ଆଜି ବିଶ୍ବ ମ୍ୟାଲେରିଆ ଦିବସ: ଏବେ ବି ୧.୧୩ କୋଟି ମଶାରି ଅପେକ୍ଷାରେ ରାଜ୍ୟ

ଭୁବନେଶ୍ବର: ଆସନ୍ତାକାଲି (ଶନିବାର) ବିଶ୍ବ ମ୍ୟାଲେରିଆ ଦିବସ। ବିଶ୍ବରେ ମ୍ୟାଲେରିଆ ସଚେତନତା ପାଇଁ ବିଶ୍ବସ୍ତରରେ ଏହି ଦିବସକୁ ପାଳନ କରାଯାଉଛି। ବିଶ୍ବରେ ଭାରତ ଅନ୍ୟତମ ମ୍ୟାଲେରିଆ ସଂକ୍ରମିତ ଦେଶ। ତେବେ ମ୍ୟାଲେରିଆ ନିରାକରଣ ଦିଗରେ ଭାରତର ଉଦ୍ୟମ ପାଇଁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ବା ଡବ୍ଲ୍ୟୁଏଚ୍‌ଓ ପ୍ରଶଂସା କରିବା ସହ ନିରାକରଣରେ ଭାରତ ଦଶମ ସ୍ଥାନରେ ରହିଛି। ୨୦୩୦ ମସିହା ସୁଦ୍ଧା ଦେଶକୁ ସଂପୂର୍ଣ୍ଣ ମ୍ୟାଲେରିଆମୁକ୍ତ କରିବା ଲାଗି ଲକ୍ଷ୍ୟ ରଖାଯାଇଛି। ଦେଶରେ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶା ମ୍ୟାଲେରିଆପ୍ରବଣ। ଏବେ ବି ରାଜ୍ୟରେ ହଜାର ହାଜର ସଂଖ୍ୟାରେ ମ୍ୟାଲେରିଆରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଉଛି। ଯଦିଓ ରାଜ୍ୟରେ ମ୍ୟାଲେରିଆ ଜନିତ ମୃତ୍ୟୁରେ ଯଥେଷ୍ଟ ସୁଧାର ଆସିଛି, ତେବେ ଅଧିକାଂଶ ଜିଲ୍ଲା ମ୍ୟାଲେରିଆ ପାଇଁ ହଟ୍‌ସ୍ପଟ୍‌ ହୋଇ ରହିଛି। ଗତ ୪ ବର୍ଷର ପରିସଂଖ୍ୟାନକୁ ଦେଖିଲେ ରାଜ୍ୟରେ ମ୍ୟାଲେରିଆ ସ୍ଥିତି ଚିନ୍ତାଜନକ ରହିଛି।

ଜାତୀୟ କୀଟବାହିତ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ ୱେବସାଇଟ୍‌ରୁ ମିଳିଥିବା ତଥ୍ୟ ଅନୁସାରେ, ୨୦୧୬ ମସିହାରେ ରାଜ୍ୟରେ ୪ ଲକ୍ଷ ୪୪ହଜାର ୮୪୩ ଜଣ ବ୍ୟକ୍ତି ମ୍ୟାଲେରିଆରେ ଆକ୍ରାନ୍ତ ହୋଇଥିବା ବେଳେ ଏଥିରେ ୭୭ଜଣ ପ୍ରାଣ ହରାଇଥିଲେ। ୨୦୧୭ ମସିହାରେ ୩ ଲକ୍ଷ ୪୭ ହଜାର ୮୬୦ଜଣ ଓ ୨୪ଜଣ ପ୍ରାଣ ହରାଇଥିଲେ। ସେହିପରି ୨୦୧୮ ମସିହାରେ ଏହି ସଂଖ୍ୟା କମି ୬୬୩୧୧ରେ ପହଞ୍ଚିଥିଲା ଓ ଏଥିରେ ୩ଜଣ ପ୍ରାଣ ହରାଇଥିଲେ। ଗତବର୍ଷ ୩୯୫୫୭ ମ୍ୟାଲେରିଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ୭ଜଣ ପ୍ରାଣ ହରାଇଥିଲେ। ଚଳିତବର୍ଷ ମାର୍ଚ ମାସ ପର୍ଯ୍ୟନ୍ତ ୫୫୪୯ଜଣଙ୍କୁ ମ୍ୟାଲେରିଆ ଚିହ୍ନଟ କରାଯାଇଛି। ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ମୁତାବକ, କୋଭିଡ୍ ପାଇଁ ଲକ୍‌ଡାଉନ୍‌ ହୋଇଥିବାରୁ ରାଜ୍ୟବ୍ୟାପୀ ମ୍ୟାଲେରିଆ ଓ ଡେଙ୍ଗୁ ସର୍ବେକ୍ଷଣରେ ସମସ୍ୟା ସୃଷ୍ଟି ହୋଇଛି। ତେବେ ‌କୋଭିଡ୍‌ ପାଇଁ ଯେଉଁ ଆଶାକର୍ମୀମାନେ ଘରକୁ ଘର ବୁଲି ସର୍ବେକ୍ଷଣ କରୁଛନ୍ତି, ସେମାନଙ୍କ ଜରିଆରେ ମ୍ୟାଲେରିଆ ଓ ଡେଙ୍ଗୁ ସଚେତନତା ପାଇଁ କୁହାଯାଇଛି। ଏହା ସହ ସମସ୍ତ କର୍ପୋରେସନ୍‌ମାନଙ୍କୁ ବର୍ଷାଦିନ ଆସୁଥିବାରୁ ସତର୍କ ରହିବା ପାଇଁ ଚିଠି ଦିଆଯାଇଛି। ତେବେ ଗତବର୍ଷ ୨୫ଟି ଜିଲ୍ଲାରୁ ଅଳ୍ପସଂଖ୍ୟକ ମ୍ୟାଲେରିଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିଲା। ମାତ୍ର ଭୁବନେଶ୍ବରର ନୂଆପଲ୍ଲୀ ଓ ରାୟଗଡ଼ା ଭିଳି ଅଞ୍ଚଳର ମ୍ୟାଲେରିଆର ହଟ୍‌ସ୍ପଟ୍‌ ରହିଥିଲା। ତେଣୁ ସେହି ଅଞ୍ଚଳରେ କୀଟ ବିଶେଷଜ୍ଞ ସହିତ ଲାର୍ଭା ଓ ମଶାର ପ୍ରଜନନ ଉତ୍ସ ସଂପର୍କରେ ସର୍ବେକ୍ଷଣ ଜାରି ରହିଛି। ଗତବର୍ଷ ହଟ୍‌ସ୍ପଟ୍‌ ରହିଥିବା ଅଞ୍ଚଳରେ ପ୍ରକୃତରେ ମ୍ୟାଲେରିଆ କିମ୍ବା ଡେଙ୍ଗୁ ମଶା ରହିଛନ୍ତି କି ନାହିଁ, ତାହାର ଯାଞ୍ଚ କରାଯାଉଛି। ଗତମାସରୁ ଏଥିପାଇଁ ସବୁ ନିଗମମାନଙ୍କୁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ଲକ୍‌ଡାଉନ୍‌ ହଟିବା ପରେ ସର୍ବେକ୍ଷଣକୁ ଜୋରଦାର କରାଯିବ। ତେବେ ରାଜ୍ୟର ମ୍ୟାଲେରିଆପ୍ରବଣ ଅଞ୍ଚଳ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ମଶାରି ପ୍ରଦାନ କରାଯିବା ପାଇଁ ଚିଠି ଦିଆଯାଇଛି। ପୂର୍ବରୁ ୨୬ଲକ୍ଷ ମଶାରି ଆସିଥିବା ବେଳେ ଆହୁରି ୧.୧୩ କୋଟି ମଶାରୀ ପ୍ରଦାନ କରିବା ଲାଗି କେନ୍ଦ୍ର ସରକାର କହିଛନ୍ତି। ମାତ୍ର ଗତ ଦୁଇବର୍ଷ ହେବ ଏହି ମଶାରୀ ରାଜ୍ୟରେ ପହଞ୍ଚି ନାହିଁ। ମଶାରି ଆସିବା ଲାଗି ଆହୁରି କିଛି ମାସ ବିଳମ୍ବ ହେବ ବୋଲି ଆଶା କରାଯାଉଛି ବୋଲି ଅଧିକାରୀ ଜଣକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର