ଭୁବନେଶ୍ବର: ସଂଗ୍ରହାଳୟ ଗୌରବମୟ ଇତିହାସର ମୂକସାକ୍ଷୀ। ଗୋଟିଏ ଅସ୍ମିତାର ପରିଚୟ ଓ ସଭ୍ୟତା, ଜାତି ଓ ସଂସ୍କୃତିର acଦର୍ପଣ। ଅତୀତ ସହ ଯୋଡ଼ିବାର ଏକ ସହଜ ମାଧ୍ୟମ। ଇତିହାସ ଓ ପରମ୍ପରାର ଗାଥା ବଖାଣୁଥିବା ସଂଗ୍ରହାଳୟ ଗବେଷଣା ପାଇଁ ଏକ ଜ୍ଞାନର ଭଣ୍ଡାର। ସେଥିପାଇଁ ପ୍ରତ୍ୟେକ ଜାତି, ପ୍ରତ୍ୟେକ ଦେଶ ଓ ରାଜ୍ୟ ସଂଗ୍ରହାଳୟକୁ ଗୁରୁତ୍ବ ଦେଇ ଆସିଛନ୍ତି। ସରକାରଙ୍କ ପ୍ରଚେଷ୍ଟାରେ ରାଜଧାନୀ ସମେତ ଅଧିକାଂଶ ଜିଲ୍ଲାରେ ତିଆରି ହୋଇଛି ସଂଗ୍ରହାଳୟ। ବର୍ତ୍ତମାନର ପିଢ଼ିଙ୍କୁ ସଂଗ୍ରହାଳୟ ସହ ଯୋଡ଼ିବାକୁ ଚାଲିଛି ଉଦ୍ୟମ। ସେହି ମର୍ମରେ ଓଡ଼ିଶା ରାଜ୍ୟ ସଂଗ୍ରହାଳୟର କଳେବର ମଧ୍ୟ ବଢ଼ିବାରେ ଲାଗିଛି।

Advertisment

ଭୁବନେଶ୍ୱର କଳ୍ପନାରେ ଥିବା ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ପ୍ରଥମେ ୧୯୩୨ରେ କଟକ ରେଭେନ୍‌ସା କଲେଜ ପରିସରରେ ସ୍ଥାପିତ ହୋଇଥିଲା। ପରେ ୧୯୬୦ରେ ଏହାର ସ୍ଥାନାନ୍ତର ହୋଇଥିଲା। ଏହି ସଂଗ୍ରହାଳୟକୁ ୧୧ଟି ଭାଗରେ ବିଭକ୍ତ କରାଯାଇଥିଲା। ‘ପ୍ରତ୍ନତତ୍ତ୍ୱ’ ବିଭାଗରେ ଖ୍ରୀପୂ ୩ୟ ଶତାବ୍ଦୀଠାରୁ ଆରମ୍ଭ କରି ମଧ୍ୟଯୁଗୀୟ ପ୍ରତ୍ନତାତ୍ତ୍ବିକ ମୂର୍ତ୍ତି ସମେତ ଏ ଜାତିର ଧର୍ମ, ସଂସ୍କୃତି, ରାଜନୀତି, ଚିତ୍ର, ସଙ୍ଗୀତ, ସ୍ଥାପତ୍ୟ ଓ ଇତିହାସର ସ୍ମାରକୀକୁ ଦେଖିବାକୁ ମିଳିବ। ‘ଲିପିତତ୍ତ୍ବ’ ବିଭାଗରେ ୧୧୯ଟି ତାମ୍ର ଫଳକ, ୨୪ଟି ପ୍ରସ୍ତର ଅଭିଲେଖ ଓ ପ୍ଲାଷ୍ଟର ଉପରେ ଖୋଦିତ ବହୁ ସଂଖ୍ୟକ ଅଭିଲେଖ ରହିଛି। ‘ପ୍ରାଚୀନ ମୁଦ୍ରା ବିଭାଗ’ରେ ମଣିଷ ମୁଦ୍ରାର ବ୍ୟବହାର ଜାଣି ନଥିବା ବେଳଠାରୁ ଆରମ୍ଭ କରି ଏବେ ପର୍ଯ୍ୟନ୍ତ ପ୍ରଚଳିତ ମୁଦ୍ରାକୁ ସ୍ଥାନ ଦିଆଯାଇଛି। ‘ଅସ୍ତ୍ରଶସ୍ତ୍ର ବିଭାଗ’ ଉତ୍କଳୀୟ ଯୋଦ୍ଧାଙ୍କ ବୀରତ୍ବର ଗାଥା ଗାଉଛି। ‘ଖଣି ଓ ଭୂତତ୍ତ୍ବ ବିଭାଗ’ରେ ବହୂ ମୂଲ୍ୟବାନ ଖଣିଜ ପଦାର୍ଥ, ପ୍ରାଚୀନ ମନ୍ଦିରରେ ବ୍ୟବହୃତ ହୋଇଥିବା ପଥର ରହିଛି। ‘ପ୍ରାଣୀ ବିଭାଗ’ରେ ବିଭିନ୍ନ ପ୍ରଜାତିର ପଶୁ, ପକ୍ଷୀଙ୍କୁ ସୁସଜ୍ଜିତ ରଖାଯାଇଛି। ‘ଚାରୁ ଓ ଚାରୁକଳା ବିଭାଗ’ ଉତ୍କଳୀୟ ରାଜା ଓ ମହାରାଜାଙ୍କ ବ୍ୟବହୃତ ସାମଗ୍ରୀରେ କଳା ଓ ହସ୍ତଶିଳ୍ପର ସୂକ୍ଷ୍ମ କାରୁକାର୍ଯ୍ୟ ଦେଖିବାକୁ ମିଳେ। ‘ନୃତତ୍ତ୍ବ ବିଭାଗ’ର ଜନଜାତିଙ୍କର ସଂସ୍କୃତି ଓ ଜୀବନଶୈଳୀ ଆକର୍ଷଣର କେନ୍ଦ୍ର ବିନ୍ଦୁ। ‘ପଟ୍ଟଚିତ୍ର ବିଭାଗ’ରେ ଓଡ଼ିଶା ଚିତ୍ରକରଙ୍କ ରେଖା ଓ ରଙ୍ଗକର୍ମର ନିଖୁଣ ନିଦର୍ଶନ ଦେଖିବାକୁ ମିଳିବ। ‘ତାଳପତ୍ର ପୋଥି ବିଭାଗ’ରେ ୩୭ ହଜାରରୁ ଅଧିକ ତାଳପତ୍ର ପୋଥି ରହିଛି। ଓଡ଼ିଶା ସରକାରଙ୍କ ସଂସ୍କୃତି ବିଭାଗ ଅଧୀନରେ ଥିବା ଏହି ସଂଗ୍ରହାଳୟ ଏହାର କଳେବର ବୃଦ୍ଧି କରିବା ସହ ପିଲାଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସଭିଙ୍କୁ ଆକୃଷ୍ଟ କରିବାକୁ ବିବିଧ ଯୋଜନା ହାତକୁ ନେଇଛି। ସରକାର ନୂତନ ଭାବେ ସଂଗ୍ରହାଳୟ ନିର୍ଦ୍ଦେଶକ ନିଯୁକ୍ତି ଦେଇଛନ୍ତି।

