ଆଜି ବିଶ୍ବ ଲୁପସ୍‌ ଦିବସ: ପ୍ରତି ୧୦ ଜଣରେ ୯ ଜଣ ମହିଳା ଲୁପସ୍‌ ରୋଗୀ

ଭୁବନେଶ୍ବର, ୯।୫(ଇମିସ): ରୋଗ ପ୍ରତିରୋଧକ ଶକ୍ତି ଶରୀରକୁ ସୁରକ୍ଷା ଦେଇଥାଏ। ହେଲେ ଆପଣ ଜାଣନ୍ତି କି, ଏହି ପ୍ରତିରୋଧକ ଶକ୍ତି ବେଳେବେଳେ ଶରୀରର ଅଙ୍ଗପ୍ରତ୍ୟଙ୍ଗକୁ ଭୁଲବଶତଃ ଆକ୍ରମଣ କରେ ଓ ଶରୀରକୁ କ୍ଷତି ପହଞ୍ଚାଇଥାଏ। ଏହା ଚର୍ମଠାରୁ ଆରମ୍ଭ କରି କିଡ୍‌ନି, ମସ୍ତିଷ୍କ, ସ୍ନାୟୁ, ରକ୍ତନଳୀ, ହୃତ୍‌ପିଣ୍ଡ ଆଦିକୁ ପ୍ରଭାବିତ କରି ବିଭିନ୍ନ ଅଙ୍ଗକୁ ଅଚଳ କରିପକାଏ। ଏଭଳି ରୋଗକୁ ‘ଲୁପସ୍‌’ କୁହାଯାଇଥାଏ। ଠିକ୍‌ ସମୟରେ ରୋଗ ଚିହ୍ନଟ କରି ଚିକିତ୍ସା ଆରମ୍ଭ କଲେ ରୋଗୀ ସାଧାରଣ ଜୀବନ ଅତିବାହିତ କରିପାରେ। କିନ୍ତୁ ରୋଗୀର ସାମାନ୍ୟ ଅବହେଳା ତାକୁ ମୃତ୍ୟୁମୁଖରେ ବି ପକାଇପା‌‌‌‌ରେ। ବିଶ୍ବ ଲୁପସ୍‌ ଦିବସ( ମେ’ ୧୦ ତାରିଖ) ଅବସରରେ ଏହି ରୋଗ ବିଷୟରେ ସଚେତନତା ଉଦ୍ଦେଶ୍ୟରେ ବିଶିଷ୍ଟ ଇମ୍ୟୁନୋଲୋଜିଷ୍ଟ ତଥ ରୁମାଟୋଲୋଜି ଡାକ୍ତର ଜ୍ୟୋତିରଂଜନ ପରିଡ଼ାଙ୍କ ସହ ସ୍ବତନ୍ତ୍ର ସାକ୍ଷାତକାର…

