସାପ କାମୁଡ଼ାରେ କାବେରୀ ଓ କରିସ୍ମାଙ୍କର ମୃତ୍ୟୁ ଘଟିଥିଲା। ଏହାପରଠାରୁ ନନ୍ଦନକାନନରେ ସିଂହ ପ୍ରଜନନ ବନ୍ଦ ହୋଇଯାଇଥିଲା। ଏହା ଉପରକୁ ଏକବଂଶୀରକ୍ତଜ ବା ଏକବଂଶୀ ମିଳନରୁ ଜନ୍ମିତ କାରଣରୁ ରୋଗଗ୍ରସ୍ତ ହୋଇ ନନ୍ଦନକାନନରେ ଲଗାତର ଭାବେ ସିଂହମାନଙ୍କର ମୃତ୍ୟୁ ଘଟିଥିଲା। ସିଂହ ସଂଖ୍ୟା ୨୦୧୨ରେ ୧୨କୁ ଖସି ଆସିଥିଲା। ତା’ପରେ ସିଂହଙ୍କର ବଂଶବୃଦ୍ଧି ପାଇଁ ଉଦ୍ୟମ ଆରମ୍ଭ ହୋଇଥିଲା। ତେବେ ୨୦୧୪ ମସିହା ଅପ୍ରେଲ ୧୩ ତାରିଖରେ ଗୁଜୁରାଟର ଫକୀରାବାଗରୁ ଏକହଳ ଏସିୟ ସିଂହ ପିଛାନ ଓ ଶ୍ୟାମାଙ୍କୁ ଦାନସୂତ୍ରରେ ଅଣାଯାଇ ଥିଲେ ହେଁ ପ୍ରଜନନ ସଫଳ ହୋଇ ନଥିଲା। ଶେଷରେ ୨୦୧୪ ମସିହା ନଭେମ୍ବର ୯ ତାରିଖରେ ବାଙ୍ଗାଲୋରସ୍ଥିତ ବନେରଘାଟା ଚିଡିଆଖାନାରୁ ବର୍ଣ୍ଣଶଙ୍କର ଜାତୀୟ ନରସିଂହା, ଆକାଶ, ରୁକ୍ମିଣୀ ଓ ରାଧାଙ୍କୁ ନନ୍ଦନକାନନ ଅଣାଯାଇଥିଲା। ଦୀର୍ଘବର୍ଷର ବ୍ୟବଧାନ ପରେ ନନ୍ଦନକାନନର ସିଂହ କ୍ରିଷ୍ ସହ ମିଳନରୁ ରାଧାର ଗର୍ଭରୁ ୨୦୧୫ ଜୁଲାଇ ୨୩ ତାରିଖରେ ୪ଟି ଶାବକ ଜନ୍ମ ନେଇଥିଲେ। ମାତ୍ର ଜନ୍ମ ପରବର୍ତ୍ତୀ ମା’ର ଯତ୍ନ ଅଭାବରୁ ସେଥିରୁ ୩ଟି ଛୁଆଙ୍କର ମୃତ୍ୟୁ ହୋଇଥିଲା। ଏକମାତ୍ର ବଞ୍ଚିଥିବା କଳ୍ପନାକୁ ମା’ଠାରୁ ଅଲଗା କରି ଜନ୍ତୁରକ୍ଷକଙ୍କ ସେବାଯତ୍ନରେ ବଡ଼ କରା ଯାଇଥିଲା।
ଏହାପରେ ରାଧା ଓ କ୍ରିଷ୍ଙ୍କ ମିଳନରୁ ୨୦୧୭ ମାର୍ଚ୍ଚ ୬ ତାରିଖରେ ପୁଣି ୩ଟି ଶାବକ ଜନ୍ମ ନେଇ ବଂଶବୃଦ୍ଧିକୁ ଆଉପାଦେ ଆଗକୁ ନେଇଥିଲେ। ତେବେ ସବୁ ସତର୍କତା ପରେ ମଧ୍ୟ ସେଥିରୁ ୨ଟିଙ୍କର ମୃତ୍ୟୁ ହୋଇଥିଲା। ବଞ୍ଚିଥିବା ଏକମାତ୍ର ସିଂହ ଜିତ୍କୁ ମା’ଠାରୁ ଅଲଗା କରି ଲାଳନପାଳନ କରି ବଡ଼ କରାଯାଇଛି। ନିକଟରେ ଚଳିତ ବର୍ଷ ମାର୍ଚ୍ଚ ୧୭ ତାରିଖରେ ସମ୍ରାଟ ଓ ବିଜ୍ଲିଙ୍କ ମିଳନରୁ ୨ଟି ମାଈ ସିଂହଶାବକ ଜନ୍ମଲାଭ କରିଥିଲେ। ସେମାନଙ୍କ ମଧ୍ୟରୁ ଗୋଟିକର ମୃତ୍ୟୁ ହୋଇଛି ଓ ବଞ୍ଚିଥିବା ଶାବକଟିକୁ ଜନ୍ତୁରକ୍ଷକମାନେ ସେବାଯତ୍ନରେ ରଖିଛନ୍ତି। ଅନ୍ୟପଟେ ୨୦୨୨ ମେ’ ୨୮ ତାରିଖରେ ଗଙ୍ଗା ନାମକ ଏକ ସିଂହର ବିଷଧର ସାପ କାମୁଡାରେ ଦୁଃଖଦ ମୃତ୍ୟୁ ଘଟିଥିଲା। ପୁଣି ୨୦୨୪ ଏପ୍ରିଲ ୨୦ ତାରିଖରେ ସିଂହୀ ବିଜ୍ଲିର ମୃତ୍ୟୁ ହୋଇଥିଲା। ତେବେ ନନ୍ଦନକାନନରେ ବର୍ଣ୍ଣଶଙ୍କର ୭ଟି ( ୪ ସିଂହ ଓ ୩ ସିଂହୀ) ଓ ଏସୀୟ ୧୬ (ସିଂହ ୧୦ ଓ ସିଂହୀ ୬)ଙ୍କୁ ମିଶାଇ ନନ୍ଦନକାନନରେ ମୋଟ୍ ୨୩ଟି ସିଂହ ଅଛନ୍ତି। ନନ୍ଦନକାନନ କର୍ତ୍ତୃପକ୍ଷ ଆଗକୁ ସିଂହ ପ୍ରଜନନ କରାଇ ବଂଶବୃଦ୍ଧି କରିବାର ଆଶା ରଖିଛନ୍ତି।