ଆଜି ବିଶ୍ବ ପାଣିପାଗ ବିଜ୍ଞାନ ଦିବସ: ସାମୁଦ୍ରିକ ତାପମାତ୍ରା ବଢ଼ାଉଛି ବାତ୍ୟା ଆଶଙ୍କା
ଆଗକୁ ଆହୁରି ଭୟାନକ ରୂପ ନେଇପାରେ ବାତ୍ୟା
ଭୁବନେଶ୍ବର: ପ୍ରାୟ ପ୍ରତିବର୍ଷ ବାତ୍ୟା ଆସୁଛି ଏବଂ ଓଡ଼ିଶାରେ ଧ୍ବଂସର ତାଣ୍ଡବଲୀଳା ରଚନା କରୁଛି। ମୌସୁମୀଜନିତ ବର୍ଷା ବି ଖୁବ୍ କମ୍ ହେଉଛି। କିନ୍ତୁ ବର୍ଷାଦିନ ସାରା ଲଘୁଚାପଜନିତ ବର୍ଷା ହୋଇ ନଦୀ ଜଳସ୍ତରରେ ବୃଦ୍ଧି ଓ ବନ୍ୟା ପରିସ୍ଥିତି ଉପୁଜିବା ଯୋଗୁଁ ଜନଜୀବନ ହାନି ଘଟୁଛି। ଶରତ, ହେମନ୍ତ ଓ ବସନ୍ତ ଋତୁ କ’ଣ ଆଉ ଜାଣି ହେଉ ନାହିଁ। ବର୍ଷତମାମ ପ୍ରଖର ଖରାରେ ମଣିଷ ସନ୍ତୁଳି ହେଉଛି। ଠିକ୍ ପରିମାଣର ବର୍ଷା ହେଉନାହିଁ କି ଠିକ୍ ସମୟରେ ଶୀତ ବି ଆସୁନାହିଁ। କିନ୍ତୁ ଅକ୍ଟୋବର କିମ୍ବା ମେ’ ମାସ ଆସିଲେ ବାତ୍ୟା ଭୟ ଘାରୁଛି। ୧୯୯୯ ମସିହା ମହାବାତ୍ୟା ପରଠାରୁ ଦୀର୍ଘ ୧୪ ବର୍ଷ ଧରି ଓଡ଼ିଶାକୁ ବାତ୍ୟା ପ୍ରାୟ ଆସି ନ ଥିଲା। ହେଲେ ୨୦୧୩ ମସିହା ଫାଇଲିନ୍ରୁ ଆରମ୍ଭ ହୋଇଯାଇଛି ବାତ୍ୟାର ସିରିଜ୍ ଖେଳ। ଏପରି ହଠାତ୍ ଜଳବାୟୁ ପରିବର୍ତ୍ତନକୁ ନେଇ ସାଧାରଣ ଲୋକ ଭୟଭୀତ ହେଉଥିବା ବେଳେ ପାଣିପାଗ ବିଶେଷଜ୍ଞମାନେ ଚିନ୍ତା ପ୍ରକଟ କଲେଣି। ସାମୁଦ୍ରିକ ତାପମାତ୍ରାରେ ବୃଦ୍ଧି ଏହାର ମୁଖ୍ୟ କାରଣ ବୋଲି ସେମାନେ ମତ ବ୍ୟକ୍ତ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସାମୁଦ୍ରିକ ପବନ ବା ସମୁଦ୍ରର ଆମ ଜଳବାୟୁ ଓ ପାଣିପାଗ ଉପରେ ସମ୍ପୂର୍ଣ୍ଣ ପ୍ରଭାବ ରହିଛି। ସମୁଦ୍ରରେ ସାମାନ୍ୟ କିଛି ପରିବର୍ତ୍ତନ ପାଣିପାଗରେ ବିରାଟ ପରିବର୍ତ୍ତନ ଆଣୁଛି। ଆମ ପାଣିପାଗ ଓ ଜଳବାୟୁ ସମୁଦ୍ର କେନ୍ଦ୍ରିକ ହୋଇଥିବାରୁ ଜଳବାୟୁ ପରିବର୍ତ୍ତନରେ ସମୁଦ୍ରର ଭୂମିକା ଗୁରୁତ୍ବପୂର୍ଣ୍ଣ। ଏହି ପରିପ୍ରେକ୍ଷୀରେ ଚଳିତ ବର୍ଷର ‘ବିଶ୍ବ ପାଣିପାଗ ଦିବସ’ର ବିଷୟବସ୍ତୁ ରହିଛି ‘ମହାସାଗର, ଆମ ପାଣିପାଗ ଓ ଜଳବାୟୁ’। ଓଡ଼ିଶାକୁ ସମୁଦ୍ର ଉତ୍ତର ଓଡ଼ିଶାର ବାଲେଶ୍ବରଠାରୁ ଆରମ୍ଭ କରି ଦକ୍ଷିଣରେ ଗଞ୍ଜାମ ପର୍ଯ୍ୟନ୍ତ ଘେରି ରହିଛି। ବାଲେଶ୍ବର ହେଉ କି ପାରାଦୀପ, ପୁରୀ ହେଉ ଅବା ଗୋପାଳପୁର ରାଜ୍ୟର ସମସ୍ତ ଉନ୍ନତ ଓ ବିକଶିତ ସହର ସମୁଦ୍ରକୂଳକୁ ଲାଗି ଗଢ଼ିଉଠିଛି। କିନ୍ତୁ ବିଶ୍ବ ତାପମାନ, ସବୁଜ ଗୃହ ପ୍ରଭାବ ଓ ଜଙ୍ଗଲ ଅବକ୍ଷୟ ଆଦି କାରଣରୁ ସମୁଦ୍ରର ତାପମାତ୍ରା ବଢ଼ିବା ସହ ବିଗିଡ଼ି ଯାଇଛି ଓଡ଼ିଶାର ଜଳବାୟୁ। ପ୍ରତିବର୍ଷ ଲଘୁଚାପ, ବାତ୍ୟା ଆଦି କାରଣରୁ ଓଡ଼ିଶାର ବିକାଶ ଏବେ ଯେମିତି ଅଟକି ଯାଇଛି। ପାଣିପାଗ ବିଶାରଦ ସୁରେନ୍ଦ୍ରନାଥ ପଶୁପାଳକ କହନ୍ତି, ଏବେ ଓଡ଼ିଶାକୁ ଯେଉଁ ବାତ୍ୟା ଆସୁଛି ତାହା ଅତି ଭୟଙ୍କର ରୂପରେ ଆସୁଛି। ଏହାର ଅନେକଗୁଡ଼ିଏ କାରଣ ରହିଥିଲେ ବି ମୁଖ୍ୟ କାରଣ ହେଉଛି ସାମୁଦ୍ରିକ ତାପମାତ୍ରାରେ ମାତ୍ରାଧିକ ବୃଦ୍ଧି। ତାପମାତ୍ରା ଧାରଣାର ଅଦ୍ଭୁତ କ୍ଷମତା ଜଳ ପାଖରେ ରହିଥିବା ବେଳେ ଏବେ ସମୁଦ୍ର ଏହି ତାପମାତ୍ରାକୁ ବିକିରଣ ନ କରି ନିଜ ଗଭୀର ଜଳରାଶିରେ ଜାବୁଡ଼ି ରଖୁଛି। ଅନ୍ୟପଟେ ବିଶ୍ବ ତାପମାନ ଯୋଗୁଁ ପ୍ରଶାନ୍ତ ମହାସାଗର ଉତ୍ତପ୍ତ ହୋଇଥାଏ। ପ୍ରଶାନ୍ତ ମହାସାଗରରୁ ବଙ୍ଗୋପସାଗର ତାପମାତ୍ରା ଶୋଷଣ କରିବା ଫଳରେ ବଙ୍ଗୋପସାଗର ବି ଉତ୍ତପ୍ତ ହୋଇଯାଏ।
ଫଳରେ ଉତ୍ତର ଭାରତ ମହାସାଗର(ଆରବସାଗର ଓ ବଙ୍ଗୋପସାଗର)ରେ ତାପମାତ୍ରା ୨୬.୫ ଡିଗ୍ରି ଅତିକ୍ରମ କରିଯାଉଛି। ବଙ୍ଗୋପସାଗରରେ ବାରମ୍ବାର ଲଘୁଚାପ ସୃଷ୍ଟି ଯୋଗୁଁ ଉପକୂଳ ଓଡ଼ିଶା ଯଥା, ପୁରୀ, କଟକ, ଭୁବନେଶ୍ବର, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ଗଞ୍ଜାମ ଆଦିରେ ପ୍ରବଳ ବର୍ଷା ସହ ବନ୍ୟା ପରିସ୍ଥିତ ଉପୁଜୁଛି। ଗତବର୍ଷ ସାମୁଦ୍ରିକ ତାପମାତ୍ରା ୩୦ ଡିଗ୍ରି ଅତିକ୍ରମ କରିଯାଇଥିଲା, ଯାହା ଫଳରେ ବଙ୍ଗୋପସାଗରରେ ଗତ ଅଗଷ୍ଟରୁ ଡିସେମ୍ବର ମଧ୍ୟରେ ଘନ ଘନ ଲଘୁଚାପ ସୃଷ୍ଟି ହୋଇଥିଲା।