ଲୁପସ୍‌ ରୋଗ କ’ଣ?
ଏହା ଏକ ‘ଅଟୋଇମ୍ୟୁନ୍‌ ରୋଗ’। ଏଥିରେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ଶରୀର ବିରୋଧରେ କାମ କରିଥାଏ। ଏହାକୁ ସିଷ୍ଟମିକ୍‌ ଲୁପସ୍‌ ଏରିଦ୍‌ମାଟୋସସ୍‌ (ଏସ୍‌ଏଲ୍‌ଇ) ବୋଲି କୁହାଯାଏ।
ଏହାର ଲକ୍ଷଣ କ’ଣ?
ଖରାକୁ ବାହାରିଲେ ମୁହଁ ଲାଲ୍‌ ହୋଇଯିବା, ପାଟିର ଉପର ତାଳୁରେ ଘା’ ହେବା, ଅତିଶୟ କେଶ ଝଡ଼ିବା, ଦୀର୍ଘ ଦିନ ଧରି ଜ୍ବର ନ ଛାଡ଼ିବା, ଗଣ୍ଠିଯନ୍ତ୍ରଣା, ରକ୍ତହୀନତା ଦେଖାଦେବା, ପରିସ୍ର‌ାରେ ପ୍ରୋଟିନ୍‌ ନିର୍ଗମନ, ଅତିଶୟ କ୍ଲାନ୍ତ ଅନୁଭବ ହେବା ଆଦି ଏହି ରୋଗର ଲକ୍ଷଣ।
କିଭଳି ଚିହ୍ନିବା?
ବିଭିନ୍ନ ଲୁପସ୍‌ ରୋଗୀଙ୍କଠାରେ ଭିନ୍ନଭିନ୍ନ ଲକ୍ଷଣ ପ୍ରକାଶ ପାଉଥିବାରୁ ଏହାକୁ ଚିହ୍ନିବା ଡାକ୍ତରଙ୍କ ପାଇଁ ବି ସମସ୍ୟା ସୃଷ୍ଟି କରେ। କେବଳ ଗୋଟିଏ ଲକ୍ଷଣ ବା ରକ୍ତ ପରୀକ୍ଷା ଦ୍ବାରା ଏହି ରୋଗ ଚିହ୍ନଟ ହୋଇପାରେ ନାହିଁ। ଉପରୋକ୍ତ ବର୍ଣ୍ଣିତ ଏକାଧିକ ଲକ୍ଷଣ ପ୍ରକାଶ ପାଇଲେ ଡାକ୍ତର ଲୁପସ୍‌ ରୋଗ ସନ୍ଦେହ କରି ଏନେଇ ରକ୍ତ ପରୀକ୍ଷା କରିଥା’ନ୍ତି। ଲୁପସ୍‌ ରୋଗ ଚିହ୍ନଟ ପାଇଁ ଏଏନ୍‌ଏ‌ ଟେଷ୍ଟ ନାମକ ରକ୍ତ ପରୀକ୍ଷା କରାଯାଏ। ଏଏନ୍‌ଏ ଟେଷ୍ଟ ପଜିଟିଭ୍‌ ବାହାରିଲେ, ଆଣ୍ଟି ଡିଏସ୍‌ଡିଏନ୍‌ଏ ଆଣ୍ଟିବଡି, ଏସ୍‌ଏମ୍‌ ଆଣ୍ଟିବଡି ଆଦି ପରୀକ୍ଷା କରି ଏହି ରୋଗ ନିରୂପଣ କରାଯାଏ।
କେଉଁ ବୟସରେ ଅଧିକ ହୁଏ
ସାଧାରଣତଃ ଏହି ରୋଗ ୧୫ରୁ ୪୫ବର୍ଷ ବୟସ୍କ ମହିଳାମାନଙ୍କ ମଧ୍ୟରେ ଅଧିକ ଦେଖାଯାଇଥାଏ। ପ୍ରତି ୧୦ ଜଣ ଲୁପସ୍‌ ରୋଗୀଙ୍କ ମଧ୍ୟରେ ୯ଜଣ ମହିଳା ହୋଇଥା’ନ୍ତି। ଛୋଟ ଶିଶୁମାନଙ୍କ ଦେହରେ ମଧ୍ୟ ଏହି ରୋଗ ବେଳେବେଳେ ଦେଖାଯାଇଥାଏ।
ଚିକିତ୍ସା କେମିତି କରିବେ?
ମଧୁମେହ, ଉଚ୍ଚ ରକ୍ତଚାପ ଭଳି ଲୁପସ୍‌ ଏକ ଦୀର୍ଘସ୍ଥାୟୀ ରୋଗ। ରୋଗ ଲକ୍ଷଣ ପ୍ରକାଶ ପାଇଲେ ସଙ୍ଗେ ସଙ୍ଗେ ରୁମାଟୋଲୋଜି ଡାକ୍ତରଙ୍କୁ ଯୋଗାଯୋଗ କରିବା ଉଚିତ। ଏଥିସହ ଲୁପସ୍‌ ରୋଗୀ ସୂର୍ଯ୍ୟକିରଣରୁ ଦୂରେଇ ରହିବା ଭଲ।
କରୋନା ମହାମାରୀରୁ ଲୁପସ୍‌ ରୋଗୀ କିଭଳି ସାବଧାନ ରହିବେ?
ଲୁପସ୍‌ ରୋଗୀମାନଙ୍କୁ ବିଭିନ୍ନପ୍ରକାର ସଂକ୍ରମଣ ହେବାର ସମ୍ଭାବନା ରହିଥାଏ। ଏଣୁ ସେମାନେ ସବୁବେଳେ ମାସ୍କ ପିନ୍ଧିବା, ସାନିଟାଇଜ୍‌ ହେବା ଓ ସ‌ାମାଜିକ ଦୂରତା ରକ୍ଷା କରି ଯଥାସମ୍ଭବ ଗହଳିରୁ ଦୂରେଇ ରହିବା ଉଚିତ। ଏଥିସହ କୋଭିଡ୍‌ର କୌଣସି ଲକ୍ଷଣ ପ୍ରକାଶ ପାଇଲେ ସଙ୍ଗେସଙ୍ଗେ ପରୀକ୍ଷା କରାଇ ଔଷଧ ସେବନ କରିବା ଉଚିତ।

ସମ୍ବନ୍ଧିତ ଖବର