ଏବେ ରାଜ୍ୟ ସଂଗ୍ରହାଳୟରେ ଆଉ ୮ଟି ବିଭାଗ ଯୋଡ଼ି ହେବାକୁ ଯାଉଛି। ଯାହା ନିର୍ବାଚନ ପରେ ଲୋକମାନଙ୍କ ଉଦ୍ଦେଶ୍ୟରେ ସମର୍ପଣ କରାଯିବ। ସେଗୁଡ଼ିକ ହେଲା ‘ହସ୍ତତନ୍ତ ଓ ବୟନ ଶିଳ୍ପ’, ‘ପ୍ରାଣୀ ବିଜ୍ଞାନ’, ‘ରାଜକୀୟ ଓ ହାତୀଦାନ୍ତ’, ‘ଖଣି ଓ ଭୂତତ୍ତ୍ବ’, ‘କଣ୍ଢେଇ’, ‘ମୁଖା’, ‘ଅନୁଭବ୍ୟ(ଇନ୍‌ଣ୍ଟାଜିବୁଲ୍‌)’, ଓ ‘ପ୍ରାକ୍‌ ଐତିହାସିକ’। ତେବେ ପିଲାମାନଙ୍କୁ ଆକୃଷ୍ଟ କରିବା ପାଇଁ କଣ୍ଢେଇ ଓ ମୁଖା ଗ୍ୟାଲେରୀ ମଧ୍ୟ ପ୍ରସ୍ତୁତ କରାଯାଇଛି। ସଂଗ୍ରହାଳୟରେ ମହାତ୍ମାଗାନ୍ଧୀଙ୍କ ଓଡ଼ିଶା ଭ୍ରମଣ ଓ ସ୍ବାଧୀନତା ସଂଗ୍ରାମୀମାନଙ୍କୁ ନେଇ କରାଯାଇଥିବା ସ୍ବତନ୍ତ୍ର ଗ୍ୟାଲେରୀ ମଧ୍ୟ ଗବେଷକମାନଙ୍କ ପାଇଁ ବେଶ୍‌ ସହାୟକ ହେଉଛି। ଏହାଛଡ଼ା ସଂଗ୍ରହାଳୟ ପରିସରକୁ ସୁନ୍ଦର ଭାବେ ସଜାଯାଉଛି। ଘାସର ଗାଲିଚା, ୱାଟର ଫାଉଣ୍ଟେନ, ‌ବଡ଼ ବଡ଼ ୩ଟି ଡାଏନୋସର ଓ ଅଡିଓ-ଭିଡ଼ିଓ ପ୍ରୋଜେକ୍ଟର ଅନେକଙ୍କୁ ଆକର୍ଷିତ କରୁଛି। ପ୍ରତ୍ୟେକ ମାସରେ ୩୦ ହଜାରରୁ ଅଧିକ ଦର୍ଶକ ସଂଗ୍ରହାଳୟକୁ ଆସୁଛନ୍ତି। ରାଜ୍ୟ ସଂଗ୍ରହାଳୟ ଅଧୀକ୍ଷକ ଭାଗ୍ୟଲିପି ମଲ୍ଲ କହିଛନ୍ତି, ‘‘ଜ୍ଞାନ ଆହରଣ ଓ ଗ‌ବେଷଣା ପାଇଁ ଅଧିକରୁ ଅଧିକ ଲୋକ ଏଠାକୁ ଆସିଲେ ଆମର ଶ୍ରମ ସାର୍ଥକ ହେବ।’’