ଏଥି ସହ ଏବେ ସୃଷ୍ଟି ହେଉଥିବା ଘୂର୍ଣ୍ଣିବଳୟ ବା ଲଘୁଚାପ ଏବେ ସମୁଦ୍ର ଭିତରେ ଅଧିକ ସମୟ ରହିଯାଉଛି। ଏହାର କାରଣ ଏଯାଏ ଜଣାପଡ଼ି ନ ଥିବା ବେଳେ ଲଘୁଚାପ ଅଧିକ ସମୟ ଧରି ସମୁଦ୍ର ଭିତରେ ରହିବା ଫଳରେ ଏହା ସେଠାରୁ ଶକ୍ତି ସଂଗ୍ରହ କରେ। ଏଥିସହ ସମୁଦ୍ରର ଆର୍ଦ୍ରତା ବି ନିଜ ଆଡ଼କୁ ଟାଣେ। ସାମୁଦ୍ରିକ ତାପମାତ୍ରା ଓ ଆର୍ଦ୍ରତା ଏକାଠି ହେବା ଫଳରେ ବାତ୍ୟା ଅଧିକ ଭୟଙ୍କର ହୁଏ। ଏହି କାରଣରୁ ଏବେ ଦୁଇ ବର୍ଷ ହେଲା ମୌସୁମୀ ପୂର୍ବରୁ ଅର୍ଥାତ ମେ’ ମାସରେ ବାତ୍ୟା ଅଧିକ ସୃଷ୍ଟି ହେଉଛି ଓ ଏହା ଭୟଙ୍କର ବାତ୍ୟାର ରୂପ ନେଉଛି। ୨୦୧୯ ମସିହାର ‘ଫନି’ ଓ ୨୦୨୦ର ‘ଅମ୍ଫାନ’ ଏହାର ଉଦାହରଣ। ସାଧାରଣତଃ ବାତ୍ୟା ପଶ୍ଚିମ ବା ଉତ୍ତର-ପଶ୍ଚିମ ଦିଗକୁ ଗତି କରିଥାଏ। କିନ୍ତୁ ଏବେ ଗବେଷଣାରୁ ଜଣାପଡ଼ିଛି ବଙ୍ଗୋପସାଗରୀୟ ବାତ୍ୟା ପ୍ରାୟତଃ ପଶ୍ଚିମ ଆଡ଼କୁ ଅର୍ଥାତ ସ୍ଥଳଭାଗମୁହାଁ ହିଁ ହେଉଛି। ବାତ୍ୟାରେ ଅତ୍ୟଧିକ ଆର୍ଦ୍ରତା ମିଶିବା ଫଳରେ ବର୍ଷା ହେବା ଓ ଅତ୍ୟଧିକ ବର୍ଷା ଏବେ ବନ୍ୟାର ବି କାରଣ ହୋଇଛି। ଏମିତି ଅନେକ କାରଣ ଯୋଗୁଁ ବାତ୍ୟା ସୃଷ୍ଟି ହେଉଥିବା ବେଳେ ସାମୁଦ୍ରିକ ତାପମାତ୍ରାକୁ ନିୟନ୍ତ୍ରିତ କରିପାରିଲେ ବାତ୍ୟାର ଭୟାବହତାକୁ କିଛି ମାତ୍ରାରେ କମାଇ ପାରିବା ବୋଲି କହିଛନ୍ତି ଡ. ପଶୁପାଳକ।
ପାଣିପାଗ ବିଶେଷଜ୍ଞ ଶରତ ସାହୁ କହିଛନ୍ତି, ସାମୁଦ୍ରିକ ପବନର ପ୍ରଭାବରେ ଉପକୂଳବର୍ତ୍ତୀ ଓଡ଼ିଶାରେ ତାପମାତ୍ରା ନିୟନ୍ତ୍ରିତ ହେଉଛି। କିନ୍ତୁ ଧୀରେ ଧୀରେ ବିଶ୍ବ ତାପମାତ୍ରା ବଢ଼ିବା ସହ ସାମୁଦ୍ରିକ ତାପମାତ୍ରା ବି ବଢ଼ୁଛି। ଫଳରେ ସମୁଦ୍ରରେ ସୃଷ୍ଟି ହେଉଥିବା ଲଘୁଚାପ ଅଧିକ ଘନୀଭୂତ ହୋଇ ପ୍ରବଳ ଭୟଙ୍କର ବାତ୍ୟାର ରୂପ ନେଉଛି। ଏଲ୍ନିନୋ ବର୍ଷଗୁଡ଼ିକରେ ବାତ୍ୟାର ପ୍ରଭାବ କମ୍ କହିଥାଏ। ଯେଉଁ ବର୍ଷ ଏଲ୍ନିନୋ ଆସିଥାଏ ତା’ର ଠିକ୍ ପର ବର୍ଷ ଅଧିକ ଗ୍ରୀଷ୍ମ ଲହରି ଦେଖାଯାଇଥାଏ। ୨୦୧୫ ଓ ୧୬ ମସିହାରେ ଓଡ଼ିଶାରେ ପ୍ରବଳ ଗରମ ସହ ଗ୍ରୀଷ୍ମ ଲହରିର ସଂଖ୍ୟା ମଧ୍ୟ ଅଧିକ ରହିଥିଲା। ଏଥି ସହ ସାମୁଦ୍ରିକ ପବନ ପ୍ରବାହରେ କାଳବୈଶାଖୀ ବର୍ଷା ବି ସୃଷ୍ଟି ହେଉଛି। ଯଦି ଦିନର ତାପମାତ୍ରା ଅଧିକ ରହିଛି ଓ ସମୁଦ୍ର ପଟୁ ହଠାତ୍ ସାମୁଦ୍ରିକ ପବନ ବହୁଛି, ସେଠି କାଳବୈଶାଖୀ ସୃଷ୍ଟି ହେବାକୁ ଅନୁକୂଳ ବାତାବରଣ ସୃଷ୍ଟି ହେଉଛି। ଏହି କାଳବୈଶାଖୀ ଅଧିକ ଘନୀଭୂତ ହୋଇଯାଉଛି ଓ କେନ୍ଦୁଝର ପଟେ ସୃଷ୍ଟ କାଳବୈଶାଖୀ ଖୋର୍ଦ୍ଧା ଓ ଗୋପାଳପୁର ଯାଏ ଚାଲିଆସୁଛି। ଅଧିକାଂଶ ସମୟରେ ଏହି କାଳବୈଶାଖୀ ବି ଓଡ଼ିଶାବାସୀଙ୍କ ପାଇଁ କାଳ ହେଉଛି। ଏମିତି ଆମ ଜଳବାୟୁ ଓ ପାଣିପାଗ ଉପରେ ସମୁଦ୍ରର ଅନେକ ପ୍ରଭାବ ରହିଛି।
ତେବେ ଡ. ପଶୁପାଳକ କହିଛନ୍ତି, ସମଗ୍ର ଦେଶ ମିଶି ବିଶ୍ବ ତାପମାନକୁ ନିୟନ୍ତ୍ରଣକୁ ଆଣିପାରିଲେ ଏହାର ସମାଧାନ ହୋଇପାରିବ। କିନ୍ତୁ ଯଦି କେବଳ ଓଡ଼ିଶାବାସୀ ଚାହିଁବା ଆମର ସମୁଦ୍ରକୂଳିଆ ଜଙ୍ଗଲଗୁଡ଼ିକର ପୁନରୁଦ୍ଧାର କଲେ ଓଡ଼ିଶାର ପ୍ରଧାନ ଶତ୍ରୁ ବାତ୍ୟା ସହ ଲଢ଼ିବା ସମ୍ଭବ ହେବ। ସେ କହିଛନ୍ତି, ପୂର୍ବରୁ ଥିବା ହେନ୍ତାଳ ବନ, ଝାଉଁବଣ ଆଦିକୁ ପୁନରୁଦ୍ଧାର କରିପାରିବା, ସମୁଦ୍ର ଉପକୂଳ ଅବକ୍ଷୟ ରୋକିବା ଓ ଅଧିକରୁ ଅଧିକ ବଡ଼ ଗଛ ରୋପଣ କରିବା ହିଁ ହେଉଛି ବାତ୍ୟାକୁ ପ୍ରତିରୋଧ କରିବାର ପ୍ରାକୃତିକ ଉପାୟ। ନଚେତ ଆଗକୁ ଆହୁତି ଭୟଙ୍କର ବାତ୍ୟା ଓ ଲଘୁଚାପ କବଳରେ ଆମେ ଜୁଝିହେବା ବୋଲି ସେ ଚେତାଇ ଦେଇଛନ୍ତି।